ଅର୍ଥ ମନ୍ତ୍ରଣାଳୟ

ଭାରତରେ କୋଭିଡ-19 ମୁକାବିଲାରେ ସହଯୋଗ ନିମନ୍ତେ ଭାରତ ସରକାର ଏବଂ ଏଆଇଆଇବି ମଧ୍ୟରେ 750 ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ

Posted On: 19 JUN 2020 6:20PM by PIB Bhubaneshwar

ଭାରତ ସରକାର ଏବଂ ଏସିଆନ ଭିତ୍ତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି 750 ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । କୋଭିଡ-19 ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-19 ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ । ଏଆଇଆଇବି ପକ୍ଷରୁ ଏହା ହେଉଛି ଭାରତକୁ ସର୍ବପ୍ରଥମ ବଜେଟ ସହାୟତା ।

ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଶ୍ରୀ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ ମହାନିର୍ଦ୍ଦେଶକ (କାର୍ଯ୍ୟକାରୀ) ଶ୍ରୀ ରଜତ ମିଶ୍ରା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ଶ୍ରୀ ଖାରେ କହିଥିଲେ, “କରୋନା ଭୂତାଣୁ ମୁକାବିଲା ନିମନ୍ତେ ଏଆଇଆଇବି ପକ୍ଷରୁ ଏହି ସହାୟତା ପାଇଁ ଆମେ ଧନ୍ୟବାଦ ଜଣାଉଛୁ । କରୋନା ଭୂତାଣୁ କାରଣରୁ ମହିଳାଙ୍କ ସମେତ ସମାଜର ଦୁର୍ବଳ ବର୍ଗ ପ୍ରଭାବିତ ହୋଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ଅର୍ଥରେ ସହାୟତା ଯୋଗାଇ ଦିଆଯିବ । ସେହିପରି ପ୍ରଭାବିତ ହୋଇଥିବା ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇ ପାରିବ । ଏଆଇଆଇବି ପକ୍ଷରୁ ଏହି ସମୟୋପଯୋଗୀ ଆର୍ଥିକ ସହାୟତା ସରକାରଙ୍କ କୋଭିଡ-19 ଜରୁରିକାଳୀନ ମୁକାବିଲା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇପାରିବ ।

ଏହି କାର୍ଯ୍ୟକ୍ରମ ଦ୍ୱାରା କୋଭିଡ-19 ମହାମାରୀର ପ୍ରତିକୂଳ ସାମାଜିକ ଏବଂ ଆର୍ଥିକ ପ୍ରଭାବ ହ୍ରାସ କରିବା କ୍ଷେତ୍ରରେ ଭାରତ ସରକାରଙ୍କୁ ବଜେଟ ସହାୟତା ମିଳିପାରିବ । ପୂର୍ବରୁ ଏଆଇଆଇବି ପକ୍ଷରୁ ଭାରତକୁ କୋଭିଡ-19 ମୁକାବିଲା ନିମନ୍ତେ 500 ନିୟୁତ ଡଲାର ଋଣ ସହାୟତା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟତଃ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଜନ ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏଆଇଆଇବି ଏବଂ ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ମୋଟ 2.250 ବିଲିୟନ ଡଲାର ମଧ୍ୟରୁ ଏଆଇଆଇବି ପକ୍ଷରୁ 750 ମିଲିୟନ ଡଲାର ଏବଂ ଏଡିବି ପକ୍ଷରୁ 1.5 ବିଲିୟନ ଡଲାର ଅର୍ଥ ଯୋଗାଇ ଦିଆଯିବ ।

 

**********

 



(Release ID: 1632751) Visitor Counter : 261