ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ସୁନିଶ୍ଚିତ କରିବା ସକାଶେ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପତ୍ର

• କୋଭିଡ଼-19 ବିରୋଧରେ ସଂଗ୍ରାମ ନିମନ୍ତେ ଜାରି ଲକଡାଉନ୍‌ ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀ (ଇସି) ଆଇନ 1955 ଲାଗୁ କରିବା ସକାଶେ ପରାମର୍ଶ

Posted On: 08 APR 2020 11:20AM by PIB Bhubaneshwar

ଦେଶର ସବୁ ସ୍ଥାନରେ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୁଏ ତାହା ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ଗୃହ ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଏଦିଗରେ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ ଅତ୍ୟାବଶ୍ୟକ ସାମଗ୍ରୀ (ଇସି) ଆଇନ 1955 ଜାରି କରିବା ନିମନ୍ତେ ଶ୍ରୀ ଭଲ୍ଲା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ବ୍ୟବସ୍ଥା ମଧ୍ୟରେ ସାମଗ୍ରୀ ମହଜୁଦ ପରିମାଣ, ମୂଲ୍ୟ ନିର୍ଦ୍ଧାରଣ, ଉତ୍ପାଦନ ବୃଦ୍ଧି, ଆକାଉଣ୍ଟ ଧାରୀଙ୍କ ଜମାଖାତା ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ନିର୍ଦ୍ଦେଶ ଦିଆଯାଇଛି ।

ବିଭିନ୍ନ କାରଣରୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ, ବିଶେଷ କରି ଶ୍ରମଶକ୍ତିର ଯୋଗାଣରେ ହ୍ରାସ ଯୋଗୁ  ଉତ୍ପାଦନ ହ୍ରାସ ଘଟିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏଭଳି ପରିସ୍ଥିତିରେ, ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀମାନେ ସାମଗ୍ରୀ ଠୁଳ କରିପାରନ୍ତି ଓ ତାହାକୁ କଳାବଜାରରେ ବିକ୍ରି କରିପାରନ୍ତି । ମୁନାଫାଖୋରମାନେ ଏଭଳି ପରିସ୍ଥିତିରୁ ଫାଇଦା ଉଠାଇ ପରିସ୍ଥିତିକୁ ଚାହିଁ ସେଭଳି ସାମଗ୍ରୀ ବିକି ଅଧିକ ଲାଭ କରିପାରନ୍ତି । ଏହାଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବାର ଆଶଙ୍କା ରହିଛି । ତେଣୁ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସେହିସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି ସହଜରେ ଓ ସୁଲଭ ମୂଲ୍ୟରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ତାହା ସୁନିଶ୍ଚିତ କରନ୍ତୁ ।

ଇତି ପୂର୍ବରୁ, ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ (ଏମଏଚଏ), ତାଙ୍କର ବିପର୍ଯ୍ୟୟ ପରିଚାଳନା ଆଇନ ବଳରେ ଉତ୍ପାଦନ/ ପ୍ରସ୍ତୁତି, ପରିବହନ ଓ ଯୋଗାଣ ଚେନର ଅନ୍ୟାନ୍ୟ କାର୍ଯ୍ୟ ଯାହାକି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଖାଦ୍ୟଦ୍ରବ୍ୟ, ଔଷଧ ଓ ମେଡ଼ିକାଲ ଉପକରଣ କ୍ଷେତ୍ରରେ ଆବଶ୍ୟକ ତାହା ଜାରି ରଖିବା ଲାଗି ଅନୁମତି ପ୍ରଦାନ କରିଥିଲେ ।

ଏହା ବ୍ୟତୀତ, ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ରାଜ୍ୟ/ କେନ୍ଦ୍ର ଶାସିତ କ୍ଷେତ୍ରର ସରକାରମାନଙ୍କୁ ଇସି ଆଇନ, 1955 ବଳରେ ଆଦେଶନାମା ଜାରି କରିବା ସକାଶେ କ୍ଷମତା ପ୍ରଦାନ କରିଥିଲେ ଯଦ୍ୱାରା ଜୁନ 30,2020 ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଠାରୁ ଏଦିଗରେ ଆଗୁଆ ସ୍ୱୀକୃତି ଲାଭ ବ୍ୟବସ୍ଥାକୁ କୋହଳ କରାଯାଇଛି ।

ଇସି ଆଇନ ଅଧୀନରେ କୌଣସି ଅପରାଧକୁ ଫୌଜଦାରୀ ଅପରାଧ ବୋଲି ବିବେଚିତ ହୋଇଥାଏ ଏବଂ ଫଳ ସ୍ୱରୂପ ଏଥିପାଇଁ 7 ବର୍ଷ ଜେଲଦଣ୍ଡ କିମ୍ବା ଜୋରିମାନା ଅଥବା ଉଭୟ ଦଣ୍ଡର ପ୍ରାବଧାନ ରହିଛି । ରାଜ୍ୟ/କେନ୍ଦ୍ର ଶାସିତ କ୍ଷେତ୍ରର ସରକାରମାନେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଓ ଏହାର ଯୋଗାଣ ପରିଚାଳନା ଆଇନ, 1980 ବଳରେ ଯେକୌଣସି ଖିଲାଫକାରୀଙ୍କୁ ଅଟକ ରଖିପାରିବେ ।

 

**********



(Release ID: 1612297) Visitor Counter : 237