ଅର୍ଥ ମନ୍ତ୍ରଣାଳୟ

ଆତ୍ମନିର୍ଭର ଭାରତ ପ୍ୟାକେଜ- ବର୍ତ୍ତମାନ ସୁଦ୍ଧା ଅଗ୍ରଗତି

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସହ ଜଡ଼ିତ ‘ଆତ୍ମନିର୍ଭର ଭାରତ ପ୍ୟାକେଜ’ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି

Posted On: 12 JUL 2020 11:51AM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ କୋଭିଡ-19 ମହାମାରୀର ମୁକାବିଲା କରିବା ଲାଗି 12 ମଇ, 2020ରେ 20 ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ଏବଂ ବ୍ୟାପକ ପ୍ୟାକେଜର ଘୋଷଣ କରିଥିଲେ ଯାହାକି ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି)10 ପ୍ରତିଶତ ସହ ସମତୁଲ୍ୟ। ସେ ଆତ୍ମନିର୍ଭର ଭାରତନିର୍ମାଣ ଲାଗି ଆହ୍ୱାନ କରିଥିଲେ। ଏଥିସହିତ ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ସ୍ତମ୍ଭ-ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ପ୍ରଣାଳୀ, ଯୁବ ଜନସଂଖ୍ୟା ଏବଂ ଚାହିଦା- ବିଷୟରେ ମଧ୍ୟ ଆଲୋକପାତ କରିଥିଲେ।

 

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ 13 ମଇଠାରୁ 17 ମଇ 2020 ପର୍ଯ୍ୟନ୍ତ ଲଗାତାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଆତ୍ମନିର୍ଭର ଭାରତ ପ୍ୟାକେଜର ବିବରଣୀ ଉପସ୍ଥାପନ କରିଥିଲେ।

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅତ୍ୟନ୍ତ ଶୀଘ୍ର ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆର୍ଥିକ ପ୍ୟାକେଜ ସଂକ୍ରାନ୍ତ ଘୋଷଣାଗୁଡ଼ିକୁ ଲାଗୁ କରିବା ଆରମ୍ଭ କରିଦେଇଥିଲା। ଆର୍ଥିକ ପ୍ୟାକେଜ କାର୍ଯ୍ୟକାରିତାର ନିୟମିତ ସମୀକ୍ଷା ଏବଂ ଅନୁଧ୍ୟାନ ନିଜେ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଭାବେ କରୁଛନ୍ତି।

ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ସଦ୍ୟତମ ସମୀକ୍ଷାରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ନିମ୍ନରେ ଉପସ୍ଥାପନ କରାଗଲା:

1. 200 କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ରୟ ପାଇଁ ଟେଣ୍ଡରରେ ବୈଶ୍ୱିକ ଟେଣ୍ଡରକୁ ଅନୁମତି ମିଳିବ ନାହିଁ

ଦେଶର ଏମଏସଏମଇ (ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ)କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ବ୍ୟୟ ବିଭାଗ ସାଧାରଣ ଆର୍ଥିକ ନିୟମ, 2017ର ବର୍ତ୍ତମାନର ନିୟମ 161(iv) ଏବଂ ବୈଶ୍ୱିକ ଟେଣ୍ଡର ସମ୍ବନ୍ଧୀୟ ଜିଏଫଆର ନିୟମରେ ସଂଶୋଧନ କରିଛି। ଏଣିକି 200 କୋଟି ଟଙ୍କାର ଟେଣ୍ଡର ନିମନ୍ତେ କୌଣସି ବୈଶ୍ୱିକ ଟେଣ୍ଡର ଆହ୍ୱାନ ବା ଗ୍ଲୋବାଲ ଟେଣ୍ଡର ଇନକ୍ୱାରୀ (ଜିଟିଆଇ) ସେପର୍ଯ୍ୟନ୍ତ ଆହ୍ୱାନ କରାଯିବ ନାହିଁ ଯେପର୍ଯ୍ୟନ୍ତ କ୍ୟାବିନେଟ ସଚିବାଳୟରୁ ଏଥିପାଇଁ ପୂର୍ବ ଅନୁମତି ମିଳିନାହିଁ।

2. ଠିକାଦାରମାନଙ୍କୁ ସହାୟତା

ଅର୍ଥମନ୍ତ୍ରୀ ମଧ୍ୟ ଘୋଷଣା କରିଥିଲେ ଯେ ରେଳବାଇ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ସିପିଡବ୍ଲ୍ୟୁଡି ଭଳି ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଅନୁବନ୍ଧ କିମ୍ବା ଟେଣ୍ଡର ଆଧାରିତ ଦାୟିତ୍ୱକୁ ପୂରଣ କରିବା ଲାଗି 6 ମାସ ପର୍ଯ୍ୟନ୍ତ ଅଧିକ ସମୟ ସୀମା ପ୍ରଦାନ କରିବେ, ଯେଉଁଥିରେ ଇପିସି ଏବଂ ରିହାତି ବୁଝାମଣା ସହ ଜଡ଼ିତ ଦାୟିତ୍ୱ ମଧ୍ୟ ସାମିଲ ରହିଛି।
ଏ ସଂକ୍ରାନ୍ତରେ ବ୍ୟୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ (କୋଭିଡ-19 ମହାମାରୀ କାରଣ) ଅପ୍ରତ୍ୟାଶିତ ପରିସ୍ଥିତି ବା ବିପର୍ଯ୍ୟୟ ସହ ଜଡ଼ିତ ଧାରା (ଏଫଏମସି)ର ଉପଯୋଗ କରି ଠିକାଦାର/ରିହାତି ପ୍ରାପ୍ତକାରୀଙ୍କ ଉପରେ କୌଣସି ଖର୍ଚ୍ଚ କିମ୍ବା ଜୋରିମାନା ଲାଗୁ କରାନଯାଇ ଅନୁବନ୍ଧ ଅବଧିକୁ ଅତିକମରେ ତିନି ମାସ ଏବଂ ସର୍ବାଧିକ 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଠିକାଦାର/ଯୋଗାଣକାରୀଙ୍କୁ କାର୍ଯ୍ୟ ପ୍ରଦର୍ଶନ ସଂକ୍ରାନ୍ତ ସିକ୍ୟୁରିଟିର ମୂଲ୍ୟ ଫେରସ୍ତ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ଯାହା ବିଧିବଦ୍ଧ ଭାବେ କରାଯାଇଥିବା ଯୋଗାଣ/ମୋଟ ଅନୁବନ୍ଧ ମୂଲ୍ୟର ସମ୍ପୂର୍ଣ୍ଣ ହୋଇସାରିଥିବା ଅନୁବନ୍ଧ କାର୍ଯ୍ୟ ଅନୁପାତ ହେବ। ଏହାକୁ ବିଭିନ୍ନ ବିଭାଗ/ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।

3. ରାଜ୍ୟ ସରକାରଙ୍କୁ ସହାୟତା

ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ଅପ୍ରତ୍ୟାଶିତ ପରିସ୍ଥିତିକୁ ଧ୍ୟାନରେ ରଖି ଅନୁରୋଧ ସ୍ୱୀକାର କରାଯାଇଛି ଏବଂ କେବଳ 2020-21 ଆର୍ଥିକ ବର୍ଷ ଲାଗି ରାଜ୍ୟଗୁଡ଼ିକର ଋଣସୀମାକୁ 3%ରୁ ବଢ଼ାଇ 6% କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ରାଜ୍ୟଗୁଡ଼ିକୁ 4.28 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସମ୍ବଳ ମିଳିପାରିବ।

ଲକଡାଉନ କାରଣରୁ ରାଜସ୍ୱ ଆଦାୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସମୟରେ ଅତ୍ୟଧିକ ସଙ୍କଟର ସମ୍ମୁଖୀନ ହେଉଥିବା ରାଜ୍ୟ ସରକାରଗୁଡ଼ିକର ଆର୍ଥିକ ସ୍ଥିତିକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଲାଗି ପ୍ରୟାସ କରାଯାଇଛି। ଏହି କ୍ରମରେ ବ୍ୟୟ ବିଭାଗ ପକ୍ଷରୁ 2020-21 ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ଆନୁମାନିକ ଜିଏସଡିପିର 2ପ୍ରତିଶତ ସହିତ ସମାନ ଅତିରିକ୍ତ ଋଣ ନେବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ତେବେ ଏଥିନିମନ୍ତେ ନିର୍ଦ୍ଦିଷ୍ଟ ରାଜ୍ୟସ୍ତରୀୟ ସୁଧାରକୁ ଲାଗୁ କରିବାକୁ ହେବ।

4.ଏମଏସଏମଇ ସମେତ ବ୍ୟବସାୟୀଙ୍କ ଲାଗି 3ଲକ୍ଷ କୋଟି ଟଙ୍କାର ବନ୍ଧକବିନା ସ୍ୱତଃ ଋଣ

ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି 29 ଫେବୃଆରୀ, 2020 ସୁଦ୍ଧା ବକେୟା ଥିବା ମୋଟ ଋଣର 20% ଅତିରିକ୍ତ କାର୍ଯ୍ୟଶୀଳ ପୁଞ୍ଜି ରିହାତି ସୁଧ ଦରରେ ସଅବଧି ଋଣ ଆକାରରେ ପ୍ରଦାନ କରାଯିବ। ଏହା 25 କୋଟି ଟଙ୍କା ପର୍ଯ୍ୟନ୍ତ ବକେୟା ଋଣ ଏବଂ 100 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା ସେସବୁ ୟୁନିଟଗୁଡ଼ିକ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କର ଆକାଉଣ୍ଟକୁ ଷ୍ଟାଣ୍ଡାର୍ଡ ଭାବେ ଗ୍ରହଣ କରାଯିବ। ଏସବୁ ୟୁନିଟଗୁଡ଼ିକୁ ନିଜ ପକ୍ଷରୁ କୌଣସି ଗ୍ୟାରେଣ୍ଟି କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ। ଏହି ଅର୍ଥରାଶି ଉପରେ ଭାରତ ସରକାରଙ୍କର 100% ଗ୍ୟାରେଣ୍ଟି ରହିବ। ଏହାର ଅନ୍ତର୍ଗତ 45 ଲକ୍ଷରୁ ଅଧିକ ଏମଏସଏମଇଗୁଡ଼ିକୁ ମୋଟ 3 ଲକ୍ଷ କୋଟି ଟଙ୍କାର ଲିକୁଇଡିଟି ନଗଦ ପ୍ରବାହ ଉପଲବ୍ଧ କରାଯାଇପାରିବ।

20 ମଇ 2020ରେ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଅର୍ଥ ସେବା ବିଭାଗ 23 ମଇ 2020ରେ ଯୋଜନା ପାଇଁ ପରିଚାଳନା ଦିଶା-ନିର୍ଦ୍ଦେଶ ଜାରି କରିଥିଲା ଏବଂ ଜରୁରିକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ପାଣ୍ଠି)କୁ 26 ମଇ 2020ରେ ପଞ୍ଜିକୃତ କରାଗଲା ପାଖାପାଖି ଦେଢ଼ ମାସର ସ୍ୱଳ୍ପ ଅବଧିରେ ହିଁ ୟୁନିଟଗୁଡ଼ିକୁ ଚିହ୍ନଟ କରାଗଲା ଏବଂ ଏମଏସଏମଇଗୁଡ଼ିକୁ ଋଣ ମଞ୍ଜୁରି ସହିତ ବିତରଣରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହେଲା 9 ଜୁଲାଇ 2020 ସୁଦ୍ଧା ନିମ୍ନଲିଖିତ ଅଗ୍ରଗତି ହୋଇପାରିଛି :

https://static.pib.gov.in/WriteReadData/userfiles/image/image004YRWC.png

5. ଏନବିଏଫସିଗୁଡ଼ିକ ଲାଗି 45,000 କୋଟି ଟଙ୍କାର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା 2.0

ବର୍ତ୍ତମାନର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା (ପିସିଜିଏସ)କୁ ସଂଶୋଧିତ କରାଯିବ ଏବଂ କମ ରେଟିଂ ବିଶିଷ୍ଟ ଏନବିଏଫସି, ଏଚଏଫସି ଓ ଅନ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥାନ (ଏମଏଫଆଇ)ର ଋଣକୁ ମଧ୍ୟ ଏହାର ପରିଧି ମଧ୍ୟକୁ ଅଣାଯିବଭାରତ ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ 20 ପ୍ରତିଶତ କ୍ଷତି ପାଇଁ ସୋଭରେନ ଗ୍ୟାରେଣ୍ଟି ପ୍ରଦାନ କରିବେ।

20 ମଇ 2020ରେ ପିସିଜିଏସକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଯୋଜନାର ପରିଚାଳନା ଦିଶାନିର୍ଦ୍ଦେଶକୁ ସେହି ଦିନ ଅର୍ଥାତ 20 ମଇ 2020ରେ ହିଁ ଜାରି କରିଦିଆଯାଇଥିଲା। ବ୍ୟାଙ୍କଗୁଡ଼ିକ 14,000 କୋଟି ଟଙ୍କାର ପୋର୍ଟଫୋଲିଓ କ୍ରୟକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ 3 ଜୁଲାଇ 2020 ସୁଦ୍ଧା 6,000 କୋଟି ଟଙ୍କାର ଅନୁମୋଦନ/ଆଲୋଚନା ପ୍ରକ୍ରିୟା ଜାରି ରହିଛି

6. ନାବାର୍ଡ ଜରିଆରେ କୃଷକମାନଙ୍କ ପାଇଁ 30,000 କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ସୁବିଧା

କୋଭିଡ-19 ସମୟରେ ଆରଆରବି ଏବଂ ସମବାୟ ବ୍ୟାଙ୍କଗୁଡ଼ିକ ଲାଗି ନାବାର୍ଡ ପକ୍ଷରୁ 30,000 କୋଟି ଟଙ୍କାର ନୂତନ ସ୍ୱତନ୍ତ୍ର ପୁନଃଅର୍ଥ ଲଗାଣ ସୁବିଧାକୁ ମଞ୍ଜୁର କରାଯାଇଛି। ଏହି ବିଶେଷ ସୁବିଧା 3 କୋଟି କୃଷକ, ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଲାଭବାନ କରିବ ଏହା ଫସଲ କାଟିବା ପରେ ଓ ଖରିଫ ବୁଣିବା ପୂର୍ବରୁ ସେମାନଙ୍କର ଋଣ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ବର୍ତ୍ତମାନ ସମୟରେ ଖରିଫ ଫସଲ ବୁଣାବୁଣି ଖୁବ ଜୋରରେ ଜାରି ରହିଛି। ଏହି ସ୍ୱତନ୍ତ୍ର ସୁବିଧା ଅନ୍ତର୍ଗତ 30,000 କୋଟି ଟଙ୍କା ମଧ୍ୟରୁ 24,876.87 କୋଟି ଟଙ୍କା 06 ଜୁଲାଇ 2020 ସୁଦ୍ଧା ବିତରଣ କରାଯାଇସାରିଛି

7. ଟିଡିଏସ/ଟିସଏସ ଦରରେ ହ୍ରାସ ଜରିଆରେ 50,000 କୋଟି ଟଙ୍କାର ନଗଦ ପ୍ରବାହ

ରାଜସ୍ୱ ବିଭାଗ ପକ୍ଷରୁ ନିବାସୀମାନଙ୍କୁ ନିର୍ଦ୍ଦିଷ୍ଟ ପଇଠ ଲାଗି ଟିଡିଏସ ଦର ଏବଂ ନିର୍ଦ୍ଦିଷ୍ଟ ଟିସିଏସ ଦରରେ 25% ହ୍ରାସ ପାଇଁ ଘୋଷଣା କରିଛି, ଯାହା 14 ମଇ 2020ଠାରୁ ଆରମ୍ଭ କରି 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ ହେବାକୁ ଥିବା କାରବାର ନିମନ୍ତେ ଲାଗୁ ହେବ। ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ 13 ମଇ 2020ରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇସାରିଛି।

8. ପ୍ରତ୍ୟକ୍ଷ ଟିକସ ସଂକ୍ରାନ୍ତ ଅନ୍ୟ ଉପାୟ

8 ଏପ୍ରିଲ ଠାରୁ ଆରମ୍ଭ କରି 30 ଜୁନ ପର୍ଯ୍ୟନ୍ତ ଅବଧି ଲାଗି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) 20.44 ଲକ୍ଷରୁ ଅଧିକ ମାମଲାରେ 62,361 କୋଟି ଟଙ୍କାର ଅଧିକ ପରିମାଣର ଅର୍ଥରାଶି ରିଫଣ୍ଡ ଆକାରରେ ଜାରି କରିଛି। 3 ଜୁଲାଇ 2020ରେ ଜାରି ପ୍ରେସ ବିଜ୍ଞପ୍ତିରେ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ଅବଶିଷ୍ଟ ରିଫଣ୍ଡ ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ବିଭାଗ 24 ଜୁନ 2020ରେ ଅଧିକ ସୂଚନା ଜାରି କରିଛି। ଏହାର ଅନ୍ତର୍ଗତ 2019-20 (ଆକଳନ ବର୍ଷ) ଲାଗି ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ 31 ଜୁଲାଇ, 2020 (ବ୍ୟକ୍ତିଗତ ଆଦି ପାଇଁ) ଏବଂ 31 ଅକ୍ଟୋବର, 2020 (କମ୍ପାନୀ ଆଦି ଲାଗି) ବୃଦ୍ଧି କରାଯାଇ 30 ନଭେମ୍ବର 2020 କରି ଦିଆଯାଇଛି। ଏହା ବ୍ୟତୀତ ଟିକସ ଅଡିଟ ରିପୋର୍ଟ ଦାଖଲ କରିବାର ଅନ୍ତିମ ତାରିଖକୁ ମଧ୍ୟ ବର୍ତ୍ତମାନର 30 ସେପ୍ଟେମ୍ବର, 2020ରୁ ବଢ଼ାଇ 31 ଅକ୍ଟୋବର, 2020 କରି ଦିଆଯାଇଛି।   

ରାଜସ୍ୱ  ବିଭାଗ ସେସବୁ ଆକଳନ ନିମନ୍ତେ ସମୟସୀମା ବଢ଼ାଇ 31 ମାର୍ଚ୍ଚ, 2021 କରି ଦେଇଛି ଯେଉଁଗୁଡ଼ିକର ସମୟସୀମା ସର୍ବାଧିକ 30 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଥିଲା। ଏ ସଂକ୍ରାନ୍ତରେ 24 ଜୁନ 2020ରେ ଜାରି ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ପ୍ରଥମର ସୂଚିତ କରାଯାଇଛି ଯେ  “ବିବାଦରୁ ବିଶ୍ୱାସ” ଯୋଜନା ଅନ୍ତର୍ଗତ ବିନା ଅତିରିକ୍ତ ଅର୍ଥରାଶିରେ ପରିଶୋଧ ସୁବିଧାକୁ 31 ଡିସେମ୍ବର, 2020 ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ ଏବଂ ଏଥିପାଇଁ ବିବାଦରୁ ବିଶ୍ୱାସ ଆଇନ, 2020 (ଭିଏସଭି ଆଇନ)ରେ ବିଧିବଦ୍ଧ ସଂଶୋଧନ ଉଚିତ ସମୟରେ କରାଯିବ। ଏହାବ୍ୟତୀତ ବିଜ୍ଞପ୍ତି ଜରିଆରେ ଭିଏସଭି ଆଇନ ଅନ୍ତର୍ଗତ ଉଲ୍ଲିଖିତ ଅନୁପାଳନ ତାରିଖକୁ 31 ଡିସେମ୍ବର, 2020 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏଥିପାଇଁ ପୂର୍ବରୁ 20 ମାର୍ଚ୍ଚ 2020 ଠାରୁ ଆରମ୍ଭ କରି 30 ଡିସେମ୍ବର, 2020 ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରଣ କରାଯାଇଥିଲା।

9. ଆଇବିସି ସମ୍ବନ୍ଧୀୟ ଉପାୟ ଜରିଆରେ କାରବାର କରିବା ଆହୁରି ସହଜ ହେଲା

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଆଇବିସି, 2016ର ଧାରା 4 ଅନ୍ତର୍ଗତ ଡିଫଲ୍ଟର ପ୍ରାରମ୍ଭିକ ବା ସର୍ବନିମ୍ନ ସୀମାକୁ ବର୍ତ୍ତମାନର 1 ଲକ୍ଷ ଟଙ୍କାରୁ ବୃଦ୍ଧି କରି 1 କୋଟି ଟଙ୍କା  କରିଦେଇଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, “ଦେବାଳିଆ ଏବଂ ଦେବାଳିଆପଣ ସଂହିତା, 2016ର ଧାରା 4(2016ର 31) ଅନ୍ତର୍ଗତ ପ୍ରଦତ୍ତ ଅଧିକାରର ଉପଯୋଗ କରି କେନ୍ଦ୍ର ସରକାର ଉକ୍ତ ଧାରାର ପ୍ରୟୋଜନ ନିମନ୍ତେ ସର୍ବନିମ୍ନ ଡିଫଲ୍ଟ ରାଶି 1 କୋଟି ଟଙ୍କା ନିର୍ଦ୍ଧାରିତ କରିଛନ୍ତି। ଏଥିପାଇଁ 24 ଜୁନ 2020ରେ ବିଜ୍ଞପ୍ତି ଜାରି କରାଯାଇଛି।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଏମଏସଏମଇଗୁଡ଼ିକୁ ରିହାତି ପ୍ରଦାନ କରିବା ଲାଗି ସଂହିତାର ଧାରା 240 ଏ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଦେବାଳିଆ ପ୍ରସ୍ତାବକୁ ଚୁଡ଼ାନ୍ତ ରୂପ ଦେଉଛି ଏବଂ ଏହାକୁ ଖୁବଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ଜାରି କରାଯିବ।

ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ସଂଶୋଧନ) ଅଧ୍ୟାଦେଶ, 2020କୁ 5 ଜୁନ 2020ରେ ଜାରି କରାଯାଇଥିଲା। ଏହି ଅଧ୍ୟାଦେଶ ଜରିଆରେ ଦେବାଳିଆ ଏବଂ ଦେବାଳିଆପଣ ସଂହିତା 2016ର ଧାରା 10-ଏକୁ ସାମିଲ କରିବାର ମାର୍ଗ ପ୍ରଶସ୍ତ ହେଲା, ଯାହଫଳରେ ସଂହିତାର ଧାରା 7, 9 ଏବଂ 10 ଅନ୍ତର୍ଗତ କର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟା (ସିଆଇଆରପି) ଆରମ୍ଭ କରାଯିବାକୁ ଅସ୍ଥାୟୀ ଭାବରେ 6 ମାସ କିମ୍ବା ଏହାଠାରୁ ଅଧିକ ଅବଧି ପର୍ଯ୍ୟନ୍ତ(ଯାହା ଏହି ତାରିଖ ଠାରୁ ଏକ ବର୍ଷରୁ ଅଧିକ ହୋଇନଥିବ) ନିଲମ୍ବିତ କରାଯାଇପାରିବ।

10. ଏନବିଏଫସି/ଏଚଏଫସି/ଏମଏଫଆଇ ଲାଗି 30,000 କୋଟି ଟଙ୍କାର ସ୍ୱତନ୍ତ୍ର ନଗଦ ଯୋଜନା

ଏନବିଏଫସି/ଏଚଏଫସି ପାଇଁ ସ୍ୱତନ୍ତ୍ର ନଗଦ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ପାଇବା ପରେ ଏହି ଯୋଜନାର ଶୁଭାରମ୍ଭ କରି ଦିଆଯାଇଛି। ଆରବିଆଇ ମଧ୍ୟ ଏହି ଯୋଜନା ସଂକ୍ରାନ୍ତରେ 1 ଜୁଲାଇ, 2020ରେ ଏନବିଏଫସି ଏବଂ ଏଚଏଫସିଗୁଡ଼ିକ ପାଇଁ ଏକ ସର୍କୁଲାର ଜାରି କରିଦେଇଛି। ଏସବିଆଇ କ୍ୟାପକୁ 7 ଜୁଲାଇ, 2020 ପର୍ଯ୍ୟନ୍ତ 24ଟି ଆବେଦନ ମିଳିଛି ଏଥିମଧ୍ୟରୁ ପାଖାପାଖି 9,875 କୋଟି ଟଙ୍କାର ଅର୍ଥଯୋଗାଣ ପାଇଁ ଅନୁରୋଧ କରାଯାଇଛି। ଏସବୁ ଆବେଦନଗୁଡ଼ିକୁ ପ୍ରୋସେସିଂ କରାଯାଉଛି। ଏ ସଂକ୍ରାନ୍ତରେ ପୂର୍ବରୁ ମିଳିଥିବା ଆବେଦନକୁ ମଞ୍ଜୁରି ମିଳିସାରିଛି ଏବଂ ଅବଶିଷ୍ଟ ଆବେଦନ ଉପରେ ମଧ୍ୟ ବିଚାର କରାଯାଉଛି।

 

*********

 



(Release ID: 1638232) Visitor Counter : 261