କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କୋଭିଡ-19 ସଂକଟ ପରବର୍ତ୍ତୀ କୃଷି କ୍ଷେତ୍ରରେ ରପ୍ତାନୀର ପୁନରୁତ୍ଥାନ ସକାଶେ ସରକାରଙ୍କ ପକ୍ଷରୁ ବିଚାରବିମର୍ଷ ଆରମ୍ଭ

• କୃଷିଜାତ ସାମଗ୍ରୀ ଉତ୍ପାଦକ/ରପ୍ତାନୀକାରୀ ସଂଘମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା

Posted On: 14 APR 2020 2:11PM by PIB Bhubaneshwar

କୃଷି ଏବଂ ତତ୍‌ ସମ୍ପର୍କିତ ସାମଗ୍ରୀ ରପ୍ତାନୀକାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସକାଶେ ସରକାର ଆଲୋଚନା ଆରମ୍ଭ କରିଛନ୍ତି । ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ-19 ସଂକ୍ରମଣ ଜନିତ ସଂକଟ ଏବଂ ଏହାର ପ୍ରଭାବ ଦ୍ୱାରା କୃଷି ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଯେଉଁସବୁ ସମସ୍ୟା ଉପୁଜିଛି, ସେହି ପ୍ରସଙ୍ଗ ଉପରେ ଏହି ଆଲୋଚନା ମୁଖ୍ୟତଃ କେନ୍ଦ୍ରୀତ ଥିଲା । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିର୍ଦ୍ଦେଶ କ୍ରମେ କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ସଚିବ ଶ୍ରୀ ସଞ୍ଜୟ ଅଗ୍ରୱାଲ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗତକାଲି କୃଷି ଓ ତତ୍‌ ସମ୍ପର୍କିତ ସାମଗ୍ରୀ ରପ୍ତାନୀକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସବିଶେଷ ପ୍ରତ୍ୟକ୍ଷ ସୂଚନା ପ୍ରାପ୍ତ ହୋଇଛନ୍ତି । ସେହିସବୁ ସମସ୍ୟାର କିପରି ସମାଧାନ ହୋଇପାରିବ ଏବଂ ସେଥିପାଇଁ କିଭଳି ଅର୍ଥପୂର୍ଣ୍ଣ ସମାଧାନ ହସ୍ତକ୍ଷେପ କରାଯାଇପାରିବ ଓ ସେସବୁ ତୁରନ୍ତ ସମାହିତ ହେବ ସେ ସଂପର୍କରେ ମତ ବିନିମୟ ହୋଇଥିଲା । କୋଭିଡ-19 ପରିପ୍ରେକ୍ଷୀରେ ଏଭଳି ସଂକଟ ଉତ୍ପନ୍ନ ହୋଇଛି । ରପ୍ତାନୀକାରୀ, ଉତ୍ପାଦକ ସଂଘର ପ୍ରତିନିଧି / କୃଷିଜାତ ସାମଗ୍ରୀ ଯଥା, ଫଳ, ପନିପରିବା ଓ ଅଣ-ବାସୁମତୀ ଚାଉଳ, ବିହନ, ଫୁଲ, ଚାରା, ଜୈବ ଉତ୍ପାଦ, କୃଷି ଉପକରଣ ଏବଂ ଯନ୍ତ୍ରପାତିର ରପ୍ତାନୀକାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ ଅନେକ ସାଧାରଣ ତଥା ସେମାନଙ୍କ କ୍ଷେତ୍ର ସମ୍ପର୍କିତ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସାଧାରଣ ସମସ୍ୟାଗୁଡ଼ିକ ଉପରେ କୃଷିଜାତ ସାମଗ୍ରୀ ରପ୍ତାନୀକାରୀମାନେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଶ୍ରମିକମାନଙ୍କ ଉପଲବ୍ଧତା ଓ ସେମାନଙ୍କ ଚଳନ, ଆନ୍ତଃ-ରାଜ୍ୟ ପରିବହନ କ୍ଷେତ୍ରରେ ଥିବା ସମସ୍ୟା, ମଣ୍ଡି ବନ୍ଦ୍‌ ରହିବା ଯୋଗୁ କଞ୍ଚାମାଲର ଅଭାବ, ଫାଇଟୋ-ସାନିଟାରୀ ସାର୍ଟିଫିକେସନ୍‌, କୋରିଅର୍‌ ସର୍ଭିସ ସେବା ବନ୍ଦ ରହିବା ଫଳରେ ପ୍ରେରଣ କରାଯିବାକୁ ଥିବା କାଗତପତ୍ର, ଫ୍ରେଟ୍‌ ସର୍ଭିସ ସେବାର ଉପଲବ୍ଧତା, ବନ୍ଦର/ ୟାର୍ଡ଼ ପର୍ଯ୍ୟନ୍ତ ପହଞ୍ଚ ଏବଂ ରପ୍ତାନୀ / ଆମଦାନି ହେବାକୁ ଥିବା ସାମଗ୍ରୀକୁ ପଠାଯାଇ ସେସବୁର କ୍ଲିଅରାନ୍ସ ଆଦି ପ୍ରସଙ୍ଗ ଆଲୋଚନା କରାଯାଇଥିଲା ।

ଶିଳ୍ପ ସମ୍ପର୍କିତ ପ୍ରତିନିଧିମାନେ ଖାଦ୍ୟ ପ୍ରକ୍ରିୟାକରଣ, ମସଲା, କାଜୁ ଏବଂ ମେସିନ୍‌ ଓ ଅନ୍ୟାନ୍ୟ ଉପକରଣ (ଏମ ଏଣ୍ଡ ଇ) ସେକ୍ଟର ମୋଟ ସାମର୍ଥ୍ୟର 25-50% ଖୋଲା ରଖିବା/ କାର୍ଯ୍ୟକାରୀ କରିବା ଏବଂ ସେମାନେ ନିଜ ନିଜ ଶିଳ୍ପ ସଂସ୍ଥାମାନଙ୍କରେ କର୍ମଚାରୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ଉପଦେଶିକା ମାନି କାର୍ଯ୍ୟ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଆଭ୍ୟନ୍ତରୀଣ ପରିବହନ ବ୍ୟବସ୍ଥାର ସକଳ ପ୍ରକାର ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି । ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶିକା ଜାରି ହୋଇସାରିଛି । ସେହିଭଳି ନିରବଚ୍ଛିନ୍ନ ଭାବେ ଏବଂ ନିୟମିତ ଭିତ୍ତିରେ ଫାଇଟୋ-ସାନିଟାରୀ ସାର୍ଟିଫିକେଟ୍‌ ଜାରି ଓ ଅନଲାଇନ୍‌ ସାର୍ଟିଫିକେଟ୍‌ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀ ଅଗ୍ରୱାଲ କହିଲେ ଯେ ବନ୍ଦର, ମହାସାଗର ମାଲ ପରିବହନ ସେବା, କୋରିଅର ସେବା ସମ୍ପର୍କିତ ପ୍ରସଙ୍ଗ ଉପରେ ଆବଶ୍ୟକ ପ୍ରସ୍ତାବ ଗ୍ରହଣ ପରେ ହିଁ ନିଷ୍ପତ୍ତି ନିଆଯିବ । ଶିଳ୍ପସଂସ୍ଥାମାନ ଖୋଲିବା ପାଇଁ ଆସିଥିବା ପ୍ରସ୍ତାବ ଏବଂ ନିର୍ଦ୍ଦିଷ୍ଟ ସେକ୍ଟର ସମ୍ପର୍କିତ ପ୍ରସଙ୍ଗ ଉପରେ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ବିଚାର କରି ଯଥା ସମୟରେ ତାହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଭାରତ କୃଷି ଓ ତତ୍‌ ସମ୍ପର୍କିତ ସାମଗ୍ରୀର ବଡ଼ ରପ୍ତାନୀକାରୀ । ଭାରତର କୃଷିଜାତ ଓ ସମ୍ପର୍କିତ ରପ୍ତାନି 2018-19 ଆର୍ଥିକ ବର୍ଷରେ 2.73 ଲକ୍ଷ କୋଟି ହୋଇଛି ଏବଂ ଏହି ସେକ୍ଟର ବାଣିଜ୍ୟ କାରବାରରେ ସଦାବେଳେ ସନ୍ତୁଳନ ରକ୍ଷା କରିଥାଏ । ରପ୍ତାନୀ ଦେଶ ପାଇଁ ଅତ୍ୟନ୍ତ ଜରୁରି ଏବଂ ଏହା ଦେଶ ପାଇଁ ବିଶେଷ ଭାବେ ବୈଦେଶିକ ମୁଦ୍ରା ସଂଗ୍ରହ କରିଥାଏ ।  କୃଷିଜାତ ଦ୍ରବ୍ୟର ରପ୍ତାନି କୃଷକ/ ଉତ୍ପାଦନ/ ରପ୍ତାନିକାରୀମାନଙ୍କୁ ସହାୟକ ହେବା ସହ ଅନ୍ତରାଷ୍ଟ୍ରୀୟ ବଜାରର ସୁବିଧା ନେଇଥାଏ ଓ କୃଷକମାନଙ୍କ ଉପାର୍ଜନ ବୃଦ୍ଧି କରିଥାଏ । ରପ୍ତାନୀ ବ୍ୟବସାୟ ଦ୍ୱାରା ଦେଶରେ କୃଷି ଉତ୍ପାଦନ ବୃଦ୍ଧି ଘଟିଛି ଏବଂ ଏହି କ୍ଷେତ୍ରର କ୍ଷେତ୍ରୀୟ ବ୍ୟାପକତା ବୃଦ୍ଧି ପାଇବା ସହ ଉତ୍ପାଦିକା ମଧ୍ୟ ବଢ଼ିଛି ।

 

**********



(Release ID: 1614514) Visitor Counter : 149