ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା
Posted On:
23 APR 2020 5:46PM by PIB Bhubaneshwar
କୋଭିଡ-19ର ମୁକାବିଲା, ନିରାକରଣ ଓ ପ୍ରତିରୋଧ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି ।
କୋଭିଡ-19 ମହାମାରୀ ସଂକ୍ରମଣ ପରିସ୍ଥିତିକୁ ଆଖି ଆଗରେ ରଖି ମହାମାରୀ ରୋଗ ଆଇନ, 1897ରେ ସଂଶୋଧନ ଆଣିବା ଲାଗି ଅଧ୍ୟାଦେଶ ଜାରି କରାଯାଇଛି। ଏହି ଅଧ୍ୟାଦେଶର ନାମ ରଖାଯାଇଛି ମହାମାରୀ ରୋଗ (ଆଇନ) ଅଧ୍ୟାଦେଶ 2020, ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ, “ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରକାରର ହିଂସାତ୍ମକ କାର୍ଯ୍ୟକଳାପ ଏବଂ କୌଣସି ସମ୍ପତ୍ତିର କ୍ଷତି କିମ୍ବା ନଷ୍ଟ କରିବାକୁ ନିଷିଦ୍ଧ କରାଯାଇଛି”। ଏହି ଅଧ୍ୟାଦେଶରେ କୌଣସି ପ୍ରକାର ହିଂସାକୁ ଦଣ୍ଡନୀୟ ଏବଂ ଜାମିନବିହିନ ଅପରାଧ ଭାବେ ଅଭିହିତ କରାଯାଇଛି ।
ଏପରି ହିଂସାରେ ଲିପ୍ତ ରହିବା କିମ୍ବା ଷଡ଼ଯନ୍ତ୍ର କରିବାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ତିନି ମାସରୁ 5 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ 50,000 ଟଙ୍କାରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ ହେବ । ଗୁରୁତର କ୍ଷତି ଘଟାଇଥିଲେ 6 ମାସରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ 1ଲକ୍ଷରୁ 5 ଲକ୍ଷ ଟଙ୍କା ଜୋରିମାନା ଦଣ୍ଡବିଧାନ କରାଯିବ। ଏହା ବ୍ୟତୀତ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ସହିତ ନଷ୍ଟ ହୋଇଥିବା ସମ୍ପତ୍ତିର ବଜାର ଦର ଠାରୁ ଦୁଇ ଗୁଣ ହାରରେ ଜୋରିମାନା ଆଦାୟ କରାଯିବ (ଏହାକୁ ଅଦାଲତ ନିର୍ଦ୍ଧାରଣ କରିବେ) ।
ଆଜି ସୁଦ୍ଧା 12ରୁ ଊର୍ଦ୍ଧ୍ବ ଜିଲ୍ଲାରେ 28 ଦିନରୁ ଅଧିକ ସମୟ ହେବ ଗୋଟିଏ ହେଲେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ । 21 ଏପ୍ରିଲ, 2020 ପରେ ଏହି ତାଲିକାରେ 8ଟି ନୂଆ ଜିଲ୍ଲା ଯୋଡ଼ି ହୋଇଛି। ଏଗୁଡ଼ିକ ହେଲା : କର୍ଣ୍ଣାଟକର ଚିତ୍ରଦୁର୍ଗ, ଛତିଶଗଡ଼ର ବିଳାସପୁର, ମଣିପୁରର ପଶ୍ଚିମ ଇମ୍ଫାଲ, ମିଜୋରାମର ପଶ୍ଚିମ ଆଇଜଲ, ତେଲଙ୍ଗାନାର ଭଦ୍ରଦାରୀ କୋଠାଗୁଡ଼େମ, ଉତ୍ତର ପ୍ରଦେଶର ପିଲିଭିତ, ପଞ୍ଜାବର ଏସବିଏସ ନଗର ଏବଂ ଗୋଆର ଦକ୍ଷିଣ ଗୋଆ।
ଆହୁରି 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 78ଟି ଜିଲ୍ଲାରେ ବିଗତ 14 ଦିନ ମଧ୍ୟରେ ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ଚିହ୍ନଟ କରାଯାଇନାହିଁ।
ଏବେ ସୁଦ୍ଧା 19.89 ହାରରେ 4,257 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 1409 ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନସୁଦ୍ଧା ଦେଶରେ ମୋଟ 21,393 ଜଣ କୋଭିଡ-19 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।
କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ।
କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି ।
**********
(Release ID: 1617644)
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam