ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଓଡ଼ିଶା ସମେତ ତିନୋଟି ରାଜ୍ୟରେ କୋଭିଡ-19 ମୁକାବିଲା ଓ ପ୍ରସ୍ତୁତି ସମୀକ୍ଷା କଲେ ଡ. ହର୍ଷ ବର୍ଦ୍ଧନ

• ସର୍ଦ୍ଦି ଓ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ନମୁନା ସଂଗ୍ରହ ଓ ପରୀକ୍ଷଣ କରାଯିବା ଜରୁରି
• ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା କରାଯିବା ଆବଶ୍ୟକ

Posted On: 07 MAY 2020 5:39PM by PIB Bhubaneshwar

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଡ. ହର୍ଷ ବର୍ଦ୍ଧନ ଓଡ଼ିଶା ସମେତ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ-19 ମୁକାବିଲା ଏବଂ ପ୍ରସ୍ତୁତି ଦିଗରେ ନିଆଯାଇଥିବା ପଦକ୍ଷେପ ତଥା ରାଜ୍ୟଗୁଡ଼ିକରେ ମହାମାରୀର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ସମେତ ଅନ୍ୟ ରାଜ୍ୟଗୁଡ଼ିକର ମନ୍ତ୍ରୀ ଓ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଦେଶର ସମସ୍ତ ରାଜ୍ୟଗୁଡ଼ିକ ପକ୍ଷରୁ କୋଭିଡ-19 ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପକୁ ଡ. ହର୍ଷ ବର୍ଦ୍ଧନ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ 7 ମେ, 2020 ସୁଦ୍ଧା ଦେଶରେ ମୋଟ 52,952 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରୁ 15,266 ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଏବେ ସୁଦ୍ଧା 1783ଜଣ ପ୍ରାଣ ହରାଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 3561ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ କରାଯାଇଥିବା ସମୟରେ 1084 ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେ କହିଥିଲେ ଯେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ସ୍ଥିତି ଭଲ ରହିଛି। ଏଠାରେ ମୃତ୍ୟୁ ହାର 3.3% ଥିବା ସମୟରେ ଆରୋଗ୍ୟ ହାର 28.83%. ପ୍ରତିଶତ ରହିଛି। ସେ କହିଥିଲେ ଯେ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ 4.8% ରୋଗୀ ଆଇସିୟୁରେ, 1.1% ରୋଗୀ ଭେଣ୍ଟିଲେଟରରେ ଏବଂ 3.3% ରୋଗୀ ଅକ୍ସିଜେନ ସହାୟତାରେ ରହିଛନ୍ତି। ସେ ଆହୁରି ସୂଚନା ଦେଇଥିଲେ ଯେ ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି। ବର୍ତ୍ତମାନ 327ଟି ସରକାରୀ ଏବଂ 118ଟି ଘରୋଇ ଲାବ ଜରିଆରେ ଦୈନିକ 95,000 ନମୁନା ପରୀକ୍ଷା ହେଉଛି। ବର୍ତ୍ତମାନସୁଦ୍ଧା ଦେଶରେ ମୋଟାମୋଟି  13,57,442ଟି କୋଭିଡ-19 ନମୁନା ପରୀକ୍ଷା ସରିଲାଣି।

ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ବର୍ତ୍ତମାନସୁଦ୍ଧା 7 ଦିନ ମଧ୍ୟରେ 180ଟି ଜିଲ୍ଲାରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବା ବେଳେ 180ଟି ଜିଲ୍ଲାରେ 7-13 ଦିନ, 164ଟି ଜିଲ୍ଲାରେ 14-20 ଦିନ, 136ଟି ଜିଲ୍ଲାରେ 21-28 ଦିନ ମଧ୍ୟରେ ଗୋଟିଏ ହେଲେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। 13ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ। ଡାମ

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଦେଶରେ 130ଟି ହଟସ୍ପଟ ଜିଲ୍ଲା, 284ଟି ଅଣ ହଟସ୍ପଟ ଜିଲ୍ଲା ଓ 319ଟି ଅଣପ୍ରଭାବିତ ଜିଲ୍ଲା ରହିଛି। ସେ ଆହୁରି କହିଥିଲେ ଯେ ଦେଶରେ ବର୍ତ୍ତମାନସୁଦ୍ଧା 821ଟି ସମର୍ପିତ କୋଭିଡ ଡାକ୍ତରଖାନାରେ 1,50,059 ଶଯ୍ୟା (ଆଇସୋଲେସନ ଶଯ୍ୟା 1, 32,219 ଏବଂ  17,840 ଆଇସିୟୁ)  ପ୍ରସ୍ତୁତ ହୋଇ ରହିଛି। ସେହିପରି 1,898ଟି ସମର୍ପିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ 1,19,109 ଶଯ୍ୟା (ଆଇସୋଲେସନ ଶଯ୍ୟା 1, 09,286 ଏବଂ  9,823ଆଇସିୟୁ) ପ୍ରସ୍ତୁତ ହୋଇ ରହିଛି। ଏହାଛଡ଼ା 7,569 ସଙ୍ଗରୋଧ କେନ୍ଦ୍ର ରହିଛି।

ବର୍ତ୍ତମାନସୁଦ୍ଧା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ 29.06 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ 69.77 ଲକ୍ଷ ଏନ-95 ମାସ୍କ ବିତରଣ କରାଯାଇସାରିଛି।

ଏହି ଅବସରରେ ଗୁରୁତର ଶ୍ୱାସକ୍ରିୟା ଜନିତ ସଂକ୍ରମଣ, ଥଣ୍ଡାସର୍ଦ୍ଦି ଭଳି ରୋଗ ନିରୀକ୍ଷଣକୁ ବୃଦ୍ଧି କରିବା ସହିତ ଏପରି ମାମଲାରେ କୋଭିଡ-19 ନମୁନା ପରୀକ୍ଷଣ ବଢ଼ାଇବା ଉପରେ ଡ. ହର୍ଷ ବର୍ଦ୍ଧନ ଜୋର ଦେଇଥିଲେ। ରାଜ୍ୟଗୁଡ଼ିକ ସଂକ୍ରମଣ, ନିରାକରଣ ଓ ନିୟନ୍ତ୍ରଣ (ଆଇପିସି) ପଦ୍ଧତି ସୁନିଶ୍ଚିତ କରିବା ଲାଗି ସେ ପରାମର୍ଶ ଦେିଥିଲେ। ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ବିଭିନ୍ନ ଗାଇଡଲାଇନ/ମାର୍ଗଦର୍ଶିକା ଜାରି କରାଯାଇସାରିଛି।

ସେହିପରି ରାଜ୍ୟଗୁଡ଼ିକୁ ପ୍ରବାସୀ ଶ୍ରମିକଙ୍କ ଆଗମନ ବୃଦ୍ଧି ପାଇଥିବାରୁ ପଜିଟିଭ ମାମଲା ଚିହ୍ନଟ  ଲାଗି ପରୀକ୍ଷଣ, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସେ ଜୋର ଦେଇଥିଲେ। ଏଥିପାଇଁ ଏକ ସୁଦୃଢ଼ ରଣନୀତି ପ୍ରସ୍ତୁତ କରିବା ଉପରେ ସେ ଜୋର ଦେଇଥିଲେ। କଣ୍ଟେନମେଣ୍ଟ ଅଞ୍ଚଳରେ ନିରୀକ୍ଷଣ ଦଳ ସହିତ ଗୋଷ୍ଠୀ ସ୍ବେଚ୍ଛାସେବୀମାନଙ୍କୁ ଚିହ୍ନଟ କରି ଓ୍ବାର୍ଡ ସ୍ତରରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଲୋକମାନଙ୍କୁ ହାତ ଧୋଇବା, ଶାରୀରିକ ଦୂରତା ରକ୍ଷା ଏବଂ ବାଚ୍ଛବିଚାର ସମ୍ପର୍କରେ ସଚେତନ କରାଯିବା କ୍ଷେତ୍ରରେ ଏହି ସ୍ବେଚ୍ଛାସେବୀମାନେ ବିଶେଷ ସହାୟକ ହୋଇପାରିବେ।

ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପ୍ରତି ସେ ରାଜ୍ୟଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ। ଟିକାକରଣ, ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା, ଡାଏଲିସିସ ରୋଗୀଙ୍କ ପାଇଁ ରକ୍ତବଦଳ, କର୍କଟ ରୋଗୀଙ୍କ ଚିକିତ୍ସା, ଗର୍ଭବତୀ ମହିଳାଙ୍କୁ ସୁବିଧା ପ୍ରଦାନ ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ ରକ୍ତଚାପ, ମଧୁମେହ ଏବଂ ତିନି ପ୍ରକାରର କର୍କଟ ରୋଗ ପରୀକ୍ଷା ଲାଗି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକୁ ଉପଯୋଗ କରାଯାଇପାରିବ ଲକଡାଉନକୁ ଦେଖି ଅଧିକାଂଶ ଲୋକ ଟେଲିମେଡ଼ିସିନ ବ୍ୟବସ୍ଥାର ମଧ୍ୟ ଉପଯୋଗ କରାଯାଇପାରିବ।

ଡ. ହର୍ଷ ବର୍ଦ୍ଧନ ଏହି ଅବସରରେ ଓଡ଼ିଶାର ବାଲେଶ୍ୱର, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏସବୁ ଜିଲ୍ଲାରେ କୋଭିଡ-19 ମୁକାବିଲା ବିସ୍ତୃତ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରୀତି ସୁଦାନ, ଓଏସଡି ରାଜେଶ ଭୂଷଣଙ୍କ ସମେତ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

********

 



(Release ID: 1621992) Visitor Counter : 210