ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
प्रविष्टि तिथि:
15 JUN 2026 4:58PM by PIB Bhubaneswar
ମହାମହିମ ପ୍ରଧାନମନ୍ତ୍ରୀ ଫିତ୍ସୋ,
ଉଭୟ ଦେଶର ପ୍ରତିନିଧିଗଣ,
ଗଣମାଧ୍ୟମର ବନ୍ଧୁଗଣ,
ନମସ୍କାର!
ଡୋବ୍ରି ଦେନ୍ (ଶୁଭ ଦିନ)
ଆମକୁ ଦିଆଯାଇଥିବା ଆତ୍ମୀୟତାପୂର୍ଣ୍ଣ ସ୍ୱାଗତ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଫିତ୍ସୋଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।
ସେ କେବଳ ଜଣେ ଅଭିଜ୍ଞ ନେତା ନୁହଁନ୍ତି ବରଂ ଭାରତର ଜଣେ ପ୍ରକୃତ ବନ୍ଧୁ ମଧ୍ୟ ଅଟନ୍ତି। ତାଙ୍କର ବନ୍ଧୁତା ଏବଂ ଅଟଳ ପ୍ରତିବଦ୍ଧତା ଭାରତ-ସ୍ଲୋଭାକିଆ ସମ୍ପର୍କକୁ ନୂତନ ଶିଖରରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜି ତାଙ୍କ ସହ ସାକ୍ଷାତ କରି ଆମ ସମ୍ପର୍କର ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାର ସୁଯୋଗ ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।
ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ସ୍ଲୋଭାକିଆକୁ ଏହା ହେଉଛି ମୋର ପ୍ରଥମ ଗସ୍ତ। ମୁଁ ଅତ୍ୟନ୍ତ ଖୁସି ଯେ, ଏହି ଐତିହାସିକ ଅବସରରେ, ଆମେ ଆମର ସମ୍ପର୍କକୁ 'ବ୍ୟାପକ ସହଭାଗୀତା'ର ସ୍ଥିତିକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଆମର ସାମୂହିକ ବିଶ୍ୱାସ, ସାମୂହିକ ପ୍ରାଥମିକତା ଏବଂ ସାମୂହିକ ଭବିଷ୍ୟତର ନିଦର୍ଶନ।
ବନ୍ଧୁଗଣ,
ଆଜି, ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ମୁଁ ଆମର ସହଯୋଗକୁ ନୂତନ ଦିଗ ଏବଂ ନୂତନ ଶକ୍ତି ପ୍ରଦାନ କରିବା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗରେ ହାସଲ ହୋଇଥିବା ଅଗ୍ରଗତି ଆମ ପାଇଁ ସନ୍ତୋଷର ବିଷୟ।
ତଥାପି, ଆମର କ୍ଷମତା ଅପାର ଏବଂ ଆମର ଆକାଂକ୍ଷା ତାହାଠାରୁ ମଧ୍ୟ ଅଧିକ ବୃହତ୍ତର। ଅଟୋମୋବାଇଲ୍, ରେଳବାଇ, ଉନ୍ନତ ଉତ୍ପାଦନ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ଆମ ପାଇଁ ବିଶେଷ ଆଗ୍ରହର କ୍ଷେତ୍ର। ଏହି ସମସ୍ତ କ୍ଷେତ୍ରରେ, ଆଜି ଆମେ ଆମର ଶକ୍ତିକୁ ଏକତ୍ର କରି ଉଭୟ ଦେଶର ଲୋକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।
ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ)କୁ ଚୂଡ଼ାନ୍ତ ରୂପ ଦେବାରେ ସ୍ଲୋଭାକିଆ ଦ୍ୱାରା ପ୍ରଦାନ କରାଯାଇଥିବା ସହଯୋଗ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରୁଛି। ଏହାର ଶୀଘ୍ର କାର୍ଯ୍ୟକାରିତା ପାଇଁ ଆମେ କାର୍ଯ୍ୟ କରିବୁ, ଯାହାଫଳରେ ଉଭୟ ଦେଶର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ବ୍ୟବସାୟୀମାନେ ଏହାର ସର୍ବାଧିକ ଲାଭ ଉଠାଇପାରିବେ।
ବନ୍ଧୁଗଣ,
ପ୍ରଯୁକ୍ତିବିଦ୍ୟା ହେଉଛି ଆମ ଭବିଷ୍ୟତ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଆଜି ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ଦ୍ୱାରା ‘ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର’ କ୍ଷେତ୍ରରେ ସହଯୋଗର ନୂତନ ସମ୍ଭାବନା ସୃଷ୍ଟି ହେବ।
ସ୍ଲୋଭାକିଆର ଏକ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପାଇଁ ଉତ୍ସର୍ଗୀକୃତ ଏକ 'ଇଣ୍ଡିଆ ଚେୟାର' ପ୍ରତିଷ୍ଠା କରାଯାଉଥିବାରୁ ମୁଁ ଆନନ୍ଦିତ। ଏଆଇ ମାନବଜାତିର ପ୍ରଗତି ଏବଂ କଲ୍ୟାଣ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେଉ, ଏହା ଆମର ସାମୂହିକ ଚିନ୍ତାଧାରା। ଆମେ ବିଶ୍ୱାସ କରୁ ଯେ, ଏଆଇର ଭବିଷ୍ୟତ କେବଳ ନବସୃଜନରେ ନୁହେଁ, ବରଂ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଆଧାରିତ ହେବା ଉଚିତ।
ମହାକାଶ କ୍ଷେତ୍ରରେ ଆମ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ଅପାର ସମ୍ଭାବନା ରହିଛି। ୨୦୧୭ ମସିହାରେ ସ୍ଲୋଭାକିଆର ପ୍ରଥମ ଉପଗ୍ରହକୁ ଭାରତ ପକ୍ଷରୁ ଉତ୍କ୍ଷେପଣ କରାଯାଇଥିଲା। ଆଜି, ଭାରତର ମହାକାଶ କ୍ଷେତ୍ର ଅଭୂତପୂର୍ବ ଗତିରେ ନୂତନ ଉଚ୍ଚତା ସ୍ପର୍ଶ କରୁଛି। ମୁଁ ସ୍ଲୋଭାକିଆର କମ୍ପାନୀଗୁଡ଼ିକୁ ଏହି ବିକାଶ ଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ ଜଣାଉଛି।
ବେସାମରିକ ପରମାଣୁ ଶକ୍ତି ଉଭୟ ରାଷ୍ଟ୍ର ପାଇଁ ଆଉ ଏକ ପ୍ରମୁଖ ପ୍ରାଥମିକତାର କ୍ଷେତ୍ର। ଆମେ ଏହି କ୍ଷେତ୍ରରେ ଉଭୟ ଦେଶର ଶିଳ୍ପ ସଂସ୍ଥା ଏବଂ ବିଶେଷଜ୍ଞମାନଙ୍କ ମଧ୍ୟରେ ଅଧିକ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛୁ।
ପ୍ରତିରକ୍ଷା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ରଣନୈତିକ ସମନ୍ୱୟର ପ୍ରମାଣ ସ୍ୱରୂପ ରହିଛି। ମୁଁ ଆନନ୍ଦିତ ଯେ, ଆମେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକ ଆଗ୍ରହ ପତ୍ର (ଲେଟର ଅଫ୍ ଇଣ୍ଟେଣ୍ଟ) ସ୍ୱାକ୍ଷର କରିଛୁ। ଏହା ଆମର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ମିଳିତ ବିକାଶ, ମିଳିତ ଉତ୍ପାଦନ ଏବଂ ସହଯୋଗକୁ ନୂତନ ଗତି ପ୍ରଦାନ କରିବ।
ବନ୍ଧୁଗଣ,
ଭାରତ ଏବଂ ସ୍ଲୋଭାକିଆ ବିଶ୍ୱସ୍ତରରେ ମଧ୍ୟ ଘନିଷ୍ଠ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି। ସମସ୍ତ ବିବାଦ ଏବଂ ଉତ୍ତେଜନାର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ କରାଯିବା ଉଚିତ ବୋଲି ଆମେ ସହମତ। ଏହି ଦିଗରେ ଆମେ ଆମର ସମସ୍ତ ସହଯୋଗୀ ଦେଶମାନଙ୍କ ସହ ମିଶି ଆଗକୁ ଅଗ୍ରସର ହେବୁ।
ଏହା ଉପରେ ମଧ୍ୟ ଆମେ ସହମତ ଯେ, ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକୁ ଏକବିଂଶ ଶତାବ୍ଦୀର ବାସ୍ତବତା ଏବଂ ଚ୍ୟାଲେଞ୍ଜ ସହିତ ନିଜକୁ ପୁନଃ ପରିଭାଷିତ କରିବାକୁ ପଡିବ। ଆମେ ଏହି କ୍ଷେତ୍ରରେ ବିଶ୍ୱ ପ୍ରୟାସକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବୁ।
ବନ୍ଧୁଗଣ,
ଉଭୟ ଦେଶ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କ ଏବଂ ପାରସ୍ପରିକ ଜନସମ୍ପର୍କ ଆମ ସମ୍ପର୍କକୁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରୁଛି। ଭାରତର ପ୍ରାଚୀନ ଉପନିଷଦଗୁଡ଼ିକର ସ୍ଲୋଭାକିଆ ଭାଷାରେ ଅନୁବାଦ ହେବା ଆମର ସାଂସ୍କୃତିକ ଘନିଷ୍ଠତାର ଏକ ଉତ୍କୃଷ୍ଟ ଉଦାହରଣ।
ସ୍ଲୋଭାକିଆରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବମାନେ ସେଠାକାର ଅର୍ଥନୀତି ଏବଂ ସମାଜରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି। ଉଭୟ ଦେଶ ମଧ୍ୟରେ ବୃତ୍ତିଗତ ଏବଂ କୁଶଳୀ କର୍ମଚାରୀମାନଙ୍କର ଗତିଶୀଳତା ବୃଦ୍ଧି କରିବା ପାଇଁ, ଆମେ ଆଜି ଶ୍ରମ ପ୍ରବାସ ଉପରେ ଏକ ବୁଝାମଣା ପତ୍ର ଘୋଷଣା କରିଛୁ। ଆମେ ଖୁବ୍ ଶୀଘ୍ର ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ବୁଝାମଣା ପତ୍ରକୁ ମଧ୍ୟ ଚୂଡ଼ାନ୍ତ ରୂପ ଦେବୁ।
ମହାମହିମ,
ଆଜିର ଅତ୍ୟନ୍ତ ଫଳପ୍ରଦ ଆଲୋଚନା ଏବଂ ଭାରତ ପ୍ରତି ଆପଣଙ୍କ ସକାରାତ୍ମକ ଦୃଷ୍ଟିକୋଣ ପାଇଁ ମୁଁ ପୁଣି ଥରେ ମୋର ହୃଦୟରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି।
ମୁଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ, ଆପଣଙ୍କୁ ଭାରତ ଗସ୍ତ କରିବା ପାଇଁ ଆମନ୍ତ୍ରଣ ଜଣାଉଛି। ମୋତେ ଖୁସି ଲାଗୁଛି ଯେ, ଆପଣ ସର୍ବସାଧାରଣରେ ମଧ୍ୟ ଏହି ଆମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ଆମେ ଆପଣଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ।
ମୋର ବିଶ୍ୱାସ ଯେ, ଆମର ବ୍ୟାପକ ସହଭାଗିତା ଆଗାମୀ ବର୍ଷଗୁଡ଼ିକରେ ନୂତନ ସୁଯୋଗ, ସାମୂହିକ ସମୃଦ୍ଧି ଏବଂ ଆମର ଜନସାଧାରଣଙ୍କର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ଭାବରେ କାର୍ଯ୍ୟ କରିବ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ନମସ୍କାର।
*****
MT
(रिलीज़ आईडी: 2275022)
आगंतुक पटल : 3
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam