ପୋଷ୍ଟ କରାଯିବା ଦିନାଙ୍କ:
04 NOV 2026 4:14PM by PIB Bhubaneswar
- ପ୍ରତିରକ୍ଷା ବାହିନୀ ଦ୍ୱାରା ଗତ ଚାରି ବର୍ଷ ମଧ୍ୟରେ ଅଗ୍ନିବୀରମାନଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନରୁ ମିଳିଲା ସକାରାତ୍ମକ ଫଳାଫଳ
- ପୂର୍ବ ଯୋଜନା ଅନୁଯାୟୀ, ଯୋଗ୍ୟତା ଭିତ୍ତିରେ ୨୫% ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବାହିନୀରେ ଦିଆଯିବ ନିୟମିତ ଚାକିରି
- ଅନ୍ୟ ଅଗ୍ନିବୀରମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ଆଉ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବାର ମିଳିବ ସୁଯୋଗ
- ଏହି ଦୁଇ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ଇଚ୍ଛୁକ ଏବଂ ଚୟନ ମାନଦଣ୍ଡ ପୂରଣ କରୁଥିବା ଅଗ୍ନିବୀରମାନଙ୍କୁ ନିୟମିତ ସୈନିକ ଭାବରେ ନିଯୁକ୍ତି ଦିଆଯିବ
ପ୍ରତିରକ୍ଷା ବାହିନୀରେ ସବୁ ଅଗ୍ନିବୀରମାନଙ୍କୁ ସାମିଲ କରିବା ଲାଗି ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଗ ପ୍ରଶସ୍ତ କରାଯାଇଛି । ସାଂଗଠନିକ ଆବଶ୍ୟକତା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ଦୃଷ୍ଟିରୁ କରାଯାଇଥିବା ଏକ ନିରପେକ୍ଷ ମୂଲ୍ୟାଙ୍କନରୁ ଜଣାପଡ଼ିଛି ଯେ, ଅଗ୍ନିବୀରମାନେ ଦକ୍ଷତା, ପ୍ରେରଣା ସ୍ତର, ଶାରୀରିକ ଫିଟନେସ ଏବଂ ବୈଷୟିକ ଦକ୍ଷତା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ହୋଇଥିବା ଯୋଜନା ଅନୁଯାୟୀ, ମେଧା ଭିତ୍ତିରେ ୨୫% ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବାହିନୀରେ ନିୟମିତ ନିଯୁକ୍ତି ପ୍ରଦାନ କରାଯିବ ।
ଏମାନଙ୍କ ବ୍ୟତୀତ, ବାକି ୭୫% ଅଗ୍ନିବୀରଙ୍କ ପାଇଁ ଭାରତୀୟ ପ୍ରତିରକ୍ଷା ବାହିନୀର ସୁପାରିସ ଆଧାରରେ କ୍ୟାବିନେଟ୍ ଦୁଇ ବର୍ଷର ଆଉ ଏକ ସେବା ଅବଧିକୁ ଅନୁମୋଦନ କରିଛି । ଏହି ଦୁଇ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ, ସମସ୍ତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବରେ ନିଯୁକ୍ତି ପାଇଁ ସୁଯୋଗ ଦିଆଯିବ । ତେବେ ଏଥିପାଇଁ ସେମାନେ ଆଗ୍ରହୀ ଥିବା ଆବଶ୍ୟକ ଏବଂ ସମସ୍ତ ଚୟନ ମାନଦଣ୍ଡ ପୂରଣ କରିବା ଉଚିତ୍ ।
ଇଚ୍ଛୁକ ୭୫% ଅଗ୍ନିବୀରଙ୍କ ପାଇଁ ଦୁଇ ବର୍ଷର ଅତିରିକ୍ତ କାର୍ଯ୍ୟକାଳର ବ୍ୟବସ୍ଥା କରାଯାଇଛି। ଏହି ନିଷ୍ପତ୍ତି ବ୍ୟାପକ ବିଚାରବିମର୍ଶ, ଯୁକ୍ତିଯୁକ୍ତ ଓ ବିସ୍ତୃତ ମୂଲ୍ୟାଙ୍କନ ତଥା ମତାମତ ଗ୍ରହଣ ପରେ ନିଆଯାଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଅଗ୍ନିବୀରମାନଙ୍କ ଆକାଂକ୍ଷା ଏବଂ ସଂଗଠନର କାର୍ଯ୍ୟଦକ୍ଷତା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା।
ଅଗ୍ନିପଥ ଯୋଜନାର ଉପଲବ୍ଧି
କାର୍ଯ୍ୟକାରୀ ହେବାର ଚାରି ବର୍ଷ ପରେ ଅଗ୍ନିପଥ ଯୋଜନାର କାର୍ଯ୍ୟକାରିତା ଏବଂ ଅଗ୍ନିବୀରମାନଙ୍କ ପ୍ରଦର୍ଶନ ସମ୍ବନ୍ଧରେ ବିସ୍ତୃତ ମତାମତ/ପ୍ରତିକ୍ରିୟା ମିଳିଛି। ଏହି ଯୋଜନାର କେତେକ ମୁଖ୍ୟ ସଫଳତା ନିମ୍ନରେ ଦିଆଗଲା :
- ଦେଶର ବିଭିନ୍ନ ଜିଲ୍ଲାରେ ଅଧିକ ସଂଖ୍ୟାରେ ଅଗ୍ନିବୀରଙ୍କ ନିଯୁକ୍ତି
- ଅଧିକ ସୁବ୍ୟବସ୍ଥିତ ଏବଂ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା
- ଉଚ୍ଚକୋଟୀର ଶାରୀରିକ ସୁସ୍ଥତା, ଦୃଢ଼ ମନୋବଳ, ପ୍ରେରଣା, ପ୍ରତିଯୋଗିତାମୂଳକ ମନୋଭାବ ଏବଂ ଶୃଙ୍ଖଳା
- ସେବା କାଳରେ ଦକ୍ଷତା ବିକାଶ, ବୈଷୟିକ ଅନୁକୂଳ କ୍ଷମତା ଏବଂ ଶିକ୍ଷାଗତ ଉନ୍ନତି
- ମହିଳାମାନଙ୍କ ପାଇଁ ପ୍ରତିରକ୍ଷା ବାହିନୀର ବିଭିନ୍ନ ଶାଖାରେ ସୁଯୋଗ
ଏହି ସଫଳତାଗୁଡ଼ିକୁ ଆଧାର କରି ‘ଅଗ୍ନିପଥ’ ଯୋଜନା ଜାରି ରହିବ । ନିଯୁକ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପାରିଶ୍ରମିକ, ଉନ୍ନତ ‘ସେବା ନିଧି’ ପ୍ୟାକେଜ୍ ଏବଂ ବରିଷ୍ଠତା ଜନିତ ସୁବିଧାସୁଯୋଗ ମିଳିବ ।
ଦୁଇ ବର୍ଷର ଅତିରିକ୍ତ କାର୍ଯ୍ୟକାଳ ଯୋଡ଼ିବା ଏବଂ ତା’ପରେ ସମସ୍ତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ନିଯୁକ୍ତି ଦେବା ମାଧ୍ୟମରେ କ୍ୟାବିନେଟ୍ ସମସ୍ତ ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବାହିନୀରେ ସାମିଲ କରିବା ପାଇଁ ଏକ ପଥ ପ୍ରସ୍ତୁତ କରିଛି ।
******
PS