ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଆତ୍ମନିର୍ଭର ଭାରତ ସଂପର୍କରେ ନେହେରୁ ଯୁବକେନ୍ଦ୍ର ଓ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ମନ୍ତ୍ରୀ କିରେନ ରିଜିଜୁଙ୍କ ଆହ୍ୱାନ

• 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ଏବଂ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଶ୍ରୀ ରିଜିଜୁଙ୍କ ଉଦ୍‌ବୋଧନ

Posted On: 14 JUL 2020 6:29PM by PIB Bhubaneshwar

କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି 18ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ଆତ୍ମନିର୍ଭର ଭାରତ ସଂପର୍କରେ ସେ ବିଭିନ୍ନ ରାଜ୍ୟରେ ନେହେରୁ ଯୁବ ସଂଗଠନ, ଜାତୀୟ ସେବାସଂସ୍ଥା (ଏନ୍‌ଏସ୍‌ଏସ୍‌) ବ୍ୟବସ୍ଥାରେ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରି ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଜଣାଇଛନ୍ତି ।

ଏହି ଦୁଇଦିନିଆ ସମ୍ମିଳନୀର ପ୍ରଥମ ଦିବସରେ ଶ୍ରୀ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ଏହି ଜନସଚେତନତା ସୃଷ୍ଟିରେ ନେହେରୁ ଯୁବକେନ୍ଦ୍ର ଓ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବେ । ଏବେ 75 ଲକ୍ଷ ସ୍ୱେଚ୍ଛାସେବୀ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ଅନ୍‌ଲକ୍‌-2 ସମୟରେ ଆମେ ଏହି ସଂଖ୍ୟାକୁ ଏକ କୋଟିରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ । ଆମର ସ୍ୱେଚ୍ଛାସେବୀମାନେ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ମିଶାଇ ସମାଜର ସବୁବର୍ଗର ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାର ବାର୍ତ୍ତା ପହଞ୍ଚାଇବାର ଆବଶ୍ୟକତା ରହିଛି । ମୁଁ ଏହି ଅବସରରେ ରାଜ୍ୟମାନଙ୍କୁ ଆହ୍ୱାନ ଜଣାଉଛି ସେମାନେ ଏଥିପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରନ୍ତୁ । ସେମାନଙ୍କ କାର୍ଯ୍ୟରେ  କେନ୍ଦ୍ର ସରକାର ବିଶେଷ ହସ୍ତକ୍ଷେପ କରିବେ ନାହିଁ । ସେମାନେ ଜିଲା ପ୍ରଶାସନ ସହ ସିଧାସଳଖ ସଂପର୍କ ରଖି କାର୍ଯ୍ୟ କରିବେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ରିଜିଜୁ ଦେଶର ବିଭିନ୍ନ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନିର୍ମାଣ ଏବଂ କ୍ରୀଡାବିତ୍‌ଙ୍କ ତାଲିମ ତଥା ଅଭ୍ୟାସ ଆଦି ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ପ୍ରତ୍ୟେକ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଏକ୍ସଲେନ୍ସ ପ୍ରତିଷ୍ଠା କରି ଅଲିମ୍ପିକ୍‌ସ୍ତରୀୟ କ୍ରୀଡାବିତ୍‌ଙ୍କୁ ତିଆରି କରିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ । ଏହିସବୁ ଏକ୍ସଲେନ୍ସ ସେଣ୍ଟର ନିର୍ଦ୍ଦିଷ୍ଟ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇବ । ଏହାଛଡା ଏକ ହଜାର ଖେଲୋ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ । ଭାରତର ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ରାଜ୍ୟର ପ୍ରତିନିଧିମାନେ କହିଥିଲେ ଯେ ଦେଶର ସବୁ ଜିଲାରେ ମୋଟ ଏକ ହଜାର ଖେଲୋ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା ଦ୍ୱାରା କ୍ରୀଡା ପ୍ରତିଭାର ବିକାଶ ଘଟିବ ଏବଂ ଏହା କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବ । ଖେଳକୁଦର ବିକାଶ ପାଇଁ ବିଭିନ୍ନ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସଂପର୍କରେ ଏଥିରେ ସୂଚନା ଦେଇଥିଲେ । କରୋନା ମହାମାରୀ ସମୟରେ କ୍ରୀଡାବିତ୍‌ଙ୍କ ଅଭ୍ୟାସ ଏବଂ ନିରାପତ୍ତା ଆଦି ବିଷୟରେ ଏଥିରେ ଆଲୋଚନା ହୋଇଥିଲା ।

ପ୍ରଥମ ଦିବସରେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ହିରଆନା, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, କେରଳ, ଲଦାଖ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗନା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଆଜିର ଏହି ଭିଡିଓ କନ୍‌ଫରେନ୍ସିରେ ଭାଗ ନେଇଥିଲେ । ଆସନ୍ତାକାଲି ଏଥିରେ ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଭାଗ ନେବେ ।

 

**********



(Release ID: 1638620) Visitor Counter : 156