ଅର୍ଥ ମନ୍ତ୍ରଣାଳୟ

ଏମ୍‌ଏସ୍‌ଏମ୍‌ଇ ଓ କ୍ଷୁଦ୍ର ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ଉଲ୍ଲେଖନୀୟ ପ୍ରଭାବ ପକାଉଛି

ଇସିଏଲ୍‌ଜି ଯୋଜନାରେ 79 ହଜାର କୋଟି ଟଙ୍କାର ଋଣ ମଞ୍ଜୁର କରାଗଲାଣି

Posted On: 23 JUN 2020 2:43PM by PIB Bhubaneshwar

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ଏନ୍‌ବିଏଫ୍‌ସି ପାଇଁ ସରକାର ଯେଉଁ ସହାୟତା ନୀତି ଓ ଯୋଜନା କାର୍ଯ୍ୟକାରୀ କରିଥିଲେ ତାହାର ଉଲ୍ଲେଖନୀୟ ପ୍ରଭାବ ବେଶ୍‌ ଶୀଘ୍ର ପରିଲକ୍ଷିତ ହେଉଛି । ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି (ଇସିଏଲ୍‌ଜି) ଯୋଜନାରେ  ଏହିସବୁ କ୍ଷେତ୍ରକୁ ତୁରନ୍ତ ବ୍ୟାଙ୍କ ଋଣ ଯୋଗାଇ ଦେଇ ସେଗୁଡିକୁ ଲକ୍‌ଡାଉନ ଜନିତ କରୋନା ଜନିତ ପ୍ରଭାବରୁ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଉଛି । ଏଥିରେ ସଂପୃକ୍ତ ସଂସ୍ଥା ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କରୁ ଋଣ ପାଇବାର ବ୍ୟବସ୍ଥା ରହିଛି ଏବଂ ସରକାର ଏଥିପାଇଁ ଗ୍ୟାରେଣ୍ଟର ହୋଇଛନ୍ତି । ଜୁନ୍‌ 20 ତାରିଖ ସୁଦ୍ଧା ଏ ବାବଦରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ 79 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେଥିମଧ୍ୟରୁ ଇତିମଧ୍ୟରେ 35 ହଜାର କୋଟି ଟଙ୍କା ସଂପୃକ୍ତ ଉଦ୍ୟୋଗୀ ପାଇସାରିଲେଣି । ଭାରତୀୟ ଷ୍ଟେଟବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ପିଏନ୍‌ବି ଏବଂ କାନାରା ବ୍ୟାଙ୍କ ଏହି ଋଣ ପ୍ରଦାନରେ ଆଗରେ ରହିଛନ୍ତି । ଏହାଦ୍ୱାରା 19 ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ସଂସ୍ଥା ଲକ୍‌ଡାଉନ ପରବର୍ତ୍ତୀ ଅବସ୍ଥାରେ ନିଜର ସଂସ୍ଥା ପୁନର୍ବାର ଚଳାଇବାକୁ ସୁଯୋଗ ପାଇବେ । ଆତ୍ମନିର୍ଭର ପ୍ୟାକେଜ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କେନ୍ଦ୍ର ସରକାର ଏହି ଘୋଷଣା କରିଥିଲେ । ଏଥିରେ ଏମ୍‌ଏସ୍‌ଏମ୍‌ଇ ଓ କ୍ଷୁଦ୍ର ବ୍ୟବସାୟ ପାଇଁ 3 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏସବୁ ଉଦ୍ୟୋଗୀ ଏହି ଯୋଜନାରେ ସେମାନଙ୍କର ବର୍ତ୍ତମାନର ଋଣ ଉପରେ ଅତିରିକ୍ତ 20 ଶତାଂଶ ପର୍ଯ୍ୟନ୍ତ ଋଣ ସୁବିଧା ପାଇବେ । ଏହି ଋଣର ସୁଧ ହାରକୁ ସୀମିତ କରାଯାଇଛି ।

ଅନ୍ୟ ଏକ ବ୍ୟବସ୍ଥାରେ ମାର୍ଚ୍ଚ-ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ସ୍ପେଶାଲ ଲିକ୍ୟୁଡିଟି ଫ୍ୟାସିଲିଟି ଅନୁସାରେ ସିଡ୍‌ବି ଇତିମଧ୍ୟରେ 10,220 କୋଟି ଟଙ୍କା ଏନ୍‌ବିଏଫ୍‌ସି, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ଓ ବ୍ୟାଙ୍କଗୁଡିକୁ ଯୋଗାଇ ଦେଇଛି । ଏହି ଅର୍ଥ ଏମ୍‌ଏସ୍‌ଏମ୍‌ଇ ଓ କ୍ଷୁଦ୍ର ଋଣକାରୀଙ୍କୁ ଯୋଗାଇ ଦିଆଯିବ । ଜାତୀୟ ହାଉସିଂ ବ୍ୟାଙ୍କ ବିଭିନ୍ନ ହାଉସିଂ ଫାଇନାନ୍ସ କମ୍ପାନୀକୁ 10 ହଜାର କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛି । ସିଡ୍‌ବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ ଦ୍ୱାରା ହୋଇଥିବା ଏହି ପୁନଃ ଅର୍ଥଲଗାଣ, ବର୍ତ୍ତମାନ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ପ୍ରଚଳିତ ଯୋଜନା ବାବଦ ମଞ୍ଜୁର 30 ହଜାର କୋଟି ଟଙ୍କା ବାହାରେ ଅତିରିକ୍ତ ଋଣ ପ୍ରଦାନ ବ୍ୟବସ୍ଥା । ପରିବର୍ଦ୍ଧିତ ଆଂଶିକ ଗ୍ୟାରେଣ୍ଟି ଯୋଜନାରେ ଏନ୍‌ବିଏଫ୍‌ସି ଓ ଏମ୍‌ଏଫ୍‌ଆଇଗୁଡିକୁ 5,500 କୋଟି ଟଙ୍କା ଯୋଗାଇ ଦେବା ପ୍ରସ୍ତାବ ଇତିମଧ୍ୟରେ ଅନୁମୋଦନ ଲାଭ କରିଛି । ଏହାଛଡା ଏହିସବୁ କ୍ଷେତ୍ରକୁ ଅଧିକ 5 ହଜାର କୋଟି ଟଙ୍କ ଯୋଗାଇ ଦେବା ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ରହିଛି ।

 

**********



(Release ID: 1633768) Visitor Counter : 249