ରେଳ ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମୀକ୍ଷା

• ରେଳବାଇର ଇତିହାସରେ ଗତ ବର୍ଷକ ମଧ୍ୟରେ ଜଣେ ହେଲେ ଯାତ୍ରୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇନାହାନ୍ତି
• କୋଭିଡ-19ର ପ୍ରଭାବ ଯେପରି ଦେଶରେ ସର୍ବନିମ୍ନ ହେବ, ସେ ଦିଗରେ ଆମର ପ୍ରୟାସ ଜାରୀ – ରେଳ ମନ୍ତ୍ରୀ
• ନିହାତି ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଗୋଏଲଙ୍କ ନିର୍ଦ୍ଦେଶ

Posted On: 01 APR 2020 1:40PM by PIB Bhubaneshwar

ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପାଇଁ ଅପେକ୍ଷାରେ ଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ । ରେଳବାଇର ସଂଗଠନ ଆଇଆରସିଟିସି ଏବଂ ରେଳ ସୁରକ୍ଷା ବଳର କର୍ମଚାରୀମାନେ ବର୍ତ୍ତମାନ ଆବଶ୍ୟକ କରୁଥିବା ଲୋକଙ୍କୁ ମାଗଣା ଖାଦ୍ୟ ବଂଟନ କରୁଛନ୍ତି । କେବଳ ରେଳ ଷ୍ଟେସନ ଆଖପାଖକୁ ଛାଡି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଦୂରଦୂରାନ୍ତରେ ଏହି ସେବା ବ୍ୟାପକ କରିବା ଲାଗି ଶ୍ରୀ ଗୋଏଲ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡି, ରେଳବାଇ ବୋର୍ଡର ସଦସ୍ୟ, ସାଧାରଣ ପ୍ରବନ୍ଧକ ଏବଂ ରେଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ।

କରୋନା ସଂକ୍ରମଣର ମୁକାବିଲା ତଥା ଏହାର ସମ୍ଭାବ୍ୟ ବ୍ୟାପକତାକୁ ଦୃଷ୍ଟିରେ ରଖି ରେଳ କୋଚଗୁଡିକୁ ଏକାନ୍ତ ବାସ ଡବାରେ ପରିଣତ କରିବା ନେଇ ରେଳବାଇର ଭୂମିକାକୁ ଶ୍ରୀ ଗୋଏଲ ପ୍ରଶଂସା କରିଥିଲେ । ରାଜ୍ୟର ବିଭିନ୍ନ ଜୋନଗୁଡିକ ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ କୋଚଗୁଡିକୁ ପ୍ରସ୍ତୁତ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଏପରି 5 ହଜାର କୋଚ ଓ ଏକାନ୍ତ ବାସ ପାଇଁ ପ୍ରସ୍ତୁତ କରାଯାଉଛି ।

କୋଭିଡ-19ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କେଆର୍ସ ପାଣ୍ଠିକୁ 151 କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ରେଳବାଇ ବୋର୍ଡର ଅଧିକାରୀମାନେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରେଳବାଇ ଏବଂ ରେଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ଦିନକର ଦରମା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ରେଳବାଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ ସୂଚନା ଦେଇଥିଲେ ।

ମାଲଗାଡି ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଜିନିଷପତ୍ର ପାଇଁ ଅଧିକ ଗାଡି ଚଲାଇବା ଲାଗି ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା ଖାଦ୍ୟ ଦ୍ରବ୍ୟ, ଔଷଧ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ଯନ୍ତ୍ରପାତି ଦେଶର ବିଭିନ୍ନ ସ୍ଥାନରେ ଶୀଘ୍ର ପହଂଚିପାରିବ । ପାର୍ସଲ ଟ୍ରେନ ଦ୍ୱାରା ପଠାଯାଇଥିବା ଜିନିଷପତ୍ର ଯୋଗୁଁ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଲାଭାନ୍ୱିତ ହେବେ । ରାଜ୍ୟର ବିଭିନ୍ନ ରେଳବାଇ ଜୋନରେ ସ୍ୱତନ୍ତ୍ର ପାର୍ସଲ ଟ୍ରେନ 8ଟି ରୁଟରେ ଚଳାଚଳ କରୁଥିବା ବେଳେ ଏହାକୁ ଆଉ 20ଟି ରୁଟକୁ ସମ୍ପ୍ରସାରିତ କରିବା ଲାଗି ଯୋଜନା ରହିଛି । ଆଗାମୀ କେତେକ ସପ୍ତାହ କରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତେ ଏ ଦିଗରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ ।

ରେଳବାଇ ଇତିହାସରେ ପ୍ରଥମ ଥର ଲାଗି ଗତ ବର୍ଷକ ମଧ୍ୟରେ ଜଣେ ହେଲେ ରେଳଯାତ୍ରୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ନାହାନ୍ତି । କରୋନା ସଂକ୍ରମଣର ପ୍ରଭାବ ଯେପରି ଆମ ଦେଶରେ ସର୍ବନିମ୍ନ ରହେ ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ ।

 

**********

 



(Release ID: 1610014) Visitor Counter : 194