ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ମୁକାବିଲାରେ ଭାରତର ଆଉ ଏକ ସଫଳତା

• ଗୋଟିଏ ଦିନରେ 10 ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

Posted On: 22 AUG 2020 12:31PM by PIB Bhubaneshwar

ଦିନକୁ 10 ଲକ୍ଷ ନମୁନା ପରିକ୍ଷଣର ଲକ୍ଷ ନେଇ କୋଭିଡ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିବା ଦେଶ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛି । କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ସହଯୋଗ ଯୋଗୁଁ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 10 ଲକ୍ଷ ନମୁନା ପରୀକ୍ଷଣ କରାଯାଇପାରିଛି । ଗତକାଲି 10,23,836ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଭାରତ ଦିନକୁ 10 ଲକ୍ଷ ନମୁନା ପରୀକ୍ଷା କରିବାର ଲକ୍ଷ୍ୟକୁ ସାକାର କରିପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା 3.40 କୋଟିରୁ ଉର୍ଦ୍ଧ୍ଵ (3,44,91,073)ରେ ପହଞ୍ଚିଛି ।

ଦୈନିକ ପରୀକ୍ଷା ସଂଖ୍ୟାରେ ଦିନକୁ ଦିନ ଅଗ୍ରଗତି ଘଟୁଛି । ଗତ 3 ସପ୍ତାହ ମଧ୍ୟରେ ଦୈନିକ ପରୀକ୍ଷା ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପକ ପରୀକ୍ଷା ଯୋଗୁଁ ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଅଧିକ ପରୀକ୍ଷା ଯୋଗୁଁ ଆରମ୍ଭରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସଅଳ ଏକାନ୍ତବାସ, ଚିହ୍ନଟ ଓ ଦକ୍ଷ ଉପଚାର ଯୋଗୁଁ ଏହା କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନୀତିଗତ ନିଷ୍ପତ୍ତି ଓ ନମୁନା ପରୀକ୍ଷଣ ବୃଦ୍ଧି ଯୋଗୁଁ ଦେଶରେ ଦୈନିକ ପରୀକ୍ଷଣ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି । ଦୈନିକ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାର ମଧ୍ୟ ବୃଦ୍ଧି କରାଯାଇଛି । ଆଜି 983ଟି ସରକାରୀ ଓ 528ଟି ଘରୋଇ ଏହିପରି ମୋଟ 1511ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । 

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********



(Release ID: 1647943) Visitor Counter : 231