ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
Posted On:
12 MAY 2020 10:14PM by PIB Bhubaneshwar
ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ । କାରଣ ପ୍ରାୟ ଚାରି ମାସରୁ ଅଧିକ ସମୟ ଧରି ବିଶ୍ୱ ସମୁଦାୟ କରୋନା ଭୂତାଣୁ ବିରୋଧରେ ସଂଗ୍ରାମ କରିଆସୁଛି ।
ଏହି ସମୟରେ ପୃଥିବୀରେ ପ୍ରାୟ 42 ଲକ୍ଷରୁ ଅଧିକ ଲୋକ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । 2.75 ଲକ୍ଷରୁ ଅଧିକ ଲୋକଙ୍କର ଏହି ମହାମାରୀରେ ଦୁଃଖଦ ମୃତ୍ୟୁ ଘଟିଛି । ଭାରତରେ ମଧ୍ୟ, ଲୋକମାନେ ସେମାନଙ୍କର ଅନେକ ପ୍ରିୟଜନଙ୍କୁ ହରାଇଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ମୁଁ ମୋର ହୃଦୟର ସମବେଦନା ଜ୍ଞାପନ କରୁଛି ।
ବନ୍ଧୁଗଣ, ଏହି ଭୂତାଣୁ ସମଗ୍ର ସଂସାରକୁ ଉଜାଡ଼ି ଦେଇଛି । କୋଟି କୋଟି ଲୋକ ବିଶ୍ୱବ୍ୟାପୀ ଅଭାବନୀୟ ସଂକଟର ସମ୍ମୁଖୀନ ହୋଇଛନ୍ତି । ଲୋକମାନଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା ସକାଶେ ଏବେ ସାରା ବିଶ୍ୱ ସଂଗ୍ରାମରତ । ଏଭଳି ଏକ ସଂକଟ କଥା ଆମେମାନେ ପୂର୍ବରୁ କେବେ ଦେଖିନଥିଲେ କିମ୍ବା ଶୁଣି ସୁଦ୍ଧା ନଥିଲେ । ଏଭଳି ସଂକଟ ମାନବ ସମାଜ ପାଇଁ ଅଚିନ୍ତନୀୟ ଏବଂ ଅଭୂତପୂର୍ବ ।
କିନ୍ତୁ- ଏଭଳି ସଂକଟର ଘଡ଼ିରେ କ୍ଳାନ୍ତ ହୋଇପଡ଼ିବା, ହତୋତ୍ସାହିତ ହୋଇପଡ଼ିବା, ଭାଙ୍ଗି ପଡ଼ିବା ମାନବ ସମାଜ ପାଇଁ କଦାପି ଶୋଭା ପାଏନାହିଁ । ଆମମାନଙ୍କୁ ସମସ୍ତଙ୍କୁ ଅତୀବ ସଚେତନ ହେବାକୁ ପଡ଼ିବ । ଅତି ନିବିଷ୍ଟ ଭାବେ ଏହାର ଗତିବିଧିକୁ ମନିଟର କରିବାକୁ ପଡ଼ିବ । ଏଭଳି ଯୁଦ୍ଧରେ ସମସ୍ତ ନିୟମକୁ ନିଷ୍ଠାର ସହ ମାନିବାକୁ ହେବ । ନିଜକୁ ବଞ୍ଚାଇବାକୁ ପଡ଼ିବ ଏବଂ ଆଗକୁ ବଢ଼ିବାକୁ ପଡ଼ିବ । ଆଜି ଯେତେବେଳେ ସାରା ବିଶ୍ୱ ଏଭଳି ମହା ସଂକଟର ସାମ୍ନା କରୁଛି, ଆମକୁ ଦୃଢ଼ତାର ସହ ସଂକଳ୍ପବଦ୍ଧ ହେବାକୁ ପଡ଼ିବ । ଆମର ଏଭଳି ଦୃଢ଼ ସଂକଳ୍ପ ହିଁ ଏହି ବିପଦକୁ ଅତିକ୍ରମ କରିବାରେ ସହାୟକ ହୋଇପାରିବ ।
ବନ୍ଧୁଗଣ, ଆମେମାନେ ଗତ ଶତାବ୍ଦୀ ଠାରୁ ଏକଥା ଶୁଣି ଆସୁଛେ ଯେ ଏକବିଂଶ ଶତାବ୍ଦୀ ହେଉଛି ଭାରତର ଶତାବ୍ଦୀ । ଆମେମାନେ ଦେଖୁଛେ ଯେ କରୋନା ମହାମାରୀ ଆରମ୍ଭ ହେବା ପୂର୍ବରୁ ବିଶ୍ୱ କିଭଳି ଥିଲା ଏବଂ ବିଶ୍ୱର ସେହି ବ୍ୟବସ୍ଥା ସହ ଆମେମାନେ ଉତ୍ତମ ଭାବେ ପରିଚିତ ଥିଲେ । ଏପରିକି କରୋନା ମହାମାରୀ ସଂକଟ ଆରମ୍ଭ ହେବା ପରେ ସୁଦ୍ଧା, ଆମେମାନେ ନିରବଚ୍ଛିନ୍ନ ଭାବେ ବିଶ୍ୱ ଉପରେ ଢ଼ାଙ୍କିହୋଇ ପଡ଼ିଥିବା ଏହି ସଂକଟର ପରିସ୍ଥିତିକୁ ଭଲ ଭାବେ ଲକ୍ଷ୍ୟ କରିଚାଲିଛେ । ତେବେ ଭାରତ ଦୃଷ୍ଟିଭଙ୍ଗୀରୁ ଆମେ ଯେତେବେଳେ ଏହି ଦୁଇଟି ପରିସ୍ଥିତିକୁ ଲକ୍ଷ୍ୟ କରିବା, ସେତେବେଳେ ଜାଣିପାରିବା ଯେ ପ୍ରକୃତରେ ଏକବିଂଶ ଶତାବ୍ଦୀ ହେଲା ଭାରତର ଶତାବ୍ଦୀ । ଏହା କେବଳ ଆମର ସ୍ୱପ୍ନ ନୁହେଁ, ବରଂ ଏହା ଆମମାନଙ୍କର ସମସ୍ତଙ୍କର ଦାୟିତ୍ୱ ବୋଲି ଗ୍ରହଣ କରିବାକୁ ପଡ଼ିବ ।
କିନ୍ତୁ ଏହାର ଉପାୟଟି କ’ଣ?
ଆଜିର ବିଶ୍ୱ ପରିସ୍ଥିତି ଆମକୁ ଏକ ‘ଆତ୍ମନିର୍ଭରଶୀଳ ଭାରତ’ ଗଠନ ପାଇଁ ଶିକ୍ଷା ଦିଏ । ତାହା ହିଁ ଆମମାନଙ୍କ ସମ୍ମୁଖରେ ଏକମାତ୍ର ପନ୍ଥା । ଆମର ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି – “ଈଶଃ ପନ୍ଥାଃ - ଅର୍ଥାତ୍, ଏକ ଆତ୍ମନିର୍ଭରଶୀଳ ଭାରତ ।
ବନ୍ଧୁଗଣ,
ଏକ ରାଷ୍ଟ୍ର ଭାବେ ଆଜି ଆମେମାନେ ସମୟର ଏକ ଜଟିଳ ମୋଡ଼ରେ ଦଣ୍ଡାୟମାନ । ଏଭଳି ଏକ ବିରାଟ ବିପଦ ଭାରତ ପାଇଁ ଏକ ଚେତାବନୀ ସଦୃଶ । ତାହା ଆମମାନଙ୍କ ପାଇଁ ଏକ ବାର୍ତ୍ତ ଓ ଏକ ସୁଯୋଗ ଆଣିଛି । ଗୋଟିଏ ଉଦାହରଣ ଦେଇ ମୁଁ ମୋର ଚିନ୍ତନ ଆପଣମାନଙ୍କ ଆଗରେ ବ୍ୟକ୍ତ କରିବି । ଯେତେବେଳେ କରୋନା ସଂକଟ ଆରମ୍ଭ ହେଲା, ସେତେବେଳେ ଭାରତରେ ଗୋଟିଏ ହେଲେ ପିପିଇ କିଟ୍ ପ୍ରସ୍ତୁତ କରାଯାଉନଥିଲା । ଭାରତରେ ଏନ-95 ଧରଣର ମାସ୍କ ଅତି ସ୍ୱଳ୍ପ ମାତ୍ରାରେ ପ୍ରସ୍ତୁତ କରାଯାଉଥିଲା । ଆଜି ଆମେମାନେ ଏପରି ଏକ ସ୍ଥିତିରେ ପହଞ୍ଚିଛୁ ଯେ ଦୈନିକ ଦେଶରେ 2 ଲକ୍ଷ ପିପିଇ ଏବଂ 2 ଲକ୍ଷ ଏନ-95 ମାସ୍କ ଉତ୍ପାଦନ କରାଯାଉଛି । ଆମେ ଏଭଳି ସଫଳତା ହାସଲ କରିପାରିଛୁ କାରଣ ଭାରତ ଏହି ସଂକଟକୁ ଏକ ସୁଯୋଗରେ ପରିଣତ କରିଦେଇଛି ।
ଭାରତର ଦୃଷ୍ଟିକୋଣ ହେଲା – ସଂକଟକୁ ସୁଯୋଗରେ ପରିଣତ କରିବା – ଏହା ମଧ୍ୟ ସମାନ ଭାବେ ଫଳପ୍ରସୂ ବୋଲି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ସକାଶେ ଆମର ପ୍ରତିବଦ୍ଧତାରୁ ପ୍ରମାଣିତ ।
ବନ୍ଧୁଗଣ, ଆତ୍ମନିର୍ଭରଶୀଳ ଶବ୍ଦ ବୈଶ୍ୱିକ ପରିପ୍ରେକ୍ଷୀରେ ଏବେ ତା’ର ସଂଜ୍ଞା ପରିବର୍ତ୍ତନ କରିଛି । ମାନବ କୈନ୍ଦ୍ରିକ ଜଗତିକରଣ ବନାମ ଅର୍ଥନୀତ କୈନ୍ଦ୍ରିକ ଜଗତିକରଣକୁ ନେଇ ପୂର୍ବରୁ ହେଉଥିବା ବିତର୍କ ଜାରି ରହିଛି । ଭାରତର ମୌଳିକ ଚିନ୍ତାଧାରା ଏହି ପରିପ୍ରେକ୍ଷୀରେ ସାରା ବିଶ୍ୱ ପାଇଁ ଆଶାର ଏକ ଆଲୋକବର୍ତ୍ତିକ ପ୍ରଦାନ କରିଛି । ଭାରତର ସଂସ୍କୃତି ଓ ପରମ୍ପରା ସୂଚୀତ କରେ ଯେ ଆତ୍ମନିର୍ଭରଶୀଳତା ଓ ଆତ୍ମା ହେଲା – “ବସୁଧୈବ କୁଟୁମ୍ବକମ୍ ।”
ଯେତେବେଳେ ଆତ୍ମ ନିର୍ଭରଶୀଳତାର ପ୍ରଶ୍ନ ଉଠେ, ଭାରତ କଦାଚିତ୍ ଆତ୍ମକୈନ୍ଦ୍ରିକ ବ୍ୟବସ୍ଥା ଚିନ୍ତାଧାରାର ପୃଷ୍ଠପୋଷକତା କରେନାହିଁ ।
ଏହା ହେଉଛି ସେହି ସଂସ୍କୃତି ଯାହା ବିଶ୍ୱ କଲ୍ୟାଣରେ ବିଶ୍ୱାସୀ ଏବଂ ସେଥିପାଇଁ ଉଦ୍ଦିଷ୍ଟ । ତାହା ପୁଣି ସଂସାରର ସମସ୍ତ ଜୀବନ୍ତ ପ୍ରାଣୀଙ୍କ ପାଇଁ । କାରଣ ଭାରତ ସମଗ୍ର ସଂସାରକୁ ଗୋଟିଏ ପରିବାର ବୋଲି ହେତୁ କରେ । ଏହାର ମୂଳମନ୍ତ୍ରଟି ହେଲା – “ମାତା ଭୂମିଃ ପୁତ୍ରୋ ଅହମ୍ ପୃଥିବ୍ୟଃ” - ଯେଉଁ ସଂସ୍କୃତି ଧରିତ୍ରୀକୁ ମାତା ବୋଲି ବିବେଚନା କରେ ଏବଂ ଯେତେବେଳେ ଭାରତ ଭୂମି ଆତ୍ମ ନିର୍ଭରଶୀଳ ହୋଇଉଠେ, ତାହା ଏକ ସମୃଦ୍ଧ ବିଶ୍ୱର ସମ୍ଭାବନାକୁ ସୁନିଶ୍ଚିତ କରେ । ଭାରତର ପ୍ରଗତି ସମଗ୍ର ବିଶ୍ୱର ପ୍ରଗତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
ଭାରତର ଏହି ଲକ୍ଷ୍ୟ ଏବଂ କାର୍ଯ୍ୟପନ୍ଥା ବିଶ୍ୱ କଲ୍ୟାଣକୁ ଗଭୀର ଓ ବ୍ୟାପକ ମାତ୍ରାରେ ପ୍ରଭାବିତ କରେ । ଯେତେବେଳେ ଭାରତ ମୁକ୍ତାକାଶ ଶୌଚକର୍ମରୁ ମୁକ୍ତ ହେଉଛି, ଏହା ବିଶ୍ୱର ମର୍ଯ୍ୟାଦା ଉପରେ ଢ଼େର୍ ମାତ୍ରାରେ ପ୍ରଭାବ ବିସ୍ତାର କରିଥିଲା । ତାହା ଯକ୍ଷ୍ମା ହୋଇଥାଉ, ଅପପୁଷ୍ଟି ଅବା ପୋଲିଓ ହୋଇଥାଉ, ଭାରତର ଏଭଳି ଅଭିଯାନ ସାରା ବିଶ୍ୱକୁ ପ୍ରଭାବିତ କରିଆସିଛି ।
ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ହେଉଛି ବିଶ୍ୱ ଉତ୍ତାପନ ବିରୋଧରେ ସଂଗ୍ରାମ ସକାଶେ ବିଶ୍ୱକୁ ଭାରତର ଅବଦାନ । ବିଶ୍ୱକୁ କ୍ଳାନ୍ତିରୁ ଉପଶମ ପ୍ରଦାନ କରିବା ସକାଶେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରୟାସ ଭାରତର ବିଶ୍ୱକୁ ଉପହାର । ଭାରତୀୟ ଔଷଧୀୟ ଉପଚାର ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକମାନଙ୍କୁ ନୂତନ ଜୀବନ ପ୍ରଦାନ କରିବା କ୍ଷେତ୍ରରେ ସହାୟକ ହୋଇଆସିଛି ।
ଏଭଳି ପ୍ରୟାସ ଓ ପଦକ୍ଷେପ ଭାରତ ପାଇଁ ଅଜସ୍ର ପ୍ରଶଂସା ଓ ଶ୍ରଦ୍ଧା ଅର୍ଜନ କରିଛି ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବ ଓ ଗୌରବ ଅନୁଭବ କରିବାର ଅବସର ପ୍ରଦାନ କରିଛି । ବିଶ୍ୱ ଏବେ ବିଶ୍ୱାସ କରିବା ଆରମ୍ଭ କରିଛି ଯେ ଭାରତ ଢ଼େର୍ କିଛି ଭଲ କାମ କରିପାରିବ, ଯାହାକି ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ।
ତେବେ ପ୍ରଶ୍ନଟି ହେଲା- କିପରି?
ଏହି ପ୍ରଶ୍ନର ଉତ୍ତରଟି ହେଲା – ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ସକାଶେ 130 କୋଟି ନାଗରିକଙ୍କ ସାମୂହିକ ପ୍ରତିବଦ୍ଧତା ।
ବନ୍ଧୁଗଣ,
ଆମମାନଙ୍କ ନିକଟରେ ଶହ ଶହ ବର୍ଷର ଗୌରବୋଜ୍ଜ୍ୱଳ ଇତିହାସ ରହିଛି । ଯେତେବେଳେ ଭାରତ ବେଶ୍ ସମୃଦ୍ଧ ଥିଲା । ସେତେବେଳେ ଏହାକୁ ସୁନା ଅଣ୍ଡାଦିଆ ଚଢ଼େଇ ବୋଲି ବିବେଚନା କରାଯାଉଥିଲା । ସେତେବେଳେ ଭାରତ ବେଶ୍ ସମୃଦ୍ଧ ଥିଲା ଓ ଧନସଂପଦରେ ଭରପୂର ଥିଲା । ସେତେବେଳେ ଭାରତ ନିଜର ମସ୍ତକ ଉନ୍ନତ କରି ଚାଲୁଥିଲା ଏବଂ ତାହା ଥିଲା ବିଶ୍ୱର କଲ୍ୟାଣ ପାଇଁ ।
ତା’ପରେ ସମୟ ବଦଳିଗଲା । ଦେଶକୁ ଦାସତ୍ୱର ବେଡ଼ିରେ ବାନ୍ଧି ହେବାକୁ ପଡ଼ିଲା । ଆମେମାନେ ବିକାଶ ଚାହୁଁଥିଲୁ । ଆଜି, ଯେତେବେଳେ ଭାରତ ଦ୍ରୁତ ଗତିରେ ଆଗକୁ ପ୍ରଗତି କରିଚାଲିଛି, ତଥାପି ଏହା ବିଶ୍ୱ କଲ୍ୟାଣ ସକାଶେ ନିଜର ଲକ୍ଷ୍ୟ ଓ ପ୍ରତିବଦ୍ଧତାକୁ କାଏମ ରଖିଛି । ଆମମାନଙ୍କୁ ସ୍ମରଣ ରଖିବାକୁ ହେବ ଯେ Y2K ସଂକଟ ଏହି ଶତାବ୍ଦୀର ପ୍ରାରମ୍ଭରେ ହିଁ ରହିଛି । ଆଜି ଯେତେବେଳେ ଆମମାନଙ୍କ ନିକଟରେ ସଂପଦ ରହିଛି, ଆମ ନିକଟରେ ସାମର୍ଥ୍ୟ ରହିଛି, ଏବଂ ଆମମାନଙ୍କ ନିକଟରେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ପ୍ରଜ୍ଞା ମଧ୍ୟ ରହିଛି, ସେତେବେଳେ ଆମର ଆଉ ଭୟ କରିବାର କାରଣ ନାହିଁ ।
ଆମେମାନେ ସେସବୁକୁ ଉପଯୋଗ କରି ଶ୍ରେଷ୍ଠ ଉତ୍ପାଦ ସୃଷ୍ଟି କରିପାରିବୁ । ଆମେ ଆମର ଗୁଣାତ୍ମକ ମାନକୁ ଆହୁରି ବଢ଼ାଇବୁ । ଆମର ଯୋଗାଣ ଚେନକୁ ଅଧିକ ଆଧୁନିକ କରିବୁ ଏବଂ ଆମେ ଏହା କରିବୁ ଏବଂ ନିଶ୍ଚିତ ଭାବେ କରି ଦେଖାଇବୁ ।
ବନ୍ଧୁଗଣ,
ମୁଁ ଗୁଜରାଟର କଚ୍ଛରେ ସଂଘଟିତ ପ୍ରଳୟଙ୍କରୀ ଭୂମିକମ୍ପକୁ ଦେଖିଛି । ଯେଉଁଆଡ଼େ ଚାହିଁବ କେବଳ ଧ୍ୱଂସସ୍ତୂପ ଆଉ ଧ୍ୱଂସସ୍ତୂପ । ଚାରିଆଡ଼ ଧ୍ୱଂସ ହୋଇଯାଇଥାଏ । ଲାଗୁଥାଏ ସତେ ଯେମିତି କଚ୍ଛ ଶୋଇ ଯାଇଛି ଓ ତା’ ଉପରେ ମୃତ୍ୟୁ ତା’ର ଚାଦର ଘୋଡ଼େଇ ଦେଇଛି! ସେଭଳି ପରିସ୍ଥିତିରେ କେହି କେବେ କଳ୍ପନା ସୁଦ୍ଧା କରିପାରିବ ନାହିଁ ଯେ ସେ ଅବସ୍ଥାକୁ ପୁଣି ଥରେ ପରିବର୍ତ୍ତନ କରାଯାଇପାରିବ । କିନ୍ତୁ କଚ୍ଛ ପୁଣି ଥରେ ମୁଣ୍ଡଟେକି ଠିଆ ହୋଇଥିଲା, କଚ୍ଛ ପୁଣି ଥରେ ଆଗକୁ ବଢ଼ିବାକୁ ପାଦ ବଢ଼ାଇଥିଲା । କଚ୍ଛ ପ୍ରଗତି ପଥରେ ବଢ଼ିପାରିଥିଲା । ଆମେ ଭାରତୀୟମାନଙ୍କର ଏହି ହେଲା ଦୃଢ଼ ମନୋବଳ ଓ ପ୍ରତିବଦ୍ଧତା ।
ଯଦି ଆମେ ଥରେ ମନରେ ଦୃଢ଼ ସଂକଳ୍ପ କରିନେଲେ ଯେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ ତେବେ କୌଣସି ମାର୍ଗ ଆମପାଇଁ ଜଟିଳ ହେବନାହିଁ ଏବଂ ଆଜି ଆମ ନିକଟରେ ସେଇଭଳି ଦୃଢ଼ ଇଚ୍ଛାଶକ୍ତି ମହଜୁତ ରହିଛି ଓ ମାର୍ଗ ମଧ୍ୟ ରହିଛି । ତାହା ହେଲା ଭାରତକୁ କିଭଳି ଭାବେ ଆତ୍ମନିର୍ଭରଶୀଳ କରିବାକୁ ହେବ । ଆମର ସମୂହ ପ୍ରତିବଦ୍ଧତା ଏତେ ଦୃଢ଼ ଯେ ଭାରତ ନିଶ୍ଚିତ ଭାବେ ଆତ୍ମ ନିର୍ଭରଶୀଳ ହୋଇପାରିବ ।
ବନ୍ଧୁଗଣ, ଭାରତର ଏହି ଆତ୍ମ ନିର୍ଭୀଶୀଳତାର ଚମତ୍କାର ସୌଧ ପାଞ୍ଚଟି ସ୍ତମ୍ଭ ଉପରେ ଆଧାରିତ ହେବ ।
ପ୍ରଥମ ସ୍ତମ୍ଭଟି ହେଲା ଅର୍ଥନୀତି । ଅର୍ଥନୀତି ହିଁ ଆମକୁ କେବଳ ସାଧାରଣ ପରିବର୍ତ୍ତନ ନୁହେଁ ଏ ଦିଗରେ ବ୍ୟାପକ ଭାବେ ଆଗକୁ ଅଗ୍ରସର କରାଇପାରିବ ।
ଦ୍ୱିତୀୟଟି ହେଲା ଭିତ୍ତିଭୂମି । ସେହି ଭିତ୍ତିଭୂମି ହେବ ଆଧୁନିକ ଭାରତର ପରିଚୟ ।
ତୃତୀୟଟି ହେଲା ଆମର ବ୍ୟବସ୍ଥା: ତାହା ଏଭଳି ଏକ ବ୍ୟବସ୍ଥା ଯାହା ପ୍ରଯୁକ୍ତି ଦ୍ୱାରା ପରିଚାଳିତ ହେବ ଏବଂ ଏକବିଂଶ ଶତାବ୍ଦୀର ସ୍ୱପ୍ନକୁ ସାକାର କରିପାରିବ । ତାହା କେବଳ ବିଗତ ଶତାବ୍ଦୀର ନୀତି ଉପରେ ଆଧାରିତ ହେବନାହିଁ ।
ଚତୁର୍ଥ ସ୍ତମ୍ଭଟି ହେଲା ଆମର ଜନସାଂଖିକ ସମ୍ବଳ । ଆମର ସଦାଚଞ୍ଚଳ ଜନସଂଖ୍ୟା ହେଉଛି ଆମର ସବୁଠାରୁ ବଡ଼ ସାମର୍ଥ୍ୟ । ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆମେ ଏକ ଆତ୍ମ ନିର୍ଭରଶୀଳ ଭାରତ ଗଠନ ସକାଶେ ଏହାକୁ ସବୁଠାରୁ ଅଧିକ ମାତ୍ରାରେ ଉପଯୋଗ କରିପାରିବା ।
ପଞ୍ଚମ ସ୍ତମ୍ଭଟି ହେଉଛି ଚାହିଦା । ଆମ ଅର୍ଥନୀତିରେ ଚାହିଦା ଓ ଯୋଗାଣର ଯେଉଁ ଚେନଟି ରହିଛି, ତାହା ଆମ ପାଇଁ ଶକ୍ତି ଯୋଗାଇବାରେ ସହାୟକ ହେବ । ଏହାର ପୂର୍ଣ୍ଣ ସାମର୍ଥ୍ୟକୁ ଆମକୁ ଉପଯୋଗ କରିବାକୁ ପଡ଼ିବ । ଦେଶରେ ଚାହିଦା ବୃଦ୍ଧି ସକାଶେ ଏବଂ ଲୋକମାନଙ୍କ ଚାହିଦା ପୂରଣ କରିବା ନିମନ୍ତେ, ଯୋଗାଣ ଚେନର ପ୍ରତ୍ୟେକ ହିତଧାରକଙ୍କୁ ସଶକ୍ତ କରାଯିବା ଆବଶ୍ୟକ । ଆମର ଯୋଗାଣ ଚେନ୍ ଯେତେବେଳେ ସୁଦୃଢ଼ ହେବ, ସେତେବେଳେ ମାଟିର ସୁଗନ୍ଧରେ ସୁଦ୍ଧା ଆମର ଶ୍ରମଶକ୍ତି ସୁଗନ୍ଧ ଭରିଦେଇପାରିବେ ।
ବନ୍ଧୁଗଣ, ଏଭଳି କରୋନା ସଂକଟ ଭିତରେ, ମୁଁ ଆଜି ଏକ ବିଶେଷ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛି ଯାହା ଏକ ନୂତନ ପ୍ରତିବଦ୍ଧତା ଉପରେ ଆଧାରିତ । ଏହି ଆର୍ଥିକ ପ୍ୟାକେଜ୍ ଆମର “ଆତ୍ମନିର୍ଭର ଭାରତ ଅଭିଯାନ”ରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗସୂତ୍ର ଭାବେ କାର୍ଯ୍ୟ କରିବ ।
ବନ୍ଧୁଗଣ, ନିକଟ ଅତୀତରେ ଯେଉଁସବୁ ଆର୍ଥିକ ଘୋଷଣା ସରକାର କରୋନା ସଂକଟକୁ ନେଇ କରିଛନ୍ତି, ତାହା ଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି । କିନ୍ତୁ ଆଜି ଯେଉଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଉଛି, ତାହା ମୋଟାମୋଟି ପ୍ରାୟ 20 ଲକ୍ଷ କୋଟି ଟଙ୍କାର । ଏହି ପ୍ୟାକେଜ୍ ହେଉଛି ଭାରତର ମୋଟ ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ 10 ପ୍ରତିଶତ ସଙ୍ଗେ ସମାନ । ଦେଶର ବିଭିନ୍ନ ବର୍ଗ ଏବଂ ଯେଉଁମାନେ ଆର୍ଥିକ ବ୍ୟବସ୍ଥା ସହ ଜଡ଼ିତ ସେମାନେ ଏହି 20 ଲକ୍ଷ କୋଟି ଟଙ୍କାରୁ ବେଶ୍ ସହଯୋଗ ଓ ସାହାଯ୍ୟ ପାଇପାରିବେ । 2020ରେ ଏହି ପ୍ୟାକେଜ୍ ଦେଶର ବିକାଶ ଯାତ୍ରାକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ପ୍ରଦାନ କରିବ ତଥା ଭାରତକୁ ଆତ୍ମ ନିର୍ଭରଶୀଳତାକୁ ଏକ ନୂତନ ଦିଶା ପ୍ରଦାନ କରିବ । ଏକ ଆତ୍ମ ନିର୍ଭରଶୀଳ ଭାରତ, ଭୂମି, ଶ୍ରମ, ଲିକ୍ୟୁଟି ଏବଂ ଆଇନ୍ ସବୁକୁ ଏଥିରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଏହି ଆର୍ଥିକ ପ୍ୟାକେଜରେ ଆମର କୁଟିର ଶିଳ୍ପ, ଘରୋଇ ଶିଳ୍ପ, କ୍ଷୁଦ୍ର ଶିଳ୍ପ, ଆମର ଏମଏସଏମଇ, ଯାହାକି ଦେଶର ଳକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନଜୀବିକାର ମୁଖ୍ୟ ଉତ୍ସ, ଏବଂ ଏକ ଆତ୍ମନିର୍ଭୀଶୀଳ ଭାରତ ନିର୍ମାଣ ପାଇଁ ଯାହା ଏକ ସୁଦୃଢ଼ ମୁଳଦୁଆ ହୋଇପାରିବ ସେସବୁ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ଆର୍ଥିକ ପ୍ୟାକେଜ୍ ଦେଶର ଶ୍ରମଜୀବୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଦେଶର କୃଷକ, ଯେଉଁମାନେ କି ଦିନ ରାତି ଦେଶର ଜନସାଧାରଣଙ୍କ ପାଇଁ ପ୍ରତ୍ୟେକ ପରିସ୍ଥିତିରେ ଓ ପ୍ରତି ଋତୁରେ କାର୍ଯ୍ୟରତ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଆର୍ଥିକ ପ୍ୟାକେଜ୍ ଦେଶର ମଧ୍ୟମ ବର୍ଗ ଯେଉଁମାନେ କି ନିଷ୍ଠାର ସହ ସେମାନଙ୍କର ଟିକସ ଭରିଥାନ୍ତି ଏବଂ ଦେଶର ବିକାଶ ଯାତ୍ରାରେ ସହଯୋଗ କରିଥାନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଆର୍ଥିକ ପ୍ୟାକେଜ୍ ଭାରତୀୟ ଶିଳ୍ପସଂସ୍ଥାମାନଙ୍କ ପାଇଁ, ଯେଉଁମାନେ ଭାରତର ଆର୍ଥିକ ସାମର୍ଥ୍ୟକୁ ସଦାବେଳେ ସହଯୋଗ କରିଥାନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ଆସନ୍ତାକାଲି ଠାରୁ ଆରମ୍ଭ କରି ଆଗାମୀ କିଛି ଦିନ ମଧ୍ୟରେ, ଅର୍ଥ ମନ୍ତ୍ରୀ ଆପଣମାନଙ୍କୁ ଏ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ଯେଉଁଥିରେ ଏହି ଆର୍ଥିକ ପ୍ୟାକେଜ୍ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ । ତାହା ‘ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ’ ଦ୍ୱାରା ପ୍ରଭାବିତ ।
ବନ୍ଧୁଗଣ, ଏବେ ଦେଶ ପାଇଁ ଏହା ଜରୁରି ଯେ ଦେଶକୁ ଆଗକୁ ବଢ଼ିବାକୁ ହେବ ଏବଂ ଏଭଳି ଏକ ଦୃଢ଼ ସଂସ୍କାର ପ୍ରକ୍ରିୟାକୁ ସାକାର କରିବା ନିମନ୍ତେ ଆମକୁ ପ୍ରତିବଦ୍ଧ ହେବାକୁ ପଡ଼ିବ । ଏକ ଆତ୍ମ ନିର୍ଭରଶୀଳ ଭାରତ ଗଢ଼ିବାକୁ ହେବ । ବିଗତ 6 ବର୍ଷ ମଧ୍ୟରେ ଦେଶରେ ଯେଉଁସବୁ ସଂସ୍କାର ଘଟିଛି ସେ ସଂପର୍କରେ ଆପଣମାନେ ସମସ୍ତଙ୍କର ଅଭିଜ୍ଞତା ରହିଛି । ଆଜି ଏହି ସଂକଟର ମୁହୂର୍ତ୍ତରେ ମଧ୍ୟ ଆପଣମାନେ ଏହି ସଂସ୍କାରକୁ ସାକାର କରିବାକୁ ଆଗେଇ ଆସିବେ । ଭାରତର ବ୍ୟବସ୍ଥା ଏବେ ପୂର୍ବାପେକ୍ଷା ଅଧିକ ସକ୍ରିୟ ଭଳି ଦୃଶ୍ୟମାନ ହେଉଛି । ଅନ୍ୟଥା, କେହି କେବେ ଚିନ୍ତା କରିପାରିବ ଯେ ଭାରତ ସରକାର ଯୋଗାଇ ଦେଉଥିବା ଅର୍ଥ ସିଧା ସଳଖ ଯାଇ ଗରିବ କୃଷକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିଥାନ୍ତା! କିନ୍ତୁ ତାହା ବାସ୍ତବରେ ଘଟିଛି, ସମ୍ଭବ ହୋଇଛି । ଯେତେବେଳେ ଦେଶର ସବୁ ସରକାରୀ ଅଫିସ୍ ବନ୍ଦ୍ ରହିଛି ସେହି ସମୟରେ ଏହା ସମ୍ଭବପର ହୋଇପାରିଛି । ଏହାର ସରଳ ଅର୍ଥଟି ହେଲା ଯେତେବେଳେ ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଛି, ସେତେବେଳେ ସୁଦ୍ଧା ବ୍ୟବସ୍ଥା କାର୍ଯ୍ୟ କରୁଛି । ସଂସ୍କାର ସଂପର୍କରେ କୁହାଯାଇପାରେ ଯେ ଜନଧନ- ଆଧାର- ମୋବାଇଲ୍- ଜାମର ତ୍ରିଶକ୍ତି ଏବଂ ତାହାର ପ୍ରଭାବ କେତେ ସୁଦୂରପ୍ରସାରୀ ତାହା ଆମେ ଏଥିରୁ ଜାଣିପାରୁଛେ । ଏବେ ସେହି ସଂସ୍କାର ପ୍ରକ୍ରିୟାକୁ ଆହୁରି ସଂପ୍ରସାରିତ କରିବାକୁ ପଡ଼ିବ । ଏହାକୁ ନୂତନ ଶୀର୍ଷରେ ପହଞ୍ଚାଇବାକୁ ହେବ । ଏହି ସଂସ୍କାର କୃଷିକାର୍ଯ୍ୟ ସଂପର୍କୀତ ସମଗ୍ର ଯୋଗାଣ ଚେନକୁ ତ୍ୱରାନ୍ୱିତ କରିବ ଯଦ୍ୱାରା କୃଷକମାନେ ମଧ୍ୟ ସଶକ୍ତ ହୋଇପାରିବେ ଏବଂ ଭବିଷ୍ୟତରେ କେବଳ କରୋନା ନୁହେଁ ସେହିଭଳି ଯେକୌଣସି ସଂକଟ ଆସୁ ପକ୍ଷେ ସେମାନଙ୍କ ଉପରେ ସର୍ବନିମ୍ନ ପ୍ରଭାବ ପଡ଼ିବ । ଏହି ସଂସ୍କାର ଆମର ଟିକସ ବ୍ୟବସ୍ଥାକୁ ଅଧିକ ସୁସଂଗତ କରିବ, ସରଳ କରିବ, ଆଇନକୁ ଅଧିକ ସୁଗମ କରିବ, ଭିତ୍ତିଭୂମିକୁ ଅଧିକ ସୁସଂଗତ କରିବ, ମାନବସମ୍ବଳକୁ ଅଧିକ ସକ୍ଷମ ଓ ପ୍ରତିଯୋଗୀତାମୂଳକ କରିବ, ଏବଂ ଏକ ସୁଦୃଢ଼ ଆର୍ଥିକ ବ୍ୟବସ୍ଥା ଗଠନ କରିବାରେ ସହାୟକ ହେବ । ଏହିସବୁ ସଂସ୍କାର ଆମର ବ୍ୟବସାୟକୁ ପ୍ରୋତ୍ସାହନ ଯୋଗାଇବ, ପୁଞ୍ଜିନିବେଶକୁ ଆକୃଷ୍ଟ କରିବ ଏବଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ ।
ବନ୍ଧୁଗଣ, ଆତ୍ମ ନିର୍ଭୀଶୀଳତା ସେତିକିବେଳେ ସମ୍ଭବପର ହୋଇପାରିବ ଯେତେବେଳେ ଆମ ଭିତରେ ଥିବା ସାମର୍ଥ୍ୟ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆତ୍ମ ନିର୍ଭରଶୀଳତା ମଧ୍ୟ ଦେଶକୁ ବିଶ୍ୱ ଯୋଗାଣ ଚେନରେ ଅଧିକ ଆତ୍ମବିଶ୍ୱାସର ସହ ପ୍ରତିଯୋଗିତା କରିବାକୁ ପ୍ରେରଣା ଯୋଗାଇବ । ଏବଂ ଆଜି ଏହା ହେଉଛି ଭାରତ ପାଇଁ ସମୟର ଆହ୍ୱାନ ଯେ ଦେଶ ବିଶ୍ୱ ଯୋଗାଣ ଚେନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ । ଏହି ସତ୍ୟକୁ ଉପଲବ୍ଧ କରି, ଏହି ଆର୍ଥିକ ପ୍ୟାକେଜରେ ଅନେକ ପ୍ରାବଧାନ କରାଯାଇଛି । ଏହା ଆମ ଦେଶର ସବୁ ସେକ୍ଟରକୁ ସକ୍ରିୟତା ଯୋଗାଇବ ଏବଂ ଗୁଣବତ୍ତା ସୁନିଶ୍ଚିତ କରିବ ।
ବନ୍ଧୁଗଣ, ବର୍ତ୍ତମାନର ସଂକଟ ଏତେ ବିଶାଳ ଯେ ଏଥିରେ ବୃହତ୍ତର ବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି, ପ୍ରଭାବିତ ହୋଇଛି । କିନ୍ତୁ ଏଭଳି ସ୍ଥିତିରେ, ଦେଶ ନିଜର ପ୍ରତିବଦ୍ଧତା ପ୍ରକଟ କରିଛି ଏବଂ ଆମର ଗରିବ ଭାଇ ଓ ଭଉଣୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କ ଆଡ଼କୁ ସହଯୋଗର ହାତ ବଢ଼ାଇଛି । ସେମାନେ ରାସ୍ତାର ବୁଲା ବିକାଳି ହୋଇଥାନ୍ତୁ କି ହକର, ଶ୍ରମିକ ହୋଇଥାନ୍ତୁ ଅବା ଅନ୍ୟ କେହି ଯେଉଁମାନେ କି ଘରେ ରହି ସେମାନଙ୍କର କାର୍ଯ୍ୟ କରୁଛନ୍ତି । ସେମାନେ ସମସ୍ତେ ଏହି ସଂକଟର ଘଡ଼ିରେ ଢ଼େର୍ କଷ୍ଟ ସ୍ୱୀକାର କରିଛନ୍ତି । ସେମାନେ ଅନେକ ତ୍ୟାଗ ମଧ୍ୟ କରିଛନ୍ତି । ସେମାନଙ୍କ ଅନୁପସ୍ଥିତିକୁ କିଏ ଅବା ଅନୁଭବ ନକରିଛି? ଏବେ ଆମର କର୍ତ୍ତବ୍ୟ ହେଉଛି ସେମାନଙ୍କୁ ପୁଣି ଥରେ ସୁଦୃଢ଼ କରିବା, ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ ଦିଗରେ କିଛି ବଡ଼ ପଦକ୍ଷେପ ଗ୍ରହଣ କରିବା । ସେହି ଆବଶ୍ୟକତାକୁ ମନରେ ରଖି, ସେମାନେ ଗରିବ ହୋଇଥାନ୍ତୁ, କି ଶ୍ରମିକ, ପ୍ରବାସୀ ଶ୍ରମିକ ହୋଇଥାନ୍ତୁ ଅବା ଗାଇ ଜଗୁଆଳ, ମତ୍ସ୍ୟଜୀବୀ ହୋଇଥାନ୍ତୁ କିମ୍ବା ସଂଗଠିତ ବା ଅସଂଗଠିତ କ୍ଷେତ୍ରରର ଶ୍ରମିକ, ପ୍ରତ୍ୟେକ ବର୍ଗଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜରେ କିଛି ନା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରାଯିବ ।
ବନ୍ଧୁଗଣ, କରୋନା ସଂକଟ ଆମକୁ ବୁଝାଇ ଦେଇଛି ଯେ ସ୍ଥାନୀୟ ଉତ୍ପାଦନ, ସ୍ଥାନୀୟ ବଜାର ଏବଂ ସ୍ଥାନୀୟ ଯୋଗାଣ ଚେନର ଗୁରୁତ୍ୱ କେତେ । ସଂକଟର ଘଡ଼ିରେ, ଏହି ସ୍ଥାନୀୟ ଯୋଗାଣ ହିଁ ଆମର ସବୁ ଆବଶ୍ୟକତାକୁ ପୂରଣ କରିଛି । ସ୍ଥାନୀୟ ଲୋକମାନେ ହିଁ ଆମକୁ ବଞ୍ଚାଇ ପାରିଛନ୍ତି । ସ୍ଥାନୀୟ କହିଲେ କେବଳ ଆବଶ୍ୟକତାକୁ ବୁଝାଏ ନାହିଁ । ଏହା ଆମମାନଙ୍କର ଦାୟିତ୍ୱ ମଧ୍ୟ । ସମୟ ଆମକୁ ଶିଖାଇ ଦେଇଛି ଯେ ଆମେ ସ୍ଥାନୀୟକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ପଡ଼ିବ । ଯେଉଁ ଗ୍ଳୋବାଲ୍ ବ୍ରାଣ୍ଡ୍ କଥା ଆପଣମାନେ ଆଜି ଚିନ୍ତା କରୁଛନ୍ତି ତାହା ମଧ୍ୟ ଦିନେ ଏପରି ସ୍ଥାନୀୟ ଭଳି ଲାଗୁଥିଲା । କିନ୍ତୁ ଯେତେବେଳେ ଲୋକେ ତାହା ବ୍ୟବହାର କରିବାକୁ ଆରମ୍ଭ କଲେ, ତାହାକୁ ପ୍ରଚାର ପ୍ରସାର କରିବାକୁ ଆରମ୍ଭ କଲେ, ବ୍ରାଣ୍ଡିଂ କଲେ, ତାହାକୁ ନେଇ ମନରେ ଗର୍ବ ଓ ଗୌରବ ଅନୁଭବ କଲେ, ତାହା ସ୍ଥାନୀୟ ଉତ୍ପାଦର ଏକ ବୈଶ୍ୱିକ ଆକାର ଧାରଣ କଲା । ତେଣୁ, ଆଜିଠାରୁ ପ୍ରତ୍ୟେକ ଭାରତୀୟ ବେଶ୍ ସ୍ପଷ୍ଟ ସ୍ୱରରେ ସେମାନଙ୍କର ସ୍ଥାନୀୟ ଉତ୍ପାଦକୁ କେବଳ କିଣିଲେ ନାହିଁ ବରଂ ଏହାର ପ୍ରଚାର ପ୍ରସାର କଲେ । ମୋର ଦୃଢ଼ ବିଶ୍ୱାସ ଯେ ଆମ ଦେଶ ତାହା କରିପାରିବ । ଆପଣମାନଙ୍କର ପ୍ରୟାସ, ପ୍ରତି ଥର, ଆପଣମାନଙ୍କ ପ୍ରତି ମୋର ସମ୍ମାନବୋଧକୁ ବଢ଼ାଇ ଦେଇଛି । ମୋର ଗୋଟିଏ କଥା ଏବେସୁଦ୍ଧା ମନେ ଅଛି ଯାହାକୁ ମୁଁ ଗର୍ବର ସହ ଉପସ୍ଥାପନ କରିପାରେ । ଯେତେବେଳେ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି ଓ ଦେଶବାସୀଙ୍କୁ ଖଦି କିଣିବାକୁ ଅନୁରୋଧ କରିଥିଲି ତାହା ଆପଣମାନେ କାର୍ଯ୍ୟରେ କରି ଦେଖାଇଥିଲେ । ଆପଣମାନଙ୍କ ଖଦି କ୍ରୟ ହସ୍ତତନ୍ତ ଶ୍ରମିକଙ୍କୁ ସହଯୋଗ କରିବ ବୋଲି ମୁଁ କହିଥିଲି । ଆଜି ଉଭୟ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ ବେଶ୍ କମ୍ ସମୟ ଭିତରେ ଏକ ରେକର୍ଡ଼ ସ୍ତରରେ ପହଞ୍ଚିଛି । କେବଳ ସେତିକି ନୁହେଁ, ଆପଣମାନେ ଏହାକୁ ଏକ ବିରାଟ ବ୍ରାଣ୍ଡରେ ପରିଣତ କରିପାରିଛନ୍ତି । ଏହା ହୁଏତ ଗୋଟିଏ ଛୋଟ ପ୍ରୟାସ ହୋଇଥାଇପାରେ, କିନ୍ତୁ ଏହାର ଫଳାଫଳ ବେଶ୍ ଉତ୍ସାହଜନକ ।
ବନ୍ଧୁଗଣ, ବିଶେଷଜ୍ଞ ଓ ବୈଜ୍ଞାନିକମାନେ ସୂଚାଇଛନ୍ତି ଯେ କରୋନା ଦୀର୍ଘ ସମୟ ଧରି ଆମ ଜୀବନର ଏକ ଅଂଶବିଶେଷ ହୋଇ ରହିବ । କିନ୍ତୁ ଏଥିସହ ଆମେ ଏକଥା ମଧ୍ୟ କଦାପି କରିବାକୁ ଦେବାନାହିଁ ଯେ ଆମ ଜୀବନ କେବଳ କରୋନା ଚାରିପଟେ ଘୂରିବୁଲିବ କିମ୍ବା ତାହାକୁ ନେଇ ଆମେ ଚିନ୍ତିତ ରହିବା । ଆମେ ମାସ୍କ ପିନ୍ଧିବା, ଦୁଇ ଗଜ ଦୂରତ୍ୱ ରକ୍ଷା କରିବା ଏବଂ ଆମର ଲକ୍ଷ୍ୟ ପଥରେ ଆଗକୁ ବଢ଼ିବାକୁ ହେବ । ତେଣୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍, ଲକଡାଉନ୍-4କୁ ସଂପୂର୍ଣ୍ଣ ରୂପେ ନୂତନ ଭାବେ ପରିକଳ୍ପନା କରାଯାଇଛି । ଏଥିରେ ନୂତନ ନିୟମ ପ୍ରବର୍ତ୍ତନ କରାଯିବ । ରାଜ୍ୟମାନଙ୍କ ଠାରୁ ମିଳିଥିବା ପରାମର୍ଶ ଆଧାରରେ, ଲକଡାଉନ୍ 4 ସଂପର୍କୀତ ସମସ୍ତ ସୂଚନା ଆପଣମାନଙ୍କୁ ମେ 18 ତାରିଖ ପୂର୍ବରୁ ସୂଚୀତ କରାଯିବ । ମୋର ବିଶ୍ୱାସ ଯେ ସେହିସବୁ ନିୟମକୁ ମାନି ଆମେ କରୋନା ବିରୋଧରେ ସଂଗ୍ରାମ କରିବା ଏବଂ ଆଗକୁ ଅଗ୍ରସର ହେବା ।
ବନ୍ଧୁଗଣ, ଆମର ସଂସ୍କୃତି ହେଲା- “ସର୍ବ ଆତ୍ମଂ ବସଂ ସୁଖମ୍” ଅର୍ଥାତ୍, ଆମର ସୁଖଶାନ୍ତି ଆମ ନିୟନ୍ତ୍ରଣରେ ରହିଛି । ଆତ୍ମ ନିର୍ଭରଶୀଳତା ଆମକୁ ଆନନ୍ଦ ଆଡ଼କୁ ଆଗେଇ ନେବ । ସନ୍ତୁଷ୍ଟି ଓ ଶକ୍ତି ଯୋଗାଇବ । ଏହା ଆମର ଦାୟିତ୍ୱ ଯେ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀରେ ପରିଣତ କରିବା ଦିଗରେ ଆମେ ଏକ ଆତ୍ମ ନିର୍ଭରଶୀଳ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାକୁ ହେବ । ଏ ଦାୟିତ୍ୱ କେବଳ ଦେଶର 130 କୋଟି ଜନତାଙ୍କ ଠାରୁ ଜୀବନୀଶକ୍ତି ଆହରଣ କରିବ । ଏହି ଆତ୍ମ ନିର୍ଭରଶୀଳତାର ଯୁଗ ପ୍ରତ୍ୟେକ ଭାରତୀୟଙ୍କୁ ଏକ ନୂତନ ସଂକଳ୍ପ ଯୋଗାଇବ ତଥା ସେମାନେ ଏକ ନୂତନ ଉତ୍ସବ ଭାବେ ତାହାକୁ ଗ୍ରହଣ କରିବେ । ଏବେ ଏକ ନୂତନ ସଂକଳ୍ପ ଓ ପ୍ରତିବଦ୍ଧତାର ସହ ଆମେ ଆଗକୁ ଆଗକୁ ଆଗେଇବାକୁ ପଡ଼ିବ । ଯେତେବେଳେ ଆମର କର୍ତ୍ତବ୍ୟରେ ଆମେ ଏଭଳି ନୀତି ଓ ଆଦର୍ଶକୁ ମାନି ଚଳିବା, ଆମର କର୍ମନିଷ୍ଠାକୁ ପ୍ରତିପାଦିତ କରିବା, କୌଶଳର ପୁଞ୍ଜି ଖଟାଇବା, ସେତେବେଳେ କିଏ ଅବା ଭାରତକୁ ଆତ୍ମ ନିର୍ଭରଶୀଳ ହେବାକୁ ରୋକିପାରିବ? ଆମେ ନିଶ୍ଚିତ ଭାବେ ଭାରତକୁ ଏକ ଆତ୍ମ ନିର୍ଭରଶୀଳ ରାଷ୍ଟ୍ରରେ ପରିଣତ କରିପାରିବା । ଆମେ ଭାରତକୁ ଆତ୍ମ ନିର୍ଭରଶୀଳ କରାଇବାକୁ ହେବ । ଏହି ପ୍ରତିବଦ୍ଧତାର ସହ, ବିଶ୍ୱାସର ସହ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।
**********
(Release ID: 1623650)
Visitor Counter : 350
Read this release in:
Assamese
,
Manipuri
,
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam