ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କୁଖ୍ୟାତ ଲଶ୍କର ଆତଙ୍କୀ ମୁସା ଓରଫ୍‌ ଆସିଫ୍‌ ଫୌଜି ନିହତ

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2026 4:09PM by PIB Bhubaneswar
  • ଜମ୍ମୁ-କଶ୍ମୀରରେ ଗୁଇନ୍ଦା ସୂଚନାକୁ ଆଧାର କରି ଅପରେସନ ପରେ ଲଶ୍କର କମାଣ୍ଡରକୁ ମାରିଲା ଭାରତୀୟ ସେନା
  • ଦୀର୍ଘ ଦିନ ଧରି ମୁସାକୁ ଖୋଜୁଥିଲା ସୁରକ୍ଷାବାହିନୀ, ନିକଟରେ ତା’କୁ ମାରିବା ଲାଗି ବିଭିନ୍ନ ଏଜେନ୍ସି ସହ ମିଶି ହୋଇଥିଲା ମିଳିତ ଯୋଜନା
  • ଭାରତୀୟ ସୁରକ୍ଷାବାହିନୀ ଦ୍ୱାରା ମୁସାକୁ ମାରିବା ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ଲଶ୍କର ନେଟୱର୍କ ପାଇଁ ବଡ଼ ଧକ୍କା
  • ମୁସା ନିହତ ହେବା ସହିତ ୨୦୨୨ ଠାରୁ ଜମ୍ମୁ ଓ କଶ୍ମୀରରେ ସକ୍ରିୟ ଅନେକ ବଡ଼ ଆକ୍ରମଣ ପାଇଁ ଦାୟୀ ଏଲଇଟିର ୪ କୁଖ୍ୟାତ ଆତଙ୍କବାଦୀଙ୍କ ଗୋଷ୍ଠୀ ହେଲା ସମ୍ପୂର୍ଣ୍ଣ ନିପାତ
  • ପୂର୍ବରୁ ସୁରକ୍ଷାବାହିନୀର ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଏହି ଗୋଷ୍ଠୀର ବାକି ତିନି ସଦସ୍ୟ – ଜୁନୈଦ ଭଟ୍ଟ, ସୁଲେମାନ ଏବଂ ୟାସିର୍‌ ହୋଇଥିଲେ ନିହତ
  • ମଇ ୨୦୨୬ରେ ଆରମ୍ଭ ହୋଇଥିବା ଏବଂ ଦୀର୍ଘ ସମୟ ଧରି ଚାଲିଥିବା ‘ଅପରେସନ ଶେରାବାଲି’ର ଅଂଶବିଶେଷ ଭାବେ ମୁସାକୁ ମାରିବା ଲାଗି ହୋଇଥିଲା ଏହି ଏନକାଉଣ୍ଟର୍‌

 

କୁଖ୍ୟାତ ଲଶ୍ମର ଆତଙ୍କବାଦୀ ମୁସା ଓରଫ୍‌ ଆସିଫ୍‌ ଫୌଜି ସୁରକ୍ଷାବାହିନୀର ଏନକାଉଣ୍ଟରରେ ନିହତ ହୋଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାବାହିନୀର ଯବାନମାନେ ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲା ଖାନସାହିବ ଥାନା ଅନ୍ତର୍ଗତ ଗୁରୱତକଲାନରେ ଏକ ମିଳିତ ଅପରେସନ୍‌ କରିଥିଲେ । ଏଥିରେ ଲଶ୍କର-ଏ-ତୈୟବାର ବରିଷ୍ଠ କମାଣ୍ଡର ମୂସା ନିହତ ହୋଇଛି । ସୁରକ୍ଷାବାହିନୀ ଦୀର୍ଘଦିନ ଧରି ମୁସାକୁ ସନ୍ଧାନ କରୁଥିଲା । ନିକଟରେ ତା’ର ଗତିବିଧି ଏବଂ ଉପସ୍ଥିତି ସମ୍ପର୍କରେ ବୈଷୟିକ ଏବଂ ମାନବୀୟ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତା’କୁ ମାରିବା ଲାଗି ବିଭିନ୍ନ ସୁରକ୍ଷା ଏଜେନ୍ସି ମିଶି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ ।

ଭାରତୀୟ ସୁରକ୍ଷାବାହିନୀ ଦ୍ୱାରା ମୁସାକୁ ମାରିବା ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଲଶ୍କର ନେଟୱର୍କ ପାଇଁ ବଡ଼ ଧକ୍କା ବୋଲି କୁହାଯାଉଛି । ମୁସା ନିହତ ହେବା ସହିତ ୨୦୨୨ ଠାରୁ ଜମ୍ମୁ ଓ କଶ୍ମୀରରେ ସକ୍ରିୟ ଅନେକ ବଡ଼ ଆକ୍ରମଣ ପାଇଁ ଦାୟୀ ଏଲଇଟିର ୪ କୁଖ୍ୟାତ ଆତଙ୍କବାଦୀଙ୍କ ଗୋଷ୍ଠୀ ସମ୍ପୂର୍ଣ୍ଣ ନିପାତ ହୋଇଛି । ଏହି ଗୋଷ୍ଠୀ ହଲାନ୍‌ ଆକ୍ରମଣ (ଅଗଷ୍ଟ ୨୦୨୩), ଡିକେଜି ଆକ୍ରମଣ (ଡିସେମ୍ବର ୨୦୨୩), କଣ୍ଡି ଆକ୍ରମଣ (ମଇ ୨୦୨୩), ଶାହସୀତାର ଆକ୍ରମଣ (ମଇ ୨୦୨୪) ଏବଂ ବୈସରଣ ଆକ୍ରମଣ (ଏପ୍ରିଲ ୨୦୨୫)ରେ ସମ୍ପୃକ୍ତ ରହିଥିଲା । ଏହି ଦଳର ବାକି ତିନି ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଭିନ୍ନ ଭିନ୍ନ ଆକ୍ରମଣରେ ନିପାତ କରିଥିଲା। ୩ ଡିସେମ୍ବର ୨୦୨୪ରେ ଦାଚୀଗାମଠାରେ ଜୁନୈଦ ଭଟ, ୨୮ ଜୁଲାଇ ୨୦୨୫ରେ ଅପରେସନ ମହାଦେବରେ ସୁଲେମାନ୍‌ ଏବଂ ଅପରେସନ ଅସଧର ଜରିଆରେ ୪ ସେପ୍ଟେମ୍ବର ୨୦୨୬ରେ ୟାସିର୍‌ ନିହତ ହୋଇଥିଲା । ମଇ ୨୦୨୬ରେ ‘ଅପରେସନ ଶେରାବାଲି’ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ସମୟ ଧରି ଜାରି ରହିଥିଲା। ଏହି ଅପରେସନର ଅଂଶବିଶେଷ ଭାବେ ମୁସାକୁ ମାରିବା ଲାଗି ଏନକାଉଣ୍ଟର କରାଯାଇଛି ।

ବିଗତ କିଛି ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ପୁଲିସ, ଭାରତୀୟ ସେନା ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ମଧ୍ୟରେ ତାଳମେଳ ପ୍ରତିଷ୍ଠା କରାଯାଇ ମିଳିତ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ସ୍ୱତନ୍ତ୍ର ଆତଙ୍କବାଦ ନିରୋଧୀ ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ଏହାର ସକାରାତ୍ମକ ଫଳ ମିଳୁଛି ।

******

PS/Swadhin/Manoj


(ରିଲିଜ ଆଡି: 2317375) ପରିଦର୍ଶକ କାଉଣ୍ଟର : 10