ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
प्रविष्टि तिथि:
17 APR 2020 5:59PM by PIB Bhubaneshwar
ମନ୍ତ୍ରୀ ଗୋଷ୍ଠୀ ବୈଠକରେ କରୋନା ବିରୋଧୀ ପଦକ୍ଷେପ ଓ ସ୍ଥିତିର ସମୀକ୍ଷା
କୋଭିଡ-19ର ମୁକାବିଲା, ଦୂରୀକରଣ ଓ ପରିଚାଳନା କ୍ଷେତ୍ରରେ ଭାରତ ସରକାର ରାଜ୍ୟ ସରକାରମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ଗତିବିଧି ଓ ଫଳାଫଳକୁ ନିୟମିତ ଭାବେ ଉଚ୍ଚ ସ୍ତରରେ ସମୀକ୍ଷା କରାଯାଉଛି ।
ଏ ସମ୍ପର୍କରେ ଗଠିତ ମନ୍ତ୍ରୀ ଗୋଷ୍ଠୀର ଦ୍ଵାଦଶ ବୈଠକ ଶୁକ୍ରବାର ନୂଆଦିଲ୍ଲୀର ନିର୍ମାଣ ଭବନରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିବର୍ଦ୍ଧିତ ଲକଡାଉନର ପ୍ରଭାବ ଏବଂ ଭବିଷ୍ୟତର କାର୍ଯ୍ୟସୂଚୀ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । କରୋନାର ନିଦାନ, ଏହାର ପ୍ରତିଷେଧକ ଟୀକା ପ୍ରସ୍ତୁତି, ଔଷଧ, ହସ୍ପିଟାଲ ଉପକରଣ ତିଆରି ଏବଂ ସାଧାରଣ ସତର୍କତା ଓ ସୁସ୍ଥତା ଆଦି ସମ୍ପର୍କରେ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତିଷ୍ଠାନଗୁଡିକ ଯେଉଁସବୁ ଉଦ୍ୟମ ଚଳାଇଛନ୍ତି ସେ ବିଷୟରେ ମନ୍ତ୍ରୀଗୋଷ୍ଠୀ ମଧ୍ୟ ଆଲୋଚନା କରିଥିଲେ ।
ଏ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ଓ ବାୟୋଟେକ୍ନୋଲୋଜି ବିଭାଗ, ସିଏସଆଇଆର, ଭାରତୀୟ ଭେଷଜ ପରିଷଦ (ଆଇସିଏମଆର), ଆଣବିକ ଶକ୍ତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ମିଳିତ ପ୍ରୟାସର ଲକ୍ଷ୍ୟ ହେଲା କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ନିର୍ଭୁଲ ତଥ୍ୟ 30 ମିନିଟ ଭିତରେ ପାଇବାର ଉପଯୁକ୍ତ ଜ୍ଞାନ କୌଶଳ ବାହାର କରିବା, ଦେଶର 30ଟି ପ୍ରମୁଖ ସରକାରୀ ପରୀକ୍ଷାଗାରରେ କରୋନା ନମୁନା ପରୀକ୍ଷା କ୍ଷମତା ବୃଦ୍ଧି, ପୁଲିଂ ସାମ୍ପଲ ଟେଷ୍ଟ ପାଇଁ ନୂଆ ଜ୍ଞାନ କୌଶଳ ବାହାର କରି ଅଳ୍ପ ସମୟରେ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରିବା, ଭାଇରାଲ ସେକୁଏନ୍ସିଙ୍ଗ ବଢାଇ ମହାମାରୀର କାରଣ ଓ ଏହାର ଭୂତାଣୁର ଲାବରେଟୋରୀ ମ୍ୟୁଟେସନ ଦକ୍ଷତା ହାସଲ ଏବଂ ସ୍ଵଦେଶୀ ଜ୍ଞାନ କୌଶଳ ଏବଂ ସାମଗ୍ରୀରେ କୋଭିଡ ପରୀକ୍ଷା ତଥା ଚିକିତ୍ସା ପାଇଁ ଉପକରଣ (କୀଟ) ଯଥାଶୀଘ୍ର ପ୍ରସ୍ତୁତ କରିବା ।
କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥିରେ କିଛି ସଫଳତା ମିଳିଥିବା ଏହି ସମୀକ୍ଷା ବୈଠକରୁ ଜଣା ପଡିଛି । ଭାଇରାଲ ସେକୁଏନ୍ସିଙ୍ଗ ମାଧ୍ୟମରେ ଭୂତାଣୁକୁ ନିଷ୍କ୍ରିୟ କରିବା, ସଂକ୍ରମଣ ବିରୋଧରେ ମଣିଷ ଶରୀରରେ ଆବଶ୍ୟକ ପ୍ରତିରୋଧ ଶକ୍ତି ସୃଷ୍ଟି, ମନୋକ୍ଲୋନାଲ ଓ ଆରଏନଏ ଭିତ୍ତିକ ଟୀକା ତିଆରି କାମରେ ପ୍ରଗତି ପରିଲକ୍ଷିତ ହୋଇଛି ।
କରୋନା ନିରୋଧୀ ପ୍ରଭାବଶାଳୀ ଟୀକା ଯେପରି ଶୀଘ୍ର ପ୍ରସ୍ତୁତ ହୋଇପାରିବ ସେଥିପାଇଁ ମଧ୍ୟ ଭାରତ ବିଶ୍ଵର ବିଭିନ୍ନ ଅଂଶୀଦାରଙ୍କ ସହ ମିଶି କାମ କରୁଛି । ଭାରତ ଏ କ୍ଷେତ୍ରରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ‘ସଲିଡାରିଟୀ’ ପ୍ରୟାସର ସଦସ୍ୟ ହୋଇଥିବାରୁ କରୋନା ମହାମାରୀର ସଫଳ ମୁକାବିଲା ଓ ଏହାର ନିରାକରଣ ଦିଗରେ ନିଜର କର୍ତ୍ତବ୍ୟ ନିର୍ବାହ କରୁଛି । କୋଭିଡ-19 ପାଇଁ ବ୍ୟବହୃତ ହେଉଥିବା ଅନୁମୋଦିତ ଔଷଧ ଓ ଚିକିତ୍ସା ବିଧିକୁ ଏକ ବୈଜ୍ଞାନିକ ଟାସ୍କଫୋର୍ସ ନିୟମିତ ମୂଲ୍ୟାଙ୍କନ କରୁଛି । ଆୟୁଷ ମନ୍ତ୍ରଣାଳୟ ଓ ସିଏସଆଇଆର ମଧ୍ୟ ସ୍ଵଦେଶୀ ଜ୍ଞାନ କୌଶଳ ଉପଯୋଗ କରି ଆଣ୍ଟି ଭାଇରାଲ ମଲିକ୍ୟୁଲ ବିକାଶ କରିବାରେ ଭଲ ପ୍ରଗତି ହାସଲ କରିଛନ୍ତି । ପାଇଥୋଫାର୍ମାସ୍ୟୁଟିକାଲକୁ ପାରମ୍ପରିକ ଚିକିତ୍ସା ପଦ୍ଧତିର ଏକ ବିକଳ୍ପ ଭାବେ ଆୟୁଷ ମନ୍ତ୍ରଣାଳୟ ବିକଶିତ କରୁଛି।
କରୋନା ବିରୋଧରେ ବ୍ୟବହୃତ ସୁରକ୍ଷା ଉପକରଣ, ଅକ୍ସିଜେନ କନସେନଟ୍ରେଟର, ଭେଣ୍ଟିଲେଟର ଆଦିର ଉତ୍ପାଦନ ଦେଶରେ ବଢିଛି । ସିଏସଆଇଆର ଇଞ୍ଜିନିୟରମାନେ ଏଥିପାଇଁ ଦେଶୀ ଡିଜାଇନ ପ୍ରସ୍ତୁତ କରିଛନ୍ତି । ସେହିଭଳି ତିରୁମାଲା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ପ୍ରତିଷ୍ଠାନ ଆସନ୍ତା ମାସ ସୁଦ୍ଧା ମାସକୁ 10 ଲକ୍ଷ୍ୟ ଆରଟି-ପିସିଆର କିଟ ଉତ୍ପାଦନ କରିବ। ଏହା ସହିତ ଆସନ୍ତା ମାସରୁ ମଧ୍ୟ ମାସିକ 10 ଲକ୍ଷ୍ୟ ରାପିଡ଼ ଆଣ୍ଟିବଡି ଟେଷ୍ଟ କିଟ ଉତ୍ପାଦିତ ହେବ । ଯେଉଁ ରାଜ୍ୟରେ ସଂକ୍ରମଣ ହାର ଅଧିକ ଅଛି ସେସବୁ ରାଜ୍ୟକୁ ଇତି ମଧ୍ୟରେ ଏଭଳି 5 ଲକ୍ଷ୍ୟ ଟେଷ୍ଟ କିଟ ଯୋଗାଇ ଦିଆ ଯାଇଛି । ଏବେ ଦେଶରେ ମାସକୁ 6 ହଜାର ଭେଣ୍ଟିଲେଟର ତିଆରି ହେଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଦ୍ଧକାଳିନ ଭିତ୍ତିରେ ସବୁ କାମ ହାତକୁ ନେଇଛି । ରାଜ୍ୟମାନଙ୍କ ସହ ସହଯୋଗ ଭିତ୍ତିରେ ଅଧିକରୁ ଅଧିକ କୋଭିଡ ହସ୍ପିଟାଲ ଖୋଲିବା ସହ ଆବଶ୍ୟକ ଚିକିତ୍ସା ଉପକରଣ ଓ ସେବା ଯୋଗାଣ ଅବ୍ୟାହତ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନଗୁଡିକ ସହ ସିଧାସଳଖ ସମ୍ପର୍କ ରଖାଯାଇଛି ।
ଏବେ ଦେଶରେ 672 ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, 1247 କୋଭିଡ ଚିକିତ୍ସା କେନ୍ଦ୍ର (ସ୍ୱାସ୍ଥ୍ୟ କେନ୍ଦ୍ର) କାର୍ଯ୍ୟ କରୁଛି। ଏହି ଦୁଇ ବ୍ୟବସ୍ଥାରେ ମୋଟ 1,73,746 ଆଇସୋଲେସନ ବେଡ ଓ 21,806 ଆଇସିୟୁ ବେଡ ଉପଲବ୍ଧ।
ଲକଡାଉନ ପୂର୍ବରୁ ଭାରତର ଡବଲିଙ୍ଗ ରେଟ (ଦ୍ଵିଗୁଣିତ ହାର) ପ୍ରାୟ ତିନିଦିନ ଥିଲା । ଗତ ସାତ ଦିନ ମଧ୍ୟରେ ଏହି ଡବଲିଙ୍ଗ ହାର 6.2 ଦିନ ରହିଛି । ଓଡିଶା, ବିହାର, କେରଳ, ହରିୟାଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ଆସାମ, ଜମ୍ମୁ–କଶ୍ମୀର, ଦିଲ୍ଲୀ, ଚଣ୍ଡୀଗଡ଼ ଓ ତ୍ରିପୁରା ଆଦି 19 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବେ ଉଚ୍ଚ ଡବଲିଙ୍ଗ ହାର ପ୍ରଦର୍ଶନ କରୁଛନ୍ତି ଯାହା ଜାତୀୟ ହାରଠାରୁ ଭଲ । ଏହାର ଅର୍ଥ ଏସବୁ ରାଜ୍ୟରେ ସଂକ୍ରମଣ ହାର କେତେକାଂଶରେ ହ୍ରାସ ପାଇଛି ।
2020 ଏପ୍ରିଲ 1 ରେ ହାରାହାରି ଅଭିବୃଦ୍ଧି ହାର 1.2 ଥିବାବେଳେ ଏହାର ଦୁଇ ସପ୍ତାହ ପୂର୍ବରୁ (ମାର୍ଚ୍ଚ 15 ରୁ 31) 2.1 ଥିଲା । ତେଣୁ ସଂକ୍ରମଣ ବୃଦ୍ଧି ହାରରେ 40 ଶତାଂଶ ହ୍ରାସ ପାଇଛି ।
ଗୁରୁବାରଠାରୁ ଦେଶରେ 1007 ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି ଏବଂ ଏହି ସମୟ ମଧ୍ୟରେ ଆଉ 23 ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 13,357ରେ ପହଞ୍ଛିଛି । ଏହାଛଡା 1749 ଜଣ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ।
କୋଭିଡ ସଂକ୍ରାନ୍ତ ସମସ୍ତ ବୈଷୟିକ ଅନୁସନ୍ଧାନ ପାଇଁ technicalquery.covid-19[at]gov[dot]in. ରେ ଓ ଅନ୍ୟାନ୍ୟ ଅନୁସନ୍ଧାନ ପାଇଁ ncov2019[at]gov[dot]in ରେ ଯୋଗାଯୋଗ କରନ୍ତୁ । ଏହାଛଡା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ +91-11-23978046 କିମ୍ବା 1075 (ଟୋଲ ଫ୍ରୀ) ମାଧ୍ୟମରେ ପ୍ରଶ୍ନ ପଚରାଯାଇପାରିବ।
******
(रिलीज़ आईडी: 1615632)
आगंतुक पटल : 306
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam