ରେଳ ମନ୍ତ୍ରଣାଳୟ

ଲକଡାଉନ ସମୟରେ 8.5 ଲକ୍ଷ ଅଭାବୀ ଓ ଭୋକିଲାଙ୍କୁ ରେଳବାଇ ଦ୍ଵାରା ରନ୍ଧାଖାଦ୍ୟ ବଣ୍ଟନ

Posted On: 09 APR 2020 3:07PM by PIB Bhubaneshwar

କରୋନାର ମୁକାବିଲା ପାଇଁ ସମଗ୍ର ଦେଶରେ ଜାରି ହୋଇଥିବା ଲକ ଡାଉନ୍ କାଳରେ ଭାରତୀୟ ରେଳବାଇ ମାର୍ଚ୍ଚ 28 ତାରିଖରୁ ଏ ପର୍ଯ୍ୟନ୍ତ 8.5 ଲକ୍ଷରୁ ଅଧିକ ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ନିଜର ସାମାଜିକ ସେବା ଓ ଅଙ୍ଗୀକାରକୁ ବଜାୟ କରିଛି । ଏସବୁ ରନ୍ଧା ଖାଦ୍ୟ ମଧ୍ୟରୁ 5 ଲକ୍ଷରୁ ଅଧିକ ମିଲ ଆଇଆରସିଟିସି ଦ୍ଵାରା ପ୍ରସ୍ତୁତ କରାଯାଇଛି । ରେଳ ସୁରକ୍ଷା (ଆରପିଏଫ୍) ତା’ର ନିଜସ୍ୱ ସମ୍ବଳରୁ ପ୍ରାୟ 2 ଲକ୍ଷ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛି । ଏହି ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପ୍ରାୟ 1.5 ଲକ୍ଷ ଭୋକିଲା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଛନ୍ତି । ଦେଶର 313ଟି ସ୍ଥାନରେ ଏହି ଭୋଜନ ଯୋଗଇ ଦିଆଯାଉଛି । ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧାଖାଦ୍ୟକୁ ମୁଖ୍ୟତଃ କାଗଜ ପ୍ଲେଟରେ କ୍ଷୁଧିତଙ୍କୁ ଦିଆଯାଉଥିବା ବେଳେ ଆଉ କେତେକଙ୍କୁ ପୁଡିଆରେ ତାହା ଯୋଗାଇ ଦିଆଯାଉଛି । ଆଇଆରସିଟିସି ଭିତ୍ତିକ କିଚିନରେ ଏହି ଖାଦ୍ୟ ପ୍ରସ୍ତୁତ ହେଉଛି । ରେଳ ଷ୍ଟେସନ ଓ ଏହାର ଆଖପାଖରେ ଏହି ସବୁ ଖାଦ୍ୟ ଗରିବ, ନିରାଶ୍ରୟ, ଭିକାରୀ, ଶିଶୁ, କୁଲି, ଅଟକି ରହିଥିବା ଲୋକ ଓ ପ୍ରବାସୀ ଶ୍ରମିକ ତଥା ଅନ୍ୟାନ୍ୟ ଭୋକିଲା ଲୋକଙ୍କୁ ଯୋଗାଇ ଦିଆଯାଉଛି । ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟ ହାତକୁ ନିଆଯାଇଛି । ଷ୍ଟେସନ ରିସର ବାହାରକୁ ଯାଇ ରେଳବାଇ ଲୋକଙ୍କ ପାଖର ସେମାନଙ୍କ ଦୁଃଖ ଓ ଆବଶ୍ୟକତା ସମୟରେ ପହଁଚିବା ସହିତ ସାହାଯ୍ୟ ର ହାତ ବଢାଇ ଦେଶକୁ ଏହି କାର୍ଯ୍ୟ ଜାରି ରଖିଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ଏହି କାର୍ଯ୍ୟ ଚାଲିଛି । ଖାଦ୍ୟ ପରିବେଷଣରେ ଆରପିଏପ, ଜିଆରପି ବିଭିନ୍ନ ଜୋନର ବ୍ୟବସାୟିକ ବିଭାଗ, ରାଜ୍ୟ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନ ସହାୟତା କରୁଛନ୍ତି । ଏହି ଖାଦ୍ୟ ବଂଟନ ସମୟରେ ସାମାଜିକ ଦୂରତ୍ୱ ଓ ପରିଚ୍ଛନ୍ନତା କଡାକଡିଭାବେ ପାଳନ ହେଉଛି । ସବୁ ଜୋନରେ ଜେନେରାଲ ମ୍ୟାନେଜର ଓ ଡିଭିଜନାଲ ମ୍ୟାନେଜରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଚାଲିଛି । ନୂଆଦିଲ୍ଲୀ, ବେଙ୍ଗାଲୁର, ଦୁବଳି, ମୁମ୍ବାଇ ସେଂଟ୍ରାଲ, ଅହମଦାବାଦ, ଭୁସାୱଲ, ହାଓଡା, ପାଟନା, ଗୟା, ରାଞ୍ଚି, କଟିହାର, ଦୀନ ଦୟାଲ ଉପାଧ୍ୟାୟ ନଗର, ବାଲେଶ୍ୱର, ବିଜୟୱାଡା, ଖୋର୍ଦ୍ଧା, କଟପାଡି, ତିରୁଚିରାପଲ୍ଲୀ, ଧାବୋନ, ଗୌହାଟୀ, ସମସ୍ତିପୁର, ପ୍ରୟାଗରୀବି, ଇତାର୍ସି, ବିଶାଖାପାଟଣା, ଚେଙ୍ଗାଲପଟୁ, ପୁଣେ, ଲାଜିପୁର, ରାୟପୁର, ଟାଟାନଗର ସମେତ ବିଭିନ୍ନ ରେଳ ଜୋନର 313 ସ୍ଥାନରେ ଏହି ରକ୍ଷା ଖାଦ୍ୟ ଯୋଗାଣ କାର୍ଯ୍ୟ ଚାଲିଛି । ଆଇଆରସିଟିସି ମଧ୍ୟ ପିଏମ୍ କେୟାର୍ସ ଫଣ୍ଡରେ 20 କୋଟି ଟଙ୍କା ଜମା କରିବା ସହ ସିଆରଏମ୍ ପାଣ୍ଠିରୁ 1.5 କୋଟି ଟଙ୍କା ଯୋଗାଇ ଦେଇଛି । ଏହାଛଡା ଏହି ସଂସ୍ଥା ଦାନ ଆକାରରେ ଦେଇଛି 12 କୋଟି ଟଙ୍କା । ଲକଡାଉନ୍ କାଳରେ ଅଭାବୀ ଓ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଭାରତୀୟ ରେଳବାଇ ଅଙ୍ଗୀକୃତ । ଏଥିପାଇଁ ଆବଶ୍ୟକ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ସଂଗ୍ରହ କରି ରଖିଛି । **********


(Release ID: 1612758)