ପୋଷ୍ଟ କରାଯିବା ଦିନାଙ୍କ:
22 OCT 2026 2:24PM by PIB Bhubaneswar
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କାଶୀ ତାମିଲ ସଙ୍ଗମମ୍ର ପଞ୍ଚମ ସଂସ୍କରଣ (କେଟିଏସ୍ ୫.୦) ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ୨୦୨୬ ନଭେମ୍ବର ୨୮ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ମାଧ୍ୟମରେ ଭାରତର ଦୁଇଟି ପ୍ରାଚୀନ ଜ୍ଞାନପୀଠ ତାମିଲନାଡୁ ଓ କାଶୀ ମଧ୍ୟରେ ରହିଥିବା ପ୍ରାଚୀନ ସଭ୍ୟତାଗତ ସମ୍ପର୍କକୁ ପାଳନ, ପୁନଃପ୍ରତିଷ୍ଠା ଓ ସୁଦୃଢ଼ କରାଯିବ। ଏଥିସହିତ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ମଜଭୁତ କରିବା ଏହାର ଉଦ୍ଦେଶ୍ୟ।
ଏହି ଅବସରରେ ଶ୍ରୀ ଯୋଶୀ କହିଥିଲେ ଯେ ପ୍ରାଚୀନ କାଳରୁ ଭାରତରେ ଏକ ଦୃଢ଼ ସାଂସ୍କୃତିକ ଏକତା ରହିଆସିଛି। ଧାର୍ମିକ ପରମ୍ପରା ଅନୁଯାୟୀ ଅନେକ ଲୋକ କାଶୀ ଓ ରାମେଶ୍ୱରମ୍ ଯାତ୍ରା କରୁଥିଲେ। ଏହା ଭାରତର ଉତ୍ତର ଓ ଦକ୍ଷିଣ ଭାଗ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କକୁ ପ୍ରତିଫଳିତ କରେ।
ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ଲେଖକ, ପେସାଦାର, କୃଷକ, କଳାକାର, ମହିଳା ଓ ଆଧ୍ୟାତ୍ମିକ ବିଦ୍ୱାନମାନେ ଏକାଠି ହେବେ। କାଶୀ ତାମିଲ ସଙ୍ଗମମ୍ର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଜାତୀୟ ଏକତାକୁ ସୁଦୃଢ଼ କରିବା ଏବଂ ଭାରତର ସାମୂହିକ ସଭ୍ୟତାଗତ ଐତିହ୍ୟକୁ ପାଳନ କରିବାରେ କାଶୀ ତାମିଲ ସଙ୍ଗମମ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ।
୨୦୨୨ରେ ପ୍ରଥମ କାଶୀ ତାମିଲ ସଙ୍ଗମମ୍ ଆୟୋଜିତ ହୋଇଥିଲା। ଗତ ଚାରିଟି ସଂସ୍କରଣରେ ଏହି କାର୍ଯ୍ୟକ୍ରମ ଦୁଇ ଅଞ୍ଚଳ ମଧ୍ୟରେ ଜ୍ଞାନ, ଭାଷା, ପରମ୍ପରା ଓ ଜୀବନଧାରା ସମ୍ପର୍କିତ ଅନୁଭୂତିର ଅର୍ଥପୂର୍ଣ୍ଣ ଆଦାନପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଇଆଇଟି ମାଡ୍ରାସ୍, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ପ୍ରତିଷ୍ଠାନ, ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟର ସହଯୋଗରେ ଏହି ଆୟୋଜନ କରାଯାଉଛି। ଏଥିରେ ସଂସ୍କୃତି, ରେଳବାଇ, ବିଦ୍ୟାଳୟ ଶିକ୍ଷା, ପର୍ଯ୍ୟଟନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ସୂଚନା ଓ ପ୍ରସାରଣ, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ଆଦି ବିଭାଗ ସାମିଲ ରହିଛନ୍ତି।
୨୦୨୬ର ବିଷୟ: ‘ତିରୁକ୍କୁରଳ ପଢ଼ିବା ଓ ଅଭ୍ୟାସ କରିବା’
କାଶୀ ତାମିଲ ସଙ୍ଗମମ୍ର ପଞ୍ଚମ ସଂସ୍କରଣର ବିଷୟବସ୍ତୁ ରହିଛି ‘ତିରୁକ୍କୁରଳ ପଢ଼ିବା ଓ ଅଭ୍ୟାସ କରିବା’ (ତିରୁକ୍କୁରଳ ପୟିଲଭୋମ୍ - ତିରୁକ୍କୁରଳ ଅଭ୍ୟାସ କରେଁ)। ଏହି ସଂସ୍କରଣ ମାଧ୍ୟମରେ ପ୍ରାଚୀନ ତାମିଲ ଗ୍ରନ୍ଥ ‘ତିରୁକ୍କୁରଳ’ରେ ଥିବା ଚିରନ୍ତନ ନୈତିକ ଓ ଆଦର୍ଶ ଜୀବନ ସମ୍ପର୍କିତ ଜ୍ଞାନକୁ ଦେଶର ଯୁବପିଢ଼ି ଓ ଶିକ୍ଷାର୍ଥୀଙ୍କ ନିକଟତର କରିବାକୁ ଉଦ୍ୟମ କରାଯିବ। ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ, ବହୁଭାଷୀ ଶିକ୍ଷଣ ସାମଗ୍ରୀ ଏବଂ ବ୍ୟାପକ ଜନସମ୍ପର୍କ ମାଧ୍ୟମରେ ଏହି ଗ୍ରନ୍ଥରେ ଉଲ୍ଲେଖିତ ସାର୍ବଜନୀନ ମୂଲ୍ୟବୋଧକୁ ପଢ଼ିବା, ବୁଝିବା ଓ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯିବ।
ଅଂଶଗ୍ରହଣ ଓ କାର୍ଯ୍ୟସୂଚୀ
ଏହି କାର୍ଯ୍ୟକ୍ରମରେ ତାମିଲନାଡୁରୁ ପ୍ରାୟ ୧,୪୦୦ ଜଣ ଅଂଶଗ୍ରହଣ କରିବେ। ସେମାନଙ୍କୁ ପ୍ରାୟ ୨୦୦ ଜଣ ଲେଖାଏଁ ସାତଟି ଦଳରେ ବିଭକ୍ତ କରାଯିବ। ପ୍ରତ୍ୟେକ ଦଳ ଆଠ ଦିନିଆ ଯାତ୍ରା କରିବେ। ଏଥିରେ ଚାରି ଦିନ ଯାତ୍ରା ଏବଂ ଚାରି ଦିନ ବିଭିନ୍ନ ସ୍ଥାନ ପରିଦର୍ଶନ ଓ ସୁସଂଗଠିତ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ। ଏହି ଯାତ୍ରାରେ ବାରାଣସୀ, ପ୍ରୟାଗରାଜ ଓ ଅଯୋଧ୍ୟା ସାମିଲ ରହିବ। ଏଠାରେ ସାଂସ୍କୃତିକ, ଶିକ୍ଷାଗତ, ବିଭିନ୍ନ ବିଷୟଭିତ୍ତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୁବପିଢ଼ିଙ୍କ ଅଂଶଗ୍ରହଣ ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ନୂତନ ପିଢ଼ି ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ସହ ଅର୍ଥପୂର୍ଣ୍ଣ ଭାବେ ଯୋଡ଼ି ହେବା ସହ ଏହାର ମୂଲ୍ୟବୋଧକୁ ସମସାମୟିକ ଶିକ୍ଷା, ବୃତ୍ତିଗତ ଜୀବନ ଓ ସାମାଜିକ ଜୀବନରେ ପ୍ରୟୋଗ କରିବାକୁ ସକ୍ଷମ ହେବେ।
ପଞ୍ଜୀକରଣ ସମ୍ପର୍କିତ ବିବରଣୀ
ଆଗ୍ରହୀ ଆବେଦନକାରୀମାନେ ୨୦୨୬ ଅକ୍ଟୋବର ୨୨ରୁ ଆଇଆଇଟି ମାଡ୍ରାସ୍ ପକ୍ଷରୁ ପରିଚାଳିତ ଅଧିକୃତ ପୋର୍ଟାଲ https://kashitamil.iitm.ac.in/ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଏହି ପୋର୍ଟାଲରେ ଆବେଦନ ଗ୍ରହଣର ଶେଷ ତାରିଖ ନଭେମ୍ବର ୧୩, ୨୦୨୬ ।
ସାତଟି ବର୍ଗରେ ଆବେଦନ ଗ୍ରହଣ କରାଯିବ। ସେଗୁଡ଼ିକ ହେଲା: (୧) ଛାତ୍ରଛାତ୍ରୀ, (୨) ଶିକ୍ଷକ, (୩) ଲେଖକ ଓ ଗଣମାଧ୍ୟମ ପେସାଦାର, (୪) କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, (୫) ପେସାଦାର ଓ କାରିଗର, (୬) ମହିଳା ଏବଂ (୭) ଆଧ୍ୟାତ୍ମିକ ନେତୃବୃନ୍ଦ।
କାଶୀ ତାମିଲ ସଙ୍ଗମମ୍ ୫.୦ର ପ୍ରମୁଖ ପଦକ୍ଷେପ
- ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହଭାଗିତା କାର୍ଯ୍ୟକ୍ରମ: ଦେଶର ୧,୦୦୦ଟି ଉଚ୍ଚଶିକ୍ଷାନୁଷ୍ଠାନ ମାଧ୍ୟମରେ ଏକ ସର୍ବଭାରତୀୟ ଛାତ୍ରଛାତ୍ରୀ ସହଭାଗିତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ଶିକ୍ଷାଗତ ବିଷୟ ଓ ଭାଷାଗତ ପୃଷ୍ଠଭୂମିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିରୁକ୍କୁରଳ ସମ୍ପର୍କରେ ବ୍ୟାପକ ଧାରଣା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ଏଥିରେ ଏହି ଗ୍ରନ୍ଥର ଶିକ୍ଷା ଓ ମୂଲ୍ୟବୋଧର ପ୍ରଚାର ପାଇଁ ସୁସଂଗଠିତ ଅଧ୍ୟୟନ, ଗବେଷଣା ଏବଂ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଏ ସମ୍ପର୍କିତ ବିବରଣୀ ଚେନ୍ନାଇସ୍ଥିତ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ପ୍ରତିଷ୍ଠାନର ପୋର୍ଟାଲ www.kts.cict.inରେ ଉପଲବ୍ଧ ରହିଛି।
- ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ: ତାମିଲନାଡୁର ତିରୁକ୍କୁରଳ ବିଶେଷଜ୍ଞମାନେ ବାରାଣସୀର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିଦର୍ଶନ କରିବେ। ସେଠାରେ ପରିଚୟମୂଳକ ପାଠ୍ୟକ୍ରମ, ଆଲୋଚନାଚକ୍ର, ପ୍ରଶ୍ନୋତ୍ତର ଆଦି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏହି ଗ୍ରନ୍ଥର ମୂଳ ମୂଲ୍ୟବୋଧ ସହ ପରିଚିତ କରାଇବେ। ଏଥିସହିତ ଜାତୀୟ ପୁସ୍ତକ ନ୍ୟାସ (ଏନବିଟି) ଓ ରାଷ୍ଟ୍ରୀୟ ଇ-ପୁସ୍ତକାଳୟର ମିଳିତ ସହଯୋଗରେ ବାରାଣସୀର ବିଦ୍ୟାଳୟଗୁଡ଼ିକରେ ପଠନ ଅଭ୍ୟାସ, କାହାଣୀ କଥନ ଓ ସୃଜନଶୀଳ କାର୍ଯ୍ୟକଳାପ ଉପରେ ଆଲୋଚନାମୂଳକ ଅଧିବେଶନ ଆୟୋଜନ କରାଯିବ।
- ପ୍ରଯୁକ୍ତିର ବ୍ୟବହାର: କାଶୀ ତାମିଲ ସଙ୍ଗମମ୍ ୫.୦ରେ ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରାଯିବ। ଏହାଦ୍ୱାରା ତିରୁକ୍କୁରଳର ଶିକ୍ଷା ଓ ମୂଲ୍ୟବୋଧକୁ ଦେଶର ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ।
ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାମିଲନାଡୁର ଯୋଗ୍ୟ ଆବେଦନକାରୀ, ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ କାଶୀ ତାମିଲ ସଙ୍ଗମମ୍ ୫.୦ ପାଇଁ ପଞ୍ଜୀକରଣ କରିବାକୁ ଆହ୍ୱାନ କରାଯାଇଛି। ଭାରତର ସାଂସ୍କୃତିକ ଏକତା, ଭାଷାଗତ ବିବିଧତା ଏବଂ ସାମୂହିକ ସଭ୍ୟତାଗତ ଐତିହ୍ୟର ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି।
ଗୁରୁତ୍ବପୂର୍ଣ୍ଣ ବିବରଣୀ:
ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ପୋର୍ଟାଲ https://kashitamil.iitm.ac.in/ ରେ ୨୨ ଅକ୍ଟୋବରରୁ ପଞ୍ଜୀକରଣ କରିହେବ। ପଞ୍ଜୀକରଣର ଶେଷ ତାରିଖ ୩ ନଭେମ୍ବର ୨୦୨୬। କାର୍ଯ୍ୟକ୍ରମ ତାରିଖ ୨୮ ନଭେମ୍ବରରୁ ୧୨ ଡିସେମ୍ବର। ସ୍ଥାନ ବାରାଣାସୀ, ପ୍ରୟାଗରାଜ ଓ ଅଯୋଧ୍ୟା। ବିଷୟ: ତିରୁକ୍କୁରଳ ପୟିଲଭୋମ୍ – ତିରୁକ୍କୁରଳ ଅଭ୍ୟାସ କର। ଅଂଶଗ୍ରହଣକାରୀ ସଂଖ୍ୟା ୧୪୦୦ ( ୨୦୦ ଲେଖାଏଁ ସଦସ୍ୟ ଥିବା ୭ ଗ୍ରୁପ)।
TKM