ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ମାତ୍ର ୯ ମାସ ମଧ୍ୟରେ ୧ କୋଟି ଏଚପିଭି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ



ଜରାୟୁ ଗ୍ରୀବା କର୍କଟ ନିରାକରଣ ଦିଗରେ ଐତିହାସିକ ପଦକ୍ଷେପ

ଫେବୃଆରୀ ୨୦୨୬ରେ ପ୍ରଧାନମନ୍ତ୍ରୀ ଜାତୀୟ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ

୧୪ ବର୍ଷର ଝିଅମାନଙ୍କୁ ଟିକାକରଣ ଲାଗି ବାର୍ଷିକ ଲକ୍ଷ୍ୟର ପ୍ରାୟ ୮୭% ଲକ୍ଷ୍ୟ ହାସଲ

ସର୍ବଭାରତୀୟ ଏଚପିଭି ଟିକାକରଣ ଅଭିଯାନ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଦର୍ଶାଉଛି

ଗୁଜରାଟ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମିଜୋରାମ, ମଧ୍ୟପ୍ରଦେଶ ଏବଂ ବିହାର ୧୦୦% ଲକ୍ଷ୍ୟ ହାସଲ କରିଛନ୍ତି

ଏଚପିଭି ଟିକାକରଣରେ ଓଡ଼ିଶା ୭୪% ଲକ୍ଷ୍ୟ ହାସଲ କରିଛି

ପୋଷ୍ଟ କରାଯିବା ଦିନାଙ୍କ: 21 NOV 2026 10:25AM by PIB Bhubaneswar

ଭାରତ ଜରାୟୁ ଗ୍ରୀବା କର୍କଟ ବା ସର୍ଭାଇକାଲ୍ କ୍ୟାନସର୍ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। 'ଜାତୀୟ ଏଚ୍‌ପିଭି ଟିକାକରଣ ଅଭିଯାନ' ଆରମ୍ଭ ହେବାର ନଅ ମାସରୁ କମ୍ ସମୟ ମଧ୍ୟରେ ହ୍ୟୁମାନ୍ ପାପିଲୋମାଭାଇରସ୍ (ଏଚ୍‌ପିଭି) ଟିକାର ୧ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇଛି । ଏହି ସଫଳତା କିଶୋରୀମାନଙ୍କୁ ଜରାୟୁ ଗ୍ରୀବା କର୍କଟ ସୃଷ୍ଟିକାରୀ ଏଚ୍‌ପିଭି ସଂକ୍ରମଣରୁ ସୁରକ୍ଷା ଦେବା ଦିଗରେ ଏକ ବଡ଼ ପଦକ୍ଷେପ । ଏହି ଉପଲବ୍ଧି ସମଗ୍ର ଦେଶରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବାର ବ୍ୟାପକ ପ୍ରସାରକୁ ମଧ୍ୟ ଦର୍ଶାଉଛି ।

ଫେବୃଆରୀ ୨୦୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସର୍ବଭାରତୀୟ ଅଭିଯାନ ଅଧୀନରେ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୧୪ ବର୍ଷୀୟା ବାଳିକାମାନଙ୍କୁ ପିତାମାତାଙ୍କ ସହମତି କ୍ରମେ ମାଗଣା, ସୁରକ୍ଷିତ ଏବଂ ସ୍ୱେଚ୍ଛାକୃତ ଭାବେ ଏକମାତ୍ର ଡୋଜ୍‌ ବିଶିଷ୍ଟ ଏଚ୍‌ପିଭି ଟିକା ପ୍ରଦାନ କରାଯାଉଛି ।

ଭାରତର ରେଜିଷ୍ଟ୍ରାର୍ ଜେନେରାଲର ୨୦୨୧ ଜନସଂଖ୍ୟା ଆକଳନ ଅନୁଯାୟୀ, ଚିହ୍ନଟ ହୋଇଥିବା ପ୍ରାୟ ୧.୨ କୋଟି ବାଳିକାଙ୍କ ଟିକାକରଣର ବାର୍ଷିକ ଲକ୍ଷ୍ୟ ମଧ୍ୟରୁ ଏହି ଅଭିଯାନରେ ପ୍ରାୟ ୮୭% ଟିକାକରଣ କରାଯାଇଛି । ନଅ ମାସ ମଧ୍ୟରେ ୧ କୋଟି ଡୋଜ୍ ପ୍ରଦାନର ମାଇଲଖୁଣ୍ଟ ଅତିକ୍ରମ କରିବା, ଏହି ପଦକ୍ଷେପର ବ୍ୟାପକତା ଓ ଗତିକୁ ଦର୍ଶାଉଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ, ଅଗ୍ରଧାଡ଼ିର କର୍ମୀ, ଶିକ୍ଷକ, ଅଭିଭାବକ ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସ ସହାୟକ ହୋଇଛି ।

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଏଚପିଭି ଟିକାକରଣରେ ସ୍ଥିର ପ୍ରଗତି ହାସଲ କରିଛନ୍ତି । ଗୁଜରାଟ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମିଜୋରାମ, ମଧ୍ୟପ୍ରଦେଶ ଏବଂ ବିହାର ୧୦୦% ଲକ୍ଷ୍ୟ ହାସଲ କରିଛନ୍ତି । ଅନ୍ୟ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ, ଆସାମ ୯୫.୬୩% ଟିକାକରଣ ଲକ୍ଷ୍ୟ ହାସଲ କରିଛି । ଏହା ପଛକୁ ତେଲଙ୍ଗାନା (୯୫.୨୮%), କର୍ଣ୍ଣାଟକ (୯୩.୧୬%) ଏବଂ ଉତ୍ତରାଖଣ୍ଡ (୯୦.୧୭%) ରହିଛନ୍ତି । ଛତିଶଗଡ଼ (୮୬.୨୧%) ଏବଂ ରାଜସ୍ଥାନ (୮୫.୨୩%) ୮୦% ଲକ୍ଷ୍ୟ ହାସଲ କରିଥିବା ବେଳେ କେରଳ (୭୭.୦୨%), ତାମିଲନାଡୁ (୭୬.୧୨%), ଓଡ଼ିଶା (୭୪.୯୦%) ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳି ତଥା ଡମନ ଓ ଡିଉ (୭୨.୯୯%) ୭୦%ରୁ ଅଧିକ ଟିକାକରଣ ଲକ୍ଷ୍ୟ ହାସଲ କରିପାରିଛନ୍ତି ।

ସଂଖ୍ୟା ଦୃଷ୍ଟିରୁ ବିଚାର କଲେ, ୧୪ ବର୍ଷ ବୟସ୍କା ବାଳିକାମାନଙ୍କୁ ଟିକା ପ୍ରଦାନ କରିବାରେ ଉତ୍ତର ପ୍ରଦେଶ ଦେଶରେ ଶୀର୍ଷରେ ରହିଛି । ଏଠାରେ ୨୯.୩୩ ଲକ୍ଷରୁ ଅଧିକ ବାଳିକାଙ୍କୁ ଟିକା ଦିଆଯାଇଛି। ଏହା ପଛକୁ ବିହାର (୧୩.୭୦ ଲକ୍ଷରୁ ଅଧିକ) ଏବଂ ଗୁଜରାଟ (୭.୭୫ ଲକ୍ଷରୁ ଅଧିକ) ରହିଛନ୍ତି ।

ଏହି ମାଇଲଖୁଣ୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମଧ୍ୟରେ ନିରନ୍ତର ସମନ୍ୱୟକୁ ଦର୍ଶାଉଛି । ଏହା ଜିଲ୍ଲା ପ୍ରଶାସନ, ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଏବଂ ଆଗଧାଡ଼ିର ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ଦ୍ୱାରା ମଧ୍ୟ ସମର୍ଥିତ । ଡିଜିଟାଲ୍ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦେଶବ୍ୟାପୀ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଛି । ୟୁ-ୱିନ୍‌ ପ୍ଲାଟଫର୍ମ ବାସ୍ତବ-ସମୟ ମନିଟରିଂ, ହିତାଧିକାରୀ ଟ୍ରାକିଂ ଏବଂ ଡିଜିଟାଲ୍ ଟିକାକରଣ ରେକର୍ଡକୁ ସମର୍ଥନ କରୁଛି ।

ଜରାୟୁ ଗ୍ରୀବା କର୍କଟ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଛି ଏବଂ ଏହା ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗ ଓ ମୃତ୍ୟୁର ଏକ ପ୍ରମୁଖ କାରଣ। 'ହ୍ୟୁମାନ୍ ପାପିଲୋମାଭାଇରସ୍'ର କିଛି ଉଚ୍ଚ-ବିପଦଯୁକ୍ତ କାରକ ଦ୍ୱାରା ହେଉଥିବା ଦୀର୍ଘସ୍ଥାୟୀ ସଂକ୍ରମଣ, ଜରାୟୁ ଗ୍ରୀବା କର୍କଟର ଅଧିକାଂଶ ମାମଲା ପାଇଁ ଦାୟୀ। ଏଚପିଭି ଟିକାକରଣ ହେଉଛି ଏଚପିଭି ସଂକ୍ରମଣର ଆଶଙ୍କା ହ୍ରାସ କରିବା ପାଇଁ ଉପଲବ୍ଧ ସବୁଠାରୁ ପ୍ରଭାବଶାଳୀ ପ୍ରତିଷେଧକ ପଦକ୍ଷେପଗୁଡ଼ିକ ମଧ୍ୟରୁ ଅନ୍ୟତମ। ବ୍ୟାପକ ବିଶ୍ୱସ୍ତରୀୟ ବୈଜ୍ଞାନିକ ପ୍ରମାଣ ଆଧାରରେ ଜାତୀୟ ଏଚପିଭି ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରାଯାଇଛି । ସମଗ୍ର ବିଶ୍ୱରେ ୮୦ କୋଟିରୁ ଅଧିକ ଏଚପିଭି ଟିକା ଦିଆଯାଇଛି । ଏହି ଟିକା ଏଚପିଭି ସଂକ୍ରମଣ ଏବଂ ଏହା ସହ ଜଡ଼ିତ କର୍କଟ ନିରାକରଣ ବିରୋଧରେ ଦୃଢ଼ ସୁରଦକ୍ଷା ପ୍ରଦାନ କରିଥାଏ ବୋଲି ପ୍ରମାଣ ରହିଛି।

ଭାରତର ଏହି ଟିକାକରଣ ଅଭିଯାନରେ ପ୍ରତ୍ୟେକ ହିତାଧିକାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି । ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଟିକା ଦିଆଯାଉଛି । ଏଥିରେ ଟିକାକରଣର ସବୁ ନିୟମକୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ସହ ପାଳନ କରାଯାଉଛି । ୧ କୋଟି ଡୋଜ୍ ମାଇଲଖୁଣ୍ଟ ହାସଲ କରିବା ସହିତ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅବଶିଷ୍ଟ ଯୋଗ୍ୟ ଝିଅମାନଙ୍କ ନିକଟରେ ପହଞ୍ଚିବା ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟୀକାକରଣ କଭରେଜକୁ ଆହୁରି ସୁଦୃଢ଼ ​​କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଯୋଗ୍ୟ ୧୪ ବର୍ଷ ବୟସର ଝିଅମାନଙ୍କ ପିତାମାତା ଏବଂ ଅଭିଭାବକମାନଙ୍କୁ ଟିକାକରଣ ସମ୍ପର୍କରେ  ସୂଚନା ପାଇବା ଏବଂ ସ୍ଲଟ୍ ବୁକ୍ କରିବା ପାଇଁ ସେମାନଙ୍କ ନିକଟସ୍ଥ ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଏବଂ ୟୁ-ୱିନ୍‌ ପ୍ଲାଟଫର୍ମ ପରିଦର୍ଶନ କରିବା ଲାଗି ଉତ୍ସାହିତ କରାଯାଉଛି ।

******

PS


(ରିଲିଜ ଆଡି: 2339690) ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ : English , Urdu , Marathi , Assamese , Bengali , Gujarati , Tamil , Telugu , Kannada