ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାମୁଦ୍ରିକ ଝଡ଼ବାତ୍ୟା ଅମ୍ଫନ ପରିସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Posted On: 22 MAY 2020 2:54PM by PIB Bhubaneshwar

ପୁଣି ଥରେ ଭାରତର ତଟୀୟ କ୍ଷେତ୍ରକୁ ଆଉ ଗୋଟିଏ ଝଡ଼ବାତ୍ୟା ଆକ୍ରାନ୍ତ କରିଛି । ବିଶେଷ କରି ଏହା ପୂର୍ବାଞ୍ଚଳ କ୍ଷେତ୍ରକୁ ପ୍ରଭାବିତ କରିଛି । ଏହା ଆମ ପଶ୍ଚିମ ବଙ୍ଗର ଭାଇଭଉଣୀମାନଙ୍କ ପାଇଁ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସେମାନଙ୍କର ପର୍ଯ୍ୟାପ୍ତ ଧନଜୀବନ କ୍ଷତି ଘଟିଛି ।

ମୁଁ ଏଭଳି ଝଡ଼ବାତ୍ୟା ସଂପର୍କରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ନିରବଚ୍ଛିନ୍ନ ଭାବେ ସଂପର୍କରେ ରହିଥିଲି । ଭାରତ ସରକାର ମଧ୍ୟ ନିରବଚ୍ଛିନ୍ନ ଭାବେ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ରରେ ରହିଥିଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏକତ୍ର କଠିନ ଶ୍ରମ ସ୍ୱୀକାର କରି ଏହି ସାମୁଦ୍ରିକ ଝଡ଼ବାତ୍ୟା ଯୋଗୁ ଯେଭଳି ସବୁଠାରୁ କମ୍‌ କ୍ଷୟକ୍ଷତି ହେବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ, ଆମେ ପ୍ରାୟ 80 ଜଣ ଲୋକଙ୍କ ପ୍ରାଣକୁ ବଞ୍ଚାଇ ପାରିନାହୁଁ । ସେଥିପାଇଁ ଆମେ ସଭିଏଁ ଗଭୀର ଭାବେ ଦୁଃଖିତ । କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଆମେ ସମସ୍ତେ ଜୀବନ ହାନି ଘଟିଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ଶୋକବାର୍ତ୍ତା ପ୍ରକଟ କରୁଛୁ । ସେମାନେ ନିଜ ନିଜର ପ୍ରିୟଜନଙ୍କୁ ହରାଇ ଏବେ ଶୋକସନ୍ତପ୍ତ ଅବସ୍ଥାରେ ରହିଛନ୍ତି । ଏଭଳି ବିପତ୍ତିର ଘଡ଼ିରେ ଆମେ ସେମାନଙ୍କ ପାଖରେ ଠିଆହେବା ଉଚିତ ।

ଏଥିସହ ଏହି ବାତ୍ୟାରେ ବ୍ୟାପକ ସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ଘଟିଛି- ତାହା କୃଷି କ୍ଷେତ୍ରରେ ହୋଇଥାଉ, କିମ୍ବା ଶକ୍ତି କ୍ଷେତ୍ରରେ, ଟେଲି ଯୋଗାଯୋଗ କ୍ଷେତ୍ରରେ ହୋଇଥାଉ ଅଥବା ବାସଗୃହ କ୍ଷେତ୍ରରେ, ସେସବୁ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିଭଳି ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରକୁ ମଧ୍ୟ ବ୍ୟାପକ ହାନି ସହ୍ୟ କରିବାକୁ ପଡ଼ିଛି । ବ୍ୟବସାୟିକ ବିଶ୍ୱ ଓ କୃଷି କ୍ଷେତ୍ରରେ ଅନୁରୂପ କ୍ଷୟକ୍ଷତି ଘଟିଛି । ପ୍ରତ୍ୟେକ ବ୍ୟକ୍ତି ଏହି ବିଶାଳ କ୍ଷୟକ୍ଷତିକୁ ଅଙ୍ଗେ ନିଭେଇଛନ୍ତି ।

ଆଜି ମୁଁ ରାଜ୍ୟର ସେହିସବୁ ବାତ୍ୟା କ୍ଷତିଗ୍ରସ୍ତ କ୍ଷେତ୍ରକୁ ଆକାଶମାର୍ଗରୁ ବୁଲି ଦେଖିଛି ଏବଂ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମୋ ସହ ସାଙ୍ଗରେ ଥିଲେ ଯେଉଁମାନେ ଏହିସବୁ କ୍ଷେତ୍ରକୁ ଅତି ପାଖରୁ ନିରୀକ୍ଷଣ କରିଛନ୍ତି । ଏବେ ଏବେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋତେ ପ୍ରାଥମିକ କ୍ଷୟକ୍ଷତି ସଂପର୍କରେ ବିସ୍ତୃତି ଆକଳନ ପ୍ରଦାନ କରିଛନ୍ତି । ଆମେ ସ୍ଥିର କରିଛୁ ଯେ ରାଜ୍ୟକୁ ଖୁବ୍‌ ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍‌ ଗସ୍ତ କରିବ ଏବଂ କୃଷି, ଶକ୍ତି, ଟେଲି ଯୋଗାଯୋଗ ଏବଂ ବାସଗୃହ  ତଥା ଭିତ୍ତିଭୂମି କ୍ଷେତ୍ର ଆଦିକୁ ପହଞ୍ଚାଇଥିବା କ୍ଷୟକ୍ଷତି ସଂପର୍କରେ ବିସ୍ତୃତ ସର୍ଭେ କରିବ ।

ତୁରନ୍ତ କେନ୍ଦ୍ର ସରକାରଙ୍କ ଏହି ଟିମ୍‌ ଆସିବ ଏବଂ ସେହି ଟିମ୍‌ ଏହିସବୁ କ୍ଷେତ୍ରର ସର୍ଭେ କରିବ । ଆମେ ମିଳିତ ଭାବେ ପୁନର୍ବାସ, ପୁନଃଥଇଥାନ ଏବଂ ପୁନଃନିର୍ମାଣର ସମସ୍ତ ବ୍ୟବସ୍ଥା କରିବୁ । ଏଭଳି ବିସ୍ତୃତ ଯୋଜନା ପ୍ରସ୍ତୁତ କଲାବେଳେ ଏଭଳି ଦୁଃଖଦ ସମୟରେ ଆମେ ବଙ୍ଗଳାକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବୁ ଏବଂ ବଙ୍ଗଳା ଯେପରି ଖୁବ୍‌ ଶୀଘ୍ର ପୁଣି ସ୍ୱାଭାବିକତାକୁ ଲେଉଟି ଆସିବ ସେଥିପାଇଁ ଯଥା ସମ୍ଭବ କାର୍ଯ୍ୟ କରିବୁ । ବଙ୍ଗଳା ପୁଣି ଥରେ ଯଥା ସମ୍ଭବ ଦ୍ରୁତ ଗତିରେ  ଆଗକୁ ଆଗେଇବା ଦରକାର ଏବଂ ସେଥିପାଇଁ, ଭାରତ ସରକାର ରାଜ୍ୟ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବ । ଆମେ ସଦାବେଳେ ରାଜ୍ୟ ସହ ଠିଆହେବୁ ଏବଂ ପଶ୍ଚିମ ବଙ୍ଗକୁ ପ୍ରତ୍ୟେକ ନୀତିକୁ ପ୍ରବର୍ତ୍ତନ କରିବାରେ ସାହାଯ୍ୟ କରିବୁ । ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବାରେ ସହଯୋଗ କରିବୁ ।

ରାଜ୍ୟ ସରକାରଙ୍କୁ ଏଭଳି ବିପଦର ଘଡ଼ିରେ ଅଗ୍ରୀମ ସହଯୋଗ ସ୍ୱରୂପ ଭାରତ ସରକାର ଏକ ହଜାର କୋଟି ଟଙ୍କା ପ୍ରଦାନ କରୁଛନ୍ତି । ଏଥି ସହ, ଆମେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ । ଯେଉଁମାନେ ଏହି ବାତ୍ୟାରେ ଶାରୀରିକ ଭାବେ ଆହତ ହୋଇଛନ୍ତି ସେମାନଙ୍କୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯିବ ।

ସାରା ବିଶ୍ୱ ଏବେ ଏକ ବିରାଟ ସଂକଟ ସହ ସଂଘର୍ଷରତ । ଭାରତ ମଧ୍ୟ କରୋନା ଭୂତାଣୁ ମହାମାରୀ ବିରୋଧରେ ନିରବଚ୍ଛିନ୍ନ ଭାବେ ସଂଘର୍ଷ କରିଚାଲିଛି । କରୋନା ଭୂତାଣୁ ବିରୁଦ୍ଧରେ ତଥା ବାତ୍ୟା ବିରୋଧୀ ଏହି ସଂଗ୍ରାମରେ ବିଜୟର ମନ୍ତ୍ର ସଂପୂର୍ଣ୍ଣ ରୂପେ ପରସ୍ପରର ପରିପନ୍ଥୀ ।

କରୋନା ଭୂତାଣୁ ବିରୋଧରେ ସଂଗ୍ରାମର ମନ୍ତ୍ର ହେଲା- ଘରୁ ପଦାକୁ ବାହାରକୁ ବାହାରନ୍ତୁ ନାହିଁ ଏବଂ ଆପଣ ଯେଉଁଠି ଅଛନ୍ତି ସେଇଠି ଥାଆନ୍ତୁ । ଯଦି ଅତି ଆବଶ୍ୟକ ନଥାଏ ତେବେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କିନ୍ତୁ ବାତ୍ୟରୁ ରକ୍ଷା ପାଇବାର ମନ୍ତ୍ର ହେଲା- ଯଥା ସମ୍ଭବ ନିଜକୁ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚାନ୍ତୁ । ଏକ ନିରାପଦ ସ୍ଥାନ ନିଜ ପାଇଁ ଖୋଜି ବାହାର କରିନିଅନ୍ତୁ ଏବଂ ନିଜ ଘର ଛାଡ଼ିଦିଅନ୍ତୁ । ତାହାର ଅର୍ଥ ହେଲା, ଦୁଇଟି ଯାକ ଅଲଗା ଅଲଗା ଯୁଦ୍ଧ ଯାହାକୁ ପଶ୍ଚିମ ବଙ୍ଗବାସୀ ଏକା ସାଙ୍ଗରେ ଯୁଝିବାକୁ ପଡ଼ୁଛି ।

କିନ୍ତୁ ଏହା ସତ୍ତ୍ୱେ, ରାଜ୍ୟ ସରକାର, ମମତାଜୀଙ୍କ ନେତୃତ୍ୱରେ ବେଶ୍‌ କାର୍ଯ୍ୟ ସଂପାଦନ କରିଛି । ଭାରତ ସରକାର ତାଙ୍କ ସହ ସଦାବେଳେ ରହିଛନ୍ତି ଏବଂ ଯେଉଁସବୁ କାର୍ଯ୍ୟ ଆଗୁଆ କରାଯିବା ଦରକାର ଓ ଯଦ୍ୱାରା ଏଭଳି ବିପତ୍ତିର ମୁକାବିଲା କରାଯାଇପାରିବ ତାହା କରୁଛନ୍ତି । ଆଗାମୀ ଦିନରେ ଯାହାକିଛି କରାଯିବା ଦରକାର ସେ ଦିଗରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଆଜି ରାଜା ରାମମୋହନ ରାୟଙ୍କ ଜୟନ୍ତୀ । ଯାହାଙ୍କ ପାଇଁ ସମଗ୍ର ଦେଶ ଆଜି ଗର୍ବିତ । ଏଭଳି ସମୟରେ ପଶ୍ଚିମ ବଙ୍ଗ ଭଳି ପବିତ୍ର ଭୂମିରେ, ମୁଁ ଆଜି ଉପସ୍ଥିତ ରହି ନିଜକୁ ଗୌରବାନ୍ୱିତ ମନେ କରୁଛି । କିନ୍ତୁ ଆମେ ଏବେ ବିଭିନ୍ନ ସମସ୍ୟା ସାଙ୍ଗରେ ଲଢ଼ୁଛୁ । ତେଣୁ ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ରାଜା ରାମମୋହନ ରାୟ ଜୀ ଆମମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁନ୍ତୁ ଯଦ୍ୱାର ଆମେ ଏକତ୍ର ବସିପାରିବା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଆମେ ଦେଖୁଥିବା ସ୍ୱପ୍ନକୁ ଏକତ୍ର ମିଶି ସାକାର କରିପାରିବା । ଆମେ ଆଗକୁ ଏହି ଦିଗରେ ଆମର କାର୍ଯ୍ୟ ଜାରି ରଖିବା ଏବଂ ଆମର ଭବିଷ୍ୟତ ପିଢ଼ି ସକାଶେ ଏକ ଉତ୍ତମ ଭବିଷ୍ୟତ ନିମନ୍ତେ ଆବଶ୍ୟକ ସାମାଜିକ ସଂସ୍କାର ଘଟାଇ ପାରିବା । ଏହା ରାଜା ରାମମୋହନ ରାୟଙ୍କ ଅମର ଆତ୍ମା ପ୍ରତି ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ।

ମୁଁ ଆପଣମାନଙ୍କୁ, ମୋର ପଶ୍ଚିମ ବଙ୍ଗର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରୁଛି ଯେ, ସାରା ଦେଶ ଆପଣମାନଙ୍କ ସହ ଏହି ବିପତ୍ତିର ଘଡ଼ିରେ ରହିଛି । କେନ୍ଦ୍ର ସରକାର ପ୍ରତ୍ୟେକ କାର୍ଯ୍ୟରେ ଆପଣମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆହେବ । ମୁଁ ଆପଣମାନଙ୍କୁ ଏହି ବିପଦର ମୁହୂର୍ତ୍ତରେ ଭେଟିବାକୁ ଆସିଛି । କିନ୍ତୁ କରୋନା ମହାମାରୀ ଯୋଗୁ ମୁଁ ସମସ୍ତ ନାଗରିକଙ୍କୁ ଭେଟିବାକୁ ଅକ୍ଷମ । ତେଣୁ ତାହା ମୋ ମନରେ ଏକ କ୍ଷୋଭ ହୋଇ ରହୁଛି । ଏଠାରୁ ମୁଁ ଆଜି ଓଡ଼ିଶା ଯାଉଛି ଏବଂ ସେଠାରେ ମଧ୍ୟ ଆକାଶ ମାର୍ଗରୁ ସେଠାକାର ବାତ୍ୟା କ୍ଷତିଗ୍ରସ୍ତ କ୍ଷେତ୍ର ବୁଲି ଦେଖିବି । ସେଠାକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପଦାଧିକାରୀମାନଙ୍କ ସହ ଏ ସଂପର୍କରେ ଆଲୋଚନା କରିବ ।

ପୁଣି ଥରେ ମୁଁ କହିବାକୁ ଚାହିଁବି ଯେ, ମୁଁ ପଶ୍ଚିମ ବଙ୍ଗର ଏଭଳି ଦୁଃଖଦ ସମୟରେ ଆପଣମାନଙ୍କ ସହ ରହିଛି ଏବଂ ସଦାବେଳେ ଆପଣମାନଙ୍କ ସହ ରହିବି ଏବଂ ସଂକଟକୁ ଯଥାଶୀଘ୍ର ପାର ହେବା ସକାଶେ ଆପଣମାନେ ସକ୍ଷମ ହୋଇପାରିବେ ।

ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

 

**********



(Release ID: 1626246) Visitor Counter : 161