୫୭ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଇଫି)ର ଅଂଶ ସ୍ୱରୂପ ଆଜି ଗୋଆର କଳା ଏକାଡେମୀଠାରେ 'କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ'ର ଷଷ୍ଠ ସଂସ୍କରଣ ଉଦଘାଟିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏହି ପଦକ୍ଷେପକୁ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମଦ୍ୱାରା କାର୍ଯ୍ୟକାରୀ କରାଯାଉଛି।
ଏହି ପଦକ୍ଷେପ ସମଗ୍ର ଭାରତରୁ ୧୦୦ ଜଣ ଯୁବ ସୃଜନଶୀଳ ପ୍ରତିଭାଙ୍କୁ ଏକାଠି କରିଛି, ଯାହା ସେମାନଙ୍କୁ ପରସ୍ପର ସହ ମିଶି କାମ କରିବା, ନିଜର ଦକ୍ଷତା ପ୍ରଦର୍ଶନ କରିବା ଏବଂ ଚଳଚ୍ଚିତ୍ର ଶିଳ୍ପର ଅନୁଭୂତି ହାସଲ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି।
ଏହି ଉଦଘାଟନୀ ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଳ କୁମାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ, ଏଫଟିଆଇଆଇ ରେଜିଷ୍ଟ୍ରାର ଶ୍ରୀ ଲୌକିକ ପାରେଖ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ କେ. କେ. ନିରାଲା, ରାଷ୍ଟ୍ରୀୟ ଚଳଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଶ୍ରୀ ଜି. କୃଷ୍ଣକୁମାର ଏବଂ ମହାପ୍ରବନ୍ଧକ ଶ୍ରୀ ଗୌତମ ଭାନୋଟ ପ୍ରମୁଖ ଯୋଗ ଦେଇଥିଲେ।

ସମାବେଶକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଳ କୁମାର କହିଥିଲେ ଯେ ଏଠାରେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜ ଦକ୍ଷତାକୁ ନେଇ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି, ଏବଂ ଆଗାମୀ ୪୮ ଘଣ୍ଟା ସେମାନଙ୍କୁ ତାଙ୍କର ସେହି ପ୍ରତିଭାକୁ ଏକ ଚଳଚ୍ଚିତ୍ରରେ ପରିଣତ କରିବାର ସୁଯୋଗ ଦେବ।
ସେ ମତବ୍ୟକ୍ତ କରିଥିଲେ ଯେ ମୂଳଦୁଆ ସଂସ୍କୃତି, ଭାଷା ଏବଂ ଅନୁଭୂତିରୁ ଆସିଥାଏ, ଯେତେବେଳେ କି ସ୍ୱପ୍ନ କଳ୍ପନା, ଜିଜ୍ଞାସା ଏବଂ କିଛି ନୂଆ ଚେଷ୍ଟା କରିବାର ସାହସରୁ ସୃଷ୍ଟି ହୁଏ। ଫରାସୀ ଦାର୍ଶନିକ ଜୋସେଫ୍ ଜୁବର୍ଟଙ୍କ ଉଦାହରଣ ଦେଇ ସେ ଉଲ୍ଲେଖ କରିଥିଲେ ଯେ କଳ୍ପନା ଜଣକୁ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରେ, କଳା ଶିଖିବା ସେହି ସ୍ୱପ୍ନଗୁଡ଼ିକୁ ଦିଗଦର୍ଶନ ଦିଏ, ଏବଂ ମୂଳଦୁଆ କାହାଣୀଗୁଡ଼ିକୁ ସ୍ୱର ପ୍ରଦାନ କରେ।
ସେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ କାହାଣୀର ବ୍ୟାପ୍ତିକୁ ସୀମିତ ନ ରଖି ନିଜର ମୂଳରୁ ପ୍ରେରଣା ନେବାକୁ ଆହ୍ୱାନ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତର ଏକ ଛୋଟ ଗାଁରୁ ସୃଷ୍ଟି ହୋଇଥିବା କାହାଣୀକୁ ଯଦି ସଚ୍ଚୋଟତାର ସହ ଉପସ୍ଥାପନ କରାଯାଏ, ତେବେ ତାହା ସମଗ୍ର ବିଶ୍ୱର ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିପାରିବ।

ସିନେମା ହେଉଛି ଏକ ସହଯୋଗମୂଳକ କଳା ଏବଂ ସେ ଅଂଶଗ୍ରହଣକାରୀମାନଙ୍କୁ ପରସ୍ପରର କଥା ଶୁଣିବାକୁ, ନିଜ ଦଳର ସାଥୀମାନଙ୍କୁ ବିଶ୍ୱାସ କରିବାକୁ, ନୂତନ ପ୍ରୟୋଗ କରିବାକୁ, ସୃଜନଶୀଳ ରିସ୍କ ନେବାକୁ ଏବଂ ଏହି ପ୍ରକ୍ରିୟାକୁ ଉପଭୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ନିଜର ମୂଳକୁ ସାଙ୍ଗରେ ନେଇ, ନିଜ କଳ୍ପନାକୁ ଉଡ଼ିବାକୁ ଦେଇ ଏବଂ ବିଶ୍ୱ ସମ୍ମୁଖରେ ନିଜର କାହାଣୀ ଉପସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦେଇ ସେ ନିଜର ବକ୍ତବ୍ୟ ଶେଷ କରିଥିଲେ।
ଉଦ୍ଘାଟନୀ ସମାରୋହର ଅନ୍ୟତମ ଆକର୍ଷଣ ଥିଲା ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ଚ୍ୟାଲେଞ୍ଜର ଶୁଭାରମ୍ଭ। ସଚିବ ଆନୁଷ୍ଠାନିକ ଭାବେ ପ୍ରସ୍ତୁତ ଫିଲ୍ମ କ୍ଲାପରେ ଆନୁଷ୍ଠାନିକ ଭାବେ କ୍ଲାପ୍ ଦେଇ ଏହି ଚ୍ୟାଲେଞ୍ଜର ଷଷ୍ଠ ସଂସ୍କରଣର ଶୁଭାରମ୍ଭ କରିଥିଲେ।
୨୦୨୬ ବ୍ୟାଚ୍ରେ ନିର୍ଦ୍ଦେଶନା, ଅଭିନୟ, ସିନେମାଟୋଗ୍ରାଫି, ଏଡିଟିଂ ଏବଂ ସବ୍ଟାଇଟଲିଂ, ସ୍କ୍ରିପ୍ଟ ରାଇଟିଂ, ପ୍ରଚ୍ଛଦପଟ ଗାୟନ, ସଙ୍ଗୀତ ସଂଯୋଜନା, ସାଉଣ୍ଡ ରେକର୍ଡିଂ, କଷ୍ଟ୍ୟୁମ୍ ଡିଜାଇନ୍, ହେୟାର ଏବଂ ମେକଅପ୍, କଳା ନିର୍ଦ୍ଦେଶନା, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍ (ଭିଏଫଏକ୍ସ), ଅଗମେଣ୍ଟେଡ୍ ରିଆଲିଟି (ଏଆର), ଭର୍ଚୁଆଲ୍ ରିଆଲିଟି (ଭିଆର), ଏବଂ ଭଏସ୍-ଓଭର ଓ ଡବିଂ ସମେତ ୧୩ଟି ଚଳଚ୍ଚିତ୍ର ନିର୍ମାଣ କଳାର ପ୍ରତିନିଧିତ୍ୱ କରୁଥିବା ୧୦୦ ଜଣ ଅଂଶଗ୍ରହଣକାରୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି।
ଏନ୍ଏଫ୍ଡିସି ସହଯୋଗରେ ପୁଣେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଦ୍ୱାରା ପରିଚାଳିତ ଏହି ୪୮-ଘଣ୍ଟିଆ ଫିଲ୍ମ ନିର୍ମାଣ ପ୍ରତିଯୋଗୀତାରେ ଅଂଶଗ୍ରହଣକାରୀମାନେ ୫ଟି ଦଳରେ ବିଭକ୍ତ ହୋଇ ୪୮ ଘଣ୍ଟାର ନିର୍ମାଣ ସମୟସୀମା ମଧ୍ୟରେ କ୍ଷୁଦ୍ର ଚଳଚ୍ଚିତ୍ରର ପରିକଳ୍ପନା ଏବଂ ପ୍ରସ୍ତୁତି କରିବେ। ସମ୍ପୂର୍ଣ୍ଣ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକ ଫିଲ୍ମ ମହୋତ୍ସବରେ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ହେବ ଏବଂ ଚଳଚ୍ଚିତ୍ର ଶିଳ୍ପର ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ମୂଲ୍ୟାଙ୍କନ କରାଯିବ।
କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ (ସିମୋଟ)ର ପ୍ରତିଭା କ୍ୟାମ୍ପ ଅଂଶଗ୍ରହଣକାରୀମାନଙ୍କୁ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଆହୁରି ଯୋଡ଼ିବ, ଯାହା ପ୍ରଯୋଜନା ସଂସ୍ଥା, ଷ୍ଟୁଡିଓ, ମ୍ୟୁଜିକ୍ ଲେବଲ୍, ଓଟିଟି ପ୍ଲାଟଫର୍ମ, ପ୍ରସାରକ ଏବଂ ଅନ୍ୟାନ୍ୟ ଶିଳ୍ପ ଅଂଶୀଦାରମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ।

୨୦୨୧ରେ ଏହାର ଆରମ୍ଭ ପରଠାରୁ, ସିମୋଟ ଉଦୀୟମାନ ସୃଜନଶୀଳ ପେସାଦାରମାନଙ୍କୁ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଯୋଡ଼ୁଥିବା ଏକ ମଞ୍ଚ ଭାବେ ବିକଶିତ ହୋଇଛି। ଏହାର ପୂର୍ବତନ ଅଂଶଗ୍ରହଣକାରୀମାନେ ଅନ୍ତର୍ଜାତୀୟ ପ୍ରଯୋଜନାରେ କାମ କରିବାକୁ ସୁଯୋଗ ପାଇଛନ୍ତି ଏବଂ କାନ୍ସ, ବର୍ଲିନାଲେ, ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଏମି ପୁରସ୍କାର ଭଳି ମଞ୍ଚ ଓ ମହୋତ୍ସବରେ ସ୍ୱୀକୃତି ଲାଭ କରିଛନ୍ତି। ଏକ ଉଲ୍ଲେଖନୀୟ ସଫଳତା ସ୍ୱରୂପ, ପୂର୍ବ ସଂସ୍କରଣର ୧୮ ଜଣ ଅଂଶଗ୍ରହଣକାରୀ ମୁକେଶ ଛାବ୍ରା କାଷ୍ଟିଂ କମ୍ପାନୀ ଦ୍ୱାରା ମନୋନୀତ ହୋଇଥିଲେ, ଯାହା ସିମୋଟ ମାଧ୍ୟମରେ ବିକଶିତ ପ୍ରତିଭାକୁ ବୃତ୍ତିଗତ ସୁଯୋଗରେ ପରିଣତ କରିବା ଦିଗରେ ଏକ ଉତ୍ସାହଜନକ ପଦକ୍ଷେପ।
Read IFFILOID here:
https://www.pib.gov.in/iffi/57/iffiLoid.aspx?yr=2026&lang=1®=48
/HP