ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ଆପାତକାଳୀନ ପରିଚାଳନା ପାଣ୍ଠିକୁ 11,092 କୋଟି ଟଙ୍କାର ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 03 APR 2020 7:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ଆଲୋଚନାକୁ ଭିତ୍ତି କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ଆପାତକାଳୀନ ପରିଚାଳନା ପାଣ୍ଠି (ଏସଡିଆରଏମଏଫ)କୁ 11,092 କୋଟି ଟଙ୍କାର ଅନୁମୋଦନ କରିଛନ୍ତି ରାଜ୍ୟ ସରକାରଗୁଡିକର ଆପାତକାଳୀନ ପରିଚାଳନା ପାଣ୍ଠି ସହାୟତା ବୃଦ୍ଧି ଉଦ୍ଦେଶ୍ୟରେ 2020-21 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ଏହି ଆଗୁଆ ଅନୁଦାନ ମଞ୍ଜୁର କରିଛନ୍ତି ।

କୋଭିଡ-19ର ମୁକାବିଲା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ 14 ତାରିଖ ଦିନ ରାଜ୍ୟ ଆପାତକାଳୀନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ଲାଗି ଅନୁମତି ପ୍ରଦାନ କରିଥିଲେ । କ୍ଵାରେଣ୍ଟାଇନ ସୁବିଧା, ନମୁନା ସଂଗ୍ରହ ଓ ପରୀକ୍ଷା, ଅତିରିକ୍ତ ପରୀକ୍ଷାଗାର ନିର୍ମାଣ, ଚିକିତ୍ସା ସୁରକ୍ଷା ଉପକରଣ, ଥର୍ମାଲ ସ୍କାନର ଆହରଣ, ଏୟାର ପ୍ୟୁରିଫାୟାର ଓ ସରକାରୀ ହସ୍ପିଟାଲର ଆନୁଷଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିଲା  

ଲକଡାଉନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ ତଥା ବାସହୀନଙ୍କ ପାଇଁ କେନ୍ଦ୍ର ସରକାର ସଂବେଦନଶୀଳ ଅଛନ୍ତି ସେ ଦୃଷ୍ଟିରୁ ଗତ 28 ତାରିଖ ଦିନ ଏବାବଦରେ ଏସଡିଆରଏଫରୁ ଅର୍ଥ ଖର୍ଚ୍ଚ କରିବା ଲାଗି ଅନୁମତି ଦେଇଥିଲେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ମହାମାରୀ ଘୋଷିତ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସମୟୋଚିତ ସମସ୍ତ ସହାୟତା ଯୋଗାଇ ଦେଇ ଆସୁଛନ୍ତି ।

 

**********


(ରିଲିଜ ଆଡି: 1610804) ପରିଦର୍ଶକ କାଉଣ୍ଟର : 320