କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟର କୋଭିଡ-19 ମୁକାବିଲା କାର୍ଯ୍ୟକ୍ରମକୁ ସମୀକ୍ଷା କଲେ ଡଃ ଜିତେନ୍ଦ୍ର ସିଂହ

• ପିଏମ-କେଆର୍ସ ପାଣ୍ଠିରେ ବିଭାଗର ଅର୍ଥ ଯୋଗଦାନକୁ କଲେ ପ୍ରଶଂସା

Posted On: 07 APR 2020 3:52PM by PIB Bhubaneshwar

କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଡା. ଜିତେନ୍ଦ୍ର ସିଂହ ଆଜି ଭିଡିଓ କନଫରେନ୍ସ ଜରିଆରେ କୋଭିଡ-19 ମୁକାବିଲା ଦିଗରେ ନିଆଯାଇଥିବା କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ  

ଲକଡାଉନ ସମୟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ ଏବଂ ଲକଡାଉନ ଅବଧି ସମାପ୍ତ ହେବା ପରେ କାର୍ଯ୍ୟକ୍ରମକୁ ସାମାନ୍ୟ ସ୍ଥିତିକୁ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଗୃହ କଲ୍ୟାଣ କେନ୍ଦ୍ରଗୁଡିକ ଦ୍ୱାରା ମାସ୍କ ପ୍ରସ୍ତୁତ କରାଯାଉଛି ବୋଲି ସମୀକ୍ଷା ବେଳେ ସୂଚନା ପ୍ରଦାନ କରାଯାଇଥିଲା । କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ପ୍ରତ୍ୟେକ ଶ୍ରେଣୀରେ କାର୍ଯ୍ୟରତ ବ୍ୟକ୍ତି ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଥମିକତା ଭିତ୍ତିରେ ଆବଶ୍ୟକୀୟ ମାସ୍କ ତଥା ଅନ୍ୟ ସାମଗ୍ରୀ ଘରେ ରହି ପ୍ରସ୍ତୁତ କରିବେ । କୋଭିଡ-19 ସମ୍ବନ୍ଧିତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଅନଲାଇନରେ ସରକାରଙ୍କ ଦ୍ୱାରା ସମନ୍ୱିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଯାହା ସରକାରୀ ଏବଂ ବେସରକାରୀ ପ୍ରସ୍ତୁତକର୍ତ୍ତାଙ୍କୁ ସହାୟକ ହେବ ।

ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା କୋଭିଡ-19 ସମ୍ବନ୍ଧୀତ ଅଭିଯୋଗ ପଞ୍ଜିକରଣ ପାଇଁ ରାଷ୍ଟ୍ରୀୟ ମନିଟରିଂ ଡାସବୋର୍ଡର ଶୁଭାରମ୍ଭ ଏପ୍ରିଲ 1, 2020ରେ କରାଯାଇଛି (https://darpg.gov.in ) ଏବଂ ଏହି ପୋର୍ଟାଲରେ ଏପ୍ରିଲ 6, 2020 ସୁଦ୍ଧା 10659ଟି ଅଭିଯୋଗ ପଞ୍ଜିକୃତ ହୋଇଛି । ଏହି ପୋର୍ଟାଲରେ ପ୍ରତିଦିନ ଅଭିଯୋଗ ଦାଖଲ କ୍ଷେତ୍ରରେ ଏପ୍ରିଲ 1, 2020ରେ 333 ଅଭିଯୋଗ ପଞ୍ଜିକୃତ ହୋଇଥିଲାବେଳେ ଏପ୍ରିଲ 6, 2020ରେ ଏଥିରେ ବୃଦ୍ଧି ଘଟି 2343 ଅଭିଯୋଗ ଦାଖଲ ହୋଇଥିଲା । ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ମାର୍ଗଦର୍ଶିକା ଜାରି କରାଯାଇ କୋଭିଡ-19 ସଂପର୍କୀତ ଅଭିଯୋଗଗୁଡିକୁ ପ୍ରାଥମିକତା ଭିତ୍ତିରେ 3 ଦିନ ମଧ୍ୟରେ ସମାଧାନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ପ୍ରବାସୀ ଶ୍ରମିକ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂପର୍କୀତ ଅଭିଯୋଗଗୁଡିକୁ ପ୍ରାଥମିକତା ପ୍ରଦାନ କରାଯାଇଛି । ଏହାବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଆବଶ୍ୟକତାକୁ ନେଇ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଟ୍ୱିଟ ଏବଂ ରିପୋର୍ଟଗୁଡିକ ମଧ୍ୟ ଏଥିରେ ସାମିଲ କରାଯାଇଛି । ପ୍ରତିଦିନ ଅଭିଯୋଗ ପଞ୍ଜିକରଣ, ଏହାର ସମାଧାନ, ବିଭିନ୍ନ ସୂତ୍ରରୁ ଆସିଥିବା ଅଭିଯୋଗ ଏବଂ ଶ୍ରେଣୀ ଅନୁଯାୟୀ ଅଭିଯୋଗଗୁଡିକର ବିବରଣୀ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳ କମିଟିକୁ ବିଭାଗ ଦ୍ୱାରା ପ୍ରଦାନ କରାଯାଉଛି । ସେହିଭଳି ସାଧାରଣ ଅଭିଯୋଗ ଏବଂ ମତାମତ ପାଇଁ ଗଠିତ ଉଚ୍ଚସ୍ତରୀୟ ଅଧିକାରୀ କମିଟିକୁ ଅଭିଯୋଗଗୁଡିକ ପ୍ରଦାନ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି, ପ୍ରବାସୀ ଶ୍ରମିକଙ୍କ ପାଇଁ ଉଚ୍ଚସ୍ତରୀୟ କମିଟିଗୁଡିକୁ ପ୍ରଦାନ କରାଯାଉଛି ।

ପେନସନ ବିଭାଗ ବିଷୟରେ ଡ. ସିଂହ କହିଥିଲେ ଯେ ସଂପୂର୍ଣ୍ଣ ବିଭାଗ ଶତ ପ୍ରତିଶତ ଇ-ଅଫିସ ମାଧ୍ୟମରେ କାର୍ଯ୍ୟ କରୁଛି । ସମସ୍ତ ଅଧିକାରୀ ଭିପିଏନ ସଂଯୋଗ ଏବଂ ଇ-ଅଫିସ ଜରିଆରେ ଆନ୍ତଃ ମନ୍ତ୍ରଣାଳୟ ମଧ୍ୟରେ ଫାଇଲ ନେଣ ଦେଣ କାର୍ଯ୍ୟ ମଧ୍ୟ କରୁଛନ୍ତି । କୋଭିଡ-19 ମହାମାରୀ ବେଳେ ସଚେତନତା ସଂପର୍କୀତ ବିଭିନ୍ନ ଏସଏମଏସ 4 ଲକ୍ଷ ପେନସନଧାରୀଙ୍କ ମୋବାଇଲକୁ ପଠାଯାଇଛି । ବିଭାଗ ଦ୍ୱାରା ଟେଲି-ଯୋଗାଯୋଗ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରୁ 100 ଜଣ ପେନସନ ହିତାଧାରୀଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ଏମ୍ସର ଜେରିଆଟ୍ରିକ ମେଡିସିନର ଡାକ୍ତରମାନଙ୍କ ସହ 09.04.2020ରେ ସଂପର୍କ ସ୍ଥାପନ କରାଯାଇଛି । ଏହାବ୍ୟତୀତ ଲକଡାଉନ ସମୟରେ ବୟସ୍କ ପେନସନଧାରୀଙ୍କ ପାଇଁ ଯୋଗ ଏବଂ ଫିଟନେସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 13.04.2020ରେ ଭିଡିଓ କନଫରେନ୍ସ ଜରିଆରେ ଦେଶର 24 ରୁ 25ଟି ସହରର ପେନସନଧାରୀଙ୍କୁ ନେଇ କରାଯାଇଛି । ପେନସନଧାରୀମାନେ ଆଶଙ୍କା ପ୍ରବଣ ଗୋଷ୍ଠୀ ହୋଇଥିବାରୁ ସେମାନଙ୍କର ଶାରିରୀକ ଓ ମାନସିକ ଫିଟନେସ୍ ପାଇଁ ଏହିସବୁ କାର୍ଯ୍ୟକ୍ରମ ଲକଡାଉନ ପରେ ମଧ୍ୟ ଜାରି ରହିବ ।

କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ, ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏବଂ ପେନସନ ତଥା ପେନସନଧାରୀ କଲ୍ୟାଣ ବିଭାଗର ସମସ୍ତ ଅଧିକାରୀ କୋଭିଡ-19ରେ ରିଲିଫ କାର୍ଯ୍ୟରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ପ୍ରଯତ୍ନ ପାଣ୍ଠିକୁ ସେମାନଙ୍କ ଗୋଟିଏ ଦିନର ଦରମା ପ୍ରଦାନ କରିବେ ବୋଲି ସମୀକ୍ଷା ବେଳେ ଜଣାପଡିଛି । ସାଧାରଣ ପ୍ରଶାସନ ଅଧିକାରୀ ସଂସ୍ଥା ପ୍ରଧାନମନ୍ତ୍ରୀ ପ୍ରଯତ୍ନ ପାଣ୍ଠିକୁ 25 ଲକ୍ଷ ଟଙ୍କା ପ୍ରଦାନ କରିସାରିଛନ୍ତି ।

 

**********

 



(Release ID: 1612118) Visitor Counter : 178