ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା
Posted On:
08 APR 2020 6:27PM by PIB Bhubaneshwar
ଦେଶରେ କୋଭିଡ-19ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଭାରତ ସରକାର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପଦକ୍ଷେପକୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି।
କୋଭିଡ-19ର ସଫଳ ମୁକାବିଲା ନିମନ୍ତେ ଲକଡାଉନକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ଏବଂ ନାଗରିକଙ୍କ ଦ୍ବାରା ସାମାଜିକ ଦୂରତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ବିଶେଷ ଗୁରୁତ୍ବାରୋପ କରୁଛନ୍ତି।
ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଖ୍ୟାଧିକ ପ୍ରଭାବୀ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୁକାବିଲା ପଦକ୍ଷେପକୁ ଆହୁରି ତ୍ବରାନ୍ବିତ କରାଯାଉଛି। ସାରା ଦେଶରେ ଯଥେଷ୍ଟ ସଂଖ୍ୟକ କୋଭିଡ-19 କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି।
କେତେକ ଜିଲ୍ଲା ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଶ୍ରେଷ୍ଠ ପ୍ରଚଳନ ଭାବେ ଉଭା ହୋଇଛି। ଯାହା ନିମ୍ନରେ ଦିଆଗଲା :
ପୁଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣେ ଓ କୋଣ୍ଢାଓ୍ବାର କେନ୍ଦ୍ରୀୟ କ୍ଷେତ୍ରକୁ ସିଲ କରାଯାଇ 35 କିମି କ୍ଷେତ୍ରରେ ଘରକୁ ଘର ବୁଲି ସର୍ବକ୍ଷେଣ ଆରମ୍ଭ କରାଯାଇଛି। ନିରୀକ୍ଷଣ ଦଳ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ସେମାନଙ୍କର ଯାତ୍ରା ଇତିହାସ ଓ କଣ୍ଟାକ୍ଟ ଟ୍ରେସିଂ ଅନୁଧ୍ୟାନ କରୁଛନ୍ତି।
ପଠାନମଥିଟ୍ଟା ଜିଲ୍ଲା ପ୍ରଶାସନ ପକ୍ଷରୁ ନିରୀକ୍ଷଣ, ଯାତ୍ରା ଇତିହାସ ସଂଗ୍ରହ, କଣ୍ଟାକ୍ଟ ଟ୍ରେସିଂ, କ୍ବାରେଣ୍ଟାଇନ ସୁବିଧା ସୁନିଶ୍ଚିତ କରିବା ଏବଂ ଜରୁରି ଅତ୍ୟାବଶ୍ୟକ ଓ ମନସ୍ତାତ୍ତ୍ବିକ ସହାୟତା ଆଦି ପଦକ୍ଷେପ ସୁନିଶ୍ଚିତ କରାଯାଇଛି।
କୋଭିଡ-19 ମୁକାବିଲା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏକ ଟ୍ରେନିଂ ମଡ୍ୟୁଲ ବିକଶିତ କରାଯାଇଛି ଯାହାର ନାଁ ‘ଇଣ୍ଟିଗ୍ରେଟେଡ ଗଭର୍ଣ୍ଣମେଣ୍ଟ ଅନଲାଇନ ଟ୍ରେନିଂ’ ରଖାଯାଇଛି। ମହାମାରୀକୁ ପ୍ରଭାବୀ ଢଙ୍ଗରେ ମୁକାବିଲା ନିମନ୍ତେ ଅଗ୍ରଣୀ କର୍ମକର୍ତ୍ତାମାନଙ୍କ ସାମର୍ଥ୍ୟ ବିକାଶ ନିମନ୍ତେ ଦୀକ୍ଷା ପ୍ଲାଟଫର୍ମରେ ଏହି ଆଇଜିଓଟି ଉପଲବ୍ଧ ରହିଛି। ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ଟେକ୍ନିସିଆନ, ଏଏନଏମ, ରାଜ୍ୟ ସରକାରଙ୍କ ଅଧିକାରୀ, ପ୍ରଶାସନିକ ପ୍ରତିରକ୍ଷା ଅଧିକାରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା କର୍ମକର୍ତ୍ତା, ଭାରତୀୟ ରେଡକ୍ରସ ସୋସାଇଟି ଏବଂ ଅନ୍ୟ ସ୍ବେଚ୍ଛାସେବୀଙ୍କ ପାଇଁ ଏଥିରେ ପ୍ରଶିକ୍ଷଣ ସୁବିଧା ଉପଲବ୍ଧ। ଏହି ପୋର୍ଟାଲର ୱେବସାଇଟ୍ର ଲିଙ୍କ ହେଉଛି https://igot.gov.in/igot/.
କୋଭିଡ-19 ମୁକାବିଲା ଲାଗି ବିଭିନ୍ନ ବର୍ଗର ଚିକିତ୍ସା ପେସାଦାରଙ୍କ ନିମନ୍ତେ ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ବିଭିନ୍ନ ୱେବିନାର ବିକଶିତ କରାଯାଇଛି । ପ୍ରସବ ଯତ୍ନ ଏବଂ ସନ୍ଦିଗ୍ଧ ଏବଂ ସୁନିଶ୍ଚିତ କୋଭିଡ-19 ସଂକ୍ରମିତ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ ଚିକିତ୍ସକଙ୍କୁ ତାଲିମ ଦେବା ପାଇଁ ଚଳିତ ସପ୍ତାହରେ ଏମ୍ସ ପକ୍ଷରୁ ଏକ ଅନଲାଇନ ତାଲିମ ଅନୁଷ୍ଠିତ ହୋଇଯାଇଛି। ଏହାର ବିବରଣୀ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ www.mohfw.gov.inରେ ଉପଲବ୍ଧ ରହିଛି।
ବର୍ତ୍ତମାନସୁଦ୍ଧା ଦେଶରେ 5194ଟି ସୁନିଶ୍ଚିତ ସଂକ୍ରମଣ ମାମଲା ଥିବା ବେଳେ 149 ଜଣ ପ୍ରାଣ ହରାଇଛନ୍ତି। 402 ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଛାଡ଼ ପାଇଛନ୍ତି।
କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।
କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ।
କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି।
************
(Release ID: 1612387)
Visitor Counter : 169
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam