ରାଷ୍ଟ୍ରପତିଙ୍କ ସଚିବାଳୟ
ପ୍ରଥମ ପର୍ଯ୍ୟାୟ ସମାରୋହରେ ପଦ୍ମ ପୁରସ୍କାର ୨୦୨୬ ପ୍ରଦାନ କଲେ ରାଷ୍ଟ୍ରପତି
ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ର ପାଇଲେ ପଦ୍ମଶ୍ରୀ ପୁରସ୍କାର
ପୋଷ୍ଟ କରାଯିବା ଦିନାଙ୍କ:
25 MAY 2026 7:13PM by PIB Bhubaneswar
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୫ ମଇ, ୨୦୨୬) ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଭାରତର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଆଜିର ସମାରୋହରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଡକ୍ଟର ମିଶ୍ର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ଭାଷାକୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସାମିଲ କରିବା ଏବଂ ସଂରକ୍ଷଣ କରିବା ପାଇଁ ସମର୍ପିତ ହୋଇ କାମ କରିଛନ୍ତି। ସେ ଆଦିବାସୀଙ୍କ ବିକାଶ ସହିତ ଆଦିବାସୀ ଭାଷା, ସଂସ୍କୃତି ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅନେକ ଆଦିବାସୀ ସଂଗଠନ ଏବଂ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଛନ୍ତି।
ସମାରୋହରେ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୬ ଜଣ ପଦ୍ମ ଭୂଷଣ ଏବଂ ୫୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ଅଭିନେତା ତଥା ବଲିଉଡର ହିମ୍ୟାନ୍ ନାମରେ ପ୍ରସିଦ୍ଧ ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି । ସେହିପରି କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଶିଷ୍ଟ ବେହେଲା ବାଦିକା ତଥା ସଙ୍ଗୀତଜ୍ଞ ଡକ୍ଟର ଏନ.ରାଜମଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି ।
ସେହିପରି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ କଲ୍ଲିପଟ୍ଟି ରାମାସାମୀ ପଲାନିସ୍ୱାମୀ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ପଦ୍ମଭୂଷଣଙ୍କୁ ସମ୍ମାନିତ କରାଯାଇଛି । ବିଶିଷ୍ଟ ବ୍ୟାଙ୍କର ଉଦୟ କୋଟକ, ବିଶିଷ୍ଟ କଳାକାର ଶତବଧାନୀ ଡକ୍ଟର ଆର. ଗଣେଶ, ବିଜୟ କୁମାର ମାଲହୋତ୍ରା (ମରଣୋତ୍ତର) ଏବଂ ପୀୟୂଷ ପାଣ୍ଡେ (ମରଣୋତ୍ତର)ଙ୍କୁ ମଧ୍ୟ ପଦ୍ମଭୂଷଣ ପ୍ରଦାନ କରାଯାଇଛି ।
ପଦ୍ମଶ୍ରୀ ପାଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହର୍ମନପ୍ରୀତ କୌର, ଅଭିନେତା ପ୍ରସେନଜିତ ଚାଟାର୍ଜୀ, ଅରୁଣାଚଳ ପ୍ରଦେଶର ବିଶିଷ୍ଟ ସାମାଜିକ କର୍ମୀ ଟେଚି ଗୁବିନ୍, ଅରବିନ୍ଦ ବୈଦ୍ୟ, ସାମାଜିକ କର୍ମୀ ନୀଲେଶ ବିନୋଦ ଚନ୍ଦ୍ର ମଣ୍ଡେଲୱାଲା, ପାରା କ୍ରୀଡ଼ାବିତ୍ ପ୍ରବୀଣ କୁମାର, ସାହିତ୍ୟିକ ଗମ୍ଭୀର ସିଂ ୟୋଞ୍ଜୋନ୍ ପ୍ରମୁଖ ।
*****
PS
(ରିଲିଜ ଆଡି: 2265178)
ପରିଦର୍ଶକ କାଉଣ୍ଟର : 11