ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ଦେଶରେ କୋଭିଡ-19 ମହାମାରୀ ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

• 27ଟି ରାଜ୍ୟର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (ଏସଆରଏଲଏମ)ର ପ୍ରାୟ 78 ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କଲେ 2 କୋଟି ମାସ୍କ
• ବିଭିନ୍ନ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା 5000ରୁ ଅଧିକ ପିପିଇ କିଟ୍‌ ପ୍ରସ୍ତୁତ
• 9ଟି ରାଜ୍ୟର ପ୍ରାୟ 900 ଏସଏଚଜି ଉଦ୍ୟୋଗୀ କଲେ 1 ଲକ୍ଷ ଲିଟରରୁ ଅଧିକ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ
• ହାତ ପରିଷ୍କାର ନିମନ୍ତେ କେତେକ ଏସଏଚଜିଙ୍କ ଦ୍ୱାରା ତରଳ ସାବୁନ ଉତ୍ପାଦନ

Posted On: 12 APR 2020 3:40PM by PIB Bhubaneshwar

ବୈଶ୍ୱିକ ମହାମାରୀ କୋଭିଡ- 19 ଏବେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭୂତପୂର୍ବ ଜରୁରି ପରିସ୍ଥିତି ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହା ବିରୋଧରେ ସଫଳ ସଂଗ୍ରାମ ସକାଶେ  ମେଡ଼ିକାଲ ତଥା ପୁଲିସ କର୍ମୀ, ସଫେଇ କର୍ମଚାରୀ ଆଦିଙ୍କ ପାଇଁ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଏବଂ ମୁହଁଘୋଡ଼ା ଉପକରଣର ଅଧିକ ଆବଶ୍ୟକତା ଭଳି ପରିସ୍ଥିତି ସୃଷ୍ଟି କରିଛି । ଦେଶର ଅଧିକାଂଶ କ୍ଷେତ୍ରରେ ଏବେ ଜନସାଧାରଣ ମୁହଁରେ ମାସ୍କ ବାନ୍ଧିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ବିଭାଗ ଅଧୀନସ୍ଥ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବନଜୀବିକା ମିଶନ (ଡ଼ିଏୱାଇ-ଏନଆରଏଲଏମ) ଅଧୀନରେ ଏବେ ସାରା ଦେଶରେ ପ୍ରାୟ 63 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଅଛନ୍ତି ଏବଂ ସେହିସବୁ ଏସଏଚଜିରେ ପ୍ରାୟ 690 ଲକ୍ଷ ମହିଳା ସଦସ୍ୟ ରହିଛନ୍ତି । ଏବେ ସେହିସବୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୋଭିଡ-19 ସଂକ୍ରମଣକୁ ରୋକିବା ସକାଶେ ସୈନିକର ଭୂମିକା ଗ୍ରହଣ କରିଛନ୍ତି । କୋଭିଡ-19 ବିରୋଧରେ ସଂଗ୍ରାମ ନିମନ୍ତେ ମୁହଁରେ ମାସ୍କ ବାନ୍ଧିବା ହେଉଛି ପ୍ରଥମ ଆବଶ୍ୟକତା । ତେଣୁ ଏସଏଚଜିର ସଦସ୍ୟମାନେ ତୁରନ୍ତ ବିଭିନ୍ନ ପ୍ରକାର ମୁହଁବନ୍ଧା ମାସ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭିନ୍ନ ପ୍ରକାର ମାସ୍କ ଯଥା, 2-3 ପ୍ଲାଏ ବୁଣା ଏବଂ ଅଣ-ବୁଣା ସର୍ଜିକାଲ ମାସ୍କ, କପଡ଼ା ମାସ୍କ ଇତ୍ୟାଦି ପ୍ରସ୍ତୁତ କରିବାରେ ବିଭିନ୍ନ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ନିୟୋଜିତ ଅଛନ୍ତି । ଏଭଳି ମାସ୍କ ପ୍ରସ୍ତୁତ କଲାବେଳେ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ), ଖାଉଟି ବ୍ୟାପାର ମନ୍ତ୍ରଣାଳୟ ତଥା ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ଉପଦେଶିକାକୁ ମାନି ଏଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ସେହିସବୁ ମାସ୍କ ସ୍ୱାସ୍ଥ୍ୟ ବିଭାଗ, ପୌର ସଂସ୍ଥା, ସ୍ଥାନୀୟ ପ୍ରଶାସନ, ଛାମୁଆ କର୍ମଚାରୀ, ପୁଲିସ ଅଧିକାରୀମାନଙ୍କୁ ଯୋଗାଇ ଦିଆଯାଉଛି ତଥା ସେସବୁ ବଜାରରେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଉପଲବ୍ଧ ହେଉଛି । ଅନେକ ରାଜ୍ୟରେ ଗ୍ରାମାଞ୍ଚଳ ପରିବାରମାନଙ୍କୁ ଏହା ମାଗଣାରେ ମଧ୍ୟ ଯୋଗାଇ ଦିଆଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯଥା, ଆପ୍ରନ୍‌, ଗାଉନ ଓ ମୁହଁଘୋଡ଼ା ସିଲ୍ଡ ଭଳି ସାମଗ୍ରୀ ପ୍ରସ୍ତୁତ କରିବା କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ ନେଟୱାର୍କ ଦ୍ୱାରା ଏଭଳି ମାସ୍କ, ପିପିଇ, ମୁହଁଘୋଡ଼ା ସିଲ୍ଡ ଆଦି ପ୍ରସ୍ତୁତି ଓ ସେ ସଂପର୍କୀତ ଗଣମାଧ୍ୟମ ରିପୋର୍ଟ ସଂପର୍କରେ ନିମ୍ନରେ ସୂଚୀତ କରାଗଲା:

କ. ମାସ୍କ: ସୂଚୀତ ତଥ୍ୟ ଅନୁସାରେ 27ଟି ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ)ଙ୍କ ଦ୍ୱାରା 1.96 କୋଟି ମାସ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା (8 ଅପ୍ରେଲ, 2020 ସୁଦ୍ଧା)  ପ୍ରସ୍ତୁତ କରାଯାଇଛି । ମାସ୍କ ପ୍ରସ୍ତୁତି କାର୍ଯ୍ୟରେ ପ୍ରାୟ 78,373ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବେ ନିୟୋଜିତ ଅଛନ୍ତି । ଝାଡ଼ଖଣ୍ଡ ରାଜ୍ୟର ଏସଏଚଜିମାନେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ସର୍ବ ପ୍ରଥମେ ଆଗଭର ହୋଇଥିଲେ ଏବଂ ମାର୍ଚ୍ଚ 22, 2020 ସୁଦ୍ଧା ସେମାନେ ପ୍ରାୟ 78,000 ମାସ୍କ ପ୍ରସ୍ତୁତ କରିଥିଲେ । ସେହିସବୁ ମାସ୍କ ବିଭିନ୍ନ ଜିଲ୍ଲାର କଲେକ୍ଟୋରେଟ ପରିସରରେ ଏବଂ ମେଡ଼ିକାଲ ଷ୍ଟୋରମାନଙ୍କରେ ରିହାତି ମୂଲ୍ୟରେ ପ୍ରତି ମାସ୍କ ପିଛା 10 ଟଙ୍କା ଦାମରେ ବିକ୍ରି କରାଯାଉଛି ।

ଝାଡ଼ଖଣ୍ଡର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ମାସ୍କ ପ୍ରସ୍ତୁତ କରୁଛନ୍ତି (ଉତ୍ସ: ଟ୍ୱିଟର)

ଦେଶର ପୂର୍ବାଞ୍ଚଳ କ୍ଷେତ୍ରରେ, ଛତିଶଗଡ଼ର 853ଟି ଏସଏଚଜି 2516 ଜଣ ଗ୍ରାମାଞ୍ଚଳ ମହିଳାଙ୍କୁ ନିୟୋଜିତ କରି ରାଜ୍ୟରେ ମାସ୍କ ପ୍ରସ୍ତୁତ ଓ ଉପଲବ୍ଧ କରାଇପାରିଛି । ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏକ ନିୟୁତରୁ ଅଧିକ ମାସ୍କ ପ୍ରସ୍ତୁତ କରିବା ସହ ସାଧାରଣ ଲୋକଙ୍କୁ ତାହା ବଣ୍ଟନ କରିଛନ୍ତି । ଅରୁଣାଚଳ ପ୍ରଦେଶ ପୌର ପାଳିକା ସେଠାକାର ଏସଏଚଜିମାନଙ୍କୁ 10,000 ମୁହଁବନ୍ଧା ମାସ୍କ ପ୍ରସ୍ତୁତ କରି ରାଜ୍ୟର ଅତ୍ୟଧିକ କୋଭିଡ-19 ପ୍ରବଣ କ୍ଷେତ୍ରରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅରୁଣାଚଳ ପ୍ରଦେଶରେ ଜିଲ୍ଲାର 13 ସବ୍‌ ବ୍ଲକ୍‌ର 2254ଟି ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କପଡ଼ା ତିଆରି ମାସ୍କ ପ୍ରସ୍ତୁତ କରୁଛନ୍ତି । ସେହିଭଳି କର୍ଣ୍ଣାଟକର ଗ୍ରାମାଞ୍ଚଳ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାତ୍ର 12 ଦିନ ଭିତରେ ପ୍ରାୟ 1.56 ଲକ୍ଷ ମାସ୍କ ପ୍ରସ୍ତୁତ କରି ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ସେମାନଙ୍କର ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି ।

ଉତ୍ତର ଗୋଆ ଜିଲ୍ଲାର ଗ୍ରାମାଞ୍ଚଳ ବିକାଶ ଏଜେନ୍ସି ଜରିଅ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ 2000 ମାସ୍କ ପ୍ରସ୍ତୁତ କରି ରାଜ୍ୟସାରା ବାଣ୍ଟିଛନ୍ତି । ମାସ୍କର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସ୍ୱୟଂ ସହାୟକ ଗୋଷ୍ଠୀର 2000 ମହିଳା ସଦସ୍ୟ ମାସ୍କ ପ୍ରସ୍ତୁତ କରିବାରେ ନିଜକୁ ସଂପୂର୍ଣ୍ଣ ରୂପେ ନିୟୋଜିତ କରିଛନ୍ତି ।

ଖ. ବ୍ୟକ୍ତିଗତ ସୁରକ୍ଷା ଉପକରଣ: ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯଥା, ଆପ୍ରନ୍‌, ଗାଉନ୍‌, ମୁହଁବନ୍ଧା ସିଲ୍ଡ ଆଦି ପ୍ରସ୍ତୁତ କରୁଛନ୍ତି । ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ସମେତ ବିଭିନ୍ନ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏବେସୁଦ୍ଧା ପ୍ରାୟ 5000 ପିପିଇ କିଟ୍‌ ପ୍ରସ୍ତୁତ କରାଯାଇସାଇଛି । ପଞ୍ଜାବ ଏସଆରଏଲଏମର ସୂଚନା ଅନୁସାରେ କପୁରଥଲାର ସିଭିଲ ସର୍ଜନମାନଙ୍କୁ ଏଭଳି 500 ଆପ୍ରନ ଯୋଗାଇ ଦିଆଯାଇସାରିଛି । ମେଘଳାୟ ସରକାରଙ୍କ ସୂଚନା ଅନୁସାରେ ଜିଲ୍ଳାର ମେଡ଼ିକାଲ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ 200 ଫେସ୍‌ ସିଲ୍ଡ ଯୋଗାଯାଇସାରିଛି । କର୍ଣ୍ଣାଟକ ସରକାରଙ୍କ ସୂଚନା ଏହା ଯେ ସେଠାରେ ଏସଏଚଜିମାନେ 125ଟି ଫେସ ସିଲ୍ଡ ପ୍ରସ୍ତୁତ କରିଛନ୍ତି । ମେଘାଳୟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବର ଏସଆରଏଲଏମ ପକ୍ଷରୁ ସୂଚୀତ କରାଯାଇଛିଯେ ସେହିସବୁ ରାଜ୍ୟରେ ଏସଏଚଜିମାନେ ଏବେ ଫେସ୍‌ ସିଲ୍ଡ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଗ. ମହିଳା ଗୋଷ୍ଠୀମାନେ ସେମାନଙ୍କ ଗୋଷ୍ଠୀରେ ହାତ ପରିମଳ ରକ୍ଷା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତା ଯାଉଛି ଏବଂ ସେମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଯାଉଛି ।

ଡ଼ିଏୱାଇ- ଏନଆରଏଲଏମ ସହଯୋଗରେ ଗଠିତ ଅଣୁ ଉଦେ୍ଦ୍ୟାଗୀମାନେ ହ୍ୟାଣ୍ଡ ସାନିଟାଇଜର ଓ ଅନ୍ୟାନ୍ୟ ହାତଧୁଆ ଉପକରଣ ଉତ୍ପାଦନ କରିବା କାର୍ଯ୍ୟ ହାତକୁ ନେଇଛନ୍ତି ଓ ସେସବୁକୁ ଗ୍ରାମାଞ୍ଚଳରେ ଉପଲବ୍ଧ କରାଇବା କାର୍ଯ୍ୟକୁ ସୁନିଶ୍ଚିତ କରିପାରିଛନ୍ତି ।  9ଟି ରାଜ୍ୟର 900 ସ୍ୱୟଂ ସହାୟକ ଗୋଷ୍ଠୀ ଏବେସୁଦ୍ଧା 1.15 ଲକ୍ଷ ଲିଟର ସାନିଟାଇଜର ଉତ୍ପାଦନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ତିନୋଟି ରାଜ୍ୟ  - କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶଙ୍କ ଉତ୍ପାଦନ 25,000 ଲିଟର (ପ୍ରତ୍ୟେକ ରାଜ୍ୟ)କୁ ଟପିଛି । ସେହିଭଳି ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମଧ୍ୟ ପ୍ରଦେଶ, ନାଗାଲାଣ୍ଡ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଓ ମିଜୋରାମ ବଜାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସାନିଟାଇଜର ଚାହିଦା ପୂରଣ ସକାଶେ ସେସବୁ ପଦାର୍ଥ ଅଧିକ ମାତ୍ରାରେ ଉତ୍ପାଦନ କରୁଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲୁଏଚଓ)ର ନିର୍ଦ୍ଦେଶାବଳୀକୁ ଅନୁସରଣ କରି, ଏଭଳି ସାନିଟାଇଜର ଉତ୍ପାଦନ ସକାଶେ ଚାରିଗୋଟି ପଦାର୍ଥର ମିଶ୍ରଣରେ ଝାଡ଼ଖଣ୍ଡରେ ଏଭଳି ପଦାର୍ଥ ପ୍ରସ୍ତୁତ କରାଯାଉଛି । ଏହି ସାନିଟାଇଜର ପ୍ରସ୍ତୁତ ସକାଶେ ଆଲକୋହଲ (72%), ଡ଼ିଷ୍ଟିଲ୍ଡ ୱାଟର (13%), ଗ୍ଲାଇସେରିନ୍‌ (13%) ଏବଂ ବାସିଲ୍‌ (2%) ବ୍ୟବହାର କରାଯାଉଛି । ହ୍ୟାଣ୍ଡ ସାନିଟାଇଜର ମେଡ଼ିକାଲ ସୁଫଳ ନିମନ୍ତେ ଏଥିରେ ଲେମନ୍‌ ଗ୍ରାସ୍‌ କିମ୍ବା ବାସିଲ୍‌ ମିଶାଯାଉଛି ଯଦ୍ୱାରା ତାହା ବ୍ୟବହାର ଦ୍ୱାରା ଭୂତାଣୁମାନେ ମରିଯାଉଛନ୍ତି । ଏଭଳି ସାନିଟାଇଜରର 100 ମିଲିଲିଟର ବୋତଲ ପିଛା 30 ଟଙ୍କାରେ ସୁଲଭ ମୂଲ୍ୟ ରଖାଯାଇଛି ଯାହାକି ସାଧାରଣ ଜନତାଙ୍କ ଠାରୁ ନେଇ ହସପିଟାଲ ଓ ପୁଲିସ ଥାନା ପାଇଁ ବଜାରରେ ଉପଲବ୍ଧ ।

କେତେକ ଏସଏଚଜି ତରଳ ସାବୁନ ବିକ୍ରି କରୁଛନ୍ତି ଯାହାକି ସ୍ୱାସ୍ଥ୍ୟ ନିରାପତ୍ତା ଓ ତଥା ପରିମଳ ସୁରକ୍ଷା ପାଇଁ ଜରୁରି । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ, ତାମିଲନାଡ଼ୁର ଅନେକ ଏସଏଚଜି ୟୁନିଟ୍‌ ଏବେସୁଦ୍ଧା 50,000 ଲିଟରରୁ ଅଧିକ ହାତଧୁଆ ସାମଗ୍ରୀ ଉତ୍ପାଦନ କରିସାରିଛନ୍ତି ।

ସେମାନଙ୍କର ଜୀବନଜୀବିକାକୁ ସମାବେଶୀ କରିବା ସକାଶେ ସାମାଜିକ ଦାୟିତ୍ୱବୋଧକୁ ମୁଣ୍ଡକୁ ନେଇ ଏହି ଏସଏଚଜିମାନେ କରୋନା ସଂକ୍ରମଣ ବିରୋଧରେ ସେମାନଙ୍କର ଅବଦାନ ଦେଇ ଚାଲିଛନ୍ତି ତଥା ଗୋଷ୍ଠୀ ସ୍ୱାସ୍ଥ୍ୟରକ୍ଷା ଦିଗରେ ସେମାନଙ୍କର ସହଯୋଗର ହାତ ବଢ଼ାଇଛନ୍ତି । ଏହି ଅଭିଯାନରେ ଏସଏଚଜିର ମହିଳା ସଦସ୍ୟମାନେ ସେମାନଙ୍କର ସର୍ବାଧିକ ପ୍ରତିବଦ୍ଧତା ଓ ନିଷ୍ଠା ପ୍ରଦର୍ଶନ କରିଛନ୍ତି ।

 

**********



(Release ID: 1613717) Visitor Counter : 196