ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

'ସ୍ୱଚ୍ଛତା ହିଁ ସେବା ୨୦୨୬' ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ


୨୦୨୬ ମସିହା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ କରାଯିବ ଏହି ଅଭିଯାନ

‘ସ୍ୱଚ୍ଛତାରେ ସହଭାଗିତା, ସ୍ୱଚ୍ଛ ଭାରତ, ବିକଶିତ ଭାରତ’ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ର ବିଷୟବସ୍ତୁ

ବ୍ୟାପକ ‘ଜନ ଭାଗିଦାରୀ’ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଦୃଶ୍ୟମାନ ଫଳାଫଳ ସୁନିଶ୍ଚିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 10 SEP 2026 6:00PM by PIB Bhubaneswar

ଗୃହ ଓ ସହରାଞ୍ଚଳ ବ୍ୟାପାର ତଥା ବିଦ୍ୟୁତ୍‌ ମନ୍ତ୍ରୀ ଶ୍ରୀ ମନୋହର ଲାଲ ଆଜି ରାଜ୍ୟଗୁଡ଼ିକର ସହରାଞ୍ଚଳ ବିକାଶ ମନ୍ତ୍ରୀ, ପ୍ରମୁଖ ସଚିବ, ସହରାଞ୍ଚଳ ବିକାଶ ବିଭାଗର ଅଧିକାରୀ ଏବଂ ରାଜ୍ୟ ମିଶନ ନିର୍ଦ୍ଦେଶକମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ସ୍ୱଚ୍ଛତା ହିଁ ସେବା’ (ଏସ୍‌ଏଚ୍‌ଏସ୍‌) ୨୦୨୬ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

 

୨୦୨୬ ମସିହା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଦେଶବ୍ୟାପୀ ଅଭିଯାନର ପ୍ରସ୍ତୁତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ଚଳିତ ବର୍ଷ ଏହି ଅଭିଯାନର ବିଷୟବସ୍ତୁ ରହିଛି ‘ସ୍ୱଚ୍ଛତାରେ ସହଭାଗିତା, ସ୍ୱଚ୍ଛ ଭାରତ, ବିକଶିତ ଭାରତ’। ସ୍ୱଚ୍ଛ ଓ ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ସାମୂହିକ ଅଂଶଗ୍ରହଣ ଓ ସମସ୍ତଙ୍କ ମିଳିତ ଦାୟିତ୍ୱର ଭୂମିକା ଉପରେ ଏହି ବିଷୟବସ୍ତୁ ଗୁରୁତ୍ୱାରୋପ କରିଥାଏ।

 

ସ୍ୱଚ୍ଛତା ହିଁ ସେବା ୨୦୨୬ର ପ୍ରମୁଖ କାର୍ଯ୍ୟକ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି - ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍‌ (ସିଟିୟୁ) ଏବଂ ଅଧିକ ଜନସମାଗମ ହେଉଥିବା ସାର୍ବଜନୀନ ସ୍ଥାନଗୁଡ଼ିକର ରୂପାନ୍ତରଣ; ‘ସ୍ୱଚ୍ଛ ପାଠଶାଳା - ସ୍ୱଚ୍ଛତା ପାଇଁ ଯୁବବର୍ଗ’; ‘ସଫେଇମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର’; ସ୍ୱଚ୍ଛତା ପାଇଁ ଜନଭାଗୀଦାରୀ; ଏବଂ ‘ସ୍ୱଚ୍ଛତାରୁ ସମୃଦ୍ଧି’, ଯେଉଁଥିରେ ସର୍କୁଲାର ଇକୋନୋମି ଓ ‘ୱେଷ୍ଟ-ଟୁ-ୱେଲ୍‌ଥ’ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବ।

 

ବୈଠକ ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଭିଯାନର ପ୍ରମୁଖ କାର୍ଯ୍ୟକ୍ଷେତ୍ର ଏବଂ ଦେଶବ୍ୟାପୀ ସମନ୍ୱିତ କାର୍ଯ୍ୟ ଗ୍ରହଣ କରିବାର ଆବଶ୍ୟକତା ବିଷୟରେ ଅବଗତ କରାଯାଇଥିଲା। ଏଥିସହିତ ଅଭିଯାନ ସମୟରେ ବ୍ୟାପକ ନାଗରିକ ଅଂଶଗ୍ରହଣ, ସ୍ଥାନୀୟ ସ୍ତରରେ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଦୃଶ୍ୟମାନ ସ୍ୱଚ୍ଛତା ଫଳାଫଳ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟାଳୟ ପରିସର, ପର୍ଯ୍ୟଟନସ୍ଥଳୀ ଏବଂ ଜଳାଶୟଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ସୁନିଶ୍ଚିତ କରିବାରେ ରାଜ୍ୟ ବିଭାଗଗୁଡ଼ିକ ନେତୃତ୍ୱ ନେବାକୁ କୁହାଯାଇଛି।

 

ଶ୍ରୀ ମନୋହର ଲାଲ ତାଙ୍କ ଅଭିଭାଷଣରେ ନାଗରିକମାନଙ୍କୁ ୧୭ ସେପ୍ଟେମ୍ବରରୁ ନିଜ ଘରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ। ସେ ନାଗରିକମାନଙ୍କୁ ନିଜେ ନିଜ ଘର ସଫା କରିବା ସହ ସନ୍ଧ୍ୟାରେ ଘରେ ଦୀପ ଜାଳିବାକୁ ଅନୁରୋଧ କରିଥିଲେ। ଏହା ସ୍ୱଚ୍ଛ ଘର, ସୁସ୍ଥ ପରିବାର ଓ ସକାରାତ୍ମକ ଶକ୍ତିର ପ୍ରତୀକ ହେବା ସହ ହାସଲ ହୋଇଥିବା ସ୍ୱଚ୍ଛତାକୁ ନିରନ୍ତର ବଜାୟ ରଖିବା ପ୍ରତି ପ୍ରତିବଦ୍ଧତାର ପ୍ରତୀକ ହେବ। ସେ କହିଥିଲେ ଯେ, ‘ସେବା ସଂକଳ୍ପ’ ଭାବନାରେ ଏହି ଅଭିଯାନକୁ ଆଗେଇ ନିଆଯିବା ଉଚିତ। ସ୍ୱଚ୍ଛତାକୁ କେବଳ ଏକ ମାସର କାର୍ଯ୍ୟକ୍ରମରେ ସୀମିତ ନରଖି, ଏହାକୁ ଲୋକଙ୍କ ନେତୃତ୍ୱାଧୀନ ନିରନ୍ତର ପ୍ରତିବଦ୍ଧତାରେ ପରିଣତ କରିବା ଏହି ଅଭିଯାନର ଲକ୍ଷ୍ୟ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଏହି ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେଉଛି ଏବଂ ଏହା ତାଙ୍କର ସେବା ଭାବନା ଓ ସଂକଳ୍ପକୁ ସ୍ୱଚ୍ଛତା ଅଭିଯାନ ସହିତ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି।

 

‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ମନେ ପକାଇ ଶ୍ରୀ ମନୋହର ଲାଲ କହିଥିଲେ ଯେ, କୌଣସି ସ୍ଥାନକୁ ସ୍ୱଚ୍ଛ ରଖିବା ଯେତେବେଳେ ସେହି ସ୍ଥାନର ଲୋକଙ୍କ ସଂକଳ୍ପରେ ପରିଣତ ହୁଏ, ସେତେବେଳେ ପରିବର୍ତ୍ତନ କେବଳ ସ୍ୱଚ୍ଛତା ମଧ୍ୟରେ ସୀମିତ ରହେ ନାହିଁ, ବରଂ ସେହି ସ୍ଥାନର ପରିଚୟକୁ ମଧ୍ୟ ବଦଳାଇ ଦେଇଥାଏ। ତେଣୁ ସ୍ୱଚ୍ଛତାକୁ ନାଗରିକମାନଙ୍କର ସାମୂହିକ ସଂକଳ୍ପରେ ପରିଣତ କରିବା ଦିଗରେ ପ୍ରୟାସ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

 

ମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ୨୫ ସେପ୍ଟେମ୍ବରରେ ସମାଜର ସମସ୍ତ ବର୍ଗରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବା ଉଚିତ। ଏଥିରେ ବିଶେଷ ଭାବେ ସମାବେଶୀକରଣ ଓ ସାମାଜିକ କଲ୍ୟାଣ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ।

 

ବିଶେଷ ଭାବରେ, ରାଜ୍ୟଗୁଡ଼ିକୁ ଅକ୍ଟୋବର ୧ ତାରିଖ ପୂର୍ବରୁ 'ଏକ ଦିନ, ଏକ ଘଣ୍ଟା, ଏକ ସାଥ୍' ଶୀର୍ଷକ ସର୍ବଭାରତୀୟ ସ୍ତରୀୟ 'ଶ୍ରମଦାନ' କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଯୋଜନା ଓ ସଚେତନତାମୂଳକ କାର୍ଯ୍ୟକଳାପ ହାତକୁ ନେବାକୁ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ଶିକ୍ଷା ଓ କ୍ରୀଡ଼ା ବିଭାଗଗୁଡ଼ିକୁ ବ୍ୟାପକ ଭାବେ ଯୁବବର୍ଗ ଓ କ୍ରୀଡ଼ାବିତ୍‌ମାନଙ୍କୁ ସ୍ୱଚ୍ଛତା କାର୍ଯ୍ୟକଳାପରେ ସାମିଲ କରିବାକୁ କୁହାଯାଇଥିଲା। ସମସ୍ତ ରାଜ୍ୟର ମନ୍ତ୍ରୀ, ସାଂସଦ/ବିଧାୟକ, ମେୟର, ଡେପୁଟି ମେୟର, ୱାର୍ଡ କାଉନସିଲର, କମିଶନର ଏବଂ ପ୍ରତ୍ୟେକ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିଜ ନିଜ ଅଞ୍ଚଳ/ନିର୍ବାଚନମଣ୍ଡଳୀରୁ ଏହି ଦେଶବ୍ୟାପୀ ଶ୍ରମଦାନ କାର୍ଯ୍ୟକ୍ରମର ନେତୃତ୍ୱ ନେବା ଏବଂ ଏଥିପାଇଁ ଜନସାଧାରଣଙ୍କ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।

 

ସେ ସମସ୍ତ ପୌରସଂସ୍ଥାଗୁଡ଼ିକୁ ମଧ୍ୟ ପରାମର୍ଶ ଦେଇଥିଲେ ଯେ, ଆବାସିକ ସମିତି ଏବଂ ଆବାସିକ କଲ୍ୟାଣ ସଂଘ (ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍‌)ଗୁଡ଼ିକୁ ସାମିଲ କରିବା ପାଇଁ ୱାର୍ଡ ମଧ୍ୟରେ ଏବଂ ବିଭିନ୍ନ ଆବାସିକ କଲ୍ୟାଣ ସଂଘ ମଧ୍ୟରେ ସ୍ୱଚ୍ଛତା ପ୍ରତିଯୋଗିତା ଆୟୋଜନ କରାଯାଉ। ଏହା ମାଧ୍ୟମରେ ସ୍ୱଚ୍ଛତା ପ୍ରୟାସକୁ ଆହୁରି ସୁଦୃଢ଼ କରିବା ସହ ପ୍ରମୁଖ ଆରଡବ୍ଲ୍ୟୁଏ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ସମ୍ପର୍କିତ ମୁଖ୍ୟ ବାର୍ତ୍ତାର ପ୍ରଚାର କରାଯିବ।

 

ଅକ୍ଟୋବର ୨ ତାରିଖ ଅର୍ଥାତ୍‌ ସ୍ୱଚ୍ଛ ଭାରତ ଦିବସ ଅବସରରେ, ମହାନଗର ଓ ପୌରସଂସ୍ଥାଗୁଡ଼ିକ ପକ୍ଷରୁ ସାର୍ବଜନୀନ ସ୍ଥାନରେ ସ୍ୱତନ୍ତ୍ର ପରିଷଦ ବୈଠକ ଏବଂ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ। ଏହା ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରାଯିବା ସହ ‘ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ’ ସମ୍ପର୍କରେ ସଚେତନତାମୂଳକ ଅଭିଯାନ କରାଯିବ। ଏଥିସହିତ ‘ଏକ ପେଡ୍‌ ମା’ କେ ନାମ’ ଅଭିଯାନ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

 

ବୈଠକରେ ‘ସଫେଇମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର’ ମାଧ୍ୟମରେ ସ୍ୱଚ୍ଛତା କର୍ମଚାରୀମାନଙ୍କ କଲ୍ୟାଣ, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏଥିରେ ଯୋଗ୍ୟ କଲ୍ୟାଣକାରୀ ଯୋଜନା ସହ ସଂଯୋଗ, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସୁରକ୍ଷା ଉପକରଣ ଯୋଗାଣକୁ ସାମିଲ କରାଯିବ। ସର୍ବାଧିକ ପ୍ରଭାବ ସୁନିଶ୍ଚିତ କରିବା ପାଇଁ ବର୍ଷସାରା ନିୟମିତ ବ୍ୟବଧାନରେ ଏହି ଶିବିରଗୁଡ଼ିକ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

 

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ, ଆସନ୍ତା ୭ ଅକ୍ଟୋବରରେ ସ୍ୱତନ୍ତ୍ର 'ସ୍ୱଚ୍ଛତା କାର୍ଯ୍ୟକ୍ରମ' ଆୟୋଜନ କରିବାକୁ ମନ୍ତ୍ରୀ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଥିଲେ।

ସ୍ୱଚ୍ଛତା ହିଁ ସେବା ୨୦୨୬ ଅଭିଯାନକୁ ନେଇ ଜନଭାଗୀଦାରୀ, କ୍ରୀଡ଼ା କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ/ମନଛୁଆଁ ଗୀତ ଏବଂ ସ୍ୱଚ୍ଛତା ସଙ୍ଗୀତ ମାଧ୍ୟମରେ ପ୍ରଭାବଶାଳୀ ଓ ଅଭିନବ ସଚେତନତା ତଥା ଜନସମ୍ପର୍କ କାର୍ଯ୍ୟକଳାପ ହାତକୁ ନେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଅଭିଯାନ ସମୟରେ କରାଯାଇଥିବା କାର୍ଯ୍ୟକଳାପର ନିୟମିତ ରିପୋର୍ଟ ପ୍ରଦାନ କରିବା ଏବଂ ଏହି ଅଭିଯାନ ଯେପରି କ୍ଷେତ୍ରସ୍ତରରେ ମାପଯୋଗ୍ୟ ଫଳାଫଳ ଆଣିବ ଓ ଦେଶର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦୃଢ଼ ଆଚରଣଗତ ପରିବର୍ତ୍ତନ ଆଣିବ, ସେଥିପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା। ଯଦିଓ ଏହି ଅଭିଯାନ ଆନୁଷ୍ଠାନିକ ଭାବେ ୧୭ ଅକ୍ଟୋବରରେ ଶେଷ ହେବ, ତଥାପି ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଉତ୍ସାହ ଓ ଗତିଶୀଳତାକୁ ବର୍ଷସାରା ବଜାୟ ରଖିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ କରାଯାଇଥିଲା।

 

*****

MT

 

 


(ରିଲିଜ ଆଡି: 2308989) ପରିଦର୍ଶକ କାଉଣ୍ଟର : 4