ପ୍ରତିରକ୍ଷା ମନ୍ତ୍ରଣାଳୟ

“କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ” ଭଳି କାର୍ଯ୍ୟକ୍ରମ ପାଇଁ ପ୍ରତିରକ୍ଷା ବାହିନୀକୁ ପ୍ରଶଂସା କଲେ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

Posted On: 03 MAY 2020 7:33PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦଜ୍ଞାପନ ଭଳି କାର୍ଯ୍ୟକ୍ରମ ସକାଶେ ଦେଶର ପ୍ରତିରକ୍ଷା ବାହିନୀକୁ ସାଧୁବାଦ ଜଣାଇଛନ୍ତି । ଆଜି ଏହି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ସଶସ୍ତ୍ର ସେନା ପକ୍ଷରୁ  ଶତାଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ଥଳ, ଜଳ ଏବଂ ଆକାଶରେ ଅନୁଷ୍ଠିତ ହୋଇଥିଲା ଯାହା ମାଧ୍ୟମରେ କରୋନା ଯୋଦ୍ଧା, ଯେଉଁମାନେ କି ନିଜ ଜୀବନକୁ ବିପନ୍ନ କରି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଦେଶର ସଶସ୍ତ୍ର ସେନାଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଲେ ଯେ ଆଜି ସଶସ୍ତ୍ର ସେନା ଆଜି ଦେଶର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । କରୋନା ଯୋଦ୍ଧାଙ୍କୁ ସେମାନଙ୍କର ସେବା ଓ ନିଷ୍ଠା ପ୍ରତି ଧନ୍ୟବାଦ ଜ୍ଞାପନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏଭଳି ବୈଶ୍ୱିକ ମହାମାରୀକୁ ରୋକିବା ସକାଶେ ସେମାନଙ୍କର ଅବଦାନ ଅବିସ୍ମରଣୀୟ । ସେମାନେ ଆମର ଛାମୁଆ ଯୋଦ୍ଧା ଏବଂ ସେମାନେ ଅତି ପ୍ରଶଂସନୀୟ କାର୍ଯ୍ୟ ସଂପାଦନ କରୁଛନ୍ତି ଏବଂ କୋଭିଡ଼-19 ବିରୋଧରେ ଭାରତରେ ଲଢ଼େଇରେ ସାମିଲ ସମସ୍ତ ସୈନିକଙ୍କ ମନୋବଳ ବୃଦ୍ଧି କରୁଛନ୍ତି ।

ବିମାନ ଉଡ଼ାଣ ଏବଂ  ଭାରତୀୟ ବାୟୁ ସେନା, ନୌସେନା ଓ ତଟରକ୍ଷୀ ବାହିନୀଙ୍କ  ହେଲିକପ୍ଟର ଦ୍ୱାରା କରୋନା ଯୋଦ୍ଧା ଏବଂ କରୋନା ହସପିଟାଲଗୁଡ଼ିକ ଉପରେ ପୁଷ୍ପ ବର୍ଷା କରାଯିବା ଭଳି କାର୍ଯ୍ୟ ଅତୀବ ପ୍ରଶଂସନୀୟ । ସମଗ୍ର ଦେଶବାସୀଙ୍କ ପକ୍ଷରୁ ସଶସ୍ତ୍ର ସେନା ଏଭଳି କାର୍ଯ୍ୟ ସଂପାଦନ କରିଛନ୍ତି । ଏହା କୋଭିଡ଼–19 ବିରୋଧରେ ଲଢ଼େଇ ସକାଶେ ଦେଶର ପ୍ରତିବଦ୍ଧତା ଏବଂ ଐକ୍ୟ ମନୋଭାବର ସୂଚନା ପ୍ରଦାନ କରେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବେ ସମଗ୍ର ଦେଶବାସୀ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି ।

ଶ୍ରୀ ରାଜନାଥ ସିଂହ ସଶସ୍ତ୍ର ସେନାଙ୍କୁ ଧନ୍ୟବାଦ ଜଣାଇ କହିଲେ ଯେ ସେମାନଙ୍କ ପକ୍ଷରୁ କରାଯାଇଥିବା ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଦେଶର ମେଡ଼ିକାଲ ପ୍ରଫେସନାଲ, ପୁଲିସ ଏବଂ ଅନ୍ୟାନ୍ୟ ଛାମୁଆ କରୋନା ଯୋଦ୍ଧାଙ୍କ ପ୍ରତି ସେମାନଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଭଳି ଚାଲେଞ୍ଜିଂ ସମୟରେ ସମଗ୍ର ଦେଶ ଐକ୍ୟବଦ୍ଧ ଭାବେ କରୋନା ବିରୋଧୀ ସଂଗ୍ରାମରେ ସାମିଲ ହୋଇଛି ।

ଏହି କରୋନା ଯୋଦ୍ଧାମାନେ, ଯେଉଁଥିରେ କି ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟରକ୍ଷା ଓ ପରିମଳ କର୍ମୀ, ପୁଲିସ କର୍ମୀ, ଗଣମାଧ୍ୟମ ଓ ଅନ୍ୟାନ୍ୟ ଅନେକ କର୍ମୀ ସାମିଲ ହୋଇଛନ୍ତି ଏବଂ ସେମାନେ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଠାରୁ ନେଇ ଔଷଧ ଓ ଚିକିତ୍ସା ସୁବିଧା ନିରବଚ୍ଛିନ୍ନ ଭାବେ ପହଞ୍ଚାଉଛନ୍ତି ସେମାନେ ଜାତୀୟ କର୍ତ୍ତବ୍ୟ ସଂପାଦନ କରୁଛନ୍ତି । କୋଭିଡ଼-19 ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ଯୋଦ୍ଧାମାନେ ସେମାନଙ୍କର ନିଜ ଜୀବନକୁ ପ୍ରତିଦିନ ବିପଦ ମଧ୍ୟରେ ପକାଇ, ବିଜୁଳି ଠାରୁ ପାନୀୟ ଜଳ ଭଳି ମୌଳିକ ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ସୁନିଶ୍ଚିତ କରୁଛନ୍ତି । ସେମାନେ ଆମର ସଡ଼କକୁ ସ୍ୱଚ୍ଛ ରଖୁଛନ୍ତି, ଆମମାନଙ୍କ ନିକଟରେ ଖାଦ୍ୟପଦାର୍ଥ ଉପଲବ୍ଧ କରାଉଛନ୍ତି, କୌଣସି ଜଣେ ହେଲେ ରୋଗୀ ବିନା ଚିକିତ୍ସାରେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିଯାଉନାହାନ୍ତି ଏବଂ ସେଥିରେ ସର୍ବାଧିକ ଆଇନ ଶୃଙ୍ଖଳା ରକ୍ଷା କରାଯାଉଛି । ବିଦେଶରେ ଅଟକି ରହିଥିବା ଭାରତୀୟ ମାନଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛି ଏବଂ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଆଯାଉଛି ।

ସଶସ୍ତ୍ର ସେନା ଏହିସବୁ କରୋନା ଯୋଦ୍ଧାଙ୍କୁ ସେମାନଙ୍କ ମନର ଗଭୀର ଶ୍ରଦ୍ଧା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ ତାହା ସଂପୂର୍ଣ୍ଣ ରୂପେ ସାମରିକ ଢ଼ଙ୍ଗରେ । ଶ୍ରୀନଗର ଠାରୁ ଥିରୁଭନନ୍ତପୁରମ ପର୍ଯ୍ୟନ୍ତ ଏବଂ ଦିବ୍ରୁଗଡ଼ ଠାରୁ ନେଇ କଚ୍ଛ ପର୍ଯ୍ୟନ୍ତ, ସ୍ଥଳସେନା ପକ୍ଷରୁ ବିଭିନ୍ନ ପ୍ରକାର  କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେମାନେ ପୁଲିସ ସ୍ମାରକୀରେ ପୁଷ୍ପଗୁଚ୍ଛ ଅର୍ପଣ ସହ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ଜରୁରି ସାମଗ୍ରୀ ଯୋଗାଣରେ ନିୟୋଜିତ କର୍ମଚାରୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଛନ୍ତି । ସେମାନେ ବ୍ୱିଭିନ୍ନ ରାଜ୍ୟର ଶତାଧିକ ହସପିଟାଲକୁ ଯାଇ ସେଠାରେ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଥିବା ଯୋଦ୍ଧାମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏଥିରେ ସ୍ଥାନୀୟ ସେନା ଟିମ୍‌ ଓ ସାମରିକ ବ୍ୟାଣ୍ଡ୍‌ ସାମିଲ ହୋଇଥିଲେ ।

ଦିଲ୍ଲୀ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଭୋପାଳ, ଆଗ୍ରା, ଅମୃତସର, ବେଲଗାଓଁ, ରାନିଖେତ୍‌, ପିଥୋରଗଡ଼ ଆଦି ଅନେକ ସହରରେ ଏବଂ ଦେଶର ଅନ୍ୟାନ୍ୟ ଛୋଟ ବଡ଼ ଟାଉନମାନଙ୍କରେ ଆଜି ସ୍ଥଳସେନା, ନୌସେନା ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ) ଓ ତଟରକ୍ଷୀ ବାହିନୀ (ଆଇସିଜି)ର ଅଧିକାରୀ ଓ ସୈନିକମାନେ ବିଭିନ୍ନ ହସପିଟାଲକୁ ଯାଇ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ । ଏହିସବୁ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ପୁଲିସ ସ୍ମାରକୀରେ ପୁଷ୍ପଗୁଚ୍ଛ ଅର୍ପଣ ଯାହାକି ଏକ ଅଭୂତପୂର୍ବ କାର୍ଯ୍ୟ ଏବଂ ତାହା ଆମର ସାଧାରଣ ଜନତାଙ୍କୁ ସଶସ୍ତ୍ର ସେନାଙ୍କ ଆଡ଼କୁ ଅଧିକ ଆକର୍ଷିତ କରିଥାଏ । ସମଗ୍ର ଦେଶ ଏବଂ ଦେଶବାସୀ ଆଜିର ଏହି ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି ଏବଂ ସଶସ୍ତ୍ର ସେନା ଏବଂ ସାମାଜିକ ଗଣମାଧ୍ୟମ ପ୍ରତି ସେମାନଙ୍କର ଶୁଭେଚ୍ଛା ଏବଂ ଶ୍ରଦ୍ଧା ଜଣାଇଛନ୍ତି ।

ଓଶସ୍ତ୍ର ସେନା ପକ୍ଷରୁ ମଧ୍ୟ ଆହୁରି ଅନେକ ପ୍ରକାର କାର୍ଯ୍ୟକ୍ରମ ଯଥା ଭାରତୀୟ ବାୟୁ ସେନାର ଲଢ଼ୁଆ ଓ ପରିବହନ ବିମାନର ପାଇଲଟମାନଙ୍କ ଦ୍ୱାରା ଯୁଦ୍ଧ ବିମାନ ଉଡ଼ାଣ ସାରା ଦେଶରେ ଅନୁଷ୍ଠିତ ହୋଇଛି । ଦେଶର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଏହାକୁ ଉପଭୋଗ କରିଛନ୍ତି । ଭାରତୀୟ ବାୟୁ ସେନା, ନୌସେନା ଓ ତଟରକ୍ଷୀ ବାହିନୀର ହେଲିକପ୍ଟରଗୁଡ଼ିକ କୋଭିଡ଼ ରୋଗୀମାନେ ଚିକିତ୍ସିତ ହେଉଥିବା ହସପିଟାଲମାନଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ । ସ୍ଥଳସେନା ଓ ବାୟୁସେନା ବ୍ୟାଣ୍ଡ୍‌ କୋଭିଡ଼ ହସପିଟାଲମାନଙ୍କୁ ଯାଇ ସେଠାରେ ବାଦ୍ୟ ବାଦନ କରି କରୋନା ଯୋଦ୍ଧାଙ୍କ ପ୍ରତି ସେମାନଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ ।

ଏଭଳି ଲଢ଼ୁଆ ବିମାନ ଉଡ଼ାଣରେ ସୁଖୋଇ-10, ଏମକେଆଇ, ମିଗ୍‌-29 ଏବଂ ଜାଗୁଆର ଲଢ଼ୁଆ ବିମାନ ସାମିଲ ହୋଇ ରାଜପଥ ତଥା ରାଜଧାନୀ ଦିଲ୍ଲୀ ଉପରେ ଉଡ଼ିଥିଲେ । ଦିଲ୍ଲୀର ଅଧିବାସୀମାନେ ସେମାନଙ୍କର ଘର ଛାତ ଉପରୁ ଏହାକୁ ଦେଖି ପାରିଥିଲେ । ଏହା ବ୍ୟତୀତ, ସି 130 ଜେ ହର୍କୁଲସ୍‌ ପରିବହନ ବିମାନ ମଧ୍ୟ ଦିଲ୍ଲୀ ରାଜଧାନୀ କ୍ଷେତ୍ର ଉପରେ ଉଡ଼ାଣ ଭରିଥିଲା ।

ସେହିଭଳି ନୌସେନା ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଫର୍ମେସନ ଗଠନ କରାଯାଇ ଉପକୂଳ ସମୁଦ୍ରର କିଛି ନିର୍ବାଚିତ ସ୍ଥାନରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏଭଳି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଦେଶର 25ଟି ତଟୀୟ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେଥିମଧ୍ୟରେ ସୁଦୂର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ଓ ମିନିକଏ ଦ୍ୱୀପପୁଞ୍ଜ ସାମିଲ ।

 

**********

 


(Release ID: 1620816)