ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂରେ ଝାନ୍ସୀସ୍ଥିତ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଓ ପ୍ରଶାସନିକ ଭବନର ଉଦ୍‌ଘାଟିତ

• କୃଷି ପ୍ରତିଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ନୂଆ ସୁଯୋଗ ପ୍ରଦାନ କରିବ ଏବଂ ଚାଷକୁ ଗବେଷଣା ଓ ବିକଶିତ ଟେକ୍ନୋଲଜି ସହିତ ଯୋଡିବ : ପ୍ରଧାନମନ୍ତ୍ରୀ
• ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ବୁନ୍ଦେଲଖଣ୍ଡ ଅଞ୍ଚଳ ପାଇଁ 10 ହଜାର କୋଟି ଟଙ୍କାର 500 ଜଳବିଷୟକ ପ୍ରକଳ୍ପ ଅନୁମୋଦିତ; ପ୍ରାୟ 3 ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ

Posted On: 29 AUG 2020 3:13PM by PIB Bhubaneshwar

ଉତ୍ତରପ୍ରଦେଶର ଝାନ୍ସୀଠାରେ ଥିବା ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଓ ପ୍ରଶାସନିକ ଭବନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି । ସେ ମଧ୍ୟ ଏହି ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଦେଶର କୃଷି କ୍ଷେତ୍ରକୁ ସଶକ୍ତ କରିବାରେ ଯଥାର୍ଥ ଅବଦାନ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଉଦ୍ଘାଟିତ ଦୁଇଟି ଭବନ ବିଦ୍ୟାର୍ଥୀ ଓ କଲେଜ କର୍ତ୍ତୃପକ୍ଷଙ୍କ ନୂଆ ସୁବିଧା ସୁଯୋଗ ଯୋଗାଇବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହୋଇ ଅଧିକ ପରିଶ୍ରମ କରିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ।

ଏହି ଅବସରରେ ରାଣୀ ଲକ୍ଷ୍ମୀବାଈଙ୍କ ସ୍ମୃତିଚାରଣ କରି ସେ କହିଛନ୍ତି ମୁଁ ମୋ ଝାନ୍ସୀକୁ ଦେବିନାହିଁବୋଲି ଯାହା କହିଥିଲେ ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଝାନ୍ସୀ ଓ ବୁନ୍ଦେଲଖଣ୍ଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବାରେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲର ଲକ୍ଷ୍ୟ ହେଲା ଚାଷୀଙ୍କୁ ଉଭୟ ଉତ୍ପାଦକ ଓ ଉଦ୍ୟୋଗୀରେ ପରିଣତ କରିବା । ଏହି ବିଚାରକୁ ମନରେ ରଖି ଦେଶରେ ବିଭିନ୍ନ ଐତିହାସିକ କୃଷି ସଂସ୍କାର କାର୍ଯ୍ୟକାରୀ ହେଉଛି । ଅନ୍ୟାନ୍ୟ ଶିଳ୍ପ ଭଳି ଚାଷୀମାନେ ମଧ୍ୟ ଏବେ ନିଜର ଉତ୍ପାଦିତ ସାମଗ୍ରୀ ଦେଶରେ ଯେକୌଣସି ଜାଗାରେ ବିକ୍ରି କରିପାରିବେ । ଯେଉଁଠି ସେମାନେ ଭଲ ମୂଲ୍ୟ ପାଇବେ ସେଠାରେ ନିଜ ସାମଗ୍ରୀ ବିକିବେ । କ୍ଲଷ୍ଟରଭିତ୍ତିକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ କୃଷି କ୍ଷେତ୍ରରେ ଏକଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିରନ୍ତର ଉଦ୍ୟମ ଫଳରେ କୃଷି କ୍ଷେତ୍ରକୁ ଆଧୁନିକ ଟେକ୍ନୋଲଜି ସହିତ ସଂଯୁକ୍ତ କରାଯାଇପାରିଛି । କୃଷି ବିଶ୍ୱବିଦ୍ୟାଳୟଗୁଡିକରେ ଥିବା ଗବେଷଣା ଅନୁଷ୍ଠାନଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଦେଶରେ ଏବେ 3ଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ରହିଛି । 6 ବର୍ଷ ତଳେ ଏହି ସଂଖ୍ୟା ମାତ୍ର 1ରେ ସୀମିତ ଥିଲା । ଏହାଛଡା ଝାଡଖଣ୍ଡ ଓ ଆସାମରେ ଦୁଇଟି ଜାତୀୟ କୃଷି ପ୍ରତିଷ୍ଠାନ ଏବଂ ବିହାରର ମୋତିହାରୀଠାରେ ମହାତ୍ମା ଗାନ୍ଧୀ ସମ୍ମନ୍ୱିତ କୃଷି ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏସବୁ ପ୍ରତିଷ୍ଠାନ କେବଳ ଛାତ୍ରଛାତ୍ରୀଙ୍କୁ ନୂଆ ସୁଯୋଗ ଦେବନାହିଁ, ସ୍ଥାନୀୟ କୃଷକଙ୍କ କଲ୍ୟାଣ ପାଇଁ ଟେକ୍ନୋଲଜି ଯୋଗାଇଦେଇ ସେମମାନଙ୍କ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆଧୁନିକ ଟେକ୍ନୋଲଜିର ପ୍ରୟୋଗ ସଂପର୍କରେ ଉଲ୍ଲେଖ କରିବାବେଳେ ନିକଟ ଅତୀତର ପଙ୍ଗପାଳ ଆକ୍ରମଣ ସଂପର୍କରେ ସେ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଆଧୁନିକ ଟେକ୍ନୋଲଜି ପ୍ରୟୋଗ କରି ସରକାର ଅଳ୍ପ ସମୟରେ ସଫଳତାର ସହ ପଙ୍ଗପାଳ ଆକ୍ରମଣକୁ ନିୟନ୍ତ୍ରିତ କରିଥିଲେ ଏବଂ ଫସଲ କ୍ଷତି ରୋକିବାରେ ସମର୍ଥ ହୋଇଥିଲେ । ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍‌ମାନ ସ୍ଥାପନ କରାଯାଇ ଚାଷୀମାନଙ୍କୁ ଏ ସଂପର୍କରେ ଆଗୁଆ ସୂଚନା ଦିଆଯାଇଥିଲା । ଏହାଛଡା ଡ୍ରୋନ ଏବଂ ଅନ୍ୟାନ୍ୟ ଆଧୁନିକ ସ୍ପ୍ରେ ମେସିନ ସାହାଯ୍ୟରେ ବିଷ ସ୍ପ୍ରେ କରାଯାଇ ପଙ୍ଗପାଳଙ୍କୁ ନିପାତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 6 ବର୍ଷ ମଧ୍ୟରେ କୃଷି ଓ ଗବେଷଣା ମଧ୍ୟରେ ସକ୍ରିୟ ସଂଯୋଗ ସ୍ଥାପନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହାଛଡା ଗ୍ରାମସ୍ତରରେ ଚାଷୀଙ୍କୁ ବିଜ୍ଞାନଭିତ୍ତିକ ଓ ଆଧୁନିକ ପରାମର୍ଶମାନ ପ୍ରଦାନ କରାଯାଉଛି । କୃଷି ବିଶ୍ୱବିଦ୍ୟାଳୟରେ ଯେଉଁସବୁ ନୂଆ ଜ୍ଞାନକୌଶଳ ଓ ଉପଲବ୍ଧି ହାସଲ ହେଉଛି ତାହାକୁ କୃଷି କ୍ଷେତ୍ରକୁ ସଂପ୍ରସାରିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷିଭିତ୍ତିକ ଜ୍ଞାନକୁ ବାସ୍ତବାଭିମୁଖୀ କରିବା ପାଇଁ ସ୍କୁଲ ସ୍ତରରୁ ପ୍ରୟାସ ଆରମ୍ଭ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଗ୍ରାମାଞ୍ଚଳରେ ମାଧ୍ୟମିକ ସ୍କୁଲ ସ୍ତରରେ କୃଷିକୁ ଏକ ପାଠ୍ୟକ୍ରମଭାବେ ପ୍ରଚଳନ କରିବା ପାଇଁ ଉଦ୍ୟମ ହେଉଛି । ଏହାଦ୍ୱାରା  ଛାତ୍ରମାନଙ୍କ ମଧ୍ୟରେ ଚାଷବାସଜନିତ ଜ୍ଞାନ ବଢିବ ଏବଂ ଆଧୁନିକ କୃଷି କାର୍ଯ୍ୟରେ ନୂଆ ଟେକ୍‌ନୋଲଜିର ପ୍ରୟୋଗ ଏବଂ କୃଷିଜାତ ଦ୍ରବ୍ୟର ବିପଣନ ସଂପର୍କରେ ପିଲାମାନେ ସେମାନଙ୍କ ପରିବାରକୁ ଉପଯୁକ୍ତ ପରାମର୍ଶ ଦେଇପାରିବେ । ଏହାଦ୍ୱାରା ଦେଶରେ କୃଷି ଉଦ୍ୟମୀତା ପ୍ରୋତ୍ସାହିତ ହେବ ବୋଲି ସେ କହିଛନ୍ତି ।

କରୋନା ମହାମାରୀ ସମୟରେ ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା ହ୍ରାସ କରିବାକୁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମ ସଂପର୍କରେ ସେ କହିଛନ୍ତି ଯେ ଉତ୍ତର ପ୍ରଦେଶର ଗରିବ ଓ ଗ୍ରାମାଞ୍ଚଳ ପରିବାରମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ବୁନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରାୟ 10 ଲକ୍ଷ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର ଏହି ସମୟରେ ପ୍ରଦାନ କରାଯାଇଛି । ଗରିବ କଲ୍ୟାଣ  ରୋଜଗାର ଅଭିଯାନରେ ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ 700 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକ କାମ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବର ପ୍ରତିଶ୍ରୁତି ମୁତାବକ ଦେଶର ପ୍ରତ୍ୟେକ ଘରକୁ ପାନୀୟଜଳ ସଂଯୋଗ ବ୍ୟବସ୍ଥା ତ୍ୱରିତ ବେଗରେ କାର୍ଯ୍ୟକାରୀ ହେଉଛି । ଏଥିପାଇଁ 10 ହଜାର କୋଟି ଟଙ୍କାର ପ୍ରାୟ 500ଟି ଜଳବିଷୟକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ 3ହଜାର କୋଟି ଟଙ୍କାର ପ୍ରକଳ୍ପ ଗତ ଦୁଇମାସ ମଧ୍ୟରେ ଆରମ୍ଭ ହୋଇଛି । ଏହାଦ୍ୱାରା ବୁନ୍ଦେଲଖଣ୍ଡ ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ବୁନ୍ଦେଲଖଣ୍ଡରେ ଖୁବ୍‌ଶୀଘ୍ର ଅଟଳ ଭୂତଳ ଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଚାଲିଛି । ଭୂତଳ ଜଳସ୍ତର ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ । ଝାନ୍ସୀ, ମହୁବା, ବାନ୍ଦା, ହମିରପୁର, ଚିତ୍ରକୁଟ ଏବଂ ଲଳିତପୁର ଜିଲା ସମେତ ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଗାଁର ଭୂତଳ ଜଳସ୍ତର ବୃଦ୍ଧି ପାଇଁ 700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୁନ୍ଦେଲଖଣ୍ଡରେ ବେଟୁୱା, କେନ୍‌ ଓ ଯମୁନା ଆଦି ନଦୀ ପ୍ରବାହିତ । ତେବେ ଏହିସବୁ ନଦୀର ଜଳଦ୍ୱାରା ଏ ଅଞ୍ଚଳ ବିଶେଷ ଲାଭବାନ ହୁଏ ନାହିଁ । ଏହି ଅବସ୍ଥାକୁ ବଦଳାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । କେନ୍‌ ଓ ବେଟୁୱା ନଦୀକୁ ଯୋଡି ଏହାର ଲାଭ ସ୍ଥାନୀୟ ଲୋକଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ସହଯୋଗ କରୁଛନ୍ତି । ନଦୀ ସଂଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ବୁନ୍ଦେଲଖଣ୍ଡ ଆବଶ୍ୟକ ଜଳ ପାଇଲେ ଏହି ଅଞ୍ଚଳର ଜୀବନଜୀବିକା ସଂପୂର୍ଣ୍ଣ ବଦଳିଯିବ । ଏହାଛଡା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡ଼କ ଓ ପ୍ରତିରକ୍ଷା କରିଡରରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାଦ୍ୱାରା ବିପୁଳ କର୍ମନିଯୁକ୍ତି ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଖୁବ୍‌ଶୀଘ୍ର ବୁନ୍ଦେଲଖଣ୍ଡର ଚର୍ତୁଦ୍ଦିଗରେ ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ ମନ୍ତ୍ର ନିନାଦିତ ହେବ । ବୁନ୍ଦେଲଖଣ୍ଡର ଯେଉଁ ପୁରୁଣା ସୁନାମ ରହିଛି ତାହାକୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଙ୍ଗୀକୃତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

*********

 



(Release ID: 1649655) Visitor Counter : 151