ରେଳ ମନ୍ତ୍ରଣାଳୟ
ରାଜ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ଲାଗି ଭାରତୀୟ ରେଳପଥର କୋଭିଡ ଯତ୍ନ କେନ୍ଦ୍ର ପ୍ରସ୍ତୁତ
• ସାରା ଭାରତରେ 5231ଟି ରେଳ କୋଚରେ କୋଭିଡ ଯତ୍ନ କେନ୍ଦ୍ର ବ୍ୟବସ୍ଥା
• ଓଡ଼ିଶାରେ 9ଟି ଷ୍ଟେସନ ପ୍ରସ୍ତୁତ ରଖିଲା ରେଳପଥ
• କୋଭିଡ ଯତ୍ନ କେନ୍ଦ୍ର ସ୍ଥାପନ ଲାଗି 215 ଷ୍ଟେସନ ଚିହ୍ନଟ
• 215 ଷ୍ଟେସନ ମଧ୍ୟରୁ 85ଟି ଷ୍ଟେସନରେ ଚିକିତ୍ସା ସେବା ଯୋଗାଇବ ରେଳପଥ, ଅବଶିଷ୍ଟ 130 ଷ୍ଟେସନରେ ରାଜ୍ୟଗୁଡ଼ିକ ଔଷଧ ଏବଂ କର୍ମଚାରୀ ଉପଲବ୍ଧ କରାଇବାକୁ ରାଜି ହେଲେ କୋଭିଡ ଯତ୍ନ କେନ୍ଦ୍ର କାର୍ଯ୍ୟ କରିବ
• ପାଣି, ବିଦ୍ୟୁତ, ମରାମତି, କ୍ୟାଟରିଂ ଏବଂ କୋଭିଡ ଯତ୍ନ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ବହନ କରି ଭାରତୀୟ ରେଳ
• କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଶାନିର୍ଦ୍ଦେଶ ଜାରି
• ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥା ଅନ୍ୟ ସଂସ୍ଥାନର ପରାମର୍ଶକ୍ରମେ ରେଳପଥ ପକ୍ଷରୁ ଦିଶାନିର୍ଦ୍ଦେଶ ପ୍ରସ୍ତୁତ କରାଗଲା
• କୋଭିଡ-19 ମହାମାରୀ ମୁକାବିଲା ଲାଗି 25 ହଜାରରୁ ଅଧିକ ଡାକ୍ତର ଓ 35 ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଲା ଭାରତୀୟ ରେଳପଥ
• ପ୍ରତିକୂଳ ପରିସ୍ଥିତିରେ ଜାତୀୟ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ବ୍ୟତୀତ କରୋନା ମହାମାରୀ ବିରୋଧରେ ଭାରତ ସରକାରଙ୍କ ପ୍ରୟାସରେ ସହାୟତା ଦେବା ଲାଗି ଭାରତୀୟ ରେଳର ଉଲ୍ଲେଖନୀୟ ଯୋଗଦାନ
• ଆଗଧାଡ଼ିର ରେଳ କର୍ମଚାରୀଙ୍କ ସୁରକ୍ଷା ଲାଗି ନିଜର ପିପିଇ ପ୍ରସ୍ତୁତ କଲା ରେଳପଥ
Posted On:
07 MAY 2020 3:18PM by PIB Bhubaneshwar
ରେଳ ମନ୍ତ୍ରଣାଳୟ ପକ୍ଷରୁ 5231ଟି କୋଚକୁ କୋଭିଡ ଯତ୍ନ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଅତି ସାଧାରଣ କୋଭିଡ ସଂକ୍ରମଣ ମାମଲାଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ପାଇଁ ଏଗୁଡ଼ିକୁ କୋଭିଡ-19 ଯତ୍ନ କେନ୍ଦ୍ରରେ ଉପଯୋଗ କରାଯାଇପାରିବ। ଏହି କୋଚଗୁଡ଼ିକୁ ସେହିପରି କ୍ଷେତ୍ରରେ ଉପଯୋଗ କରାଯାଇପାରିବ ଯେଉଁ ରାଜ୍ୟଗୁଡ଼ିକର ସୁବିଧା ଦୁର୍ବଳ ରହିଛି ତଥା କୋଭିଡ ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖିବା ନିମନ୍ତେ କ୍ଷମତା ବଢ଼ାଇବାର ଆବଶ୍ୟକତା ରହିଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଦିଶାନିର୍ଦ୍ଦେଶର ସଂଲଗ୍ନ (ନିମ୍ନରେ ଦିଆଯାଇଥିବା) ଲିଙ୍କରେ ରହିଛି ।
କୋଭିଡ-19 ବିରୋଧୀ ଲଢ଼େଇ ଜାରି ରଖି ଭାରତୀୟ ରେଳପଥ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଯତ୍ନ ପ୍ରୟାସରେ ସହାୟତା ଯୋଗାଇ ଦେବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରୁଛି। ଭାରତୀୟ ରେଳ ନିଜର 5231 କୋଭିଡ ଯତ୍ନ କେନ୍ଦ୍ର ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବା ନିମନ୍ତେ ପ୍ରସ୍ତୁତ କରାଯାଇସାରିଛି । ରେଳବାଇ ଜୋନଗୁଡ଼ିକ ଏହିସବୁ କୋଚକୁ ସଙ୍ଗରୋଧ ସୁବିଧା ପ୍ରଦାନ ଲାଗି ରୂପାନ୍ତରିତ କରି ଦେଇଛନ୍ତି ।
215ଟି ଷ୍ଟେସନ ମଧ୍ୟରୁ 85ଟି ଷ୍ଟେସନରେ ରେଳପଥ ପକ୍ଷରୁ ସ୍ୱାସ୍ଥ୍ୟ ଯତ୍ନ ସୁବିଧା ପ୍ରଦାନ କରାଯିବ। ବାକି 130 ଷ୍ଟେସନରେ ରାଜ୍ୟଗୁଡ଼ିକ କର୍ମଚାରୀ ଏବଂ ଔଷଧ ଯୋଗାଇବା ନିମନ୍ତେ ସହମତ ହେଲେ କୋଭିଡ ଯତ୍ନ କୋଚର ସୁବିଧା ନେବା ପାଇଁ ପ୍ରସ୍ତାବ ଦେଇପାରିବେ। ସେହିପରି ପାଣି ଓ ଚାର୍ଜିଂ ସୁବିଧା ସହିତ 158ଟି ଷ୍ଟେସନ ଏବଂ କେବଳ ପାଣି ସୁବିଧା ସହିତ 58ଟି ଷ୍ଟେସନକୁ ପାଣି ସୁବିଧା ସହିତ ପ୍ରସ୍ତୁତ ରଖାଯାଇଛି। (ତାଲିକା ନିମ୍ନରେ ସଂଲଗ୍ନ ରହିଛି)
ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଦୁଇଟି ଷ୍ଟେସନ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଜଙ୍କସନ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଜଙ୍କସନକୁ ବିଦ୍ୟୁତ ଓ ଜଳଯୋଗାଣ ସହିତ ପ୍ରସ୍ତୁତ ରଖାଯାଇଛି। ସେହିପରି ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଜଙ୍କସନକୁ କେବଳ ପାଣି ସୁବିଧା ସହିତ ପ୍ରସ୍ତୁତ ରଖାଯାଇଛି।
ଏହି କୋଭିଡ ଯତ୍ନ କେନ୍ଦ୍ରଗୁଡ଼ିକ ବ୍ୟତୀତ, ଭାରତୀୟ ରେଳ କୋଭିଡ-19 ସମସ୍ୟାର ମୁକାବିଲା ନିମନ୍ତେ 2500ରୁ ଅଧିକ ଡାକ୍ତର ଏବଂ 35 ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବ। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ବିଭିନ୍ନ ଜୋନ ପକ୍ଷରୁ ଅସ୍ଥାୟୀ ଆଧାରରେ କରାଯାଉଛି । 17ଟି ସମର୍ପିତ ଡାକ୍ତରଖାନାରେ ପାଖାପାଖି 5 ହଜାର ଶଯ୍ୟା ଏବଂ ରେଳପଥ ଡାକ୍ତରଖାନାରେ 33ଟି ହସ୍ପିଟାଲ ବ୍ଲକକୁ କୋଭିଡ-19 ରୋଗୀଙ୍କ ଉପଚାର ନିମନ୍ତେ ଚିହ୍ନଟ କରାଯାଇଛି, ଏଗୁଡ଼ିକ ଯେକୌଣସି ଜରୁରି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁରୂପ, ରାଜ୍ୟ ସରକାର ରେଳପଥକୁ ପ୍ରସ୍ତାବ ପଠାଇବେ। ଏହା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି କୋଚ ଆବଣ୍ଟନ କରାଯିବ। ରେଳପଥ ପକ୍ଷରୁ ଆବଣ୍ଟନ କରାଯିବା ପରେ, ଟ୍ରେନରେ ଆବଶ୍ୟକ ଭିତ୍ତିଭୂମି ସହିତ ଯେଉଁ ଷ୍ଟେସନରେ ଆବଶ୍ୟକ ସେଠାରେ ଛିଡ଼ା କରି ଦିଆଯିବ। ଜିଲ୍ଲାପାଳ/ମାଜିଷ୍ଟ୍ରେଟ କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଟ୍ରେନ ଯେଉଁଠି ଛିଡ଼ା ହେବ ସେଠାରେ ପାଣି, ବିଦ୍ୟୁତ, ଆବଶ୍ୟକ ମରାମତି, କ୍ୟାଟରିଂ ବ୍ୟବସ୍ଥା ଏବଂ ସୁରକ୍ଷା ଆବଶ୍ୟକତା ଭାରତୀୟ ରେଳପଥ ପକ୍ଷରୁ ପ୍ରଦାନ କରାଯିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନର ଲିଙ୍କ
ସଂଲଗ୍ନକ ଏ ଅନୁଯାୟୀ ଷ୍ଟେସନଗୁଡ଼ିକର ଲିଙ୍କ :
*******
(Release ID: 1621941)
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam