ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମୁକାବିଲା ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ଅଭିଭାଷଣ

• ମେ’ 3 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି
• କଡା ନଜରରେ ରହିବ ହଟ ସ୍ପଟ ଅଞ୍ଚଳ
• ଏପ୍ରିଲ 20ରୁ ହଟ ସ୍ପଟ ଘୋଷିତ ହୋଇନଥିବା ଅଞ୍ଚଳରେ ସର୍ତ୍ତମୂଳକ ଜରୁରିକାଳୀନ ଯାତାୟାତ ସୁବିଧା
• ଆସନ୍ତାକାଲି ସଂପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିବେ ସରକାର
• କୋଭିଡ-19ର ମୁକାବିଲା ଲାଗି 7ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦେଶବାସୀଙ୍କ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ

Posted On: 14 APR 2020 1:04PM by PIB Bhubaneshwar

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଲକଡାଉନ ଅବଧିକୁ ମେ’ 3, 2020 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନ ଅବଧି ଏପ୍ରିଲ 14, 2020ରେ ଶେଷ ହେଉଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ରାଜ୍ୟ ସରକାରମାନଙ୍କ ପରାମର୍ଶ ଓ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ଲକଡାଉନର ନିୟମାବଳୀକୁ ମାନିବା ଓ ସାମାଜିକ ଦୂରତ୍ଵକୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ହଟ ସ୍ପଟ ଭାବେ ଘୋଷିତ ହୋଇନଥିବା ଅଞ୍ଚଳମାନଙ୍କରେ 20 ଏପ୍ରିଲ, 2020 ପରେ ଜରୁରିକାଳୀନ ସେବା ଜନିତ ଯାତାୟାତକୁ ସର୍ତ୍ତମୂଳକ ଅନୁମତି ଦିଆଯାଇପାରେ ।

ଏପ୍ରିଲ 20 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସହର, ଥାନା, ଜିଲ୍ଲା ଓ ପ୍ରତ୍ୟେକ ରାଜ୍ୟରେ ଲକଡାଉନ କିପରି ପାଳନ କରାଯାଉଛି ତାହାର ଆକଳନ କରାଯିବ । କେତେଦୂର ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡିକ କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିଛନ୍ତି ତାହାର ଅନୁଧ୍ୟାନ କରାଯିବ ଏହି କଠିନ ପରୀକ୍ଷାରୁ ଯେଉଁ ଅଞ୍ଚଳ ମୁକୁଳିବ ବା ହଟ ସ୍ପଟ ଶ୍ରେଣୀରେ ନରହିବ ବା ହଟ ସ୍ପଟ ହେବାର ସମ୍ଭାବନା ନଥିବ ସେଠାରେ 20 ଏପ୍ରିଲ ଠାରୁ ସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସୁଯୋଗ ଦିଆଯାଇପାରେ ।

ତେବେ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ, ଏହି ଅନୁମତି ସର୍ତ୍ତମୂଳକ ଏବଂ ବାହାରକୁ ବାହାରିବାର ନିୟମ ଖୁବ କଡା କଡି ହେବ । ଲକଡାଉନ ନିୟମ ଭଙ୍ଗ ହେଲେ କିମ୍ବା ପୁନଃସଂକ୍ରମଣର କୌଣସି ସମ୍ଭାବନା ଦେଖାଦେଲେ ସଙ୍ଗେ ସଙ୍ଗେ ଅନୁମତି ପ୍ରତ୍ୟାହାର କରିନିଆଯିବ

ଏଦିଗରେ ଏକ ସବିଶେଷ ନିୟମାବଳୀ ଆସନ୍ତାକାଲି (15.04.2020) ସରକାର ଜାରି କରିବେ ।

କେତେକ ନିର୍ଦ୍ଦିଷ୍ଟ ଜାଗାରେ ଏହି ସୀମିତ ଛାଡ ପ୍ରକ୍ରିୟା ଆମର ହଜାର ହଜାର ଭାଇଭଉଣୀ ଯେଉଁମାନେ ସବୁଦିନ ଖଟିଲେ ଖାଆନ୍ତି, ସେମାନଙ୍କୁ ଦୃଷ୍ଟିରେ ରଖି କରାଯାଇଛି, ବୋଲି ସେ କହିଥିଲେ ।

ଯେଉଁମାନେ ସବୁଦିନ ଖଟିଲେ ଖାଆନ୍ତି, ସେମାନେ ମୋ ପରିବାର ଭଳି । ସେମାନଙ୍କ ଜୀବନରେ ଏହି ବାଧାବିଘ୍ନକୁ ଦୂର କରିବା ମୋର ସର୍ବୋଚ୍ଚ ପ୍ରାଥମିକତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି ନୂଆ ନିର୍ଦ୍ଦେଶାବଳୀ ସେମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜାରି କରାଯାଇଛି, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୁଁ ଜାଣେ ଆପଣମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିଏ ଖାଦ୍ୟ ପାଇଁ ତ କିଏ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଏବଂ କିଏ ନିଜ ଘରଦ୍ଵାର ଛାଡି ଦୂରରେ ରହୁଥିବା ଯୋଗୁଁ ତେବେ ଆପଣମାନେ ଦେଶ ପାଇଁ ଜଣେ ଶୃଙ୍ଖଳିତ ସୈନିକ ଭାବେ କେବଳ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି ଏହା ହେଉଛି ଆମର ସାମୁହିକ ଶକ୍ତି । ଆମେ ଭାରତୀୟ ଆମ ସମ୍ବିଧାନରେ ସନ୍ନିବେଶିତ ହୋଇ ରହିଛେ

ଦେଶରେ ଜଣେ ମଧ୍ୟ ସଂକ୍ରମିତ ହେବା ପୂର୍ବରୁ ଭାରତ କରୋନା ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବିମାନବନ୍ଦରରେ ଆରମ୍ଭ କରିଦେଇଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା 100 ପହଞ୍ଚିବା ପୂର୍ବରୁ ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ଭାରତ 14 ଦିନିଆ ଏକାନ୍ତବାସ ବାଧ୍ୟତାମୂଳକ କରିଥିଲା କ୍ଲବ, ମଲ ଓ ବ୍ୟାୟାମଶାଳାଗୁଡିକୁ ଅଧିକାଂଶ ଜାଗାରେ ବନ୍ଦ କରିଦିଆଯାଇଥିଲା ।

ବିଶ୍ଵର ବୃହତ ଶକ୍ତିଶାଳୀ ଦେଶମାନଙ୍କର ସଂକ୍ରମଣ ହାର ତୁଳନାରେ ଭାରତ ଆଜି ଏକ ଭଲ ସ୍ଥିତିରେ ଅଛି ।

ପ୍ରାୟ ମାସେ ଦେଢ ମାସ ପୂର୍ବରୁ ଅନେକ ଦେଶର କରୋନା ସଂକ୍ରମଣ ସଂଖ୍ୟା ଭାରତ ସହିତ ପ୍ରାୟ ସମାନ ଥିଲା । କିନ୍ତୁ ଆଜି ଭାରତ ତୁଳନାରେ ସେସବୁ ଦେଶରେ ଏହି ସଂଖ୍ୟା ପ୍ରାୟ 25 ରୁ 30 ଗୁଣ ଅଧିକ ହୋଇଛି । ଏସବୁ ଦେଶରେ ହଜାର ହଜାର ଲୋକଙ୍କର ଦୁଃଖଦ ମୃତ୍ୟୁ ଘଟିଛି ଭାରତ ଯଦି ଏକ ସମନ୍ଵିତ ଢାଞ୍ଚାରେ ଶୀଘ୍ର ଓ ନିଷ୍ପତ୍ତିମୂଳକ ପଦକ୍ଷେପ ନେଇନଥାନ୍ତା, ତେବେ ଭାରତର ପରିସ୍ଥିତି ଆଜି ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତା, ବୋଲି ସେ କହିଥିଲେ

ପ୍ରଧାନମନ୍ତ୍ରୀ ଦେଶକୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ଦେଶରେ ପର୍ଯ୍ୟାପ୍ତ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ଓ ସେଗୁଡିକର ଯୋଗାଣ ଦିଗରେ ଥିବା ବାଧାବିଘ୍ନକୁ ନୀରବଚ୍ଛିନ୍ନ ଭାବେ ଦୂର କରାଯାଉଛି । ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାଧାବିଘ୍ନଗୁଡିକୁ ଦୂର କରିବା ଦିଗରେ ମଧ୍ୟ ଦ୍ରୁତ ପ୍ରଗତି ହାସଲ କରିଛୁ ।

ଜାନୁଆରୀ ମାସରେ ଗୋଟିଏ ମାତ୍ର କରୋନା ଭୂତାଣୁ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ଏହା 220କୁ ବୃଦ୍ଧି ପାଇଛି । ବିଶ୍ଵବ୍ୟାପୀ ମହାମାରୀକୁ ଅନୁଧ୍ୟାନ କଲେ ପ୍ରତି 10 ହଜାର ରୋଗୀଙ୍କ ପାଇଁ 1500 ରୁ 1600 ଶଯ୍ୟା ଦରକାର ହୋଇଥାଏ । ଭାରତରେ ଆଜିସୁଦ୍ଧା ଆମେ 1 ଲକ୍ଷ ଶଯ୍ୟାର ବ୍ୟବସ୍ଥା କରିପାରିଛୁ । କେବଳ ସେତିକି ନୁହେଁ, କରୋନା ଚିକିତ୍ସା ପାଇଁ 600ରୁ ଅଧିକ ଉତ୍ସର୍ଗୀକୃତ ହସ୍ପିଟାଲ ଆମର ଏବେ ରହିଛି । କହିବାକୁ ଗଲେ, ଏହି ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆମେ ଯଦି ଧୈର୍ଯ୍ୟର ସହିତ ନିୟମ ପାଳନ କରିବା ତେବେ କରୋନା ମହାମାରୀକୁ ନିଶ୍ଚିତ ହରାଇବାରେ ସମର୍ଥ ହେବା । ଏହି ବିଶ୍ଵାସର ସହ ମୁଁ ପରିଶେଷରେ ଆପଣମାନଙ୍କ ଠାରୁ 7ଟି ବିଷୟରେ ସମର୍ଥନର ଆଶା କରୁଛି ।

ପ୍ରଥମ ବିଷୟ:

ଘରେ ଥିବା ବୟସ୍କ ଓ ବିଶେଷ କରି ନୀରବଚ୍ଛିନ୍ନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । କରୋନା ସଂକ୍ରମଣରୁ ସେମାନଙ୍କୁ ନିରାପଦ ରଖିବା ପାଇଁ ଆମକୁ ଅତିରିକ୍ତ ଯତ୍ନ ନେବାକୁ ପଡିବ

ଦ୍ଵିତୀୟ ବିଷୟ:

ଲକଡାଉନର ଲକ୍ଷ୍ମଣ ରେଖା ଓ ସାମାଜିକ ଦୂରତ୍ଵର କଡାକଡି ଅନୁପାଳନ । ଘରତିଆରି ମାସ୍କର ନିଶ୍ଚିତ ବ୍ୟବହାର । 

ତୃତୀୟ ବିଷୟ:

ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ରୋଗ ପ୍ରତିଷେଧକ ନିୟମାବଳୀର ଅନୁପାଳନ । ନିୟମିତ ଭାବେ ଗରମ ପାଣି ଓ କାଢା ପିଇବାର ଅନୁପାଳନ

ଚତୁର୍ଥ ବିଷୟ:

କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଓ ଅନ୍ୟମାନଙ୍କୁ ଏହାକୁ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇବା ।

ପଞ୍ଚମ ବିଷୟ:

ଯଥା ସମ୍ଭବ ଗରିବ ପରିବାରଗୁଡିକୁ ସାହାଯ୍ୟ କରିବା । ବିଶେଷକରି ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ପୁରଣକରିବା

ଷଷ୍ଠ ବିଷୟ:

ବ୍ୟବସାୟ ଓ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୟା ପ୍ରଦର୍ଶନ କରି ସେମାନଙ୍କୁ ଜୀବିକାରୁ ବଞ୍ଚିତ ନକରିବା ।

ସପ୍ତମ ବିଷୟ:

ଆମର ଡାକ୍ତର, ନର୍ସ, ସଫେଇ ଓ ପୁଲିସ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।

 

**********



(Release ID: 1614321) Visitor Counter : 231