ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଏନସିଓଆରଡିର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଶ୍ରୀ ଅମିତ ଶାହ
ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ(୨୦୨୬-୨୦୨୯) ଓ ଏନସିବିର ବାର୍ଷିକ ରିପୋର୍ଟ - ୨୦୨୫’ ଉନ୍ମୋଚିତ
୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଦକଦ୍ରବ୍ୟ ନଷ୍ଟ ପାଇଁ ଦେଶବ୍ୟାପୀ ପାକ୍ଷିକ ଅଭିଯାନ ଆରମ୍ଭ
ସିନ୍ଥେଟିକ୍ ଡ୍ରଗ୍ସ, ଡାର୍କନେଟ୍ ଓ ସୀମାପାର ଚୋରା ଚାଲାଣକୁ ରୋକିବା ପାଇଁ ଏନସିବିର ନୂଆ ଭିଜନ୍ ଡକ୍ୟୁମେଣ୍ଟ
प्रविष्टि तिथि:
26 JUN 2026 5:08PM by PIB Bhubaneswar
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ନାର୍କୋ-କୋଅର୍ଡିନେସନ ସେଣ୍ଟର (ଏନସିଓଆରଡି)ର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଗୃହମନ୍ତ୍ରୀ ‘ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଏବଂ ‘ଏନସିବିର ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବା ସହ ଜାମ୍ମୁ ଓ ଗୌହାଟୀରେ ଏନସିବି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଇ-ଉଦଘାଟନ କରିଛନ୍ତି। ଶ୍ରୀ ଶାହ ୨,୦୯,୫୦୦ କିଲୋଗ୍ରାମ ଓଜନର ଏବଂ ୬,୦୦୦ କୋଟି ଟଙ୍କା ମୂଲ୍ୟର ମାଦକ ଦ୍ରବ୍ୟ ନଷ୍ଟ କରିବା ପାଇଁ 'ଅନଲାଇନ ଡ୍ରଗ୍ସ ନଷ୍ଟ ପକ୍ଷ ପାଳନ ଅଭିଯାନ'ର ମଧ୍ୟ ଶୁଭାରମ୍ଭ କରିଛନ୍ତି।
ନିଜ ସମ୍ବୋଧନରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶ ମାଦକ ଦ୍ରବ୍ୟ ବିରୋଧରେ ଲଢ଼େଇର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଛିଡ଼ା ହୋଇଛି, ଯେଉଁଠାରେ ଆସନ୍ତା ତିନି ବର୍ଷ ସ୍ଥିର କରିବ ଯେ ନିଶା ଆମକୁ ପରାସ୍ତ କରିବ ନା ଆମେ ନିଶାକୁ ପରାସ୍ତ କରିବୁ। ସେ କହିଛନ୍ତି ଯେ ଆସନ୍ତା ୧୦୦ ବର୍ଷ ପାଇଁ ଦେଶର ଭବିଷ୍ୟତ ପାଇଁ ଆମକୁ ଦୃଢ଼ ସଂକଳ୍ପ ଏବଂ ମିଳିତ ପ୍ରୟାସରେ ଏହି ଯୁଦ୍ଧ ଜିତିବାକୁ ହେବ। ଏହି ଲଢ଼େଇ କୌଣସି ଗୋଟିଏ ବିଭାଗ, ରାଜ୍ୟ, ସରକାର କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଲଢ଼ାଯାଇପାରିବ ନାହିଁ। ବରଂ ସମସ୍ତ ରାଜ୍ୟ ଏବଂ ସେମାନଙ୍କର ସମ୍ପୃକ୍ତ ବିଭାଗଗୁଡ଼ିକୁ ଏକାଠି ଏକ ମଞ୍ଚକୁ ଆସିବାକୁ ହେବ। ଏହି ଲଢ଼େଇରେ ଆମକୁ ଜନସାଧାରଣଙ୍କୁ ଅନୁପ୍ରାଣିତ କରୁଥିବା ଲୋକଙ୍କୁ, ଦେଶର ଭବିଷ୍ୟତ ଗଢ଼ିବାକୁ ଥିବା ଯୁବପିଢ଼ିଙ୍କୁ ଏବଂ ଆମର ମାତୃଶକ୍ତିକୁ ମଧ୍ୟ ସାମିଲ କରିବାକୁ ହେବ। କେବଳ ସେତିକିବେଳେ ହିଁ ଆମେ ଏହି ଯୁଦ୍ଧରେ ସମ୍ପୂର୍ଣ୍ଣ ସଫଳତା ପାଇପାରିବା। ଶ୍ରୀ ଶାହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମାଦକ ଦ୍ରବ୍ୟ ସମସ୍ୟା କେବଳ ଆଇନ ଶୃଙ୍ଖଳା କିମ୍ବା ଜନସ୍ୱାସ୍ଥ୍ୟର ବିଷୟ ନୁହେଁ। ଏହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷା ଏବଂ ଆମ ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ସେମାନଙ୍କ ମାଧ୍ୟମରେ ଦେଶର ଭବିଷ୍ୟତ ସହ ଗଭୀର ଭାବେ ଜଡ଼ିତ। ଏହି ସମସ୍ୟା ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବା ଭାରତର ସମସ୍ତ ରାଜ୍ୟ ପାଇଁ ଏକ ମିଳିତ ଜାତୀୟ ଲକ୍ଷ୍ୟ ହେବା ଉଚିତ।
ଶ୍ରୀ ଶାହ କହିଛନ୍ତି ଯେ ଡ୍ରଗ୍ସ ଚୋରା ଚାଲାଣ ସହିତ ସଂଗଠିତ ଅପରାଧ, ନିଶାଦ୍ରବ୍ୟ ବ୍ୟବସାୟ ଜନିତ ଆର୍ଥିକ କାରବାର ଏବଂ ସୀମାପାର ଆତଙ୍କବାଦୀ ନେଟୱାର୍କର ପାଣ୍ଠି ଯୋଗାଣ ଯୋଗୁଁ ଏହି ସମସ୍ୟା ଏକ 'ବିକଶିତ ନାର୍କୋ-ଆତଙ୍କବାଦୀ ଇକୋସିଷ୍ଟମ'ରେ ପରିଣତ ହୋଇଛି। ଆମ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଅର୍ଥନୀତିର ସୁରକ୍ଷା ଏବଂ ଆମର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଆମକୁ ଏହି ବିପଦ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବାକୁ ହେବ। ଆମେ ଭୌଗୋଳିକ ଭାବେ 'ଡେଥ୍ ଟ୍ରାଏଙ୍ଗଲ' ଏବଂ 'ଡେଥ୍ କ୍ରେସେଣ୍ଟ' ମଧ୍ୟରେ ଅବସ୍ଥିତ। ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଡ୍ରୋନ୍-ଆଧାରିତ ଡ୍ରପ୍, ସମୁଦ୍ର ପଥରେ କଣ୍ଟେନରାଇଜଡ୍ କାର୍ଗୋ, ଡାର୍କନେଟ୍, କ୍ରିପ୍ଟୋ ପେମେଣ୍ଟ, ଅର୍ଡର-ଟୁ-ଡେଲିଭରି ମଡେଲ, ପାର୍ସଲ ସିପ୍ମେଣ୍ଟ ଏବଂ ଅନ୍ୟାନ୍ୟ ସମାନ କୌଶଳ ଭଳି ଆଧୁନିକ ପଦ୍ଧତି ଆପଣାଇ ଆମର ଲଢ଼େଇକୁ ଆହୁରି ଆହ୍ୱାନପୂର୍ଣ୍ଣ କରିଦେଇଛନ୍ତି। ଆଜି ନାର୍କୋ-ଅପରାଧୀମାନେ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଏବଂ ନେଟୱାର୍କ-ଆଧାରିତ ହୋଇଯାଇଛନ୍ତି। ସେମାନେ ଏବେ ଆମ ସାମ୍ନାରେ ଏକ ବହୁ-କ୍ଷେତ୍ରୀୟ ଅପରାଧ ଭାବେ ଉଭା ହୋଇଛନ୍ତି। ଏହି କଠିନ ଯୁଦ୍ଧରେ ଆମର ପ୍ରତିକ୍ରିୟା ମଧ୍ୟ ମିଳିତ ଏବଂ ସଂଗଠିତ, ରୋଡମ୍ୟାପ୍-ଆଧାରିତ, ଆଧୁନିକ ଏବଂ ଗୁପ୍ତଚର-ଆଧାରିତ ହେବା ଆବଶ୍ୟକ। ଆମର ଆଭିମୁଖ୍ୟ ପ୍ରଯୁକ୍ତିବିଦ୍ୟା-ଚାଳିତ ହେବା ଉଚିତ ଏବଂ ଆମକୁ କଠୋର ମନୋଭାବ ସହିତ ଏକ ନେଟୱାର୍କ-କେନ୍ଦ୍ରିକ ଯୁଦ୍ଧ ଲଢ଼ିବାକୁ ହେବ। କେବଳ ସେତିକିବେଳେ ହିଁ ଆମେ ଏହି ସମସ୍ୟା ବିରୋଧରେ ବିଜୟ ସୁନିଶ୍ଚିତ କରିପାରିବା।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଡ୍ରଗ୍ସ ଚୋରା ଚାଲାଣରେ ସମ୍ପୃକ୍ତ ଲୋକଙ୍କ ପ୍ରତି ଆମକୁ କଠୋର ଆଭିମୁଖ୍ୟ ଏବଂ ଡ୍ରଗ୍ସର ଶିକାର ହୋଇଥିବା ପୀଡ଼ିତଙ୍କ ପ୍ରତି ସହାନୁଭୂତିଶୀଳ ଆଭିମୁଖ୍ୟ ବଜାୟ ରଖିବାକୁ ହେବ। ସେ ଆହୁରି କହିଛନ୍ତି ଯେ ଆମର ଦୟା ଏବଂ ସଦ୍ଭାବନା ହିଁ ଏହି ପିଲାମାନଙ୍କୁ ପୁଣି ଥରେ ସ୍ୱାଭାବିକ ଜୀବନ ସହିତ ଯୋଡ଼ିପାରିବ। ଆମକୁ ସେମାନଙ୍କ ହାତ ଧରି ସଠିକ୍ ପଥକୁ ଫେରାଇ ଆଣିବାକୁ ହେବ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆଜି ଏଠାରେ କରାଯାଇଥିବା ଉପସ୍ଥାପନାରେ ଆମର ଲଢ଼େଇକୁ ଚାରୋଟି ସ୍ତମ୍ଭ ଅଧୀନରେ ବହୁତ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଏବଂ ପ୍ରତ୍ୟେକ ସ୍ତମ୍ଭ ଅଧୀନରେ ଉପ-ସ୍ତମ୍ଭଗୁଡ଼ିକୁ ମଧ୍ୟ ସ୍ପଷ୍ଟ ଭାବେ ସଂଜ୍ଞାକୃତ କରାଯାଇଛି। ପ୍ରତ୍ୟେକ ଉପ-ସ୍ତମ୍ଭ ପାଇଁ ଲକ୍ଷ୍ୟ ସହିତ ସେଗୁଡ଼ିକୁ ହାସଲ କରିବା ପାଇଁ ସମୟସୀମା ମଧ୍ୟ ସ୍ଥିର କରାଯାଇଛି। ଆମେ ଏହି ଯୋଜନାର ଗୋଟିଏ ବର୍ଷ ପରେ ସମୀକ୍ଷା କରିବୁ, ଆବଶ୍ୟକତା ଅନୁଯାୟୀ ଏହାକୁ ପୁନଃ ନିର୍ଦ୍ଧାରିତ କରିବୁ ଏବଂ ତା’ପରେ ଏହି ଲଢ଼େଇର ଶେଷ ଦୁଇ ବର୍ଷ ପାଇଁ ନୂତନ ଶକ୍ତି ସହିତ ଆଗକୁ ବଢ଼ିବୁ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମାଦକ ଦ୍ରବ୍ୟ ନଷ୍ଟ ପକ୍ଷ ପାଳନ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଗୋଟିଏ ଦିନରେ ୬୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ନଷ୍ଟ କରିବା ଏକ ବଡ଼ ସଫଳତା। ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ବାର୍ଷିକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଏହା ସହିତ ନିଶା ମୁକ୍ତ ଭାରତ ପାଇଁ ରୋଡମ୍ୟାପର ଦୂରଦୃଷ୍ଟି ଦଲିଲ ମଧ୍ୟ ଉନ୍ମୋଚନ କରାଯାଇଛି। ଏନସିବି ର ଗୁଆହାଟୀ ଏବଂ ଜାମ୍ମୁ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଆଜି ଉଦଘାଟିତ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୫,୮୭୬ ଟି ଜିଲ୍ଲା ସ୍ତରୀୟ ଏନସିଓଆରଡି ବୈଠକ, ୨୬୬ ଟି ରାଜ୍ୟ ସ୍ତରୀୟ ବୈଠକ, ୭ ଟି କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ଆଜି ଆମେ ଶୀର୍ଷ ସ୍ତରରେ ୧୦ମ ବୈଠକ କରୁଛୁ। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ମାନେ ଏନସିଓଆରଡି ବୈଠକଗୁଡ଼ିକୁ ଫଳପ୍ରଦ କରିବା ପାଇଁ ମିଳିତ ପ୍ରୟାସ କରିବା ଉଚିତ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖିଛନ୍ତି ଏବଂ ଆମକୁ ନିଶା ମୁକ୍ତ ଭାରତର ଲକ୍ଷ୍ୟ ମଧ୍ୟ ଦେଇଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୨୬ ରୁ ୨୦୨୯ ପର୍ଯ୍ୟନ୍ତ ପ୍ରସ୍ତୁତ ରୋଡମ୍ୟାପ୍ ଚାରୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ - ପ୍ରବର୍ତ୍ତନ, ଗୁପ୍ତଚର ତଥ୍ୟ ଏବଂ କାର୍ଯ୍ୟାନୁଷ୍ଠାନ; ପ୍ରିକର୍ସର ଏବଂ ସିନ୍ଥେଟିକ୍ ଡ୍ରଗ୍ସ ନିୟନ୍ତ୍ରଣ; ଚାହିଦା ଏବଂ କ୍ଷତି ହ୍ରାସ; ତଥା କ୍ଷମତା ବୃଦ୍ଧି, ସମନ୍ୱୟ ଓ ଅନୁଧ୍ୟାନ । ଏହାର ଉଦ୍ଦେଶ୍ୟ ହେଉଛି ସମଗ୍ର ନେଟୱାର୍କ ବିରୋଧରେ ଲକ୍ଷ୍ୟଭିତ୍ତିକ ଗୁପ୍ତଚର-ଆଧାରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା। ଉତ୍ପାଦନ ପର୍ଯ୍ୟାୟରେ ହିଁ ଡ୍ରଗ୍ସକୁ ରୋକିବା ପାଇଁ ଆମକୁ ଏକ ରଣନୀତି ଆପଣାଇବାକୁ ହେବ। ସମାଜ, ଶିକ୍ଷା ଏବଂ ପୁନର୍ବାସ ମାଧ୍ୟମରେ ଚାହିଦା ହ୍ରାସ ଏବଂ କ୍ଷତି ହ୍ରାସ ଅଭିଯାନକୁ ଆଗକୁ ନିଆଯିବ। ସମଗ୍ର ବ୍ୟବସ୍ଥାକୁ ସକ୍ଷମ, ସମନ୍ୱିତ, ଉତ୍ତରଦାୟୀ ଏବଂ ଆଧୁନିକ କରିବା ପାଇଁ କ୍ଷମତା ବୃଦ୍ଧି, ସମନ୍ୱୟ ଏବଂ ଅନୁଧ୍ୟାନର ଚତୁର୍ଥ ସ୍ତମ୍ଭ ସୃଷ୍ଟି କରାଯାଇଛି। ଏହି ରୋଡମ୍ୟାପ୍ ସମ୍ପୂଣ୍ଣ ସରକାରୀ ଆଭିମୁଖ୍ୟ ଏବଂ 'ସମ୍ପୂଣ୍ଣ ଗୋଷ୍ଠୀ ଆଭିମୁଖ୍ୟ’କୁ ମନେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅନ୍ତର୍ଭୁକ୍ତ, କିନ୍ତୁ ନାଗରିକମାନଙ୍କୁ ଅନୁପ୍ରାଣିତ କରିବା କାର୍ଯ୍ୟ ସମସ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ସମସ୍ତ ବିଭାଗର ସଚିବମାନଙ୍କୁ କରିବାକୁ ହେବ। ଏହି ରୋଡମ୍ୟାପର ସଫଳତା ଏବଂ ଏହାର ଲକ୍ଷ୍ୟଗୁଡ଼ିକର ସମୟାନୁବର୍ତ୍ତୀ ହାସଲ ଏକ ମିଳିତ ଦାୟିତ୍ୱ ଏବଂ ଏଥିପାଇଁ ଏକ ସଠିକ୍ ଅନୁଧ୍ୟାନ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଡ୍ରଗ୍ସ ବିରୋଧରେ ଲଢ଼େଇକୁ ତିନୋଟି ଶବ୍ଦରେ ବର୍ଣ୍ଣନା କରାଯାଇପାରେ - ଡିଟେକ୍ଟ (ଚିହ୍ନଟ), ଡିସରପ୍ଟ (ବାଧାପ୍ରାପ୍ତ) ଏବଂ ଡେଷ୍ଟ୍ରୟ (ଧ୍ୱଂସ)। ସୀମାନ୍ତ ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ହ୍ୟୁମିଣ୍ଟ, ବୈଷୟିକ ଗୁପ୍ତଚର ତଥ୍ୟ ଏବଂ ଗୋଷ୍ଠୀ ପୋଲିସିଂର ବ୍ୟବହାର କରି ବିଦେଶରୁ ଦେଶକୁ ଡ୍ରଗ୍ସ ଆଣୁଥିବା, ସୀମାରୁ ରାଜ୍ୟଗୁଡ଼ିକୁ ଯୋଗାଉଥିବା ଏବଂ ରାଜ୍ୟଗୁଡ଼ିକରୁ ଶେଷ ଗ୍ରାହକଙ୍କ ପର୍ଯ୍ୟନ୍ତ ବିତରଣ କରୁଥିବା ତିନି ପ୍ରକାରର ନେଟଓ୍ବାର୍କକୁ ଧ୍ୱଂସ କରିବା ପାଇଁ ଆମକୁ ଆଗକୁ ବଢ଼ିବାକୁ ହେବ। ଆମର ସମସ୍ତ ଆର୍ଥିକ ଏଜେନ୍ସିଗୁଡ଼ିକୁ ଡାର୍କ ୱେବ୍, ହାୱାଲା କାରବାର, କ୍ରିପ୍ଟୋ କାରବାର ଏବଂ ବନ୍ଦର ଓ ବିମାନବନ୍ଦରଗୁଡ଼ିକର ବ୍ୟବହାର ଉପରେ ନଜର ରଖିବା ପାଇଁ ଏକ ଯୁଗ୍ମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ। 'ଡିସରପ୍ଟ' ଅଧୀନରେ ଆମକୁ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ପ୍ରତ୍ୟେକ ସ୍ତର - ସେମାନଙ୍କର ଉତ୍ସ, ଗମନାଗମନ ମାର୍ଗ, ଆର୍ଥିକ ଅନୁଦାନ ଏବଂ ନେତୃତ୍ୱ - ଉପରେ ଆଇନର ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରି ପ୍ରହାର କରିବାକୁ ହେବ। ବେଆଇନ ଫସଲ ନଷ୍ଟ କରିବା ପାଇଁ ଆମକୁ ଏକ ଅଭିଯାନ ଆରମ୍ଭ କରିବାକୁ ହେବ। ବେଆଇନ ପ୍ରୟୋଗଶାଳା ପରୀକ୍ଷାଗାର ଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ କଠୋର ଭାବେ ଧ୍ୱଂସ କରିବା ପାଇଁ ଏଜେନ୍ସିଗୁଡ଼ିକୁ ଏକ ବ୍ୟବସ୍ଥା ବିକଶିତ କରିବାକୁ ହେବ। ନିୟନ୍ତ୍ରିତ ବିତରଣ କାର୍ଯ୍ୟାନୁଷ୍ଠାନର ନୂତନ ପଦ୍ଧତିର ମୁକାବିଲା ପାଇଁ ମଧ୍ୟ ଆମକୁ ଉପାୟ ଖୋଜିବାକୁ ହେବ ଏବଂ କ୍ରମାଗତ ସୁଧାର ସହିତ ସେଗୁଡ଼ିକୁ ତଦାରଖ କରି ଏକ ଯୁକ୍ତିଯୁକ୍ତ ନିଷ୍କର୍ଷରେ ପହଞ୍ଚାଇବାକୁ ହେବ। ଶ୍ରୀ ଶାହ କହିଛନ୍ତି ଯେ ପିଏମଏଲଆ ଏବଂ ଇଡି ମାଧ୍ୟମରେ ଆମକୁ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ଅତ୍ୟନ୍ତ କଠୋର ଭାବେ ଆର୍ଥିକ ଅନୁସନ୍ଧାନ କରିବାକୁ ହେବ। ଏହା ମାଧ୍ୟମରେ ସେମାନଙ୍କ ନେଟୱାର୍କକୁ ଧ୍ୱଂସ କରିବା ମଧ୍ୟ ଆମର ଦାୟିତ୍ୱ। 'ଡେଷ୍ଟ୍ରୟ' ଅଧୀନରେ ଆମକୁ ନେଟୱାର୍କଗୁଡ଼ିକୁ ଏଭଳି କଠୋର ଭାବେ ଶେଷ କରିବାକୁ ହେବ ଯେପରି ସେଗୁଡ଼ିକ ଆଉ ମୁଣ୍ଡ ଟେକିପାରିବେ ନାହିଁ। ଯେଉଁ କିଙ୍ଗପିନ୍ ମାନେ ଧରାପଡ଼ୁଛନ୍ତି ସେମାନଙ୍କୁ ଖସିଯିବାକୁ ଦିଆଯିବା ଉଚିତ ନୁହେଁ। ଏଥିପାଇଁ ସମସ୍ତ ଆବଶ୍ୟକୀୟ ପ୍ରାବଧାନ ଆମ ଆଇନରେ ପୂର୍ବରୁ ଉପଲବ୍ଧ ଅଛି। ନିଶାମୁକ୍ତି ଏବଂ ପୁନର୍ବାସ ମାଧ୍ୟମରେ ଆମକୁ ଚାହିଦା ପାର୍ଶ୍ୱକୁ ହ୍ରାସ କରିବାକୁ ହେବ ଏବଂ ଯୋଗାଣ ପାର୍ଶ୍ୱକୁ ଧ୍ୱଂସ କରିବା ଦିଗରେ ଆଗକୁ ବଢ଼ିବାକୁ ହେବ। ଏହି ସମଗ୍ର ରୋଡମ୍ୟାପ୍ ଏହି ତିନୋଟି ଶବ୍ଦ — ଡିଟେକ୍ଟ, ଡିସରପ୍ଟ ଏବଂ ଡେଷ୍ଟ୍ରୟ ର ଭିତ୍ତିଭୂମି ଉପରେ ପ୍ରସ୍ତୁତ କରାଯାଇଛି।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ସମସ୍ତ ରାଜ୍ୟ ଏବଂ ସମସ୍ତ ବିଭାଗକୁ ତଳ ସ୍ତରରେ ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା ପାଇଁ ମିଳିତ ଭାବେ ଆଗକୁ ବଢ଼ିବାକୁ ହେବ। ପ୍ରମୁଖ ଏନଡଇପିଏସ୍ ମାମଲାଗୁଡ଼ିକରେ ରାଜ୍ୟ ପୋଲିସ ମୁଖ୍ୟମାନଙ୍କ ଦ୍ୱାରା ଆର୍ଥିକ ଅନୁସନ୍ଧାନକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଅପରାଧରୁ ମିଳିଥିବା ସମ୍ପତ୍ତି ଚିହ୍ନଟ କରିବା, ସେଗୁଡ଼ିକୁ ବ୍ୟାଜ୍ୟାପ୍ତି କରିବା, ଜବତ କରିବା ଏବଂ ଜେଲରୁ ମଧ୍ୟ ସେଗୁଡ଼ିକ ଯେପରି ଅଭିଯୁକ୍ତଙ୍କ ପାଖକୁ ଫେରି ନଆସେ ତାହା ନିଶ୍ଚିତ କରିବା ସମଗ୍ର ପ୍ରକ୍ରିୟାକୁ ପ୍ରମାଣ-ଆଧାରିତ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ସଜ୍ଜିତ କରିବାକୁ ହେବ। ଗୃହ ମନ୍ତ୍ରଣାଳୟ ମଧ୍ୟ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବା, ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ନିଶ୍ଚିତ କରିବା ଏବଂ ଶୀଘ୍ର ନିଷ୍ପତ୍ତି ପାଇଁ ପ୍ରମୁଖ ମାମଲାଗୁଡ଼ିକରେ ଦୈନିକ ଶୁଣାଣିକୁ ପ୍ରାଥମିକତା ଦେବା ପାଇଁ ସମସ୍ତ ଉଚ୍ଚ ନ୍ୟାୟାଳୟଙ୍କ ସହ ଏହି ବିଷୟ ଉଠାଇଛି। ଆମେ ଯେପର୍ଯ୍ୟନ୍ତ ଅସଲ ସମୟରେ ତଥ୍ୟ ଆଦାନପ୍ରଦାନ ନିଶ୍ଚିତ ନକରିଛୁ, ସେପର୍ଯ୍ୟନ୍ତ ଆମେ ଟଙ୍କାର ଗତିପଥକୁ ପ୍ରଭାବଶାଳୀ ଭାବେ ଅନୁସରଣ କରିପାରିବା ନାହିଁ। ତେଣୁ, ରିଅଲ-ଟାଇମ୍ ଡାଟା ସେୟାରିଂ ନିଶ୍ଚିତ କରାଯିବା ଆବଶ୍ୟକ।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆମକୁ ପ୍ରିକର୍ସର ଏବଂ ସାଇକୋଟ୍ରୋପିକ୍ ପଦାର୍ଥର ସିଡ୍ୟୁଲିଂର ମଧ୍ୟ ସମୀକ୍ଷା କରିବାକୁ ହେବ ଏବଂ ନାର୍କୋ-ଫାଇନାନ୍ସିଂ ବିରୋଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବାକୁ ହେବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ନିଶା ମୁକ୍ତ ଭାରତ ଅଭିଯାନ, ଜନସଚେତନତା ଅଭିଯାନ, ଗୋଷ୍ଠି ଅଂଶଗ୍ରହଣ ଏବଂ ଚିକିତ୍ସା ଓ ପୁନର୍ବାସ ସେବାର ସମ୍ପ୍ରସାରଣ କରିବା ଆବଶ୍ୟକ। କେବଳ ସେତିକିବେଳେ ହିଁ ଆମେ ସଫଳତାର ସହ ଚାହିଦା ହ୍ରାସ କରିପାରିବା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଔଷଧର ବେଆଇନ ବ୍ୟବହାର ଏବଂ ଅନଲାଇନ୍ ଫାର୍ମାସୀଗୁଡ଼ିକର କଠୋର ଅନୁଧ୍ୟାନ ନିଶ୍ଚିତ କରିବା ଆବଶ୍ୟକ। ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ, ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗଗୁଡ଼ିକ 'ଡ୍ରଗ୍-ଫ୍ରି କ୍ୟାମ୍ପସ' ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଏହା ସହିତ ସମସ୍ତଙ୍କ ସହମତିରେ ଏହି ଧାରଣାକୁ ଆଗକୁ ନେଇ ପିତାମାତା ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ନିଶ୍ଚିତ କରିବାକୁ ହେବ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ଏନସିଆରବି, ଏନଏଫ୍ଏସ୍ୟୁ, ଡିଏଫ୍ଏସଏସ, ୧୪ସି ଏବଂ ନାଟଗ୍ରିଡ୍ କୁ ନେଟଓ୍ବାର୍କୋ ଚିହ୍ନଟ ପାଇଁ ସେମାନଙ୍କର ନିଜ ନିଜ ସ୍ତରରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ। ରାଜ୍ୟଗୁଡ଼ିକ ସେମାନଙ୍କର ଏନଟିଏଫ୍ ଗୁଡ଼ିକୁ ପୂର୍ଣ୍ଣକାଳୀନ ୟୁନିଟରେ ପରିଣତ କରିବା ଉଚିତ ଏବଂ ସେଗୁଡ଼ିକୁ ସମର୍ପିତ, ସୁସଜ୍ଜିତ ଏବଂ ଉତ୍ତରଦାୟୀ ୟୁନିଟରେ ପରିଣତ କରିବା ଆବଶ୍ୟକ। ରାଜ୍ୟ ପୋଲିସ ମୁଖ୍ୟମାନେ ଏଥିରେ ବ୍ୟକ୍ତିଗତ ଆଗ୍ରହ ପ୍ରକାଶ କରିବା ଉଚିତ। ବ୍ୟବସାୟିକ ପରିମାଣର ଡ୍ରଗ୍ସ ସମ୍ପୃକ୍ତ ଥିବା ମାମଲାଗୁଡ଼ିକରେ, ଆର୍ଥିକ ଅନୁସନ୍ଧାନ ଏବଂ ଉଭୟପଟୁ ଯୋଗାଯୋଗ ଆମ ଅନୁସନ୍ଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଆବଶ୍ୟକ, କାରଣ ଏହା ବିନା ଆମେ ସମଗ୍ର ନେଟୱାର୍କକୁ ଧ୍ୱଂସ କରିପାରିବା ନାହିଁ। ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ଏନସିଓଆରଡି ବୈଠକଗୁଡ଼ିକୁ ଫଳାଫଳ-ଆଧାରିତ କରାଯିବା ଉଚିତ ଏବଂ ବହୁତ ପ୍ରଭାବଶାଳୀ ଭାବେ ଅନୁଧ୍ୟାନ କରାଯିବା ଆବଶ୍ୟକ। ମଜବୁତ ଚାର୍ଜସିଟ୍ ଏବଂ ପ୍ରଭାବଶାଳୀ ପ୍ରସିକ୍ୟୁସନ ପାଇଁ ଆମକୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦିଗରେ ଆଗକୁ ବଢ଼ିବାକୁ ହେବ। ରାଜ୍ୟ ପୋଲିସ ମୁଖ୍ୟମାନେ ସେମାନଙ୍କର ଗୃହ ବିଭାଗ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟଗୁଡ଼ିକ ସହ ଯୋଗାଯୋଗ କରି ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ପ୍ରତିଷ୍ଠା କରିବା ଆବଶ୍ୟକ। ଚାହିଦା ହ୍ରାସ, ଚିକିତ୍ସା, ପୁନର୍ବାସ, ସଚେତନତା କାର୍ଯ୍ୟକ୍ରମ ଏବଂ ପିତାମାତା, ପ୍ରଫେସର ଓ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ରାଜ୍ୟ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବା ଉଚିତ। ଏହା ସହିତ ସିବିଆଇ ମାଧ୍ୟମରେ ଆମେ ଫେରାର ଅପରାଧୀମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛୁ, ଯେଉଁଥିରେ ଆମେ ବହୁତ ଭଲ ସଫଳତା ପାଇଛୁ। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ଆପଣଙ୍କ ରାଜ୍ୟର ଯେଉଁ ଡ୍ରଗ୍ସ ଚୋରା ଚାଲାଣକାରୀ ଏବଂ ଗ୍ୟାଙ୍ଗଷ୍ଟରମାନେ ବିଦେଶରେ ଲୁଚି ରହିଛନ୍ତି ସେମାନଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରି, ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକର ବ୍ୟବହାର କରି ସେମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରନ୍ତୁ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୦୪ ରୁ ୨୦୧୪ ମଧ୍ୟରେ ୪୦,୦୦୦ କୋଟି ଟଙ୍କା ମୂଲ୍ୟର - ୨୬ ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ କରାଯାଇଥିଲା। ଅନ୍ୟ ପକ୍ଷରେ ୨୦୧୪ ରୁ ୨୦୨୬ ମଧ୍ୟରେ ୧,୮୪,୦୦୦ କୋଟି ଟଙ୍କା ମୂଲ୍ୟର ୧ କୋଟି ୧୮ ଲକ୍ଷ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି। ଏହା ଦର୍ଶାଉଛି ଯେ ଆମର ଅଭିଯାନ ସଫଳତାର ସହ ଆଗକୁ ବଢ଼ୁଛି। ୨୦୦୪ ରୁ ୨୦୧୪ ମଧ୍ୟରେ ୮,୦୦୦ କୋଟି ଟଙ୍କା (୩,୨୬,୦୦୦ କିଲୋଗ୍ରାମ) ର ଡ୍ରଗ୍ସ ନଷ୍ଟ କରାଯାଇଥିଲା, ଯେଉଁଠାରେ ୨୦୧୪ ରୁ ୨୦୨୬ ମଧ୍ୟରେ ୮୯,୮୯୬ କୋଟି ଟଙ୍କାର (୪୨,୪୭,୦୦୦ କିଲୋଗ୍ରାମ) ର ଡ୍ରଗ୍ସ ନଷ୍ଟ କରାଯାଇଛି। ସେହିପରି ଆମେ ବେଆଇନ ଚାଷ ନଷ୍ଟ କରିବା ପ୍ରକ୍ରିୟାକୁ କ୍ରମାଗତ ଭାବେ ବୃଦ୍ଧି କରିଛୁ। ୨୦୨୦ ରେ ୧୦,୦୦୦ ଏକର ବେଆଇନ ଅଫିମ ଫସଲ ନଷ୍ଟ କରାଯାଇଥିବା ବେଳେ ୨୦୨୫ ରେ ଆମେ ୪୨,୨୮୨ ଏକର ନଷ୍ଟ କରିଛୁ। ୨୦୦୪ ରୁ ୨୦୧୪ ମଧ୍ୟରେ ୧,୭୩,୦୦୦ ଟି ମାମଲା ଥିଲା ଯେଉଁଥିରେ ୧,୯୫,୦୦୦ ଗିରଫଦାରୀ ହୋଇଥିଲା। ୨୦୧୪ ରୁ ୨୦୨୬ ମଧ୍ୟରେ ୮,୭୫,୦୦୦ ଟି ମାମଲା ପଞ୍ଜିକୃତ ହୋଇଛି ଏବଂ ୧୦,୯୭,୦୦୦ ଲୋକଙ୍କୁ ଗିରଫ କରାଯାଇଛି। ଏହି ସଂଖ୍ୟାଗୁଡ଼ିକ ପ୍ରମାଣ କରୁଛି ଯେ ଯେତେବେଳେ ଆମେ ଆନ୍ତରିକ ପ୍ରୟାସ କରୁ, ସଫଳତା ନିଶ୍ଚିତ ଭାବେ ମିଳିଥାଏ। ମୋଦୀ ସରକାର ଆମର ପ୍ରୟାସକୁ ନିର୍ଦ୍ଦିଷ୍ଟ କରିଛନ୍ତି, ଲକ୍ଷ୍ୟଗୁଡ଼ିକୁ କେନ୍ଦ୍ରୀଭୂତ କରିଛନ୍ତି, ସେଗୁଡ଼ିକୁ ସମୟବଦ୍ଧ କରିଛନ୍ତି ଏବଂ ଡ୍ରଗ୍ସ ବିରୋଧରେ ଲଢ଼େଇର ସମସ୍ତ ଦିଗକୁ ଚିହ୍ନଟ କରିବା ପରେ ଆମେ ଏହି ରୋଡମ୍ୟାପ୍ ପ୍ରସ୍ତୁତ କରିଛୁ।
ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯଦି ଆମେ ଏହି ଯୁଦ୍ଧ ଏକାଠି ଏବଂ ଏକତାର ସହ ଲଢ଼ିବା, ତେବେ ବିଜୟ ନିଶ୍ଚିତ ଭାବେ ଆମର ହେବ। ଆସନ୍ତା ତିନି ବର୍ଷ ମଧ୍ୟରେ ଆମେ ଭାରତରେ ଡ୍ରଗ୍ସ ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ଦିଗରେ ବ୍ୟାପକ ପ୍ରଗତି କରିବୁ। ଯଦି ଆମେ ସମସ୍ତେ ଏହି ତିନି ବର୍ଷ ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ସ୍ଥିର କରିବା, ମିଳିତ ପ୍ରୟାସରେ କଠିନ ପରିଶ୍ରମ କରିବା ଏବଂ ନିର୍ଦ୍ଧାରିତ ସମୟସୀମା ଓ ଏକ ମିଳିତ ରଣନୀତି ସହିତ ଆଗକୁ ବଢ଼ିବା, ତେବେ ଆମର ବିଜୟ ସୁନିଶ୍ଚିତ।
HS
(रिलीज़ आईडी: 2278301)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
Telugu
,
Khasi
,
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam