ପ୍ରତିରକ୍ଷା ମନ୍ତ୍ରଣାଳୟ

ତିନିବାହିନୀର କୋଭିଡ-19 ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

• ସେନା ସହାୟତା କାର୍ଯ୍ୟକୁ ପ୍ରଶଂସା

प्रविष्टि तिथि: 24 APR 2020 3:55PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନି ବାହିନୀର ସାମରିକ ଏବଂ କୋଭିଡ-19 ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଭିଡିଓ କନଫରେନ୍ସିରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ତଥା ସାମରିକ ବ୍ୟାପାର ବିଭାଗର ସଚିବ ଜେନେରାଲ ବିପିନ ଚନ୍ଦ୍ର ରାୱତ, ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରୱଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ, ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶାଲ ଆରକେଏମ୍ ଭଦୌରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଏବଂ ପ୍ରତିରକ୍ଷା ବିଲ ବିଭାଗ ସଚିବ  ଶ୍ରୀମତୀ ଗାର୍ଗୀ କାଉଲ ପ୍ରମୁଖ ଯୋଗ ଦେଇଥିଲେ  ।

ପ୍ରତିରକ୍ଷା ମନ୍ତ୍ରୀ ଏହି ଅବସରରେ କୋଭିଡ-19 ବିରୋଧୀ ଲଢେଇରେ ତିନି ସେନାପକ୍ଷରୁ ସ୍ଥାନୀୟ ବେସାମରିକ ପ୍ରଶାସନକୁ ଯୋଗାଇ ଦିଆଯାଇଥିବା ସାହାଯ୍ୟ ସହଯୋଗ ନେଇ ସନ୍ତୋଷ ପ୍ରକାଶ କରିଥିଲେ । କୋଭିଡ-19 ବିରୋଧୀ ଲଢେଇରେ ସାହାଯ୍ୟ ସହଯୋଗ ରଖିବା ସମୟରେ ତିନି ବାହିନୀ ତାହାର ସାମରିକ ପ୍ରସ୍ତୁତି ଓ ରଣନୀତି ଜାରି ରଖିବାକୁ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଥିଲେ । କରୋନା ବିରୋଧୀ ଲଢେଇରୁ ଶତ୍ରୁ ଯେପରି କୌଣସି ସୁଯୋଗ ନେଇ ଅନ୍ୟ କିଛି ଅଘଟଣ ନଘଟାନ୍ତି ସେଥିପାଇଁ ତତ୍ପର ଏବଂ ହୁସିଆର ରହିବାକୁ ସେ ପରାମର୍ଶ ଦେଇଥିଲେ ।

ଏବେ କରୋନା ଯୋଗୁଁ ଦେଶ ଉପରେ ଆର୍ଥିକ ବୋଝ ପଡିଥିବାରୁ ସେନା ପାଖରେ ଯେଉଁ ଆର୍ଥିକ ସମ୍ବଳ ରହିଛି ତାହାର ଅପବୟ ନକରି ସୁବିନିଯୋଗ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ପରିସ୍ଥିତିର ମୁକାବିଲା ପାଇଁ ତିନି ବାହିନୀ ସମନ୍ୱୟ ରକ୍ଷା କରିବା ସହ ଲକଡାଉନ ଉଠିବା ପରେ ଅର୍ଥ ନୀତିକୁ ସୁଧାରିବା ନିମନ୍ତେ କେଉଁ କ୍ଷେତ୍ରରେ ସେନା ସହଯୋଗ କରିପାରିବ ତାହା  ଠାବ କରିବାକୁ ସେ ପରମର୍ଶ ଦେଇଥିଲେ ।

କୋଭିଡ ମୁକାବିଲା ପାଇଁ ସେନାର ତିନିଅଙ୍ଗ ବେସାମରିକ ପ୍ରଶାସନକୁ କିପରି ସାହାଯ୍ୟ ସହଯୋଗ କରୁଛି ତାହା ପ୍ରତିରକ୍ଷା ମନ୍ତ୍ରୀଙ୍କୁ କମାଣ୍ଡମାନେ ଅବଗତ କରୁଥିଲେ । ଏହାଛଡା ସେନାର ଯବନା ଓ ଅଧିକାରୀମାନେ ସଂକ୍ରମଣ ମୁକ୍ତ କରିବା ପାଇଁ କିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରମର୍ଶକୁ ପାଳନ କରୁଛନ୍ତି ତାହା ମଧ୍ୟ ଜଣାଇଥିଲେ । ବିଭିନ୍ନ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ସେନା ପକ୍ଷରୁ କୋଭିଡ ମୁକାବିଲା କାମରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରାଯାଉଥିବା ଜାଣି ପ୍ରତିରକ୍ଷା ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ବିଭିନ୍ନ ହସପିଟାଲକୁ ଲକଡାଉନ ସମୟରେ ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସେନାନିଯୁକ୍ତି ଯବାନ ଓ ସାମରିକ ଅଧିକାରୀମାନଙ୍କୁ କୋଭିଡ ସଂକ୍ରମଣ କାଳରେ ସହାୟତା, ଯୋଗାଣ ଏବଂ ପରିବହନ କାର୍ଯ୍ୟରେ ସେନା ଆବଶ୍ୟକ ସାହାଯ୍ୟ ସହଯୋଗ  ଯୋଗାଉଥିବା ବୈଠକରୁ ପ୍ରକାଶ ।

ଏହି ବୈଠକରେ ଦେଶର ବିଭିନ୍ନ କମାଣ୍ଡ ଓ ସାମରିକ ସାମ୍ମୁଖ୍ୟର ମୁଖ୍ୟମାନେ ମଧ୍ୟ ଭାଗ ନେଇଥିଲେ ।

 

**********


(रिलीज़ आईडी: 1617971) आगंतुक पटल : 240
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam