ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ପୁନର୍ବାର ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିବାକୁ ସରକାର ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡ୍ୟୁର ଜାରି କରିବେ : ଜାଭଡ଼େକର

Posted On: 07 JUL 2020 6:05PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଆଜି ଏଠାରେ କହିଛନ୍ତି ଯେ ସରକାର ଖୁବ୍‌ ଶୀଘ୍ର ଦେଶରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡ୍ୟୁର ଜାରି କରିବେ । ବର୍ତ୍ତମାନ ଅନ୍‌ଲକ୍‌ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଏହା କରାଯିବ । କରୋନା ମହାମାରୀ କାରଣରୁ ଦେଶର ଚଳଚ୍ଚିତ୍ର ଉଦ୍ୟୋଗ ଏକପ୍ରକାର ଅଚଳ ହୋଇପଡିଛି । ଏହାକୁ ପୁନର୍ବାର ଗତିଶୀଳ କରାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି ।  ଏଥିପାଇଁ ଚଳଚ୍ଚିତ୍ର ନିର୍ମାଣ ସହିତ ଟିଭି ଧାରାବାହିକ ଓ ପ୍ରଡକ୍ସନ, ଆନିମେସନ ଓ ଗେମିଂ ଆଦିକୁ ପୁନର୍ବାର ଆରମ୍ଭ କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାର କେତେକ ପ୍ରୋତ୍ସାହନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଖୁବଶୀଘ୍ର ଏସବୁ ଘୋଷଣା କରାଯିବ ବୋଲି ଫିକି ଫ୍ରେମ୍ସର ଏକବିଂଶ ସଂସ୍କରଣରେ ଉଦ୍‌ବୋଧନ ଦେବା ଅବସରରେ ଶ୍ରୀ ଜାଭଡ଼େକର ଏହା କହିଛନ୍ତି ।

ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଗଣମାଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗର ବାର୍ଷିକ ସମାବେଶ ଭର୍ଚୁଆଲ ଢଙ୍ଗରେ ଆୟୋଜିତ ହୋଇଛି । ପ୍ରତିବର୍ଷ ଏହା ତାହାର ନିର୍ଦ୍ଧାରିତ ସ୍ଥାନ ମୁମ୍ବଇର ପୋୱାଇ ଲେକ୍‌ରେ ଅନୁଷ୍ଠିତ ହୋଇଥାଏ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀ ଏବେ ଯୋଗାଯୋଗର ନୂଆ ମାଧ୍ୟମ ବିଷୟରେ ଚିନ୍ତା କରିବାକୁ ଲୋକଙ୍କୁ ବାଧ୍ୟ କରିଛି । ଶାରୀରିକଭାବେ ଏକାଠି ନ ହୋଇ କଳ୍ପିତ  ମାଧ୍ୟମରେ (ଭର୍ଚୁଆଲ) ଏକାଠି ହେବା ଏବେ ଏକ ନୂଆ ସ୍ୱାଭାବିକ ଉଭା ହେଇଛି । ଭର୍ଚୁଆଲ ଗ୍ୟାଦରିଂ ସତ୍ତ୍ୱେ ଏଥିରେ ଯେଉଁ ଅଂଶୀଦାରୀ ଗଢି ଉଠିଛି ତାହା ହିଁ ବାସ୍ତବତା । ମନ୍ତ୍ରୀ କହିଛନ୍ତି ଯେ ଭାରତରେ ଚଳଚ୍ଚିତ୍ରର ବିଷୟବସ୍ତୁ ପରିକଳ୍ପନା ଓ ଚିତ୍ର ନିର୍ମାଣ କରିବା, ଖର୍ଚ୍ଚ ତୁଳନାରେ ବେଶ୍‌ ଲାଭଦାୟକ । ଭାରତୀୟ କଥା ଓ କାହାଣୀର ବିଶ୍ୱବ୍ୟାପୀ ଆଦର ରହିଛି । ବିଶ୍ୱର 150ଟି ଦେଶରେ ଭାରତୀୟ ଚଳଚ୍ଚିତ୍ର ଓ ଏହାର କାହାଣୀ ଆଦୃତ । ଭାରତର କୋମଳଶକ୍ତି- ଗଣମାଧ୍ୟମ ଓ ମନୋରଂଜନ ଉଦ୍ୟୋଗର ଯେଉଁ ବିପୁଳ ସମ୍ବଳ ଓ ସମ୍ଭାବନା ରହିଛି ତାହାକୁ ବିନିଯୋଗ କରି ଆଗେଇ ଯିବାକୁ ସବୁ ସଂପୃକ୍ତ ପକ୍ଷ ଆଗେଇ ଆସିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ଏହି ସମାବେଶରେ ଉଦ୍‌ବୋଧନ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଭାରତକୁ ଏକ ଜ୍ଞାନଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ସର୍ଜନାତ୍ମକ ଉଦ୍ୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏ କ୍ଷେତ୍ରରେ ପରିମାଣ ସହିତ ମାନ ସୃଷ୍ଟି ଉପରେ ଅଧିକ ଦୃଷ୍ଟି ଦେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।

ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରାଣଳୟ ସଚିବ ଅମିତ ଖରେ କହିଥିଲେ ଯେ ଚଳଚ୍ଚିତ୍ର କ୍ଷେତ୍ରରେ ସରକାର ସୁବିଧା ପ୍ରଦାନକାରୀ ଭୂମିକା ନିର୍ବାହ କରିବା ଉଚିତ । ଯାବତୀୟ ନିୟନ୍ତ୍ରଣକୁ ହଟାଇ ସେଗୁଡିକ ଗୋଟିଏ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିବା ସହ କଟକଣା ବ୍ୟବସ୍ଥାକୁ ଅଧିକ କୋହଳ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଗଣମାଧ୍ୟମ ଓ ମନୋରଂଜନ ଉଦ୍ୟୋଗକୁ ଭିତ୍ତିଭୂମିର ମାନ୍ୟତା ଦେବାକୁ ସରକାର ପୂର୍ଣ୍ଣପ୍ରାଣରେ ସମର୍ଥନ କରନ୍ତି । ତେବେ ଏ କ୍ଷେତ୍ରରେ କେତେକ ସଂଜ୍ଞାଗତ ଅଦଳବଦଳ ଜରୁରି ହୋଇଛି ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତ ତାଙ୍କ ଭାଷଣରେ କହିଛନ୍ତି ଯେ ସାଂପ୍ରତିକ ସଂକଟକୁ ଏକ ସୁଯୋଗରେ ପରିଣତ କରାଯାଇପାରିବ । ଏଥିପାଇଁ ଭାରତକୁ 12/13ଟି ଉତ୍ଥାନମୁଖୀ ଉଦ୍ୟୋଗକୁ ଚିହ୍ନଟ କରି ଉଚ୍ଚ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ହେବ । ଏହି ଉଦ୍ୟୋଗଗୁଡିକ ମଧ୍ୟରେ ଗଣମାଧ୍ୟମ ଓ ମନୋରଂଜନ ଶିଳ୍ପ ଅନ୍ୟତମ ବୋଲି ସେ ମତ ଦେଇଛନ୍ତି ।

ଷ୍ଟାର ଏବଂ ଡିସ୍‌ନେ ଇଣ୍ଡିଆର ଚେୟାରମ୍ୟାନ ଉଦୟଶଙ୍କର ଅନୁରୂପ ମତାମତ ଦେଇ କହିଛନ୍ତି ଯେ ସୃଜନାତ୍ମକ ଅର୍ଥନୀତିରେ ଗଣମାଧ୍ୟମ ଓ ମନୋରଂଜନ ଉଦ୍ୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ନିଯୁକ୍ତି ଓ ବ୍ୟବସାୟ ସୃଷ୍ଟି କରିପାରିବ ଯାହା ଭାରତକୁ ବିଶ୍ୱରେ ଚମକାଇବ । ତେବେ ଛାପା, ଟିଭି ଓ ଡିଜିଟାଲ ଗଣମାଧ୍ୟମ ଭାରତରେ ମାତ୍ରାଧିକ ଭାବେ ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭର କରୁଥିବାରୁ ସେ ଶୋଚନା ବ୍ୟକ୍ତ କରିଛନ୍ତି । ଏହା ଫଳରେ କରୋନା ମହାମାରୀ ବେଳେ ଗଣମାଧ୍ୟମର ଦୁଃସ୍ଥିତି କିପରି ହୋଇଛି ତାହାର ସେ ଉଦାହରଣ ଦେଇଛନ୍ତି । ଏହି ଉଦ୍ୟୋଗର ବିକାଶ ପାଇଁ ଏହାକୁ ବିଜ୍ଞାପନ ନିର୍ଭଶୀଳତାରୁ  ମୁକ୍ତ ହେବାକୁ ପଡିବ ବୋଲି ସେ କହିଛନ୍ତି ।

ଗୁଗ୍‌ଲ୍‌ର ସଂଜୟ ଗୁପ୍ତ କହିଛନ୍ତି ଯେ କରୋନା ଆକ୍ରାନ୍ତ ମିଡିଆ ଓ ମନୋରଂଜନ ଉଦ୍ୟୋଗ ଏବେ ସଂଗ୍ରାମଶୀଳ । ଏହା ଫଳରେ ଏହି ଉଦ୍ୟୋଗର ବର୍ତ୍ତମାନର 20 ବିଲିୟନ ଡଲାର ବାର୍ଷିକ କାରବାର 2021 ଆର୍ଥିକ ବର୍ଷରେ 15 ବିଲିୟନ ଡଲାରକୁ ସଂକୁଚିତ ହୋଇପାରେ । ତେବେ ଏହି ଉଦ୍ୟୋଗ ଏକ ସର୍ଜନାତ୍ମକ ଶକ୍ତିକେନ୍ଦ୍ର ହୋଇଥିବାରୁ ଏହାର ପ୍ରତ୍ୟାବର୍ତ୍ତନ ଦକ୍ଷତା ରହିଛି । ଏହି ଉଦ୍ୟୋଗରେ ଥିବା ଟିକସ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ସରଳ ଏବଂ କୋହଳ କରାଗଲେ ଏହି ଉଦ୍ୟୋଗର ଅଭିବୃଦ୍ଧି ଘଟିବ ବୋଲି ସେ ମତ ଦେଇଛନ୍ତି ।

ଫିକି ଫ୍ରେମ୍ସଭର୍ଚୁଆଲ ସମ୍ମିଳନୀ ଚଳିତମାସ 11 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଗଣମାଧ୍ୟମ ଓ ମନୋରଂଜନ ଉଦ୍ୟୋଗର ପ୍ରମୁଖ ବ୍ୟକ୍ତିବିଶେଷ ତଥା ବିଶେଷଜ୍ଞମାନେ ବିଭିନ୍ନ ପ୍ରସଙ୍ଗରେ ନିଜନିଜର ପ୍ରସ୍ତାବ ଓ ମତାମତ ରଖିବେ । ଫିକି ଫ୍ରେମ୍ସ2020ର ଫୋକ୍‌ସ ଦେଶଭାବେ ଇଟାଲୀ ରହିଛି ।

 

**********

 



(Release ID: 1637069) Visitor Counter : 172