ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳବାଇ ପକ୍ଷରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଯାତ୍ରୀବାହୀ ରେଳ ସେବା

• ମେ 12ରୁ ଭୁବନେଶ୍ଵର ସମେତ ବିଭିନ୍ନ ମାର୍ଗରେ ଚାଲିବ ଟ୍ରେନ
• ଷ୍ଟେସନରେ ଟିକେଟ କାଉଣ୍ଟର ଖୋଲିବ ନାହିଁ : କେବଳ ଅନଲାଇନ ବୁକିଂ

प्रविष्टि तिथि: 10 MAY 2020 8:26PM by PIB Bhubaneshwar

ମେ’ 12 ତାରିଖ, 2020 ଠାରୁ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ରେଳ ସେବା ଆରମ୍ଭ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ଯୋଜନା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ 15 ଯୋଡ଼ା ଟ୍ରେନ (30 ଫେରନ୍ତା ଯାତ୍ରା) ଚଳାଚଳ ଆରମ୍ଭ କରାଯିବ ଏହି ଟ୍ରେନଗୁଡ଼ିକ ସ୍ଵତନ୍ତ୍ର ଟ୍ରେନ ଭାବେ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବେନଶ୍ଵର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ମଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁ ତାୱିକୁ ଚଳାଚଳ କରିବ

ଏହାପରେ ଭାରତୀୟ ରେଳବାଇ ପକ୍ଷରୁ ନୂଆ ମାର୍ଗରେ ଅଧିକ ସ୍ଵତନ୍ତ୍ର ସେବା ରେଳ ଚଳାଚଳ କରାଯିବ। ତେବେ କୋଭିଡ-19 ଯତ୍ନ କେନ୍ଦ୍ର ବାବଦରେ 20,000 କୋଚ ଏବଂ ପ୍ରବାସୀ ଶ୍ରମିକଙ୍କୁ ନେବା ଲାଗି 300 “ଶ୍ରମିକ ସ୍ପେଶାଲ” ରେଳରେ ଯଥେଷ୍ଟ ସଂଖ୍ୟକ ବଗି ମହଜୁଦ କରି ରଖିବା ପରେ ଏହି ରେଳ ଚଳାଚଳ କରାଯିବ।

ଏହି ରେଳରେ ଯାତାୟାତ ନିମନ୍ତେ 11 ମେ ଅପରାହ୍ଣ 4ଟା ପରଠାରୁ ଟିକେଟ ସଂରକ୍ଷଣ ଆରମ୍ଭ ହେବ ଏବଂ ଏହି ସୁବିଧା ଆଇଆରସିଟିସି ୱେବସାଇଟ https://www.irctc.co.in ରେ ଉପଲବ୍ଧ ହେବ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ କାଉଣ୍ଟର ସମେତ କୌଣସି ଟିକେଟ କାଉଣ୍ଟର ଖୋଲିବ ନାହିଁ । କେବଳ ଅନଲାଇନରେ ଟିକେଟ ବୁକିଂ ହୋଇପାରିବ। କେବଳ ବୈଧ ସଂରକ୍ଷିତ ଟିକେଟଧାରୀ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ କରିବା ଲାଗି ଅନୁମତି ମିଳିବ। ଯାତ୍ରୀମାନଙ୍କ ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ଏବଂ ସ୍କ୍ରିନିଂ କରାଯାଇ ସେମାନଙ୍କୁ ଟ୍ରେନରେ ନିଆଯିବ । କୋଭିଡ-19ର କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ଟ୍ରେନରେ ଚଢ଼ିବା ଲାଗି ଅନୁମତି ମିଳିବ ନାହିଁ । ପରବର୍ତ୍ତୀ ସମୟରେ ଟ୍ରେନ ଚଳାଚଳ କାର୍ଯ୍ୟସୂଚୀ ଜାରି କରାଯିବ ।

**********


(रिलीज़ आईडी: 1622816) आगंतुक पटल : 348
इस विज्ञप्ति को इन भाषाओं में पढ़ें: Manipuri , English , Urdu , हिन्दी , Marathi , Bengali , Assamese , Punjabi , Gujarati , Tamil , Telugu , Kannada