ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏପ୍ରିଲ ୨୮-୨୯ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ
प्रविष्टि तिथि:
26 APR 2026 3:46PM by PIB Bhubaneswar
-ବାରାଣସୀ ମହିଳା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସାମିଲ ହେବେ, ଯେଉଁଠାରେ ସେ ପ୍ରାୟ ୬,୩୫୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ
-ଏହି ପ୍ରକଳ୍ପ ଗୁଡ଼ିକ ରେଳ, ସଡ଼କ, ଜଳ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ସହରାଞ୍ଚଳ ଭିତ୍ତିଭୂମି ସମେତ ବହୁବିଧ କ୍ଷେତ୍ରରେ ରହିଛି
-ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ: ବନାରସ-ପୁନେ(ହଡ଼ପସର) ଏବଂ ଅଯୋଧ୍ୟା-ମୁମ୍ବାଇ (ଲୋକମାନ୍ୟ ତିଲକ ଟର୍ମିନସ୍)
-ପ୍ରଧାନମନ୍ତ୍ରୀ ହରଦୋଇରେ ୫୯୪ କିମି ଲମ୍ବା ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସ୍ ୱେ ଉଦଘାଟନ କରିବେ
-ପ୍ରାୟ ୩୬,୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ୍ ୱେ ମେରଟ ଓ ପ୍ରୟାଗରାଜ ମଧ୍ୟରେ ଯାତ୍ରା ସମୟକୁ ବର୍ତ୍ତମାନର ୧୦-୧୨ ଘଣ୍ଟାରୁ ପ୍ରାୟ ୬ ଘଣ୍ଟାକୁ ହ୍ରାସ କରିବ
-ଏକ ପ୍ରମୁଖ ଆକର୍ଷଣ ଶାହାଜାହାନପୁର ଜିଲ୍ଲାରେ ୩.୫ କିଲୋମିଟର ଲମ୍ବା ଜରୁରୀକାଳୀନ ଅବତରଣ ସୁବିଧା, ଯାହା ପ୍ରକଳ୍ପର ଆର୍ଥିକ ଲାଭ ବ୍ୟତୀତ ରଣନୈତିକ ମୂଲ୍ୟ ଯୋଗ କରିଥାଏ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୮-୨୯ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ । ଏପ୍ରିଲ ୨୮ ସନ୍ଧ୍ୟା ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ମହିଳା ସମ୍ମିଳନୀରେ ସାମିଲ ହେବେ, ଯେଉଁଠାରେ ସେ ବାରାଣସୀରେ ପ୍ରାୟ ୬,୩୫୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ଏପ୍ରିଲ ୨୯ ସକାଳ ପ୍ରାୟ ୮ଟା ୩୦ରେ ପ୍ରଧାନମନ୍ତ୍ରୀ ବାରାଣସୀର ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ହରଦୋଇ ଯାତ୍ରା କରିବେ ଏବଂ ପ୍ରାୟ ୧୧ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଗଙ୍ଗା ଏକ୍ସପ୍ରେସ ୱେର ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।
ବାରାଣସୀରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମହିଳା ସମ୍ମିଳନୀରେ ସାମିଲ ହେବେ, ଯେଉଁଠାରେ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ୧,୦୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୪୮ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ । ପ୍ରମୁଖ ଭିତ୍ତଭୂମି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାରାଣସୀ-ଆଜମଗଡ଼ ରାସ୍ତା ପ୍ରଶସ୍ତୀକରଣ ସମାପ୍ତି, କଜ୍ଜକପୁରା ଏବଂ କାଦିପୁରରେ ଗୁରୁତ୍ୱପୂର୍ଣ୍ଣ ରେଳ ଓଭରବ୍ରିଜ ଖୋଲିବା ଏବଂ ଭଗବାନପୁରରେ ୫୫ ଏମଏଲଡି କ୍ଷମତା ବିଶିଷ୍ଟ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଉଦଘାଟନ ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ଜଳ ଜୀବନ ମିଶନ ଅଧୀନରେ ୩୦ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ଚନ୍ଦ୍ରାବତୀ ଘାଟର ପୁନଃବିକାଶ, ସାରନାଥ ନିକଟବର୍ତ୍ତୀ ସାରଙ୍ଗନାଥ ମନ୍ଦିରର ପର୍ଯ୍ୟଟନ ବିକାଶ ଏବଂ ନାଗୱାର ସନ୍ଥ ରବିଦାସ ପାର୍କର ସୌନ୍ଦର୍ଯ୍ୟକରଣ ଏବଂ ନବୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ସାର୍ବଜନୀନ ସେବା ଏବଂ କ୍ରୀଡ଼ାର ଉନ୍ନତି ମଧ୍ୟ ପ୍ରମୁଖ, ୟୁପି କଲେଜରେ ଏକ ସିନ୍ଥେଟିକ୍ ହକି ଟର୍ଫ, ରାମନଗରରେ ୧୦୦ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ଏବଂ ଭେଲୁପୁର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ୧ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ତିବ୍ଦତୀୟ ଅଧ୍ୟୟନ ବିଶ୍ୱବିଦ୍ୟାଳୟରେ ସୋୱା ରିଗପା ଭବନ ଏବଂ ହସପିଟାଲର ଉଦଘାଟନ କରିବେ, ଯାହା ଆଧୁନିକ ସ୍ୱାସ୍ଥ୍ୟସେବା ପ୍ରଣାଳୀ ସହିତ ପାରମ୍ପରିକ ଔଷଧକୁ ସମନ୍ୱିତ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୫୩୦୦ କୋଟି ଟଙ୍କା ମୂଲ୍ୟର ୧୧୨ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ଅମୃତ ୨.୦ ଅନ୍ତର୍ଗତ ୧୩ଟି ସ୍ୱେରେଜ ଏବଂ ଜଳ ଯୋଗାଣ ଯୋଜନା, ଶ୍ରୀ ଶିବ ପ୍ରସାଦ ଗୁପ୍ତା ଡିଭିଜନାଲ ଜିଲ୍ଲା ହସପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସୁପର-ସ୍ପେଶାଲିଟି ହସପିଟାଲ, ଭୋଜୁବୀର ଏବଂ ସିଗ୍ରାରେ ବଜାର କଂପ୍ଲେକ୍ସ ଏବଂ ଅଫିସ ସ୍ଥାନ ନିର୍ମାଣ, ପୋଖରୀର ନବୀକରଣ ଏବଂ ପୁନରୁଦ୍ଧାର, ୧୯୮ ଶଯ୍ୟା ବିଶିଷ୍ଟ ହସପିଟାଲର ପୁନଃବିକାଶ, ୧୦୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ବ୍ଲକ ନିର୍ମାଣ ଏବଂ ଅସି ଘାଟ, ଦଶାଶ୍ୱମେଧ ଘାଟ ଏବଂ ନମୋ ଘାଟ ସମେତ ପ୍ରମୁଖ ଘାଟରେ ପର୍ଯ୍ୟଟନର ବିକାଶ ଅନ୍ତର୍ଭୁକ୍ତ । ଶାସନ ଏବଂ ସାମାଜିକ କଲ୍ୟାଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ରାମନଗରରେ ସମନ୍ୱିତ ଡିଭିଜନାଲ ଅଫିସ, ନଗର ନିଗମ ଅଫିସ କୋଠା, ଏକ ସରକାରୀ ଶିଶୁ ଆଶ୍ରୟ ଗୃହ ଏବଂ କିଶୋର ନ୍ୟାୟ ବୋର୍ଡ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ବନାସ ଡେରୀ ସହିତ ଜଡ଼ିତ ଉତ୍ତରପ୍ରଦେଶର କ୍ଷୀର ଯୋଗାଣକାରୀଙ୍କୁ ବୋନସ ଭାବରେ ୧୦୫ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିବେ ।
ପ୍ରଧାନମନ୍ତ୍ରୀ ବାରାଣସୀ ଜଙ୍କସନ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯେଉଁଥିରେ ଗଙ୍ଗା ନଦୀ ଉପରେ ଏକ ରେଳ ସଡ଼କ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ରେଳ ଭିଡ଼ ହ୍ରାସ କରିବା ସହ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି, ବହୁମୁଖୀ ସଂଯୋଗକୁ ସୁଦୃଢ଼ କରିବା ଏବଂ ସୁଗମ ଟ୍ରାଫିକକୁ ସୁନିଶ୍ଚିତ କରି ବାରାଣସୀ ଓ ଚନେ୍ଦøଲି ଜିଲ୍ଲାକୁ ଲାଭ ପହଞ୍ଚାଇବ । ଏହା ପୂର୍ବ-ଉତ୍ତର ପ୍ରଦେଶ ଏବଂ ବିହାର ସହିତ ରେଳ ସଂଯୋଗକୁ ସୁଦୃଢ଼ କରିବା ସହିତ କାଶୀ ବିଶ୍ୱନାଥ ଧାମ, ରାମନଗର ଅଞ୍ଚଳ ଏବଂ ଜାତୀୟ ରାଜପଥ-୧୯କୁ ଯୋଗାଯୋଗକୁ ସୁଦୃଢ଼ କରିବ ।
ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ: ବନାରସ-ପୁନେ(ହଡ଼ପସର) ଏବଂ ଅଯୋଧ୍ୟା-ମୁମ୍ବାଇ (ଲୋକମାନ୍ୟ ତିଲକ ଟର୍ମିନସ୍) । ଏହି ଟ୍ରେନ ଗୁଡ଼ିକ ସୁଲଭ ଏବଂ ଆଧୁନିକ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ଯୋଗାଯୋଗକୁ ବଢ଼ାଇବ । ବନାରସ-ପୁନେ ସେବା କାଶୀ ବିଶ୍ୱନାଥ ଧାମକୁ ସହଜରେ ପହଞ୍ଚିବାକୁ ସୁବିଧା ପ୍ରଦାନ କରିବ, ଯେତେବେଳେ ଅଯୋଧ୍ୟା -ମୁମ୍ବାଇ ସେବା ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ରକୁ ଯୋଗାଯୋଗକୁ ଉନ୍ନତ କରିବ ଏବଂ ପ୍ରମୁଖ ଧାର୍ମିକ ସ୍ଥାନ ଗୁଡ଼ିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ ।
ହରଦୋଇରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ହରଦୋଇ ଜିଲ୍ଲାରେ ଗଙ୍ଗା ଏକ୍ସପ୍ରେ ୱେର ଉଦଘାଟନ କରିବେ, ଯାହା ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ୫୯୪ କିଲୋମିଟର ଲମ୍ବା, ୬ ଲେନ (୮ ଲେନ ପର୍ଯ୍ୟନ୍ତ ବିସ୍ତାରିତ), ପ୍ରବେଶ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇସ୍ପିଡ କରିଡର, ଯାହା ପ୍ରାୟ ୩୬,୨୩୦ କୋଟି ଟଙ୍କାରେ ନିର୍ମିତ । ଏହି ଏକ୍ସପ୍ରେସ ୱେ ୧୨ଟି ଜିଲ୍ଲା ମେରଟ, ବୁଲନ୍ଦସହର, ହାପୁର, ଅମରୋହା, ସମ୍ଭଲ, ବଦାୟୁଁ, ଶାହାଜାହାନପୁର, ହରଦୋଇ, ଉନ୍ନାଓ, ରାୟବରେଲି ପ୍ରତାପଗଡ଼ ଏବଂ ପ୍ରୟାଗରାଜ ଦେଇ ଯାଇଛି- ଏହାଦ୍ୱାରା ଉତ୍ତରପ୍ରଦେଶର ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଅଞ୍ଚଳଗୁଡ଼ିକୁ ଏକ ସିମଲେସ ହାଇସ୍ପିଡ କରିଡର ମାଧ୍ୟମରେ ସଂଯୋଗ କରିବ ।
ଏହି ପ୍ରକଳ୍ପ ମେରଟ ଓ ପ୍ରୟାଗରାଜ ମଧ୍ୟରେ ଯାତ୍ରା ସମୟକୁ ବର୍ତ୍ତମାନର ୧୦-୧୨ ଘଣ୍ଟାରୁ ପ୍ରାୟ ୬ ଘଣ୍ଟାକୁ ହ୍ରାସ କରିବ, ଯାହା ପରିବହନରେ ସହଜନା ଏବଂ ଦକ୍ଷତା ବୃଦ୍ଧି କରିବ ।
ଏହି ପ୍ରକଳ୍ପର ଏକ ପ୍ରମୁଖ ଆକର୍ଷଣ ଶାହାଜାହାନପୁର ଜିଲ୍ଲାରେ ୩.୫ କିଲୋମିଟର ଲମ୍ବା ଜରୁରୀକାଳୀନ ଅବତରଣ ସୁବିଧା (ବିମାନପଥ) ପ୍ରଦାନ । ଏହି ଦ୍ୱୈତ ବ୍ୟବହାର ଭିତ୍ତିଭୂମି ଜାତୀୟ ସୁରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବ ଏବଂ ଆର୍ଥିକ ଲାଭ ବ୍ୟତୀତ ରଣନୈତିକ ମୂଲ୍ୟ ଯୋଗ କରିଥାଏ ।
ଗଙ୍ଗା ଏକ୍ସପ୍ରେସ ୱେ କୁ ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବରେ କଳ୍ପନା କରାଯାଇଛି, ଏହାର ସଂଲଗ୍ନତା ସହିତ ୧୨ଟି ଜିଲ୍ଲାରେ ପ୍ରାୟ ୨,୬୩୫ ହେକ୍ଟର ଜମିରେ ସମନ୍ୱିତ ଉତ୍ପାଦନ ଏବଂ ଲଜିଷ୍ଟିକ କରିଡର ବିକାଶ ଚିନ୍ତା କରାଯାଇଛି । ଏକ୍ସପ୍ରେସ୍ ୱେ ଲଜିଷ୍ଟିକ ଖର୍ଚ୍ଚ ହ୍ରାସ କରିବ, ଯୋଗାଣ ଶୃଙ୍ଖଳ ଦକ୍ଷତା ଉନ୍ନତ କରିବ ଏବଂ ଉତ୍ପାଦନ ପ୍ରତିଯୋଗିତାକୁ ବୃଦ୍ଧି କରିବ ।
ଉନ୍ନତ ସଂଯୋଗୀକରଣ ଚାଷୀମାନଙ୍କୁ ସହରାଞ୍ଚଳ ଏବଂ ରପ୍ତାନୀ ବଜାରକୁ ସିଧାସଳଖ ପ୍ରବେଶ ପ୍ରଦାନ କରିବ, ଉତ୍ତମ ମୂଲ୍ୟ ପ୍ରାପ୍ତିକୁ ସହଜ କରିବ ଏବଂ ଗ୍ରାମୀଣ ଆୟକୁ ସୁଦୃଢ଼ କରିବ । ଏହି ପ୍ରକଳ୍ପ ପର୍ଯ୍ୟଟନକୁ ବୃଦ୍ଧି କରିବ, ନୂତନ ଆର୍ଥିକ ସୁଯୋଗ ଖୋଲିବ ଏବଂ ସମଗ୍ର ଅଞ୍ଚଳରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ ଆଶା କରାଯାଉଛି ।
ଗଙ୍ଗା ଏକ୍ସପ୍ରେସ୍ ୱେ ରାଜ୍ୟରେ ଏକ ବ୍ୟାପକ ଏକ୍ସପ୍ରେସ୍ ୱେ ନେଟୱର୍କ ପାଇଁ ମେରୁଦଣ୍ଡ ଭାବେ କାମ କରିବ । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ, ଜେୱାର ଲିଙ୍କ୍ ଏକ୍ସପ୍ରେସ ୱେ, ଫାକୁଖାବାଦ ଲିଙ୍କ ଏକ୍ସପ୍ରେସ ୱେ ଏବଂ ମେରଟରୁ ହରିଦ୍ୱାର ପର୍ଯ୍ୟନ୍ତ ପ୍ରସ୍ତାବିତ ସମ୍ପ୍ରସାରଣ ସମେତ ଅନେକ ଲିଙ୍କ୍ କରିଡର କାର୍ଯ୍ୟକ୍ଷମ କିମ୍ବା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବ । ଏହି ଏକ୍ସପ୍ରେସ୍ ୱେ ଗ୍ରୀଡ୍ ଉତ୍ତରପ୍ରଦେଶରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଉଚ୍ଚଗତି ସମ୍ପନ୍ନ ସଡ଼କ ସଂଯୋଗକୁ ବିସ୍ତାର କରିବ, ଯାହା ସନ୍ତୁଳିତ ଆଞ୍ଚଳିକ ବିକାଶକୁ ସକ୍ଷମ କରିବ ।
ଗଙ୍ଗା ଏକ୍ସପ୍ରେସ ୱେ ଏକ ପରିବହନ ପ୍ରକଳ୍ପ ନୁହେଁ ବରଂ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ଶିଳ୍ପ ନିବେଶକୁ ଆକର୍ଷିତ କରିବ, କୃଷି ଏବଂ ଗ୍ରାମୀଣ ଆୟକୁ ବୃଦ୍ଧି କରିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ରାଜ୍ୟ ସାରା ସାମଗ୍ରିକ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବ ।
SR
(रिलीज़ आईडी: 2256496)
आगंतुक पटल : 37
इस विज्ञप्ति को इन भाषाओं में पढ़ें:
Bengali
,
Bengali-TR
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam