ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ୟବସାୟିକ କୋଇଲା ଖଣି ଖନନ ପାଇଁ ନିଲାମ ବ୍ୟବସ୍ଥାର ଭର୍ଚୁଆଲ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 18 JUN 2020 1:15PM by PIB Bhubaneshwar

ନମସ୍କାର,

ଦେଶ-ବିଦେଶର ସବୁ ଅଂଶଗ୍ରହଣକାରୀମାନଙ୍କୁ ମୁଁ ସ୍ୱାଗତ କରୁଛି । ଏକ ଆହ୍ୱାନମୂଳକ ସମୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିବା ଏବଂ ଏଥିରେ ଆପଣମାନେ ଭାଗ ନେବା ଏକ ନୂଆ ଆଶା ଉଦ୍ରେକ କରୁଛି ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି ।

ଭାରତ କେବଳ କରୋନା ବିରୋଧରେ ଲଢୁ ନାହିଁ, ଏହି ଯୁଦ୍ଧରେ ବିଜୟଲାଭ କରିବ ଏବଂ ଆଗକୁ ବଢିବ । ଏହି ସଂକଟକୁ ନେଇ ଭାରତ ଚୁପ୍‌ଚାପ ବସି ବିଳାପ କରିବାର ଅବକାଶ ମଧ୍ୟ ନାହିଁ । ଏହି ସଂକଟ ଯେତେବଡ ହେଉନା କାହିଁକି ଭାରତ ଏହାକୁ  ଏକ ସୁଯୋଗରେ ପରିଣତ କରିବାକୁ ବଦ୍ଧପରିକର । ଏହି କରୋନା ଭୂତାଣୁ ସଂକଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ପ୍ରଦାନ କରିଛି ।

ଆତ୍ମନିର୍ଭର ଭାରତ ଅର୍ଥ ଆମ ଦେଶ ଏହାର ଆମଦାନୀକୁ ହ୍ରାସ କରିବ । ଆତ୍ମନିର୍ଭର ଭାରତର ଅର୍ଥ ଲକ୍ଷ ଲକ୍ଷ କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବ । ଆତ୍ମନିର୍ଭର ଭାରତର ଅର୍ଥ ଦେଶକୁ ଆଉ ବିଦେଶରୁ ଜିନିଷପତ୍ର ଆମଦାନୀ କରିବାକୁ ପଡିବ ନାହିଁ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଘରୋଇ ଭାବେ ନିଜର ସମ୍ବଳର ବିକାଶ ନିରନ୍ତର କରିବ । ଆତ୍ମନିର୍ଭର ଅର୍ଥ ଆମେ ଏବେ ଯେଉଁ ସାମଗ୍ରୀ ସବୁ ଆମଦାନୀ କରୁଛୁ ତାହାର ସର୍ବବୃହତ୍‌ ରପ୍ତାନୀକାରୀ ହେବୁ ।

ବନ୍ଧୁଗଣ, ଏହି ଲକ୍ଷ୍ୟ ହାସଲ ପାଇଁ ଆମକୁ ସବୁ କ୍ଷେତ୍ର, ସବୁ ଉଦ୍ୟୋଗ, ପ୍ରତ୍ୟେକ ସାମଗ୍ରୀ ଓ ସେବାକୁ ବିଚାରକୁ ନେବାକୁ ହେବ । ସେ ସବୁ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମକୁ ସାମଗ୍ରୀକଭାବେ କାର୍ଯ୍ୟ କରିବାକୁ ପଡିବ । ଆଜିର କାର୍ଯ୍ୟକ୍ରମ ତାହାର ଏକ ନିଦର୍ଶନ ଏବଂ ସେହି ବିଚାରରେ ଆଗକୁ ବଢିବାର ଏକ ବଡ ପଦକ୍ଷେପ ।

ଭାରତକୁ ଉର୍ଜ୍ଜା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜିର କାର୍ଯ୍ୟକ୍ରମକୁ ଏକ ବୃହତ୍‌ ପଦକ୍ଷେପ କହିଲେ ଭୁଲ ହେବନାହିଁ । ଏହି କାର୍ଯ୍ୟକ୍ରମ କେବଳ ସଂପୃକ୍ତ ଗୋଟିଏ କ୍ଷେତ୍ର ବା କୋଇଲା ଉଦ୍ୟୋଗରେ ସଂସ୍କାରର କାର୍ଯ୍ୟକାରିତାର ଅୟମାରମ୍ଭ ନୁହେଁ ।  ଏହା 130 କୋଟି ଜନତାଙ୍କ ଆଶା ଆକାଂକ୍ଷାର ପରିପୂରଣ ପାଇଁ ଥିବା ପ୍ରତିଶ୍ରୁତିବଦ୍ଧତାର ଏକ ନିଦର୍ଶନ । ଏହା ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗର ଆରମ୍ଭ ମାତ୍ର ।

ବନ୍ଧୁଗଣ, ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମ ସଂକଳ୍ପର କାର୍ଯ୍ୟକାରିତା ନିମନ୍ତେ ଗତ ମାସରେ ଯେତେବେଳେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଘୋଷଣା କରାଗଲା, ଅନେକ ଲୋକ ସେତେବେଳେ ଭାବିଲେ ଯେ ଏହା ଆଉ ଏକ ସାଧାରଣ ସରକାରୀ ପ୍ରକ୍ରିୟା । କିନ୍ତୁ ଘୋଷଣାର ମାସକ ମଧ୍ୟରେ କୃଷି, ଏମ୍‌ଏସ୍‌ଏମ୍‌ଇ ଭଳି ବିଭିନ୍ନ କ୍ଷେତ୍ର ଏବଂ ବିଶେଷକରି ବର୍ତ୍ତମାନର କୋଇଲା ଓ ଖଣି ଉଦ୍ୟୋଗରେ ତାହାର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି । ଏହା ଦର୍ଶାଉଛି ଭାରତ ତାହାର ଅଙ୍ଗୀକାରକୁ ପୂରଣ କରିବାରେ କେତେ ଆଗ୍ରହୀ ଏବଂ ଏକ ସଂକଟକୁ ସୁଯୋଗରେ ପରିଣତ କରିବାକୁ କେତେ ତତ୍ପର । ଆମେ କେବଳ ଆଜି ବ୍ୟବସାୟିକ କୋଇଲା ଉତ୍ତୋଳନର ଆରମ୍ଭ କରୁନାହୁଁ, ଏହା ସହିତ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ଲକ୍‌ଡାଉନ ଅବସ୍ଥାରେ ପଡି ରହିଥିବା କୋଇଲା ଉଦ୍ୟୋଗକୁ ମୁକ୍ତ କରୁଛୁ ।

କୋଇଲା କ୍ଷେତ୍ରରେ ଲକ୍‌ଡାଉନର ପ୍ରଭାବ କଣ ତାହା ଆପଣମାନେ ମୋଠାରୁ ଅଧିକ ଜାଣନ୍ତି । ଏ ଦିଗରେ ଟିକିଏ ଭାବନ୍ତୁ । କୋଇଲା ସମ୍ପଦରେ ଭାରତର ସ୍ଥାନ ବିଶ୍ୱରେ ଚତୁର୍ଥ । କୋଇଲା ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ । ଏହା ସତ୍ତ୍ୱେ ଭାରତ ଏକ କୋଇଲା ରପ୍ତାନୀକାରୀ ଦେଶ ନୁହେଁ; ବରଂ ଆମେ ବିଶ୍ୱର ସର୍ବବୃହତ୍‌ କୋଇଲା ଆମଦାନୀକାରୀ ରାଷ୍ଟ୍ର ।

ପ୍ରଶ୍ନ ହେଉଛି, ଆମେ ଯେତେବେଳେ ବିଶ୍ୱର ସର୍ବବୃହତ୍‌ ଉତ୍ପାଦନକାରୀ, ଆମେ କାହିଁକି ସର୍ବବୃହତ୍‌ ରପ୍ତାନାକାରୀ ହୋଇପାରିବାନାହିଁ ? ଏ ପ୍ରଶ୍ନ ମୋ ମନରେ, ଆପଣମାନଙ୍କ ମନରେ ଏବଂ କୋଟି କୋଟି ଭାରତୀୟଙ୍କ ମନରେ ବାରମ୍ବାର ଉଙ୍କି ମାରୁଛି ।

ବନ୍ଧୁଗଣ, ଏ ହେଉଛି ଦଶନ୍ଧି ଦଶନ୍ଧି ଧରି ଆମର ଅବସ୍ଥା । ଦେଶର କୋଇଲା ଉଦ୍ୟୋଗ କ୍ୟାପ୍‌ଟିଭ ଓ ନନ୍‌ କ୍ୟାପଟିଭ ଭଳି ଝାମେଲାରେ ପଡି ବିଭ୍ରାଟ ଅବସ୍ଥାରେ ରହିଛି । ଏହା ପ୍ରତିଯୋଗିତା କରିବା ଅବସ୍ଥାରେ ନାହିଁ । ପାରଦର୍ଶିତା ମଧ୍ୟ ଏହି କ୍ଷେତ୍ରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଉଚିତ ନିଲାମ ପ୍ରକ୍ରିୟା କଥା ଭୁଲିଯାଆନ୍ତୁକୋଇଲା ଖଣି ଆବଣ୍ଟନରେ ଯେଉଁସବୁ ବଡ ବଡ ଦୁର୍ନୀତି ହୋଇଥିଲା ସେ ବିଷୟରେ ସମସ୍ତେ ଅବଗତ । ସେଇଥିପାଇଁ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ନୈରାଶ୍ୟଜନକ ରହିଛି ଏବଂ ଏହାର ଦକ୍ଷତା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ରାଜ୍ୟରୁ କୋଇଲା ଉତ୍ତୋଳନ କରାଯିବ ଏବଂ ତାହା ଶହ ଶହ କିଲୋମିଟର ଦୂରରେ ଥିବା ଅନ୍ୟ ରାଜ୍ୟକୁ ପଠାଯିବ । ଅଥଚ ଯେଉଁ ରାଜ୍ୟରେ କୋଇଲା ଉତ୍ପାଦନ ହେଉଥିବ ସେ ରାଜ୍ୟ କୋଇଲା ବ୍ୟବହାର ପାଇଁ ଅପେକ୍ଷାରେ ରହିବ, ଏହା କେମିତି କଥା ? ସମଗ୍ର ପ୍ରକ୍ରିୟା ଅତ୍ୟନ୍ତ ଗୋଳମାଳିଆ ।

ବନ୍ଧୁଗଣ, 2014 ପରେ ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆମେ କୋଇଲା ଲିଙ୍କେଜ ବ୍ୟବସ୍ଥା ଆରମ୍ଭ କଲୁ, ଯାହା କେହି କେବେ ଚିନ୍ତା କରିନଥିଲେ । ଏହି ପଦକ୍ଷେପ କୋଇଲ କ୍ଷେତ୍ରକୁ ପ୍ରୋତ୍ସାହିତ କଲା । ନିକଟରେ ଆମେ ଅନେକ ସଂସ୍କାର ଏ କ୍ଷେତ୍ରରେ ଆଣିଛୁ, ଯାହା ଦଶନ୍ଧି ଦଶନ୍ଧି ଧରି ଚିନ୍ତା କରାଯାଉଥିଲା । କୋଇଲା ଓ ଖଣି ଉଦ୍ୟୋଗକୁ ପ୍ରତିଯୋଗିତା, ପୁଞ୍ଜିନିବେଶ, ଅଂଶଗ୍ରହଣକାରୀ ଏବଂ ଟେକ୍‌ନୋଲଜି ଅନୁକୂଳ କରିବା ପାଇଁ ଭାରତ ଏବେ ଏକ ବଡ ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ ଏହାକୁ ସଂପୂର୍ଣ୍ଣ ମୁକ୍ତ କରିଛି । ଘରୋଇ ଖଣି କ୍ଷେତ୍ରର ନୂଆ ଅଂଶୀଦାର ଯେପରି ଅର୍ଥଗତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ଆବଶ୍ୟକ ବ୍ୟବସ୍ଥା ନିଶ୍ଚିତ କରିଛୁ ।

ବନ୍ଧୁଗଣ, ଏକ ମଜଭୁତ ଖଣି ଓ ଖଣିଜ ଉଦ୍ୟୋଗ ବିନା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; କାରଣ ଖଣିଜ ଓ ଖଣି ଆମ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଏହି ସଂସ୍କାର ପରେ ଏବେ କୋଇଲା ଉତ୍ପାଦନ ଓ ସମଗ୍ର କୋଇଲା ଉଦ୍ୟୋଗ ଆତ୍ମନିର୍ଭରଶୀଳ ହେବ । ଏବେ କୋଇଲା ପାଇଁ  ବଜାର ମୁକ୍ତ ହୋଇଛି ଏବଂ ଯେକୌଣସି ଉଦ୍ୟୋଗ ନିଜର ଆବଶ୍ୟକତା ଅନୁସାରେ କୋଇଲା କିଣିପାରିବ ।

ବନ୍ଧୁଗଣ, ଏହି ସଂସ୍କାର ଦ୍ୱାରା କେବଳ କୋଇଲା ଉଦ୍ୟୋଗ ଲାଭବାନ ହେବନାହିଁ, ଅନ୍ୟ ଉଦ୍ୟୋଗଗୁଡିକ ମଧ୍ୟ ଲାଭ ପାଇବେ । ଆମେ କୋଇଲା ଉତ୍ପାଦନ ବଢାଇଲେ ଏହାର ସକାରାତ୍ମକ ପ୍ରଭାବ ଇସ୍ପାତ, ଆଲୁମିନିୟମ, ଶକ୍ତି, ସାର ଏବଂ ସିମେଣ୍ଟ ଉଦ୍ୟୋଗ ଉପରେ ମଧ୍ୟ ପଡିବ । ବିଜୁଳି ଉତ୍ପାଦନ ମଧ୍ୟ ବଢିବ । ସୌଭାଗ୍ୟବଶତଃ ଭାରତରେ କୋଇଲା, ଲୌହ, ବକ୍‌ସାଇଟ  ଓ ଅନ୍ୟାନ୍ୟ ଖଣି ସବୁ ପାଖାପାଖି ରହିଛି । ତେଣୁ ଖଣିଜ ଉଦ୍ୟୋଗରେ ଅଣାଯାଇଥିବା ସଂସ୍କାର କୋଇଲା ଖଣି କ୍ଷେତ୍ରରେ ଆସିଥିବା ସୁଧାରବାଦୀ ପ୍ରକ୍ରିୟା ଦ୍ୱାରା ତ୍ୱରାନ୍ୱିତ ହେବ ।

ବନ୍ଧୁଗଣ, ଆଜିର ବ୍ୟାବସାୟିକ କୋଇଲା ଖନନ ନିଲାମ ପ୍ରକ୍ରିୟାର ଆରମ୍ଭ ସଂପୃକ୍ତ ସମସ୍ତ ପକ୍ଷଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିଛି । ଏଥିରେ ସମସ୍ତେ ଲାଭବାନ ହେବେ । ଶିଳ୍ପସଂସ୍ଥା, ଆପଣମାନେ ସଭିଏଁ, ଆପଣମାନଙ୍କ ବ୍ୟାପାର  ଓ ପୁଞ୍ଜିନିବେଶ ନୂତନ ସମ୍ବଳ ଏବଂ ବଜାର ପାଇବ । ରାଜ୍ୟ ସରକାରମାନେ ଅଧିକ ରାଜସ୍ୱ ପାଇବେ ଏବଂ ଦେଶର ଏକ ବିରାଟ ଜନସଂଖ୍ୟାକୁ ନିଯୁକ୍ତି ସୁଯୋଗ ମିଳିବ । ଅତଏବ ପ୍ରତ୍ୟେକ କ୍ଷେତ୍ରରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ।

ବନ୍ଧୁଗଣ, କୋଇଲା ସଂସ୍କାର କାର୍ଯ୍ୟକାରୀ କରିବାବେଳେ ଭାରତ ପରିବେଶ ସୁରକ୍ଷା ପ୍ରତି ଥିବା ତାର ଅଙ୍ଗୀକାରକୁ ମଧ୍ୟ ନିଶ୍ଚିତ କରିଛି । ଏହି ପ୍ରକ୍ରିୟାରେ ପରିବେଶ ଯେପରି ନ ବିଗିଡେ ସେଥିପାଇଁ ଭାରତ ସଚେତନ ଅଛି । କୋଇଲାରୁ ଗ୍ୟାସ୍‌ ତିଆରି କରିବା ପାଇଁ ସର୍ବାଧୁନିକ ଟେକନୋଲଜି ପ୍ରୟୋଗ କରାଯାଇପାରିବ । ପରିବହନ ଓ ରୋଷେଇରେ କୋଲ ଗ୍ୟାସ୍‌ ବ୍ୟବହୃତ ହେବ । ୟୁରିଆ ଏବଂ ଇସ୍ପାତ ଏହି ପ୍ରକ୍ରିୟାରେ ମ୍ୟାନୁଫାକ୍‌ଚରିଂ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ । 2030 ସୁଦ୍ଧା  100 ନିୟୁତ ଟନ କୋଇଲାକୁ ଗ୍ୟାସ୍‌ରେ ପରିଣତ କରିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଏଥିପାଇଁ 4ଟି ପ୍ରକଳ୍ପ ଚିହ୍ନଟ ହୋଇଛି । ଏଥିରେ 20 ହଜାର କୋଟି ଟଙ୍କା ନିବେଶ କରାଯିବ ।

ବନ୍ଧୁଗଣ, ଏହି କୋଇଲା ସଂସ୍କାର ପୂର୍ବଭାରତ, କେନ୍ଦ୍ରୀୟ ଭାରତ ଏବଂ ଆମର ଆଦିବସୀ ଇଲାକାଗୁଡିକର ବିକାଶ କ୍ଷେତ୍ରରେ ମାଧ୍ୟମ ହେବ । କୋଇଲା ଏବଂ ଖଣିଜ ସମ୍ପଦ ଥିବା ଆମ ଦେଶର ଅଞ୍ଚଳଗୁଡିକର ପ୍ରଗତି ଓ ସମୃଦ୍ଧି ଯାହା ହେବା କଥା ତାହା ହୋଇପାରିନାହିଁ । ଏହିସବୁ ଅଞ୍ଚଳରେ ଦେଶର ଅନେକ ଆକାଂକ୍ଷୀ ଜିଲା ରହିଛି । ଏସବୁ ଜିଲାର ଲୋକମାନେ ବିକାଶ ଚାହୁଁଛନ୍ତି; କିନ୍ତୁ ସେମାନେ ତାଙ୍କ ଇଛାମତେ ଆଗକୁ ବଢ଼ିପାରୁନାହାନ୍ତି ।

ଆପଣ କଳ୍ପନା କରିପାରିବେ କି, ଦେଶର 16ଟି ଆକାଂକ୍ଷୀ ଜିଲାରେ ବିପୁଳ କୋଇଲା ମହଜୁଦ ଅଛି; ମାତ୍ର ଏହିସବୁ ଜିଲାର ଲୋକମାନଙ୍କ କାମରେ ତାହା ବିଶେଷ ଆସୁନାହିଁ । ସେମାନେ ରୋଜଗାର ପାଇଁ ନିଜର ଭିଟାମାଟି ଛାଡ଼ି ଦେଶର ଦୂରଦୂରାନ୍ତ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ବ୍ୟାବସାୟିକ ଖଣି ଉତ୍ତୋଳନ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତଦ୍ଦ୍ୱାରା ପୂର୍ବ ଓ କେନ୍ଦ୍ର ଭାରତର ଏକ ବୃହତ ଜନସଂଖ୍ୟା ବିଶେଷ ଉପକୃତ ହେବ । ସେମାନେ ନିଜ ଘର ପାଖରେ ନିଯୁକ୍ତିର ସୁଯୋଗ ପାଇବା ସହ ବିଭିନ୍ନ ଜଞ୍ଜାଳରୁ ମୁକ୍ତି ପାଇବେ ।  ଆଜି ଯେଉଁସବୁ କୋଇଲା ଖଣିର ନିଲାମ ହେଉଛି ସେଥିରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । କେବଳ ସେତିକି ନୁହେଁ, କୋଇଲା ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ମଧ୍ୟ ଯେଉଁ ଭିତ୍ତିଭୂମି ସୃଷ୍ଟି ହେବ ସେଥିରେ ନିଯୁକ୍ତି ସୁବିଧା ମିଳିବ । ଏହି ଭିତ୍ତିଭୂମି ନିର୍ମାଣ ପାଇଁ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିକଟରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ବନ୍ଧୁଗଣ, କୋଇଲା କ୍ଷେତ୍ରରେ ସଂସ୍କାର ଓ ନିବେଶ ଜନସାଧାରଣ, ବିଶେଷକରି ଆଦିବାସୀ ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିବାରେ ଅଧିକ ସହାୟକ ହେବ । କୋଇଲା ଉତ୍ପାଦନରୁ ଯେଉଁ ଅଧିକ ରାଜସ୍ୱ ମିଳିବ ତାହା ସେ ଅଞ୍ଚଳର ଜନକଲ୍ୟାଣ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ । ଜିଲା ଖଣିଜ ପାଣ୍ଠିରୁ ମଧ୍ୟ ରାଜ୍ୟ ସରକାରମାନେ ସହାୟତା ପାଇବେ । ଏହି ପାଣ୍ଠିର ଏକ ବଡ଼ଭାଗ କୋଇଲା ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟବସ୍ଥାରେ ବିନିଯୋଗ ହେଉଛି । ଖଣିଜ ସମୃଦ୍ଧ ଅଞ୍ଚଳର ଲୋକଙ୍କୁ ସମୃଦ୍ଧ କରିବା ପାଇଁ ଆମେ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖି କାର୍ଯ୍ୟ କରୁଛୁ । ଆଜିର ଏହି ପଦକ୍ଷେପ ସେହି ଲକ୍ଷ୍ୟ ପୂରଣ କରିବ ବୋଲି ମୋର ଆଶା ଓ ବିଶ୍ୱାସ ।

ବନ୍ଧୁଗଣ, ଦେଶର ଅର୍ଥନୀତି ଦ୍ରୁତଗତିରେ ସ୍ୱାଭାବିକ ହେଉଥିବାବେଳେ ଆଜିର ଏହି ନିଲାମ କାର୍ଯ୍ୟ କରାଯାଉଛି । ଦେଶରେ ଉପଭୋକ୍ତାବାଦ ଏବଂ ଚାହିଦା ଦ୍ରୁତଗତିରେ ବଢି ଏବେ କରୋନା ପୂର୍ବବର୍ତ୍ତୀ ସ୍ତରରେ ପହଞ୍ଚିଛି । ତେଣୁ ଏଭଳି ଏକ ନୂଆ ଆରମ୍ଭ ପାଇଁ ଏହାଠାରୁ ଆଉ ଭଲ ସମୟ ନାହିଁ ।

ଉର୍ଜ୍ଜା ବ୍ୟବହାର ହେଉ ଅଥବା ପେଟ୍ରୋଲିୟମ ସାମଗ୍ରୀ, ଏସବୁଥିରେ ଗତ ମେ ଶେଷ ଓ ଜୁନ୍‌ ପ୍ରଥମ ସପ୍ତାହରେ ଚାହିଦା ଦ୍ରୁତଗତିରେ ବଢ଼ିଥିଲା । ଇ-ୱେ ବିଲ୍‌ କ୍ଷେତ୍ରରେ ଏପ୍ରିଲ ତୁଳନାରେ ଦୁଇଶହ ଶତାଂଶ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ପଥକର ସଂଗ୍ରହ ଜୁନ ମାସରେ 70 ଶତାଂଶରେ ପହଞ୍ଚି ଫେବୃଆରୀ ସ୍ତରକୁ ଛୁଇଁଛି । ଏପ୍ରିଲ ତୁଳନାରେ ମେ ମାସରେ ରେଳ ମାଲପରିବହନ 26 ଶତାଂଶ ବଢ଼ିଛି । ଏହି ସମୟ ମଧ୍ୟରେ ମୋଟ ଡିଜିଟାଲ ଖୁଚୁରା କାରବାର ଉଭୟ ସଂଖ୍ୟା ଓ ପରିମାଣ ଆକାରରେ ବୃଦ୍ଧି ପାଇଛି ।

ବନ୍ଧୁଗଣ, ଗ୍ରାମାଞ୍ଚଳ ଅର୍ଥନୀତିରେ ମଧ୍ୟ ସୁଧାର ପରିଲକ୍ଷିତ ହେଉଛି । ଚଳିତବର୍ଷ ଖରିଫ ଚାଷ ଗତବର୍ଷ ତୁଳନାରେ 13 ଭାଗ ଅଧିକ ଜମିରେ ହୋଇଛି । ଏବର୍ଷ ମଧ୍ୟ ଗହମର ଉତ୍ପାଦନ ଓ ସଂଗ୍ରହ ବଢିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଏପର୍ଯ୍ୟନ୍ତ 11 ଶତାଂଶ ଅଧିକ ଗହମ ସଂଗୃହୀତ ହୋଇଛି । ଏହାର ଅର୍ଥ ଚାଷୀଙ୍କ ହାତକୁ ଅଧିକ ଟଙ୍କା ଯାଇଛି । ଏସବୁ ସୂଚନାରୁ ପ୍ରତୀୟମାନ ହେଉଛି ଯେ ଭାରତୀୟ ଅର୍ଥନୀତି ପ୍ରତ୍ୟାବର୍ତ୍ତନ କରିବା ସହ ଆଗକୁ ବଢ଼ିବାକୁ ପ୍ରସ୍ତୁତ ।

ବନ୍ଧୁଗଣ, ଭାରତ ଏହା ପୂର୍ବରୁ ଏହାଠାରୁ ଆହୁରି ବଡ ସମସ୍ୟାରୁ ମୁକୁଳିଛି । ଚଳିତ ସଂକଟରୁ ମଧ୍ୟ ଭାରତ ମୁକ୍ତି ପାଇବ । ଆମେ ନିୟୁତ ନିୟୁତ ଭାରତୀୟ ଗୋଟିଏ ପଟେ ଖାଉଟି ହୋଇଥିବାବେଳେ ସମାନଭାବେ ଜଣେ ଜଣେ ଉତ୍ପାଦନକାରୀ ମଧ୍ୟ ।  ଭାରତର ସଫଳତା ଏବଂ ଅଭିବୃଦ୍ଧି ନିଶ୍ଚିତ । ମୋର ଦୃଢ ବିଶ୍ୱାସ ଆମେ ଆତ୍ମନିର୍ଭର ହୋଇପାରିବା ।

ସ୍ମରଣ କରାଇ ଦେଉଛି ଯେ କେଇ ସପ୍ତାହ ପୂର୍ବରୁ ଆମେ ଆମ ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକାଂଶ ଏନ୍‌-95 ମାସ୍କ, କରୋନା ଟେଷ୍ଟିଂ କିଟ୍‌ସ, ପିପିଇ ଓ ଭେଣ୍ଟିଲେଟର୍ସର ଆମଦାନୀ କରୁଥିଲୁ । ଏବେ ଭାରତ ମେକ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି ଚାହିଦାକୁ ପୂରଣ କରିପାରିଛି । ଖୁବ୍‌ ଶୀଘ୍ର ଭାରତ ଡାକ୍ତରୀ ସାମଗ୍ରୀ ରପ୍ତାନୀରେ ଏକ ପ୍ରମୁଖ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିବାକୁ  ଯାଉଛି । ଆପଣମାନେ ଆପଣମାନଙ୍କ ବିଶ୍ୱାସ ଓ ନୈତିକତା ବଜାୟ ରଖନ୍ତୁ । ଆମେ ଏହା ପାରିବା । ଆମେ ନିଶ୍ଚିତ ଆତ୍ମନିର୍ଭର ହୋଇ ଆତ୍ମନିର୍ଭର ଭାରତ ତିଆରି କରିପାରିବା ।

ଆତ୍ମନିର୍ଭର ଭାରତର ଯାତ୍ରାରେ ଆପଣମାନେ ବୃହତ୍‌ ଅଂଶୀଦାର । ଏହି ଯାତ୍ରା 130 କୋଟି ଭାରତୀୟଙ୍କ ଦ୍ୱାରା ଆରମ୍ଭ ହୋଇଛି । ଆସନ୍ତୁ, ମେକ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଦେଶକୁ ଆତ୍ମନିର୍ଭର କରିବା । କୋଇଲା କ୍ଷେତ୍ରର ଏକ ନୂଅ ଅଧ୍ୟାୟ ଆରମ୍ଭରେ ଆଉ ଥରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଜୀବନରେ କ୍ୱଚିତ୍‌ ଏମିତି କିଛି କ୍ଷଣ ଆସେ ଯେଉଁଠି କିଛି କରି ଇତିହାସର ଗତି ବଦଳାଇବାର ସୁଯୋଗ ସୃଷ୍ଟି ହୁଏ । ଆଜି ଉଦ୍ୟୋଗ ଜଗତ ଏବଂ ଭାରତର ସେବା କ୍ଷେତ୍ର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ସହ ଇତିହାସର ମୋଡ ବଦଳାଇବାକୁ ଏକ ସୁଯୋଗ ପାଇଛି । ଆସନ୍ତୁ ଏ ସୁଯୋଗ ହାତଛଡା କରିବା ନାହିଁ । ଆସନ୍ତୁ ଭାରତକୁ ଆଗକୁ କଢେଇ ନେବା ଏବଂ ଏହାକୁ ଏକ ଆତ୍ମନିର୍ଭରଶୀଳ ଦେଶରେ ପରିଣତ କରିବା ।

ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କ ସହ ମିଶିବାର ସୁଯୋଗ ପାଇଲି । ଅବଶ୍ୟ ଏହି ଆୟୋଜନ କୋଇଲା ପାଇଁ ତଥାପି ଆମକୁ ହୀରାର ସ୍ୱପ୍ନ ଦେଖିବାକୁ ପଡ଼ିବ । ପୁଣି ଥରେ  କୋଇଲା ଉଦ୍ୟୋଗର ଏହି ଗରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟରେ ଆପଣଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏଭଳି ମୁହୂର୍ତ୍ତରେ ମୁଁ ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ପ୍ରହଲ୍ଲାଦ ଯୋଶୀ ଏବଂ ତାଙ୍କର ସମଗ୍ର ଟିମ୍‌କୁ ଅଭିନନ୍ଦତ ଜଣାଉଛି । ସେମାନେ ଲକ୍‌ଡାଉନ ସମୟକୁ ଉପଯୋଗ କରି ସମଗ୍ର ମନ୍ତ୍ରଣାଳୟର ଟିକିନିଖି ଅନୁଧ୍ୟାନ କରିଛନ୍ତି । ତାଙ୍କର ସଚିବ ଏବଂ ଅନ୍ୟାନ୍ୟ ସହଯୋଗୀ ଏହି କ୍ଷେତ୍ରର ସଂସ୍କାର ଓ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଯେଉଁ ନେତୃତ୍ୱ ଦେଖାଇଛନ୍ତି ତାହାକୁ ମୁଁ ପ୍ରଶଂସା କରୁଛି ।

ଆପଣମାନେ ଭାବି ପାରନ୍ତି ଏହା ଏକ ଛୋଟିଆ କାର୍ଯ୍ୟକ୍ରମ; କିନ୍ତୁ ମୋ ବିଚାରରେ ତାହା ନୁହେଁ । ପ୍ରହଲ୍ଲାଦ ଜୀ, ମୁଁ ଦେଖୁଛି ଆପଣ ଏକ ଆତ୍ମନିର୍ଭର ଭାରତର ଏକ ଶକ୍ତିଶାଳୀ ଆଧାରଶୀଳା ପକାଉଛନ୍ତି । ସେଥିପାଇଁ ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ଟିମ୍‌କୁ ମୋର ଅଭିନନ୍ଦନ ।

ଏହି ଉଦ୍ୟୋଗର ଯେଉଁସବୁ ବନ୍ଧୁମାନେ ଏଠାରେ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ପୁଣି ଥରେ ପ୍ରତିଶ୍ରୁତି ଦେଉଛି ଯେ ମୁଁ ଆପଣମାନଙ୍କ ସହ ରହିଛି । ଦେଶର କଲ୍ୟାଣ ପାଇଁ ଆପଣମାନେ ଯଦି ଦୁଇପାଦ ଚାଲିବେ, ଆପଣମାନଙ୍କ ସହ ମୁଁ ଚାରିପାଦ ଚାଲିବାକୁ ପ୍ରସ୍ତୁତ । ଆସନ୍ତୁ ଏ ସୁଯୋଗ ହାତଛଡ଼ା କରିବା ନାହିଁ  । ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ।

ଧନ୍ୟବାଦ

**********

 

 



(Release ID: 1632429) Visitor Counter : 166