ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଉପରେ ମନ୍ତ୍ରୀଗୋଷ୍ଠୀର 15ତମ ବୈଠକ ଅନୁଷ୍ଠିତ

• ବର୍ତ୍ତମାନର ସ୍ଥିତି, ପ୍ରସ୍ତୁତି ଏବଂ ମୁକାବିଲା ପଦକ୍ଷେପର ସମୀକ୍ଷା
• ଅଧିକ ସଂକ୍ରମିତ ଅଞ୍ଚଳ ଏବଂ ମୃତ୍ୟୁ ମାମଲା ପ୍ରତି ବିଶେଷ ଦୃଷ୍ଟି ଦେବା ଉପରେ ଡ. ହର୍ଷ ବର୍ଦ୍ଧନଙ୍କ ଗୁରୁତ୍ଵାରୋପ

Posted On: 15 MAY 2020 3:29PM by PIB Bhubaneshwar

କୋଭିଡ-19 ଉପରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର 15ତମ ବୈଠକ ଆଜି ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାଏ, ଜାହାଜ ଚଳାଚଳ ଓ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ, ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ସିଂ ରାଓ୍ବତ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକ ଅବସରରେ ବିଶ୍ଵସ୍ତରରେ ଏବଂ ଦେଶ ଭିତରେ କୋଭିଡ-19 ମାମଲାର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ବର୍ତ୍ତମାନ ବିଶ୍ଵରେ 42,48,389 ଜଣ ଲୋକ କୋଭିଡ-19 ଦ୍ବାରା ସଂକ୍ରମିତ ହୋଇଥିବା ବେଳେ 6.92% ହାରରେ 2,94,046 ଜଣ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ଭାରତରେ ମୋଟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା 81,970ରେ ପହଞ୍ଚିଥିବା ବେଳେ 3.23% ହାରରେ 2,649 ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନସୁଦ୍ଧା ମୋଟ  27,920 ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 1,685 ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର 34.06%ରେ ପହଞ୍ଚିଛି। ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଲକଡାଉନ ପୂର୍ବରୁ ସଂକ୍ରମିତଙ୍କ ମାମଲା ଦ୍ବିଗୁଣିତ ହେବାର ହାର 3.4 ଦିନ ଥିବା ବେଳେ ଗତ ସପ୍ତାହରେ ଏହା 12.9 ଦିନରେ ପହଞ୍ଚିଛି

କୋଭିଡ-19ର ଅବରୋଧ ରଣନୀତି ଏବଂ ମୁକାବିଲା ବିଭିନ୍ନ ଦିଗ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀ ସମୀକ୍ଷା କରିଥିଲେ। ଭାରତର 79% ଜନସଂଖ୍ୟା ଥିବା 30ଟି ମହାନଗର ଅଞ୍ଚଳରେ ଅଧିକ ସଂଖ୍ୟକ ମାମଲା ରହିଛି। କୋଭିଡ-19 ମୁକାବିଲା ରଣନୀତି ଅଧିକ ସଂକ୍ରମିତ ଏବଂ ମୃତ୍ୟୁ ମାମଲା ଥିବା ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ଏଥିପାଇଁ ଠିକ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯିବା ଜରୁରି ବୋଲି ମନ୍ତ୍ରୀ ଗୋଷ୍ଠୀ ମତବ୍ୟକ୍ତ କରିଥିଲେ। ପ୍ରବାସୀ ଶ୍ରମିକ ଏବଂ ବିଦେଶରେ ରହୁଥିବା ନାଗରିକମାନେ ଫେରିବା କାରଣରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।                                                                                                                                                                                                                                                                                                                                                                                                                                            

ଅବରୋଧ ଅଞ୍ଚଳ ପାଇଁ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ସୁପାରିସ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଗୋଷ୍ଠୀକୁ ଅବଗତ କରାଯାଇଥିଲା। ଇତିମଧ୍ୟରେ ଦେଶରେ ମେଡ଼ିକାଲ ଭିତ୍ତିଭୂମି ବୃଦ୍ଧି ପାଇଛି। ମୋଟ 8,694ଟି ଚିକିତ୍ସା ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରେ ରହିଛି 919ଟି ସମର୍ପିତ କୋଭିଡ ହସ୍ପିଟାଲ, 2036ଟି କୋଭିଡ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ 5,739 ଟି କୋଭିଡ ଯତ୍ନ କେନ୍ଦ୍ର ରହିଛି। ଏସବୁରେ ମୋଟ 2,77,429 ଶଯ୍ୟା ରହିଛି, ଗୁରୁତର ରୋଗୀଙ୍କ ପାଇଁ 29,701 ଆଇସିୟୁ ଶଯ୍ୟା ଓ 5,15,250 ଆଇସୋଲେନ କେୟାର ସେଣ୍ଟର ରହିଛି। ଆହୁରି ଆଜି ସୁଦ୍ଧା ଦେଶରେ କୋଭିଡ-19 ମୁକାବିଲା ଲାଗି 18,855 ଭେଣ୍ଟିଲେଟର ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ସଂସ୍ଥାନଗୁଡ଼ିକୁ କେନ୍ଦ୍ର ସରକାର 84.22 ଲକ୍ଷ ଏନ95 ମାସ୍କ ଏବଂ 47.98 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦେଇଛନ୍ତି ଘରୋଇ ଉତ୍ପାଦନକାରୀମାନଙ୍କୁ ଭେଣ୍ଟିଲେଟର ତିଆରି କରିବା ପାଇଁ କୁହାଯାଇଛି।

ସାରା ଦେଶରେ 509ଟି ସରକାରୀ ଓ ଘରୋଇ ପରୀକ୍ଷାଗାର ସହାୟତାରେ ଦୈନିକ ନମୁନା ପରୀକ୍ଷଣ ସଂଖ୍ୟା 1ଲକ୍ଷକୁ ବୃଦ୍ଧି ପାଇଛି। ପାଖାପାଖି 20 ଲକ୍ଷ ପରୀକ୍ଷା ଦେଶରେ କରାଯାଇସାରିଛି। ପରୀକ୍ଷା ସୁବିଧାକୁ ବଢ଼ାଇବା ପାଇଁ ଅତ୍ୟାଧୁନିକ ମେସିନ କିଣାଯାଉଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରେ କୋବାସ 6800 ମେସିନ ସ୍ଥାପନ କରାଯାଇଛି। ଯାହାକି କୋଭିଡ-19 ପିସିଆର ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ସ୍ଵୟଂକ୍ରିୟ, ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମେସିନ ଯାହା ତ୍ବରିତ ଫଳାଫଳ ପ୍ରଦାନ କରିପାରିବ। ଏଥିରେ 24 ଘଣ୍ଟାରେ 1200 ନମୁନା ପରୀକ୍ଷା କରାଯାଇପାରିବ। ଆଇସିଏମଆରର 15ଟି ଡିପୋ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କିଟ ଯୋଗାଇ ଦିଆଯାଉଥିବା ବେଳେ ଯଥେଷ୍ଟ ସଂଖ୍ୟକ କିଟ ମହଜୁଦ ରହିଛି।

ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଲାଗି ଗୃହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ମିଶି ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନସୁଦ୍ଧା 12 ହଜାର ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇ ସେମାନଙ୍କୁ ସେମାନଙ୍କ ରାଜ୍ୟରେ ସଙ୍ଗରୋଧରେ ରଖାଯାଇଛି।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ  ପ୍ରୀତି ସୁଦାନ, ଓଏସଡି ତଥା ସଚିବ ରାଜେଶ ଭୂଷଣ, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା, ବାଣିଜ୍ୟ ସଚିବ ଅନୁପ ୱାଧୱାନ, ଆଇସିଏମଆର ଡିଜି ପ୍ରଫେସର ବଳରାମ ଭାର୍ଗବ, ଆଇଟିବିପି ଡିଜି ଆନନ୍ଦ ସ୍ଵରୂପ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନୀଲ ମଲିକ, ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ସିଏସ ମହାମାତ୍ର, ଅର୍ଥନୈତିକ ବ୍ୟାପାର ଅତିରିକ୍ତ ସଚିବ ଡ ସିଏସ ମହାମାତ୍ର, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]inରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟୁଇଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

**********

 



(Release ID: 1624182) Visitor Counter : 218