ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶକ୍ତି ସୁରକ୍ଷା ଉପରେ ଭାରତ-ଅଷ୍ଟ୍ରେଲିଆ ମିଳିତ ବିବୃତ୍ତି
प्रविष्टि तिथि:
09 JUL 2026 11:02AM by PIB Bhubaneswar
ଅଷ୍ଟ୍ରେଲିଆ ଓ ଭାରତ ହେଉଛନ୍ତି ବ୍ୟାପକ ରଣନୀତିକ ଅଂଶୀଦାର, ଯେଉଁମାନଙ୍କର ଏକ ଖୋଲା, ମୁକ୍ତ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଗଠନ ପାଇଁ ସାଧାରଣ ଦୃଷ୍ଟିଭଙ୍ଗୀ ରହିଛି।
ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟପ୍ରାଚ୍ୟର ବର୍ତ୍ତମାନ ପରିସ୍ଥିତି ଏବଂ ଏହାର ଆମ ଅଞ୍ଚଳ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରୁଛନ୍ତି। ବିଶେଷକରି, ଶକ୍ତି, ପ୍ରାକୃତିକ ସମ୍ପଦ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଯୋଗାଣ ଶୃଙ୍ଖଳ ଓ ମୂଲ୍ୟ ଉପରେ ବାଧା ସୃଷ୍ଟି ହେବାର ଦୀର୍ଘକାଳୀନ ପ୍ରଭାବକୁ ନେଇ ଉଭୟ ଦେଶ ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତି ମଧ୍ୟରେ, ଉଭୟ ଦେଶ ଖୋଲା ବଜାର ବ୍ୟବସ୍ଥା ଏବଂ ନିୟମ-ଆଧାରିତ ବାଣିଜ୍ୟ ପ୍ରତି ସେମାନଙ୍କର ସାମୂହିକ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ଏହି ନୀତିଗୁଡ଼ିକ ଆମର ସମୃଦ୍ଧି ଓ ଆର୍ଥିକ ସୁରକ୍ଷାର ମୂଳ ଆଧାର।
ଅଷ୍ଟ୍ରେଲିଆ ଓ ଭାରତ ସ୍ୱୀକାର କରୁଛନ୍ତି ଯେ, ବିଶ୍ୱସନୀୟ ବେସରକାରୀ କ୍ଷେତ୍ରର ଭାଗୀଦାରି ଏବଂ ରଣନୀତିକ ପୁଞ୍ଜି ବିନିଯୋଗ ନିରନ୍ତର ଓ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବାରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାଏ। ଏହା ସହିତ, ବେସରକାରୀ କ୍ଷେତ୍ରର ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଉଭୟ ଦେଶ ଆର୍ଥିକ ସହଯୋଗ ଏବଂ ବାଣିଜ୍ୟ ଚୁକ୍ତି (ଇସିଟିଏ), ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତି (ସିଇସିଏ) ପାଇଁ ଚାଲିଥିବା ଆଲୋଚନା ଏବଂ ଅନ୍ୟାନ୍ୟ ସମ୍ପର୍କିତ ଦ୍ୱିପାକ୍ଷିକ ବ୍ୟବସ୍ଥା ମାଧ୍ୟମରେ ଦ୍ୱିପାକ୍ଷିକ ଶକ୍ତି ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ। ଅଷ୍ଟ୍ରେଲିଆ ଏବଂ ଭାରତ ଶକ୍ତି କ୍ଷେତ୍ରରେ ଦକ୍ଷତା ବିକାଶ ଏବଂ ଜ୍ଞାନର ପାରସ୍ପରିକ ଆଦାନ-ପ୍ରଦାନର ଗୁରୁତ୍ୱକୁ ମଧ୍ୟ ପୁନର୍ବାର ଦୋହରାଇଛନ୍ତି।
ଭାରତ ପାଇଁ ତରଳ ପ୍ରାକୃତିକ ଗ୍ୟାସ୍ (ଏଲ୍ଏନ୍ଜି)ର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଅଷ୍ଟ୍ରେଲିଆର ଭୂମିକା ଏବଂ ଅଷ୍ଟ୍ରେଲିଆ ପାଇଁ ତରଳ ଇନ୍ଧନ ଓ ଅନ୍ୟାନ୍ୟ ଡାଉନଷ୍ଟ୍ରିମ୍ ପେଟ୍ରୋଲିୟମ ଉତ୍ପାଦର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଭାରତର ଭୂମିକାକୁ ସ୍ୱୀକାର କରି, ଅଷ୍ଟ୍ରେଲିଆ ଓ ଭାରତ ଶକ୍ତି ସମ୍ପର୍କିତ ଉତ୍ପାଦର ନିରବଚ୍ଛିନ୍ନ ଯୋଗାଣକୁ ସମର୍ଥନ କରିବା ଏବଂ ଉଭୟ ଦେଶ ମଧ୍ୟରେ ଶକ୍ତି ବାଣିଜ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ। ଉଭୟ ଦେଶ ଶକ୍ତି ମୂଲ୍ୟ ଶୃଙ୍ଖଳର ସମସ୍ତ ସ୍ତରରେ ପୁଞ୍ଜି ନିବେଶର ସୁଯୋଗକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ମଧ୍ୟ ପୁନର୍ବାର ଦୋହରାଇଛନ୍ତି।
ଅଷ୍ଟ୍ରେଲିଆ ଏବଂ ଭାରତ ୨୦୧୫ ମସିହାର ଅଷ୍ଟ୍ରେଲିଆ–ଭାରତ ପରମାଣୁ ସହଯୋଗ ଚୁକ୍ତି ଅନୁଯାୟୀ, କେବଳ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଏବଂ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଅଷ୍ଟ୍ରେଲିଆରୁ ଭାରତକୁ ୟୁରେନିୟମ୍ ରପ୍ତାନିକୁ ସକ୍ଷମ କରିବା ପାଇଁ ଆବଶ୍ୟକ ପ୍ରଶାସନିକ ବ୍ୟବସ୍ଥାଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।
ଅଷ୍ଟ୍ରେଲିଆ ଓ ଭାରତ ଶକ୍ତି ଯୋଗାଣ ଶୃଙ୍ଖଳର ସ୍ଥିରତା ଓ ସହନଶୀଳତାକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ଏଥିରେ ଆଞ୍ଚଳିକ ସହଯୋଗକୁ ଆହୁରି ଗଭୀର କରିବା, ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା, ନବୀକରଣଯୋଗ୍ୟ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଏବଂ ଶକ୍ତି ଓ ତରଳ ଇନ୍ଧନ ପାଇଁ ଖୋଲା ବାଣିଜ୍ୟ ବ୍ୟବସ୍ଥାକୁ ବଜାୟ ରଖିବା ସାମିଲ ରହିଛି। ଉଭୟ ଦେଶ ସ୍ୱୀକାର କରୁଛନ୍ତି ଯେ, ନିଜ ନିଜ ଶକ୍ତି ବ୍ୟବସ୍ଥାରେ ବିଦ୍ୟୁତୀକରଣର ବୃଦ୍ଧି ଭବିଷ୍ୟତରେ ଶକ୍ତି ସୁରକ୍ଷାର ଏକ ମୂଲ୍ୟବାନ ଆଧାର ହେବ।
ଅଷ୍ଟ୍ରେଲିଆ ଓ ଭାରତ ସ୍ୱୀକାର କରୁଛନ୍ତି ଯେ, ଶକ୍ତି କ୍ଷେତ୍ରରେ ସ୍ଥିର ଓ ସହନଶୀଳ ବାଣିଜ୍ୟ ଏବଂ ବଜାର ପ୍ରତି ସେମାନଙ୍କର ସାମୂହିକ ପ୍ରତିବଦ୍ଧତା ସମଗ୍ର ଅଞ୍ଚଳକୁ ମଧ୍ୟ ବିସ୍ତାରିତ। ଉଭୟ ଦେଶ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡ଼ିକର ଶକ୍ତି ସମ୍ପଦ ସୁରକ୍ଷା ସମ୍ବନ୍ଧୀୟ ବିଶେଷ ଦୁର୍ବଳତାକୁ ସ୍ୱୀକାର କରିବା ସହ ସେମାନଙ୍କର ସ୍ଥିରତା ଏବଂ ଆର୍ଥିକ ସମୃଦ୍ଧି ପାଇଁ ଶକ୍ତି ସମ୍ପଦର ନିରବଚ୍ଛିନ୍ନ ଯୋଗାଣର ଗୁରୁତ୍ୱକୁ ମଧ୍ୟ ସ୍ୱୀକାର କରିଛନ୍ତି।
ଏହି ପରିପ୍ରେକ୍ଷୀରେ, ଅଷ୍ଟ୍ରେଲିଆ ଓ ଭାରତ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ଏଥିରେ କୋଇଲା, ଡିଜେଲ୍, ଅନ୍ୟାନ୍ୟ ତରଳ ଇନ୍ଧନ ଏବଂ ପ୍ରାକୃତିକ ଗ୍ୟାସ୍ ପରି ଶକ୍ତି ଉତ୍ପାଦଗୁଡ଼ିକର ସ୍ଥିର, ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଯୋଗାଣ ବଜାୟ ରଖିବା ସାମିଲ ରହିଛି। ଏହା ସହିତ, ଉଭୟ ଦେଶ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଏବଂ କମ୍ କାର୍ବନ ନିର୍ଗମନକାରୀ ଇନ୍ଧନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ପୁନର୍ବାର ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ, ଅଷ୍ଟ୍ରେଲିଆ ଭାରତର ଗ୍ଲୋବାଲ୍ ବାୟୋଫ୍ୟୁଏଲ୍ସ ଆଲାଏନ୍ସ-ଜିବିଏ ପଦକ୍ଷେପକୁ ସ୍ୱାଗତ କରିଛି।
ଅଷ୍ଟ୍ରେଲିଆ ଓ ଭାରତ ଆଞ୍ଚଳିକ ଭାଗୀଦାରମାନଙ୍କୁ ବିଶ୍ୱସ୍ତରୀୟ ଶକ୍ତି ସମ୍ବଳ ଯୋଗାଣ ଶୃଙ୍ଖଳକୁ ଉନ୍ମୁକ୍ତ ରଖିବା ଦିଗରେ ଏକାଠି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି, ଯାହା ଆମ ଜନସାଧାରଣଙ୍କର ସୁରକ୍ଷା, ଆର୍ଥିକ ସମୃଦ୍ଧି ଓ କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ।
*****
MT
(रिलीज़ आईडी: 2285338)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam