ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଲକଡାଉନ ସମୟରେ 36.02 ଲକ୍ଷ ଦାବି ସମାଧାନ କଲା ଇପିଏଫଓ

• 74%ରୁ ଅଧିକ ହିତାଧିକାରୀ କମ ଆୟବର୍ଗର

Posted On: 09 JUN 2020 4:33PM by PIB Bhubaneshwar

କୋଭିଡ-19 ଲକଡାଉନର ଆହ୍ୱାନପୂର୍ଣ୍ଣ ସମୟରେ ନିଜର ସଦସ୍ୟମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ବୈଧାନିକ ସଂସ୍ଥା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସମୟୋଚିତ ତଥା ପ୍ରଭାବୀ ସେବା ନିରନ୍ତର ଭାବେ ଯୋଗାଇ ଦିଆଯାଇଛି । ଲକଡାଉନ ସତ୍ୱେ ସଦସ୍ୟମାନଙ୍କର 36.02 ଲକ୍ଷ ଦାବିକୁ ଇପିଏଫଓ ପକ୍ଷରୁ ପୂରଣ କରାଯାଇଛି । ଏପ୍ରିଲ ଓ ମେ 2020 ଦୁଇ ମାସ ମଧ୍ୟରେ ମୋଟ 11,540 କୋଟି ଟଙ୍କା ସଦସ୍ୟମାନଙ୍କୁ ପଇଠ କରାଯାଇଛି । ଏଥିମଧ୍ୟରୁ, 4580 କୋଟି ଟଙ୍କାର 15.54 ଲକ୍ଷ ଦାବିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନ୍ତର୍ଗତ ପୂରଣ କରାଯାଇଛି ଯାହାକି କୋଭିଡ-19 ସଙ୍କଟ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ କରାଯାଇଛି ।

କୋଭିଡ-19ର କଠିନ ସମୟରେ ଭବିଷ୍ୟ ନିଧିର ଅଗ୍ରୀମ ଉଠାଣ ସୁବିଧା ଫଳରେ ଇପିଏଫଓ ସଦସ୍ୟ, ବିଶେଷ କରି 15ହଜାର ଟଙ୍କାରୁ କମ ମାସିକ ବେତନ ପାଉଥିବା କର୍ମଚାରୀମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି । ଏହାର ଅନ୍ତର୍ଗତ ସଦସ୍ୟମାନେ ତିନି ମାସର ମୂଳ ବେତନ ଏବଂ ମହଙ୍ଗା ଭତା କିମ୍ବା ସେମାନଙ୍କ ଇପିଏଫ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶିର 75 ପ୍ରତିଶତ ପର୍ଯ୍ୟନ୍ତ, ଏଥିମଧ୍ୟରୁ ଯାହା କମ ହୋଇଥିବ, ଉଠାଣ ସୁବିଧା ପାଇପାରିଛନ୍ତି । ଏହି ସୁବିଧା ଦ୍ୱାରା ଅନେକ କର୍ମଜୀବୀଙ୍କୁ ସଠିକ ସମୟରେ ଆଶ୍ୱସ୍ତି ମିଳିପାରିଛି ଓ ସେମାନେ ଋଣ ଜାଲରେ ଫସିବାରୁ ବର୍ତ୍ତିଯାଇଛନ୍ତି ।

ଲକଡାଉନ ଅବଧି ସମୟରେ ଯେଉଁ ସଦସ୍ୟମାନଙ୍କ ଦାବି ପୂରଣ କରାଯାଇଛି ସେମାନଙ୍କ ମଧ୍ୟରୁ 74 ପ୍ରତିଶତରୁ ଅଧିକ ଲୋକ ମାସିକ 15ହଜାର ଟଙ୍କାରୁ କମ ବେତନ ପାଉଛନ୍ତି । ଅନ୍ୟପଟେ 50ହଜାର ଟଙ୍କାରୁ କମ ଦରମା ପାଉଥିବା ମାତ୍ର 2 ପ୍ରତିଶତ ଲୋକ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ନିମନ୍ତେ ଆବେଦନ କରିଛନ୍ତି । ମୋଟ ପୂରଣ କରାଯାଇଥିବା ଦାବି ମଧ୍ୟରୁ 24 ପ୍ରତିଶତ ଲୋକଙ୍କ ଦରମା 15ହଜାର ଟଙ୍କାରୁ 50ହଜାର ଟଙ୍କା ମଧ୍ୟରେ ରହିଛି ।

କାର୍ଯ୍ୟସ୍ଥଳରେ ଆବଶ୍ୟକ ଶାରୀରିକ ଦୂରତା ବଜାୟ ରଖିବାର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଛନ୍ତି ଇପିଏଫଓର କର୍ମଚାରୀମାନେ । ମାତ୍ର 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଛି । କର୍ମଚାରୀଙ୍କ ଅଭାବ ସତ୍ୱେ କୋଭିଡ-19ର ଅଗ୍ରୀମ ଦାବି ପଇଠ ପାଇଁ ଇପିଏଫଓ ମାତ୍ର 3 ଦିନ ସମୟ ନେଇଛି । ତୁଳନାତ୍ମକ ଭାବେ ଦେଖିଲେ ଏଥିପାଇଁ ପୂର୍ବରୁ 10 ଦିନ ସମୟ ଲାଗୁଥିଲା ।

50 ପ୍ରତିଶତ କର୍ମଚାରୀଙ୍କ ଅନୁପସ୍ଥିତି ସତ୍ୱେ ଇପିଏଫଓ ପକ୍ଷରୁ ଏପ୍ରିଲ-ମେ 2020ରେ ମୋଟ 36.02 ଲକ୍ଷ ଦାବି ପୂରଣ କରାଯାଇଛି । ତୁଳନାତ୍ମକ ଭାବେ ଦେଖିଲେ 2019 ଏପ୍ରିଲ-ମେରେ 33.5 ଲକ୍ଷ ଦାବି ପୂରଣ କରାଯାଇଥିଲା । କାର୍ଯ୍ୟଶକ୍ତି ଉତ୍ପାଦକତା ଦୃଷ୍ଟିରୁ ଏହା ଶତପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । ଇପିଏଫଓ କର୍ମଚାରୀମାନଙ୍କର ପ୍ରତିବଦ୍ଧତା ବ୍ୟତୀତ, ଦାବି ସମାଧାନ କ୍ଷେତ୍ରରେ ନୂତନ ମାନକ ସ୍ଥାପନ କରିବାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପ୍ରୟୋଗର ମଧ୍ୟ ବଡ଼ ଭୂମିକା ରହିଛି ।

ଇପିଏଫଓ କାର୍ଯ୍ୟାଳୟରେ କମ କର୍ମଚାରୀଙ୍କୁ ନେଇ କାମ ହେଉଥିବାରୁ ସଦସ୍ୟମାନଙ୍କର ଆବଶ୍ୟକତା ପୂରଣ କରିବା ଲାଗି କେତେକ ନୂଆ ପଦ୍ଧତି ଅବଲମ୍ବନ କରାଯିବାର ଆବଶ୍ୟକତା ଅନୁଭୂତ ହୋଇଥିଲା । ତେବେ ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରି ଇପିଏଫଓ ନିଜର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦାବି ପୂରଣ ପ୍ରଣାଳୀକୁ ମାତ୍ର 5ଦିନର ରେକର୍ଡ ସମୟ ମଧ୍ୟରେ ଆରମ୍ଭ କରି ଦେଇଥିଲା । ଏହି ପ୍ରଣାଳୀ ମାଧ୍ୟମରେ କୋଭିଡ-19 ଅଗ୍ରୀମ ଉଠାଣର ପାଖାପାଖି 54 ପ୍ରତିଶତ ଦାବି ସ୍ୱୟଂଚାଳିତ ଢଙ୍ଗ କରାଯାଇଥିଲା । ଏହି ପ୍ରଣାଳୀକୁ ଉପଯୋଗ କରି ଭବିଷ୍ୟତରେ ଖୁବ କମ ସମୟ ମଧ୍ୟରେ ଦାବି ପୂରଣ କରାଯାଇପାରିବ ବୋଲି ଆଶା କରାଯାଉଛି ।

ସ୍ୱୟଂଚାଳିତ କାର୍ଯ୍ୟ ପଦ୍ଧତି ଓ ସମର୍ପିତ କର୍ମଚାରୀଙ୍କୁ ନେଇ ଇପିଏଫଓ ପ୍ରତ୍ୟେକ କାର୍ଯ୍ୟ ଦିବସରେ ପାଖାପାଖି 270 କୋଟି ଟଙ୍କାର 80,000ରୁ ଅଧିକ ଦାବି ପୂରଣ କରିଛି । ଯାହାଫଳରେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ଇପିଏଫଓ ସଦସ୍ୟମାନଙ୍କର ସାମାଜିକ ସୁରକ୍ଷାକୁ ବ୍ୟାପକ ଭାବେ ସୁନିଶ୍ଚିତ କରିଛି ।

 

**********



(Release ID: 1630526) Visitor Counter : 205