ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଲକଡାଉନ କାଳରେ ଫି ନମାଗିବା ଓ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କଲ୍ୟାଣ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ
Posted On:
16 APR 2020 4:29PM by PIB Bhubaneshwar
କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି । ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଆସିଟିଇକୁ ନିର୍ଦ୍ଦେଶ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଏଆଇସିଟିଇ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ କେତେକ ନିର୍ଦ୍ଦେଶାବଳୀ ଜାରି କରିଛି । ସେହି ଅନୁସାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସେମାନଙ୍କ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ମାର୍ଗଦର୍ଶିକା ଜାରି କରାଯାଇ ଏହାର କଡାକଡି ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
- ଶିକ୍ଷାନୁଷ୍ଠାନ ଦେୟ – ଲକଡାଉନ କାଳରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡିକ ସେମାନଙ୍କର ଆଡମିସନ ସମେତ ଅନ୍ୟାନ୍ୟ ଫି ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଏଆଇସିଟିଇର ନଜରକୁ ଆସିଛି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, କୌଣସି ଶିକ୍ଷାନୁଷ୍ଠାନ ଲକଡାଉନ ଉଠିବା ସହ ସ୍ଵାଭାବିକ ଅବସ୍ଥାକୁ ନଫେରିବା ଯାଏଁ ପିଲାମାନଙ୍କ ଠାରୁ ଫି ଆଦାୟ କରିପାରିବେ ନାହିଁ । ସେ ଦୃଷ୍ଟିରୁ ବିଭିନ୍ନ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଏସଂକ୍ରାନ୍ତରେ ସମସ୍ତ ତଥ୍ୟ ନିଜ ୱେବସାଇଟରେ ଦେବା ସହ ବିଦ୍ୟାର୍ଥୀମାନଙ୍କୁ ଇ-ମେଲ ଜରିଆରେ ଜଣାଇବା ପାଇଁ ଏଆଇସିଟିଇ ପକ୍ଷରୁ କୁହାଯାଇଛି ।
- ଲକଡାଉନ କାଳରେ ଅନେକ ଶିକ୍ଷାନୁଷ୍ଠାନ ସେମାନଙ୍କ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବେତନ ପଇଠ ନକରିଥିବା ଦୃଷ୍ଟିକୁ ଆସିଛି । କେତେକ ଅନୁଷ୍ଠାନ ସେମାନଙ୍କ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରିଦେଇଛନ୍ତି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, ଲକଡାଉନ କାଳରେ ବେତନ ପଇଠ ନକରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ବେତନ ଦେବା ଓ କାର୍ଯ୍ୟରୁ ଅନ୍ତର କରିଥିବା କର୍ମଚାରୀମାନଙ୍କୁ ପୁଣି ଚାକିରିରେ ରଖିବାକୁ ପଡିବ । ଏହାକୁ ଯଥାଶୀଘ୍ର କଡାକଡି ଭାବେ ଲାଗୁ କରିବା ପାଇଁ କୁହାଯାଇଛି । ଏସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି ।
- ଅପପ୍ରଚାର ରୋକିବା – କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଓ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ଜରିଆରେ ଅପପ୍ରଚାର ଚଳାଇବା ସହ ଗୁଜବ ସୃଷ୍ଟି କରୁଛନ୍ତି । ଏଗୁଡ଼ିକୁ ନିରୁତ୍ସାହିତ କରିବା ସହ ଏସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସମସ୍ତଙ୍କର କର୍ତ୍ତବ୍ୟ । କେନ୍ଦ୍ର ସ୍ଵରାଷ୍ଟ୍ର ବିଭାଗ, ୟୁଜିସି ବା ଏଆଇସିଟିଇ ପକ୍ଷରୁ ଜାରି ବିବୃତିଗୁଡିକୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଘଟଣାର ତାଜାସ୍ଥିତି ଜାଣିବା ପାଇଁ ଏହି ବିଭାଗଗୁଡିକର ୱେବସାଇଟକୁ ଅନୁସରଣ କରିବା ଦରକାର । ସେହିଭଳି ବିଭିନ୍ନ ସରକାରୀ ସର୍କୁଲାର ଓ ମନ୍ତ୍ରଣାଳୟ ଓ ବିଭାଗଗୁଡିକର ୱେବସାଇଟକୁ ମଧ୍ୟ ଅନୁସରଣ କରାଯାଇପାରିବ ।
- ପ୍ରଧାନମନ୍ତ୍ରୀ ସ୍ଵତନ୍ତ୍ର ଛାତ୍ରବୃତ୍ତି ଯୋଜନା – ଲକଡାଉନ ଯୋଗୁଁ ଅନେକ କ୍ଷେତ୍ରରେ ଛାତ୍ରବୃତ୍ତି 2020-21 ଶିକ୍ଷା ବର୍ଷ ପାଇଁ ସୀମିତ ଇଣ୍ଟରନେଟ ସର୍ଫିଙ୍ଗ ଦୃଷ୍ଟିରୁ ଛାତ୍ରବୃତ୍ତି ପ୍ରଦାନ ବିଲମ୍ଭିତ ହୋଇଛି । ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, ଲକଡାଉନ ଉଠିବା ପରେ ଛାତ୍ରବୃତ୍ତି ଯୋଜନା ପୂର୍ବଭଳି ବଳବତ୍ତର ରହିବ । ସମୟକ୍ରମେ ଏଆଇସିଟିଇର ୱେବସାଇଟରେ ଶିକ୍ଷା ବର୍ଷର ବିଭିନ୍ନ ଘଟଣାବଳୀ ଉପରେ ସୂଚନା ଦିଆଯିବ ।
- ଅନଲାଇନ କ୍ଳାସ ଓ ସେମିଷ୍ଟାର ପରୀକ୍ଷା – ଏଠାରେ ସ୍ପଷ୍ଟ କରିଦିଆଯାଉଛି ଯେ, ଚଳିତ ସେମିଷ୍ଟାର ପାଇଁ ଅନଲାଇନ ପାଠପଢା ସମ୍ପ୍ରସାରିତ ଲକଡାଉନ ଅବଧି ମଧ୍ୟରେ ମଧ୍ୟ ଜାରି ରହିବ । ପର୍ଯ୍ୟାୟକ୍ରମେ ୟୁଜିସି ଓ ଏଆଇସିଟିଇ ତରଫରୁ ଏକ ସଂଶୋଧିତ ଶୈକ୍ଷିକ କ୍ୟାଲେଣ୍ଡର ଜାରି କରାଯିବ । ସେମିଷ୍ଟାର ପରୀକ୍ଷାଗୁଡିକର ପରିଚାଳନା ନିମନ୍ତେ ୟୁଜିସି ବିଭିନ୍ନ ଯଥା ପରୀକ୍ଷା କରାଇବା, ମାର୍କ ଦେବା ଓ ପାସର ମାନଦଣ୍ଡ ସୁପାରିସ କରିବ । ଏସଂକ୍ରାନ୍ତରେ ପୃଥକଭାବେ ନିର୍ଦ୍ଦେଶ ଦିଆଯିବ ଏବଂ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ୟୁଜିସି ଓ ଏଆଇସିଟିଇର ୱେବସାଇଟଗୁଡିକ ପ୍ରତି ନଜର ରଖିବେ ।
- ଶିକ୍ଷାନବିସ କାର୍ଯ୍ୟକ୍ରମ – ଏଠାରେ ସୂଚାଇ ଦିଆଯାଉଛି ଯେ, ଅନେକ ବିଦ୍ୟାର୍ଥୀ ସେମାନଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷାନବିସ କାର୍ଯ୍ୟକ୍ରମରେ ଲକଡାଉନ ଯୋଗୁଁ ଯୋଗ ଦେଇପାରିବେ ନାହିଁ । ସେମାନଙ୍କୁ ଏହା ଘରୁ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଏହା ସମ୍ଭବ ନହୁଏ ଆସନ୍ତା ଡିସେମ୍ବରରେ ସଂପୂର୍ଣ୍ଣ କରାଯାଇପାରିବ ।
- ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ଇଣ୍ଟରନେଟର ସମନ୍ଵୟ – କେତେକ ଛାତ୍ରଛାତ୍ରୀ ଇଣ୍ଟରନେଟ ସେବାର ସୁଯୋଗ ନପାଉଥିବାରୁ ସେମାନଙ୍କୁ ଏହି ସେବା ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ଵାରା ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗ୍ରାମାଞ୍ଚଳରେ ଏହି ସେବା ମିଳିବାର ଅସୁବିଧା ଥିବାରୁ ଉପସ୍ଥାନ ନିୟମକୁ କୋହଳ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ପ୍ରତ୍ୟେକ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କଡାକଡି ଭାବେ ଏହି ନିୟମକୁ ପାଳନ କରିବେ, ନହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
**********
(Release ID: 1615180)
Visitor Counter : 231
Read this release in:
English
,
Urdu
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam