ରେଳ ମନ୍ତ୍ରଣାଳୟ

ଅଧିକ ଉଚ୍ଚତା ବିଶିଷ୍ଟ ଓଏଚଇ ବିଦ୍ୟୁତକରଣ ସେକ୍ସନରେ ସଫଳତାପୂର୍ବକ ପ୍ରଥମ ଦୁଇଥାକିଆ ମାଲବାହୀ ଟ୍ରେନ ଚଳାଚଳ

• ନୂଆ ବିଶ୍ୱ କିର୍ତୀମାନ ସ୍ଥାପନ କଲା ଭାରତୀୟ ରେଳବାଇ
• ମାଲ ପରିବହନ କ୍ଷେତ୍ରରେ ନବୋନ୍ମେଷ, ଗତି ଓ ଅନୁକୂଳନ ଉପରେ ଗୁରୁତ୍ୱାରୋପ
• 1 ଏପ୍ରିଲ 2020ରୁ 10 ଜୁନ 2020 ମଧ୍ୟରେ ବାଧାମୁକ୍ତ 24 ଘଣ୍ଟିଆ ସେବା ଜରିଆରେ 178.68 ନିୟୁତ ଟନ ସାମଗ୍ରୀ ପରିବହନ
• 24.03.2020ରୁ 10.06.2020 ମଧ୍ୟରେ 32.40 ଲକ୍ଷ ୱାଗନ ସାମଗ୍ରୀ ଯୋଗାଣ; 18 ଲକ୍ଷ ୱାଗନରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ
• 3897 ପାର୍ସଲ ଟ୍ରେନ ଜରିଆରେ ମୋଟ 1,39,196 ଟନ ସାମଗ୍ରୀ ପରିବହନ

Posted On: 11 JUN 2020 6:00PM by PIB Bhubaneshwar

ବିଦ୍ୟୁତକରଣ ହୋଇଥିବା ରେଳଧାରଣାରେ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ଉପକରଣ (ଓଏଚଇ)ରେ ସଫଳତା ପୂର୍ବକ ଦୁଇ ଥାକିଆ ମାଲବାହୀ କଂଟେନର ପରିବହନ କରି ଭାରତୀୟ ରେଳବାଇ ଏକ ନୂଆ ବିଶ୍ୱ କିର୍ତ୍ତୀମାନ ପ୍ରତିଷ୍ଠା କରିଛି । ପଶ୍ଚିମ ରେଳବାଇ କ୍ଷେତ୍ର ଅନ୍ତର୍ଗତ ଏହି ରେଳମାର୍ଗରେ ପ୍ରାୟ 7.57 ମିଟର ଉଚ୍ଚତାରେ ସମ୍ପର୍କ ବିଦ୍ୟୁତ ତାର ଯାଇଛି । ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ସମଗ୍ର ବିଶ୍ୱରେ ପ୍ରଥମ । ଏହା ଭାରତୀୟ ରେଳବାଇର ମହତ୍ୱାକାଂକ୍ଷୀ ସବୁଜ ପ୍ରୟାସକୁ ପ୍ରୋତ୍ସାହନ ଦେବ । ଏହି ଉଲ୍ଲେଖନୀୟ ଘଟଣାକ୍ରମ ସହିତ ଭାରତୀୟ ରେଳବାଇ ବିଶ୍ୱର ପ୍ରଥମ ରେଳବାଇ ଭାବେ ସଫଳତା ପୂର୍ବକ ଦୁଇ ଥାକିଆ କଂଟେନର ଟ୍ରେନ ଚଳାଚଳ କରିବାର ସୌଭାଗ୍ୟ ହାସଲ କରିଛି । ଅଧିକ ଉଚ୍ଚତାରେ ବିଦ୍ୟୁତ ତାର ଯାଇଥିବା ଓଏଚଇ ରେଳମାର୍ଗ, ଗୁଜରାଟର ପାଲନପୁର ଏବଂ ବୋତାଡ଼ ଷ୍ଟେସନ ମଧ୍ୟରେ ଏହି ଟ୍ରେନ  10 ଜୁନ, 2020ରେ ସଫଳତା ପୂର୍ବକ ଚଳାଚଳ କରିଥିଲା ।

ଏଭଳି ପ୍ରୟାସ ମାଲ ପରିବହନ କ୍ଷେତ୍ରରେ ନବୋନ୍ମେଷ, ଗତି ଓ ଅନୁକୂଳନକୁ କାର୍ଯ୍ୟକାରୀ କରିବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । କୋଭିଡ ଲକଡାଉନ କାରଣରୁ ହୋଇଥିବା କ୍ଷତି ସତ୍ୱେ ରେଳ ମନ୍ତ୍ରଣାଳୟ ଗତବର୍ଷର ମାଲ ପରିବହନ ରେକର୍ଡକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱ ଦେଉଛି ।

ସାରା ଦେଶରେ ବାଧାମୁକ୍ତ 24 ଘଣ୍ଟିଆ ମାଲ ପରିବହନ ସେବା ଜରିଆରେ ଭାରତୀୟ ରେଳବାଇ ଏପ୍ରିଲ ପହିଲା 2020ଠାରୁ 10 ଜୁନ 2020 ମଧ୍ୟରେ 178.68 ନିୟୁତ ଟନ ସାମଗ୍ରୀ ପରିବହନ କରିଛି ।

ସାରା ଦେଶରେ ଯୋଗାଣ ଶୃଙ୍ଖଳକୁ କାର୍ଯ୍ୟକ୍ଷମ ରଖିବା ଲାଗି 24.03.2020ରୁ 10.06.2020 ମଧ୍ୟରେ 32.40 ଲକ୍ଷ ୱାଗନ ସାମଗ୍ରୀ ଯୋଗାଣ କରାଯାଇଛି । ଏଥିମଧ୍ୟରୁ 18 ଲକ୍ଷ ୱାଗନରେ ଖାଦ୍ୟଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ ଓ ପନିପରିବା, ପେଟ୍ରୋଲିୟମ ଉତ୍ପାଦ, କୋଇଲା ସାର ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଛି ।

ଏପ୍ରିଲ ପହିଲା 2020ଠାରୁ 10 ଜୁନ 2020 ମଧ୍ୟରେ ରେଳବାଇ 12.74 ନିୟୁତ ଟନ ଖାଦ୍ୟଶସ୍ୟ ଲୋଡ କରିଛି ଯାହାକି ଗତବର୍ଷର ଏହି ଅବଧିରେ ଲୋଡ ହୋଇଥିବା 6.79 ନିୟୁତ ଟନ ଖାଦ୍ୟଶସ୍ୟ ତୁଳନାରେ ଅଧିକ ।

ଏହାଛଡ଼ା 22.03.2020 ଠାରୁ 10.06.2020 ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ମୋଟ 3897 ପାର୍ସଲ ଟ୍ରେନ ଚଳାଚଳ କରାଯାଇଥିବା ବେଳେ ଏଥିମଧ୍ୟରୁ 3790 ସମୟସାରଣୀ ଟ୍ରେନ । ଏସବୁ ପାର୍ସଲ ଟ୍ରେନରେ ମୋଟ 1,39,196 ଟନ ସାମଗ୍ରୀ ପରିବହନ କରାଯାଇଛି ।

 

**********

 



(Release ID: 1631008) Visitor Counter : 202