ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 31 MAR 2020 8:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଏମାନୁଏଲ ମାକ୍ରୋନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

କୋଭିଡ-19 ମହାମାରୀ ଯୋଗୁଁ ହୋଇଥିବା ଜନହାନି ପାଇଁ ମହାମହିମ ରାଷ୍ଟ୍ରପତି ମାକ୍ରୋଙ୍କୁ ପ୍ରଧାନମନ୍ତ୍ରୀ ନିଜର ଶୋକ ବ୍ୟକ୍ତ କରିଥିଲେ । ଦୁଇ ନେତା ଏହି ସଙ୍କଟର ଘରୋଇ ଏବଂ ଅନ୍ତର୍ଜାତିକ ପଦକ୍ଷେପଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ବର୍ତ୍ତମାନ ସ୍ଥିତିରେ ବୈଶ୍ୱିକ ସହଯୋଗର ମହତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଦୁଇ ଦେଶର ବିଶେଷଜ୍ଞ ଦଳ ଭୂତାଣୁର ବ୍ୟାପକତାକୁ ରୋକିବାର ଉପାୟ ଏବଂ ଉପଚାର ତଥା ଟୀକା ଉଦ୍ଭାବନ ସମ୍ପର୍କିତ ଅନୁସନ୍ଧାନ ଓ ଗବେଷଣା ସୂଚନା ସକ୍ରିୟ ଭାବେ ପରସ୍ପର ମଧ୍ୟରେ ବାଂଟିବା ପାଇଁ ଦୁଇ ନେତା ସହମତି ଜଣାଇଥିଲେ ।

କୋଭିଡ-19 ସଙ୍କଟ ଆଧୁନିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତଆଣିଛି ଏବଂ ଏହା ବିଶ୍ୱକୁ ଏକ ନୂତନ ମାନବ କେନ୍ଦ୍ରିତ ଅବଧାରଣା ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣକୁ ଫ୍ରାନ୍ସ ରାଷ୍ଟ୍ରପତି ଦୃଢ ସମର୍ଥନ କରିଥିଲେ ।

ଜଳବାୟୁ ପରିବର୍ତ୍ତନ ଭଳି ଅନେକ ବୈଶ୍ୱିକ ବିଷୟ ଯାହା ସମଗ୍ର ମାନବ ଜାତିକୁ ପ୍ରଭାବିତ କରୁଛି ସେଗୁଡିକ ଉପରେ ମଧ୍ୟ ଦୃଷ୍ଟି ଦେବା ପାଇଁ ଏହି ଦୁଇ ନେତା ଗୁରୁତ୍ୱ ପ୍ରଦାନ କରିଥିଲେ । ବର୍ତ୍ତମାନର ସଙ୍କଟାପନ୍ନ ସ୍ଥିତିରେ ଆଫ୍ରିକା ସହିତ କମ ବିକଶିତ ଦେଶଗୁଡିକର ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଦୁଇ ନେତା ଗୁରୁତ୍ୱ ପ୍ରଦାନ କରିଥିଲେ

ମହାମାରୀ କାରଣରୁ ନିଜ ଘରେ ଆବଦ୍ଧ ଥିବା ଲୋକମାନଙ୍କୁ ଯୋଗାଭ୍ୟାସ ଦ୍ୱାରା ସେମାନଙ୍କ ମାନସିକ ଏବଂ ଶାରିରୀକ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବାର ଏକ ସୁବିଧାଜନକ ସାଧନ ଯୋଗାଇ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀଙ୍କର ମତକୁ ରାଷ୍ଟ୍ରପତି ମାକ୍ରୋ ସ୍ୱାଗତ ଜଣାଇଥିଲେ । ବର୍ତ୍ତମାନର ସ୍ୱାସ୍ଥ୍ୟ ସମସ୍ୟା ସମୟରେ ଫ୍ରାନ୍ସରେ ନୂତନ ଯୋଗାଭ୍ୟାସକାରୀଙ୍କୁ ବେଶ୍ ଆକର୍ଷିତ କରିଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଥିଲେ ।

ଭାରତ-ଫ୍ରାନ୍ସ ବନ୍ଧୁତ୍ୱ ଏହି ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିର ମୁକାବିଲାରେ ସହାୟକ ହେବ ବୋଲି ଦୁଇ ନେତା ସହମତି ଜଣାଇଥିଲେ ।

 

**********



(Release ID: 1609910) Visitor Counter : 193