ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

Posted On: 24 APR 2020 5:32PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ସାରାଦେଶର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ। ଲକଡାଉନ ପଦକ୍ଷେପକୁ ଜାରି ରଖିବା ନିମନ୍ତେ ସେମାନଙ୍କ ଅନୁଭୂତି ଏବଂ ପ୍ରୟାସ ବିଷୟରେ ସରପଞ୍ଚମାନେ କହିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ସଙ୍କଟପୂର୍ଣ୍ଣ ସମୟରେ ପ୍ରକୃତ ଶିକ୍ଷା ମିଳିଥାଏ। ବର୍ତ୍ତମାନର ଆମକୁ ଆତ୍ମନିର୍ଭରଶୀଳତାର ବଡ଼ ଶିକ୍ଷା ଦେଇଛି। ସେ ପଞ୍ଚାୟତଗୁଡ଼ିକୁ ସେମାନଙ୍କ ଭିତ୍ତିଭୂମି ସୁଧାରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏବଂ ଉନ୍ନତ ସତର୍କତା ନିମନ୍ତେ କରୋନା ଠାବ ଆପ ‘ଆରୋଗ୍ୟ ସେତୁ’ ଡାଉନଲୋଡ କରିବା ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ।

କୋଭିଡି-19 ମୁକାବିଲା ଲାଗି ପ୍ରସ୍ତୁତି ଓ ପଦକ୍ଷେପ ସମୀକ୍ଷା କରିବା ନିମନ୍ତେ ଆଜି ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ ବର୍ତ୍ତମାନସୁଦ୍ଧା ରାଜ୍ୟଗୁଡ଼ିକର ପ୍ରୟାସ ପାଇଁ ସେ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେଉଥିବା ଏବଂ ଅଧିକ ମୃତ୍ୟୁହାର ଥିବା ଜିଲ୍ଲାଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ଅନୁରୋଧ କରିଥିଲେ।

ନିରୀକ୍ଷଣ, ଘରକୁ ଘର ବୁଲି ସକ୍ରିୟ ସଂକ୍ରମିତଙ୍କୁ ଚିହ୍ନଟ କରିବା, ଆଗୁଆ ସଂକ୍ରମିତଙ୍କୁ ଚିହ୍ନଟ କରିବା ଏବଂ ଉପଯୁକ୍ତ ଚିକିତ୍ସା ପରିଚାଳନା ମଧ୍ୟମରେ ରୋଗୀଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ଦେଇ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ଡ. ହର୍ଷ ବର୍ଦ୍ଧନ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀ, କୋଭିଡ-19 ସଂକ୍ରମିତ ଏବଂ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ମିଳୁଥିବା ଅପବାଦ ଓ ବାଛବିଚାର ରୋକିବା ଲାଗି ନିଆଯାଉଥିବା ପଦକ୍ଷେପକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବା ନିମନ୍ତେ ସେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।

ଏଥିପୂର୍ବରୁ ଡ. ହର୍ଷ ବର୍ଦ୍ଧନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ସଦସ୍ୟ ଥିବା ସମସ୍ତ ଦେଶର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। କୋଭିଡ-19 ମୁକାବିଲା ଲାଗି ବର୍ତ୍ତମାନସୁଦ୍ଧା ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ସେମାନଙ୍କୁ ଅବଗତ କରାଇଥିଲେ ତଥା ଭାରତର ପରିଚାଳନା ପ୍ରୟାସ ଦୁଇଟି ନୀତି- ସାମୁଦାୟିକ ସମ୍ପୃକ୍ତି ଓ ଅବରୋଧ ପ୍ରୟାସ ଉପରେ ନିର୍ଭରଶୀଳ ବୋଲି ସେମାନଙ୍କୁ କହିଥିଲେ।

ଆଜି ସୁଦ୍ଧା ପୂର୍ବରୁ ମାମଲା ଥିବା 15ଟି ଜିଲ୍ଲାରେ ବିଗତ 28 ଦିନ ମଧ୍ୟରେ ଜଣେ ହେଲେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ଏହାଛଡ଼ା ଏହି ଜିଲ୍ଲାଗୁଡ଼ିକ ତାଲିକାରେ ତିନୋଟି ଜିଲ୍ଲା ଯୋଡ଼ି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ଛତିଶଗଡ଼ର ଦୁର୍ଗ ଏବଂ ରାଜନନ୍ଦନଗାଓଁ ଓ ମଧ୍ୟପ୍ରଦେଶର ଶିବପୁରୀ।

ଆହୁରି, 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 80ଟି ଜିଲ୍ଲାରେ ବିଗତ 14 ଦିନ ମଧ୍ୟରେ ଆଦୌ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ।

@CovidIndiaSeva ଟ୍ବିଟର ହାଣ୍ଡେଲ ଜରିଆରେ ବାସ୍ତବ ସମୟରେ ବିଶ୍ବାସଯୋଗ୍ୟ ସ୍ବାସ୍ଥ୍ୟ ଓ ସାଧାରଣ ସୂଚନା ଯୋଗାଇ ଦିଆଯାଉଛି। ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେବା ଲାଗି ବିଶେଷଜ୍ଞମାନେ ତୁରନ୍ତ ଏଥିରେ ସୂଚନା ଦେଉଛନ୍ତି।

ଆଜିସୁଦ୍ଧା, 20.57% ହାରରେ 4,748 ଜଣ ସଂକ୍ରମିତ କୋଭିଡ-19ରୁ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ସୁଦ୍ଧା ଆଜି ମଧ୍ୟରେ ଦେଶରେ ମୋଟ 1684 ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦେଶରେ 23,077 ଜଣ ମୋଟ ସଂକ୍ରମିତଙ୍କ ମଧ୍ୟରୁ 718 ଜଣ ପ୍ରାଣ ହରାଇଛନ୍ତି।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ।

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

**********

 



(Release ID: 1617963) Visitor Counter : 197