ରସାୟନ ଓ ସାର ମନ୍ତ୍ରଣାଳୟ

ଖରିଫ ଋତୁରେ ବାଧାମୁକ୍ତ ସାର ଯୋଗାଣ ନିମନ୍ତେ ସାର କମ୍ପାନୀଗୁଡ଼ିକ ସହିତ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ଆଲୋଚନା

• କରୋନା ସଙ୍କଟର ପ୍ରତିକୂଳ ପ୍ରଭାବ ମୁକାବିଲା ଲାଗି ସରକାରଙ୍କୁ ସହଯୋଗ କରିଥିବାରୁ ସାର ଉଦ୍ୟୋଗ ଜଗତକୁ ପ୍ରଶଂସା
• ଶ୍ରମିକ ଅଭାବ, କୁଶଳୀ ଶ୍ରମ ଶକ୍ତି ଆମଦାନୀ ଉପରେ ଥିବା କଟକଣା, ପ୍ରକଳ୍ପ ପୁନରୁଦ୍ଧାର ଓ ଇଏସଏସର କାର୍ଯ୍ୟାନ୍ୱୟନ ପାଇଁ ଯନ୍ତ୍ରାଂଶ/ସରଞ୍ଜାମ ଆମଦାନୀ ଉପରେ ଥିବା କଟକଣା ଭଳି ସାର ଉଦ୍ୟୋଗର ସମସ୍ୟା ସମାଧାନ କ୍ଷେତ୍ରରେ ସହାୟତା କରିବେ ସରକାର

Posted On: 16 JUN 2020 5:09PM by PIB Bhubaneshwar

ଆଗାମୀ ଖରିଫ ଋତୁରେ କୃଷକ ସମୁଦାୟକୁ ବାଧାମୁକ୍ତ ସାର ଯୋଗାଣ ସୁନିଶ୍ଚିତ କରିବା ଉଦେ୍ଦଶ୍ୟରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା ଆଜି ଭିଡିଓ କନଫରେନ୍ସ ଜରିଆରେ ସାର ଉଦ୍ୟୋଗର ସମସ୍ତ ଅଂଶୀଦାରମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିଥିଲେ ।

କରୋନା ମହାମାରୀର ପ୍ରତିକୂଳ ପ୍ରଭାବ ମୁକାବିଲା କରିବା ଦିଗରେ ସରକାରଙ୍କୁ ସହଯୋଗ କରିବା ଲାଗି ଶ୍ରୀ ଗୌଡ଼ା ଏହି ଅବସରରେ ସାର ଉଦ୍ୟୋଗଜଗତକୁ ଧନ୍ୟବାଦ ଜଣାଇଥିଲେ । ଏହି ମହାମାରୀ ସଂକଟ ଏବଂ ତଦଜନିତ ଲକଡାଉନ କାରଣରୁ ଦେଶରେ ସାର ଉପଲବ୍ଧତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ସୌଭାଗ୍ୟବଶତଃ, ଆମେ ସମସ୍ତେ ପରିସ୍ଥିତି ଠାରୁ ଊର୍ଦ୍ଧ୍ଵକୁ ଯାଇ ଆଗାମୀ ଖରିଫ ଋତୁ ପାଇଁ ଯଥେଷ୍ଟ ସାର ଉପଲବ୍ଧତା ସୁନିଶ୍ଚିତ କରିପାରିଛୁ ବୋଲି ଶ୍ରୀ ଗୌଡ଼ା କହିବା ସହିତ ନିଜର ୟୁନିଟକୁ ଚାଲୁ ରଖିବା ସକାଶେ ସାର ଉଦ୍ୟୋଗକୁ ପ୍ରଶଂସା କରିଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମୌସୁମୀର ଆଗମନ ସହିତ ଚାଷୀମାନେ ଖରିଫ ଋତୁ ପାଇଁ ଚାଷ କାମ ଆରମ୍ଭ କରିଦେଲେଣି । ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଚଳିତ ବର୍ଷ ସାରର ଚାହିଦା ଅଧିକ ରହିବ ବୋଲି ସେ ଜୋର ଦେଇ କହିଥିଲେ । ପୂର୍ବ ବର୍ଷ ତୁଳନାରେ ୟୁରିଆ ଏବଂ ପି ଆଣ୍ଡ କେ ସାର ବିକ୍ରିର ଡିବିଟି ଚଳିତ ବର୍ଷ ଏପ୍ରିଲ, ମେ ଏବଂ ଜୁନ ମାସରେ ଅଧିକ ରହିଛି ।

ତେବେ ସେ କହିଥିଲେ ଯେ ଆସନ୍ତା ଖରିଫ ଋତୁରେ 170 ଲକ୍ଷ ମେଟ୍ରିକ ଟନ ୟୁରିଆର ଆବଶ୍ୟକତା ରହିବ ବୋଲି ଅନୁମାନ କରାଯାଉଛି । ଏହି ତୁଳନାରେ ଉତ୍ପାଦନ ପାଖାପାଖି 133 ଲକ୍ଷ ମେଟ୍ରିକ ଟନ ରହିବ । ଏହି ଶୂନ୍ୟତାକୁ ଆମଦାନୀ ମାଧ୍ୟମରେ ପୂରଣ କରାଯିବ । ଏଥିପାଇଁ ଦୁଇଟି ବୈଶ୍ୱିକ ଟେଣ୍ଡର ଆହ୍ୱାନ କରାଯାଇସାରିଛି ଏବଂ ବିଭାଗ ଦେଶର ଚାଷୀଙ୍କ ସାର ଆବଶ୍ୟକତା ପୂରଣ କରିବା ଲାଗି ୟୁରିଆ ଆମାଦାନୀ କରିବ ।

ଦେଶରେ ବର୍ତମାନ ସାର ଉପଲବ୍ଧତା ସନ୍ତୋଷଜନକ ରହିଥିବା ନେଇ ବିଭିନ୍ନ ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ଶ୍ରୀ ଗୌଡ଼ା କହିଥିଲେ । ବିଗତ 6 ବର୍ଷର ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ସାର ଅଭାବ ରହିବ ନାହିଁ ବୋଲି ଶ୍ରୀ ଗୌଡ଼ା ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ସାର ବିଭାଗର ଅଧିକାରୀମାନଙ୍କର ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସେମାନେ ଲକଡାଉନ ସମୟରେ ଦିନରାତି କାମ କରିଛନ୍ତି ଏବଂ କଂଚା ମାଲ, କର୍ମଚାରୀ ଓ ସାର ପରିବହନ କ୍ଷେତ୍ରରେ ରହିଥିବା ବାଧା ଦୂର କରିବା ଲାଗି ରାଜ୍ୟ ସରକାର, ରେଳ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟ ସହିତ ନିବିଡ଼ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯାଇଛି ।

ସାର ସବସିଡି ସମ୍ପର୍କରେ ମତ ରଖି ଶ୍ରୀ ଗୌଡ଼ା କହିଥିଲେ ଯେ ପି ଆଣ୍ଡ କେ ସାର ପାଇଁ ପୋଷକ ଆଧାରିତ ସବସିଡି ନିର୍ଦ୍ଧାରଣ ଲାଗି ବିଭାଗ ତୁରନ୍ତ ଆବଶ୍ୟକ ଅନୁମୋଦନ ହାସଲ କରିଥିଲା । ଏହା କରାଯାଇନଥିଲେ ସବସିଡି ହିସାବକୁ ନେଇ ଅନିଶ୍ଚିତତା ରହିଥାଆନ୍ତା ଯାହା ଉତ୍ପାଦନକୁ ପ୍ରଭାବିତ କରିଥାଆନ୍ତା ।

ବିଭାଗ ନିକଟରେ ସବସିଡି ବିଲ ବିଳମ୍ବିତ ହୋଇ ପଡ଼ି ରହିବା କାରଣରୁ ସାର କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଥିବା ସେ କହିଥିଲେ । ଏ ସମସ୍ୟାର ସମାଧାନ ଲାଗି ଅର୍ଥମନ୍ତ୍ରଣାଳୟ ସହିତ ଆମେ କାମ କରୁଛୁ ବୋଲି ସେ କହିଥିଲେ ।

ସାର ଉଦ୍ୟୋଗଗୁଡ଼ିକ ଶ୍ରମିକ ଅଭାବ, କୁଶଳୀ ଶ୍ରମ ଶକ୍ତି ଆମଦାନୀ ଉପରେ ଥିବା କଟକଣା ଏବଂ ପୁନରୁଦ୍ଧାର ଓ ଇଏସଏସ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଯନ୍ତ୍ରାଂଶ/ସରଞ୍ଜାମ ଆମଦାନୀ ଉପରେ ଥିବା କଟକଣା ଭଳି ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ଲାଗି ମଧ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି ଶ୍ରୀ ଗୌଡ଼ା ପ୍ରତିଶ୍ରୁତି ଦେଇଥିଲେ ।

ଏହି ଆଲୋଚନାରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ, ସାର ବିଭାଗ ସଚିବ ଶ୍ରୀ ଛବିଳେନ୍ଦ୍ର ରାଉଳ, ବିଭିନ୍ନ ରାଷ୍ଟ୍ରାୟତ୍ତ ସାର ଉଦ୍ୟୋଗ ଏବଂ ସାର କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

 

**********

 



(Release ID: 1631985) Visitor Counter : 187