ଅର୍ଥ ମନ୍ତ୍ରଣାଳୟ
ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ୁଛି, ଆର୍ଥିକ କ୍ଷେତ୍ରରେ ଉନ୍ନତିର ଲକ୍ଷଣ
• ଯଥାସମ୍ଭବ କମ୍ କ୍ଷତିରେ ଅର୍ଥନୀତିକୁ ପୁନଃ ଶକ୍ତିଶାଳୀ କରିବା ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ତ୍ୱରିତ ସଂସ୍କାରବାଦୀ ପଦକ୍ଷେପ ସହାୟକ ହେଉଛି
• ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଢାଞ୍ଚାଗତ ସଂସ୍କାର ଏବଂ ସମର୍ଥନ ଭିତ୍ତିକ ସମାଜକଲ୍ୟାଣ ପଦକ୍ଷେପ ଆର୍ଥିକ ଅଙ୍କୁରୋଦଗ୍ମକୁ ସୁହାଇବ
• ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ସମସ୍ତ ସଂପୃକ୍ତ ପକ୍ଷଙ୍କ ସହଯୋଗରେ ସାକାର ହେବା ସହିତ ଏକ ସୁଦୃଢ଼ ସ୍ୱଚ୍ଛଳ ଭାରତୀୟ ଅର୍ଥନୀତି ଗଢ଼ିବାରେ ସହାୟକ ହେବ
Posted On:
23 JUN 2020 12:00PM by PIB Bhubaneshwar
ଜୀବନ ରକ୍ଷା କରିବାର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ଜାନ୍ ହେ ତୋ ଜାହାନ୍ ହେ’ ନୀତିରେ ଭାରତ କରୋନା ସଂକ୍ରମଣର ମୁକାବିଲା ପାଇଁ 2020 ମାର୍ଚ୍ଚ 24 ତାରିଖରେ ଦେଶବ୍ୟାପୀ 21 ଦିନିଆ ଲକ୍ଡାଉନ ଘୋଷଣା କରିଥିଲା । ସେତେବେଳେ ଦେଶରେ କରୋନା ସଂକ୍ରମଣ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିଲା । ଏହି ଲକ୍ଡାଉନ ସମୟ ଦେଶରେ ସ୍ୱାସ୍ଥ୍ୟ ଓ ପରୀକ୍ଷଣ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସୁଯୋଗ ଦେଇଥିଲା । ଉପଯୁକ୍ତ ସମୟରେ କରୋନା ରୋଗୀଙ୍କୁ ଠାବ କରି ସେମାନଙ୍କର ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ଫଳରେ ଏବେ ଆରୋଗ୍ୟଙ୍କ ସଂଖ୍ୟା କ୍ରମାଗତଭାବେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର 41 ଶତାଂଶ ଆରୋଗ୍ୟ ଲାଭ କରିଛନ୍ତି ।
କଠୋର ଲକ୍ଡାଉନ ଏବଂ ସାମାଜିକ ଦୂରତ୍ୱ ପଦକ୍ଷେପ ଫଳରେ ଅର୍ଥନୀତି ବିଶେଷଭାବେ ପ୍ରଭାବିତ ହୋଇଛି । ‘ଜାନ୍ ଭି ଜାହାନ୍ ଭି’ ନୀତିରେ କ୍ରମଶଃ ଲୋକଙ୍କ ଜୀବନ ରକ୍ଷା ସହିତ ଜୀବିକା ବଞ୍ଚାଇବା ପାଇଁ ଭାରତ ନୂଆ ରଣନୀତି ଗ୍ରହଣ କରିଛି । ତଦନୁସାରେ ଜୁନ୍ 1 ତାରିଖଠାରୁ ଅନ୍ଲକ୍ ଇଣ୍ଡିଆ ନୀତି ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଛି । ଏହି ନୀତି ଅନୁସାରେ ଲକ୍ଡାଉନକୁ କୋହଳ କରାଯାଇଛି । ବ୍ୟବସାୟ, ବିଭିନ୍ନ ସେବା ଓ ବୃତ୍ତିଗତ କ୍ଷେତ୍ରକୁ ପର୍ଯ୍ୟାୟକ୍ରମେ ଖୋଲାଯାଇଛି । ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥନୀତିକୁ ସମ୍ଭାଳିବା ପାଇଁ ନିରନ୍ତର ସ୍ୱଳ୍ପ ଓ ଦୀର୍ଘମିଆଦୀ ପଦକ୍ଷେପ ମୂଳରୁ ଆରମ୍ଭ କରିଛନ୍ତି । ଏହି ମହାମାରୀର ପ୍ରଭାବ ଅର୍ଥନୀତି ଉପରେ ଯେପରି ଅଧିକ ନପଡିବ ଏବଂ କମ୍ କ୍ଷତି ହେବ ସେଥିପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।
କୃଷି କ୍ଷେତ୍ର ଏବେ ମଧ୍ୟ ଭାରତୀୟ ଅର୍ଥନୀତିର ମୂଳାଧାର ହୋଇରହିଛି । ଚଳିତବର୍ଷ ଉତ୍ତମ ମୌସୁମି ପ୍ରବାହ ହେବାର ଆକଳନ କରାଯାଇଥିବାରୁ ଚାଷବାସ ଭଲ ହେଲେ ଅର୍ଥନୀତି ଉପରେ ଏହାର ଅନୁକୂଳ ପ୍ରଭାବ ପଡିବ । ଯଦିଓ ଉଦ୍ୟୋଗ ଓ ସେବାକ୍ଷେତ୍ର ତୁଳନାରେ କୃଷି କ୍ଷେତ୍ରର ଅବଦାନ ଜିଡିପି ପାଇଁ ଅତି ଅଧିକ ନୁହେଁ; ତଥାପି ଏହାର ଅଭିବୃଦ୍ଧି କୃଷି ଉପରେ ନିର୍ଭର କରୁଥିବା ବିପୁଳ ଜନତାଙ୍କ ଜୀବନରେ ଏକ ଅନୁକୂଳ ପ୍ରଭାବ ପକାଇବ । ଆହୁରି ମଧ୍ୟ ନିକଟରେ କୃଷିକ୍ଷେତ୍ରରେ ଯେଉଁ ଯୁଗାନ୍ତକାରୀ ସଂସ୍କାର ଅଣାଯାଇଛି ତଦ୍ଦ୍ୱାରା ଏକ ଦକ୍ଷ ଭ୍ୟାଲୁଚେନ ପ୍ରତିଷ୍ଠା ସହ ଚାଷୀଙ୍କ ଆୟ ବୃଦ୍ଧି ନିଶ୍ଚିତ ହୋଇପାରିବ ।
ଗତ ଦୁଇମାସ ମଧ୍ୟରେ ଭାରତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିପାରିଛି । ଏ କ୍ଷେତ୍ରରେ ପୂର୍ବରୁ ଭାରତ ତାଲିକାରେ ପ୍ରାୟ ନଥିଲା । ଏଥିରୁ ଭାରତର ଉତ୍ପାଦକତା ଓ ମ୍ୟାନୁଫାକ୍ଚରିଂ ଶକ୍ତିର ସ୍ଥିତିସ୍ଥାପକତା ପ୍ରମାଣିତ ହେଉଛି । ମେ ଏବଂ ଜୁନ୍ ମାସରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ଭଲ ସଂକେତ ଦେଖାଦେଇଛି ସେଥିରୁ ସ୍ପଷ୍ଟ ଜାଣି ହେଉଛି ଯେ ନିଷ୍କ୍ରିୟ ହୋଇପଡିଥିବା ଆର୍ଥିକ କ୍ଷେତ୍ର ପୁନର୍ବାର ଅଙ୍କୁରିତ ହେବାକୁ ଲାଗିଲାଣି । ଏହା ଆଶାର କିରଣ ଦେଖାଉଛି । ଏହି ଦୁଇ ମାସରେ ବିଜୁଳି ଓ ଇନ୍ଧନ ବ୍ୟବହାର ବଢିଛି । ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ଜିନିଷପତ୍ରର ପରିବହନ ଆରମ୍ଭ ହୋଇଛି । ଖୁଚୁରା ଆର୍ଥିକ କାରବାର କ୍ରମଶଃ ବଢୁଛି ।
ଅର୍ଥନୈତିକ ସୂଚକରେ ଉନ୍ନତି
କୃଷି
ଗହମ ସଂଗ୍ରହ କ୍ଷେତ୍ରରେ ଏଥର ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି । ଜୁନ୍ 16 ସୁଦ୍ଧା ସରକାରୀ ସଂସ୍ଥାଗୁଡିକ ଚାଷୀଙ୍କଠାରୁ ରେକର୍ଡ ପରିମାଣର 382 ଲକ୍ଷ ମେଟ୍ରିକ ଟନ ଗହମ ସଂଗ୍ରହ କରିଛନ୍ତି । 2012-13 ବର୍ଷରେ 381.48 ଲକ୍ଷ ମେଟ୍ରିକ ଟନ ଗହମ ସଂଗୃହୀତ ହୋଇ ସେତେବେଳେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରାଯାଇଥିଲା । ଚଳିତବର୍ଷ ଭାରତ ଏକ ଅତ୍ୟନ୍ତ ଜଟିଳ ସମୟରେ ଏହି ସଫଳତା ହାସଲ କରିଛି । କରୋନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଓ କଠୋର ଲକ୍ଡାଉନ ନିୟମ ସତ୍ତ୍ୱେ ଭାରତ ଏହି ରେକର୍ଡ ପ୍ରତିଷ୍ଠାରେ ସଫଳ ହୋଇଛି । ଏହା ଫଳରେ 42 ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ଏବଂ ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ 73,500 କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନୀତି ଲାଗୁ କରିଛନ୍ତି । ଏହା ଫଳରେ 16ଟି ରାଜ୍ୟରେ ରେକର୍ଡ 79.42 କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ ସଂଗୃହୀତ ହୋଇଛି । ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମଣ ଜନିତ ଏକ କଠୋର ସମୟରେ ଲୋକେ ଅସୁବିଧାରେ ଥିବାବେଳେ ସେମାନଙ୍କଠାରୁ ଏସବୁ ସାମଗ୍ରୀ ସରକାର କିଣିବା ଫଳରେ ସେମାନଙ୍କର ଆର୍ଥିକ ସ୍ଥିତି ଉପରେ ଅନୁକୂଳ ପ୍ରଭାବ ପଡିଛି ।
ଜୁନ୍ 19 ସୁଦ୍ଧା ଦେଶର 13.13 ନିୟୁତ ହେକ୍ଟର ଜମିରେ ଚାଷୀ ଖରିଫ ଫସଲ ବୁଣାବୁଣି କାମ ଶେଷ କରିଛନ୍ତି । ଗତବର୍ଷର ଏହି ସମୟ ତୁଳନାରେ ଏହା 39 ଶତାଂଶ ଅଧିକ । ବିଶେଷକରି ତୈଳବୀଜ, ମୋଟାଶସ୍ୟ, ଡାଲିଜାତୀୟ ଫସଲ ଓ କପାଚାଷ ଏଥର ଅଧିକ ଜମିରେ କରାଯାଇଛି ।
ରାସାୟନିକ ସାରର ବିକ୍ରି ଗତବର୍ଷ ତୁଳନାରେ ପ୍ରାୟ 98 ପ୍ରତିଶତ ବଢିଛି । ଚଳିତବର୍ଷ ମେ ମାସ ସୁଦ୍ଧା 40.02 ଲକ୍ଷ ଟନ ସାର ବିକ୍ରୟ ହୋଇଛି । କୃଷି କ୍ଷେତ୍ରରେ ଯେ ଏକ ନୂଆ ଉତ୍ସାହ ଆସିଛି ସାର ବ୍ୟବହାରରୁ ଏହା ପ୍ରମାଣିତ ହୋଇଛି ।
ମ୍ୟାନୁଫାକ୍ଚରିଂ
ଭାରତର ପିଏମ୍ଆଇ ମ୍ୟାନୁଫାକ୍ଚରିଂ ଓ ସେବା କ୍ଷେତ୍ର ମେ ମାସରେ ଏପ୍ରିଲ ତୁଳନାରେ ସ୍ୱଳ୍ପ ସଂକୋଚନ ଦେଖାଇଥିଲା । ମେ’ ମାସରେ ମ୍ୟାନୁଫାକ୍ଚରିଂ ହାର 30.8 ଥିବାବେଳେ ଏପ୍ରିଲରେ ଏହା ଥିଲା 27.4 । ସେହିଭଳି ଏପ୍ରିଲରେ ସେବା କ୍ଷେତ୍ରରେ ଏହା 5.4 ଥିବାବେଳେ ମେ’ ମାସରେ 12.6 ଥିଲା ।
ବିଜୁଳି ଶକ୍ତି ବ୍ୟବହାର କ୍ଷେତ୍ରରେ ଏପ୍ରିଲ ମାସରେ ଚାହିଦା କମି ଅଭିବୃଦ୍ଧି ହାର ବିଯୁକ୍ତ 24 ଶତାଂଶ ଥିଲା । ମେ’ ମାସରେ ଏହା ହ୍ରାସ ପାଇ 15.2 ଶତାଂଶ ହୋଇଥିଲା । ଜୁନ୍ 21 ସୁଦ୍ଧା ଏହି ଚାହିଦା ହ୍ରାସ ଆହୁରି କମି 12.5 ଶତାଂଶରେ ପହଞ୍ଚିଛି । ଏବେ କ୍ରମାଗତଭାବେ ବିଜୁଳି ବ୍ୟବହାର ଚାହିଦା ବଢୁଛି । ଚଳିତ ଜୁନ୍ ମାସ ପ୍ରଥମ ସପ୍ତାହରେ ଏହା ବିଯୁକ୍ତ 19.8 ଶତାଂଶ ଥିବାବେଳେ ଦ୍ଵିତୀୟ ସପ୍ତାହରେ ବିଯୁକ୍ତ 11.2 ଶତାଂଶ ଥିଲା । ଜୁନ ତୃତୀୟ ସପ୍ତାହ ସୁଦ୍ଧା ଏହା ଆହୁରି ହ୍ରାସ ପାଇ ବିଯୁକ୍ତ 6.2 ଶତାଂଶରେ ପହଞ୍ଚିଛି । ଏଥିରୁ ପ୍ରମାଣିତ ହେଉଛି ଯେ ଦେଶରେ କ୍ରମଶଃ ବିଜୁଳି ଚାହିଦା ନିରନ୍ତରଭାବେ ବଢୁଛି ।
ମୋଟ ଆକଳିତ ଇ-ୱେବ ବିଲ୍ ପରିମାଣ ଗତ ମେ’ ମାସ ସୁଦ୍ଧା 130 ଶତାଂଶ ବଢିଛି । ଏ ବାବଦରେ ଏହି ମାସରେ ମୋଟ 8.98 ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି । ଏପ୍ରିଲ ମାସ ତୁଳନାରେ ଏହା ବେଶ୍ ଭଲ । ଏପ୍ରିଲରେ 3.9 ଲକ୍ଷ କୋଟି ଟଙ୍କା ଏ ବାବଦରେ ଆଦାୟ ହୋଇଥିଲା । ତେବେ ଗତବର୍ଷ ଓ ଲକ୍ଡାଉନ ପୂର୍ବବର୍ତ୍ତୀ ଆଦାୟଠାରୁ ଏହା କମ୍ । ଜୁନ୍ 1ରୁ 19 ତାରିଖ ମଧ୍ୟରେ ମୋଟ 7.7 ଲକ୍ଷ କୋଟି ଟଙ୍କାର ଇ-ୱେବ ବିଲ୍ ସଂଗୃହୀତ ହୋଇଛି ।
ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର ଖାଉଟି ଚାହିଦା ଓ ମ୍ୟାନୁଫାକ୍ଚରିଂ କାର୍ଯ୍ୟକଳାପ ହାନିଲାଭର ସୂଚନା ଦେଇଥାଏ । ତେବେ ମିଳିଥିବା ତଥ୍ୟ ଅନୁସାରେ ଏହି ସମୟ ମଧ୍ୟରେ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର 47 ପ୍ରତିଶତ ବଢିଛି । ଗତ ଏପ୍ରିଲ ମାସରେ 99,37,000 ମେଟ୍ରିକ ଟନ ପେଟ୍ରୋଲିୟମ ସାମଗ୍ରୀ ବିକ୍ରି ହୋଇଥିବାବେଳେ ମେ’ ମାସରେ ଏହା 1,46,46,000 ମେଟ୍ରିକ ଟନ ଥିଲା । ପୂର୍ବବର୍ଷ ତୁଳନାରେ ଏହି ସାମଗ୍ରୀ ବ୍ୟବହାର ମେ ସୁଦ୍ଧା ମାତ୍ର 23.2 ଶତାଂଶ କମିଛି । ଏପ୍ରିଲରେ ଏହା ଥିଲା ବିଯୁକ୍ତ 45.7 ଶତାଂଶ । ଜୁନ୍ରେ ଅନ୍ଲକ୍ 1.0 ଆରମ୍ଭ ହୋଇଥିବାରୁ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର ଅଧିକ ହେବ ବୋଲି ଆଶା କରାଯାଉଛି ।
ସେବାକ୍ଷେତ୍ର
ମେ’ ମାସରେ ରେଳ ମାଲ ପରିବହନ କ୍ଷେତ୍ରରେ 26 ଶତାଂଶ ଉନ୍ନତି ପରିଲକ୍ଷିତ ହୋଇଥିଲା । ଗତ ଏପ୍ରିଲ ମାସରେ ମୋଟ 6.54 କୋଟି ଟନ ମାଲ ପରିବହନ କରାଯାଇଥିବାବେଳେ ମେ’ ମାସରେ ତାହା 8.26 କୋଟି ଟନ ହୋଇଥିଲା । ତେବେ ଗତବର୍ଷର ଏହି ସମୟ ତୁଳନାରେ ଏହା କମ ରହିଛି । ଜୁନ ମାସରେ ରେଳ ଚଳାଚଳ ବଢି ଥିବାରୁ ଏବଂ ଜାତୀୟ ରାଜପଥରେ ପରିବହନ ବ୍ୟବସ୍ଥା ବାହେଲ ହୋଇଥିବାରୁ ଏହା ବଢିବ ବୋଲି ଆଶା କରାଯାଉଛି ।
ଦୈନିକ ହାରାହାରି ଇଲେକ୍ଟ୍ରୋନିକ ପଥକର ଆଦାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ଗତ ଏପ୍ରିଲ ମାସରେ ଦୈନିକ ଏ ବାବଦରେ ଦେଶବ୍ୟାପୀ 8.25 କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ମେ’ ମାସରେ ଏହା 36.84 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଜୁନ୍ ମାସ ପ୍ରଥମ 3 ସପ୍ତାହରେ ଏଥିରେ ଅଧିକ ଉନ୍ନତି ପରଲକ୍ଷିତ ହୋଇଛି ଏବଂ ଦୈନିକ ୪୯.୮ କୋଟି ଟଙ୍କା ଏ ବାବଦରେ ଆଦାୟ ହେଉଛି ।
ମୋଟ ଡିଜିଟାଲ ଆର୍ଥିକ କାରବାର ଷକ୍ଷତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ଏନ୍ପିସିଆଇ ପ୍ଲାଟଫର୍ମ ମାଧ୍ୟମରେ ହେଉଥିବା ଏହି କାରବାର ଏପ୍ରିଲ ମାସରେ 6.71 ଲକ୍ଷ କୋଟି ଟଙ୍କା ଥିଲା । ମେ’ ମାସରେ ଏହା 9.65 କୋଟି ଟଙ୍କାରେ ପହଞ୍ଚିଥିଲା । କାରବାର ବଢୁଥିବାରୁ ଜୁନ୍ରେ ଏହା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି ।
ବିତ୍ତୀୟ ସୂଚକ
ବଜାରକୁ ଯଥେଷ୍ଟ ନଗଦ ଅର୍ଥ ପ୍ରେରଣ ବ୍ୟବସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ନିଶ୍ଚିତ କରିବା ପରେ ବିତ୍ତୀୟ ବଜାରରେ କର୍ପୋରେଟ ବଣ୍ଡର ବିକ୍ରିବଟା ବଢିଛି ଏବଂ ଘରୋଇ କ୍ରେତାମାନେ ଏହା ଅଧିକରୁ ଅଧିକ କିଣିବା ଆରମ୍ଭ କରିଛନ୍ତି । ଏହା ଫଳରେ ଏହି କାରବାର ବାର୍ଷିକ ଭିତ୍ତିରେ 44.1 ଶତାଂଶ ବଢଛି । ମେ’ ମାସରେ ଏ ବାବଦରେ 0.84 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ଗତ ଏପ୍ରିଲ ମାସରେ ଏହି କାରବାର 0.54 କୋଟି ଟଙ୍କା ଥିଲା । ଚଳିତ ଜୁନ ମାସରେ ଏହି କାରବାର ଅଧିକ ହେବ ବୋଲି ଆଶା କରାଯାଉଛି ।
ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ଏୟୁଏମ୍ କାରବାର ଏପ୍ରିଲ ମାସ ତୁଳନାରେ ମେ’ ମାସରେ 3.2 ଶତାଂଶ ବଢିଛି । ଏପ୍ରିଲ ମାସରେ ଏହା 23.5 ଲକ୍ଷ କୋଟି ଟଙ୍କା ଥିବାବେଳେ ମେ ମାସରେ 24.2 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ଗତବର୍ଷ ତୁଳନାରେ ଏହି କାରବାର ହାର ଏପ୍ରିଲରେ 6.9 ଶତାଂଶ କମ ଥିବାବେଳେ ମେ ମାସରେ 4.5 ଶତାଂଶ କମ୍ ରହିଛି ।
ଜୁନ୍ 12 ତାରିଖ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ମହଜୁଦ ପରିମାଣ ଆମେରିକୀୟ ଡଲାର ଅନୁସାରେ 5.7.6 ବିଲିୟନ ଥିଲା । ଏହା ଦେଶର ଆବଶ୍ୟକତା ପୂରଣ ପାଇଁ ବେଶ୍ ସହାୟକ ହୋଇଛି । ଦେଶକୁ ଅଧିକରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସୁଥିବାବେଳେ ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ କମ୍ ଥିବାରୁ ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି । ଭାରତକୁ 2019-20ରେ ମୋଟ 73.45 ବିଲିୟନ ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆକାରରେ ଆସିଛି । ପୂର୍ବ ଆର୍ଥିକବର୍ଷ ତୁଳନାରେ ଏହା 18.5 ଶତାଂଶ ଅଧିକ ।
ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏହି ଯେଉଁ ନୂଆ ଅଙ୍କୁରୋଦଗ୍ମ ଦେଖାଦେଇଛି ତାହାକୁ ବଢାଇବା ପାଇଁ ଭାରତ ସରକାର ଢାଞ୍ଚାଗତ ସଂସ୍କାର ଓ ସହାୟତାମୂଳକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ସଂପୃକ୍ତ ସମସ୍ତ ପକ୍ଷଙ୍କ ମିଳିତ ସହଯୋଗ ଦ୍ୱାରା ସାକାର ହୋଇପାରିବ ଏବଂ ଏହା ଏକ ସଶକ୍ତ ଓ ସମୃଦ୍ଧ ଭାରତୀୟ ଅର୍ଥନୀତି ନିର୍ମାଣରେ ସହାୟକ ହେବ ।
**********
(Release ID: 1633754)
Visitor Counter : 377
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam