ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ମୁକାବିଲା ଓ ନିୟନ୍ତ୍ରଣ ରଣନୀତି ସଂକ୍ରାନ୍ତରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହିତ ଡ. ହର୍ଷ ବର୍ଦ୍ଧନଙ୍କ ସମୀକ୍ଷା ବୈଠକ
• ଆସନ୍ତୁ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ବଦଳାଇବା ପ୍ରତି ଧ୍ୟାନ କେନ୍ଦ୍ରିତ କରିବା : ଡ. ହର୍ଷ ବର୍ଦ୍ଧନ
• ଭାରତ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି : ସ୍ଵାସ୍ଥ୍ୟମନ୍ତ୍ରୀ
प्रविष्टि तिथि:
09 MAY 2020 4:35PM by PIB Bhubaneshwar
କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହିତ ଆଜି କୋଭିଡ-19 ମୁକାବିଲା ନିମନ୍ତେ ପ୍ରସ୍ତୁତି ଓ ଅନ୍ୟାନ୍ୟ ନିରାକରଣ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାନାଲାଣ୍ଡ, ତ୍ରିପୁରା ଓ ସିକ୍କିମ ରାଜ୍ୟ ଅଂଶଗ୍ରହଣ କରିଥିଲେ। ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ବୈଠକରେ ଯୋଗ ଦେଇଥିଲେ। ମିଜୋରାମ ସ୍ଵାସ୍ଥ୍ୟମନ୍ତ୍ରୀ ଡ. ଆର ଲଲଥଙ୍ଗିଲିୟାନା, ଅରୁଣାଚଳ ପ୍ରଦେଶର ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ଅଲୁ ଲିବଙ୍ଗ ଏବଂ ଆସାମର ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ପୀୟୂଷ ହଜାରିକାଙ୍କ ସମେତ 8ଟି ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ଡ. ହର୍ଷ ବର୍ଦ୍ଧନ ଦେଶରେ କୋଭିଡ-19 ମୁକାବିଲା ଲାଗି ସମସ୍ତ ରାଜ୍ୟର ସମର୍ପଣକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଅଧିକାଂଶ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗ୍ରୀନ ଜୋନରେ ରହିବା ଅତ୍ୟନ୍ତ ଉତ୍ସାହଜନକ। ବର୍ତ୍ତମାନ କେବଳ ଆସାମ ଏବଂ ତ୍ରିପୁରାରେ କୋଭିଡ-19 ସକ୍ରିୟ ମାମଲା ରହିଛି। ଅନ୍ୟ ଅଧିକାଂଶ ରାଜ୍ୟ ଗ୍ରୀନ ଜୋନରେ ରହିଛନ୍ତି। ସେ କହିଥିଲେ ଯେ ଆସନ୍ତୁ ଆମେ ସମସ୍ତେ ଅରେଞ୍ଜ ଜେନାକୁ ଗ୍ରୀନ ଜୋନରେ ବଦଳାଇବା ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଏବଂ ମିଳିମିଶି ପ୍ରୟାସ କରି ରାଜ୍ୟଗୁଡ଼ିକର ସୁରକ୍ଷା ସ୍ଥିତିକୁ ବଜାୟ ରଖିବା। ସେ ଆହୁରି କହିଥିଲେ ଯେ 9 ମେ 2020 ସୁଦ୍ଧା ଦେଶରେ ମୋଟ 59662ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ଏଥିମଧ୍ୟରୁ 17847 ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ଏବଂ 1981 ଜଣ ପ୍ରାଣ ହରାଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 3320ଟି ନୂଆ ମାମଲା ଚିହ୍ନଟ ହୋଇଛି ଏବଂ 1307 ଜଣ ରୋଗୀ ଭଲ ହୋଇଛନ୍ତି। ସେ କହିଥିଲେ, ମୃତ୍ୟୁ ହାର 3.3 ଏବଂ ଆରୋଗ୍ୟ ହାର 29.9 ପ୍ରତିଶତ ରହିଛି ।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହିତ ବିସ୍ତୃତ ଭାବେ ଆଲୋଚନା ସମୟରେ ସେ ପରୀକ୍ଷା ସୁବିଧା, ଚିକିତ୍ସାର ମୌଳିକ ଭିତ୍ତିଭୂମି, ନିରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ଆଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ତଥା ଏହାର ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ବିଷୟରେ କହିଥିଲେ। ଡ. ହର୍ଷ ବର୍ଦ୍ଧନ କୋଭିଡ-19 ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ରାଜନୈତିକ ପ୍ରତିବଦ୍ଧତା କାରଣରୁ ନୋଭେଲ କରୋନା ଭୂତାଣୁ ବିରୋଧରେ ମୁକାବିଲା ବ୍ୟବସ୍ଥିତ ଢଙ୍ଗରେ ହୋଇପାରୁଛି। ଭାରତ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ଏବଂ ବିଭିନ୍ନ ସାମୟିକ ଉପାୟ ଓ ନିରୀକ୍ଷଣ ସୁବିଧାକୁ ମଜବୁତ କରିବା ଜରିଆରେ କରୋନା ଭୂତାଣୁ ବିରୋଧରେ ଲଢ଼ୁଛି।
ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
***************
(रिलीज़ आईडी: 1622584)
आगंतुक पटल : 231
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Tamil
,
Telugu
,
Kannada