ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ଼-19 ରୋଗୀଙ୍କ ଚିକିତ୍ସା ସକାଶେ ଡିଏସଟି ଅନୁଦାନପ୍ରାପ୍ତ କମ୍ପାନୀଗୁଡିକ ଅକ୍ସିଜେନଭର୍ତ୍ତି ବାୟୁ ଯୋଗାଣ କରୁଥିବା ଉପକରଣ ଉତ୍ପାଦନ ବଢାଇବେ

• ‘ଏଭଳି ଅଭିନବ ପ୍ରତିଶ୍ରୁତିର ଯଥେଷ୍ଟ ଉପାଦେୟତା ରହିଛି’ : ଡିଏସଟି ସଚିବ ପ୍ରଫେସର ଆଶୁତୋଷ ଶର୍ମା

Posted On: 09 APR 2020 10:43AM by PIB Bhubaneshwar

ଜେନରିଚ ମେମ୍ବ୍ରେନ୍ସନାମକ ଏକ ସ୍ପିନ୍‌-ଅଫ୍‌ କମ୍ପାନୀ ମେମ୍ବ୍ରେନ୍‌ ଅକ୍ସିଜେନେରେଟର ଉପକରଣ (ଏମଓଇ) ଉତ୍ପାଦନ ବୃଦ୍ଧି କରିବ ଯାହାକି ଏବେ କୋଭିଡ଼-19 ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଛି । ଏହି କମ୍ପାନୀ ପୁଣେର ସିଏସଆଇଆର-ଜାତୀୟ ରାସାୟନିକ ଗବେଷଣାଗାର ଦ୍ୱାରା ଏପରି ପ୍ରୋପ୍ରାଇଟରୀ ପ୍ରଯୁକ୍ତି ପାଇଁ ଲାଇସେନ୍ସପ୍ରାପ୍ତ କମ୍ପାନୀକୁ ଏଥିପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି । ଅଭିନବତ୍ୱ ଉପରେ ଆଧାରିତ ଏହି ହାଲୋ-ଫାଇବର ମେମ୍ବ୍ରେନ୍‌ ପ୍ରଯୁକ୍ତିସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ଏମଇଓ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରାକୁ 35% ପର୍ଯ୍ୟନ୍ତ ଚାପ ପ୍ରୟୋଗ ଦ୍ୱାରା (4-7 ବାର୍‌, ଯେଉଁଥିରେ ତୈଳବିହୀନ କମ୍ପ୍ରେସର ବ୍ୟବହୃତ ହୋଇଥାଏ) ବୃଦ୍ଧି କରାଯାଇପାରିବ ।

ଏହି ଉପକରଣରେ ଗୋଟିଏ ମେମ୍ବ୍ରେନ୍‌ କାଟ୍ରିଜ୍‌, ତୈଳବିହୀନ କମ୍ପ୍ରେସର, ଆଉଟପୁଟ୍‌ ଫ୍ଲୋମିଟର, ହ୍ୟୁମିଡଫାୟାର ବୋତଲ, ନାଜାଲ-କାନୁଲା ଏବଂ ଟ୍ୟୁବିଂ ଓ ଫିଟିଂ ରହିଛି । ଏଥିରେ ଚାପ ଦେଲେ ଏଥିରୁ ଛାଣି ହୋଇ ବାୟୁ କମ୍ପ୍ରେସରରୁ ବାହାରିବ ଓ ତାହା ମେମ୍ବ୍ରେନ କାଟ୍ରିଜକୁ ଯିବ ଯାହାକି ଆବଶ୍ୟକ ମୁତାବକ ନାଇଟ୍ରୋଜେନ ଉପରେ ଅମ୍ଳଜାନର ପ୍ରାଧାନ୍ୟ ବିସ୍ତାର କରିବ ଓ ସେଥିରୁ ଅଧିକ ଅକ୍ସିଜେନଯୁକ୍ତ ବାୟୁ ବାହାରିବ । ଏହି ମେମ୍ବ୍ରେନ୍‌ କାଟ୍ରିଜର ଅମ୍ଳଜାନ ଓ ଯବକ୍ଷାରଜାନକୁ ବାଛିବାର କ୍ଷମତା ରହିଛି ଏବଂ ସେହି ବାୟୁ ଯୋଗାଣ ବେଳେ ସେଥିରେ କୌଣସି ଭୂତାଣୁ, ବ୍ୟାକ୍ଟେରିଆ ଓ ଅନ୍ୟ ରୋଗ ସୃଷ୍ଟିକାରୀ ଉପାଦାନ ନଥାଏ । ଏହି ଉତ୍ପାଦିତ ବାୟୁ ମେଡ଼ିକାଲ ଗ୍ରେଡର ।

ଏହି ଉପକରଣଟି ବେଶ ନିରାପଦ ଓ ଏହାର ପରିଚାଳନା ସକାଶେ ତାଲିମପ୍ରାପ୍ତ ମାନବ ସମ୍ବଳ ଆବଶ୍ୟକ । ଏହାର ରକ୍ଷଣାବେକ୍ଷଣ ଓ ମରାମତି ଖର୍ଚ୍ଚ ସୀମିତ ଓ ଏହା ବେଶ ଛୋଟ । ଏଥିରେ ପ୍ଲଗ ଓ ପ୍ଲେ ସୁବିଧା ରହିଛି । ମେସିନକୁ ଷ୍ଟାର୍ଟ କଲାମାତ୍ରେ ସେଥିରୁ ଅମ୍ଳଜାନ ସମୃଦ୍ଧ ବାୟୁ ବାହାରିଥାଏ ।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି ଯେ ମେଡ଼ିକାଲ ଗ୍ରେଡ଼ର ଅମ୍ଳଜାନସମୃଦ୍ଧ ବାୟୁ ବିଭିନ୍ନ ପ୍ରକାର ରୋଗୀଙ୍କ ଚିକିତ୍ସା ଯତ୍ନ ସକାଶେ ଆବଶ୍ୟକ । କୋଭିଡ଼-19 ରୋଗୀଙ୍କ ଚିକିତ୍ସା ଲାଗି ଏହା ବିଶେଷ ଉପକାରସିଦ୍ଧ ହୋଇଛି । ବିଶ୍ୱ ସ୍ତରରେ ଅନୁଭୂତିରୁ ଏହା ଜଣାପଡ଼ିଛି ଯେ 14% ସଂକ୍ରମିତ ରୋଗୀଙ୍କର କୌଣସି ନା କୌଣସି ପ୍ରକାର ଶ୍ୱାସକ୍ରିୟାଜନିତ ସହାୟତା ଆବଶ୍ୟକ କିନ୍ତୁ ଆଇସିୟୁ ଭିତ୍ତିକ ଭେଣ୍ଟିଲେଟର ମାତ୍ର 4% ସେଭଳି ସହଯୋଗ ମିଳିଥାଏ । ଶ୍ଵାସକ୍ରିୟା ସମସ୍ୟା ଥିବା ଅବଶିଷ୍ଟ ଲୋକଙ୍କୁ ତଥା ଅନ୍ୟାନ୍ୟ ପରିସ୍ଥିତିରେ ଏହି ଅଭିନବ ମେସିନଟି ଅତି ମାତ୍ରାରେ ଉପକାରସିଦ୍ଧ ହେବ ।

ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ରୋଗୀଙ୍କ ଚିକିତ୍ସା ସକାଶେ ଏଭଳି ଉପକରଣର ଜରୁରି ଆବଶ୍ୟକତା ରହିଛି । ବିଶେଷ କରି କୋଭିଡ଼-19 ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ସେମାନଙ୍କ ଚିକିତ୍ସା ଓ ସେମାନେ ଆଇସିୟୁରୁ ବାହାରିବା ପରେ ଏହା ସେମାନଙ୍କ ପାଇଁ ବିଶେଷ ଉପକାରସିଦ୍ଧ ହେବ । ସେହିଭଳି ସିଓପିଡ଼ି, ଆଜମା, ଆଇଏଲଡ଼ି, ଅବିକଶିତ ଭାବେ ଜନ୍ମିତ ଶିଶୁ, ସାପ କାମୁଡ଼ା ରୋଗୀ ଓ ଅନ୍ୟାନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି ।

ଜେନରିଚ ଦ୍ୱାରା ଏହାର ପ୍ରୋଟୋଟାଇପ୍‌ ପରୀକ୍ଷିତ ହେବା ସହ ଏହାକୁ ଭାଲିଡ଼େସନ ମିଳିସାରିଛି । ଏହି ଷ୍ଟାର୍ଟ ଅପକୁ ଡ଼ିଏସଟି- ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଉଦ୍ୟୋଗ ବିକାଶ ବୋର୍ଡ଼ (ଏନଏସଟିଇଡ଼ିବି) ସିଡ଼ ସହାୟତା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ପୁଣେର ଔଦ୍ୟୋଗିତା ବିକାଶ କେନ୍ଦ୍ର ଏହାକୁ ଇନକୁବେଟ୍‌ କରିଛି ଯାହାକି ଆଗାମୀ ତିନି ମାସ ଭିତରେ ଏଭଳି ମେଡ଼ିକାଲ ଉପକରଣ ପ୍ରସ୍ତୁତ କରିପାରିବ ।

(ଅଧିକ ବିବରଣୀ ସକାଶେ ଯୋଗାଯୋଗ କରନ୍ତୁ: ଡକ୍ଟର ରାଜେନ୍ଦ୍ର କେ ଖାରୁଲ, rk.kharul@genrichmembranes.com, Mob: 8308822216)

 

***********
 



(Release ID: 1612683) Visitor Counter : 131