ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ଆସାମର କୋକରାଝାରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 13 MAR 2026 4:48PM by PIB Bhubaneswar

ଖୁଲୁମ୍ବାଇ କୋକ୍ରାଝାର!

 

ବନ୍ଧୁଗଣ,

 

ଖରାପ ପାଗ ଯୋଗୁଁ ମୁଁ କୋକ୍ରାଝାର ଆସିପାରିଲି ନାହିଁ। ମୁଁ ଆପଣମାନଙ୍କ  ନିକଟରେ କ୍ଷମା ପ୍ରାର୍ଥନା କରୁଛି। କେବଳ ଗୌହାଟିରୁ ହିଁ  ଆପଣଙ୍କ ସହିତ ଯୋଗାଯୋଗ କରିବା  ସମ୍ଭବ ହୋଇପାରିଛି। ମୁଁ ଆପଣଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ବାହାରିଥିଲି , କିନ୍ତୁ ମୋତେ ଗୌହାଟିରେ ଅବତରଣ କରିବାକୁ ପଡିଲା। ଏବେ ମୁଁ ଗୌହାଟିରୁ ଆପଣମାନଙ୍କୁ ଦେଖୁଛି ଏବଂ ଆପଣମାନଙ୍କ ସହିତ କଥା ହେଉଛି। ଏହି କାର୍ଯ୍ୟକ୍ରମ  ସହ ଜଡିତ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ମୋର କେନ୍ଦ୍ର କ୍ୟାବିନେଟ ସହଯୋଗୀ ସର୍ବାନନ୍ଦ ସୋନୋୱାଲ, ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ହାଗ୍ରାମା ମୋହିଲାରୀ, ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଟିସିର ସମସ୍ତ ପ୍ରତିନିଧି, ସମାଜର ବରିଷ୍ଠ ସଦସ୍ୟ ଏବଂ ମୋର ପ୍ରିୟ ଭାଇ ଓ  ଭଉଣୀମାନେ!

 

ସର୍ବପ୍ରଥମେ, ମୁଁ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମା, ରୂପନାଥ ବ୍ରହ୍ମା ଏବଂ ଏହି ଭୂମିର ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମୋର ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୁଁ ଦେଖୁଛି, ଯେଉଁଠାରେ ମୋର ଦୃଷ୍ଟି ପହଁଚୁଛି, ସେଠାରେ କେବଳ ଲୋକମାନେ ମତେ ଦୃଶ୍ୟମାନ ହେଉଛନ୍ତି, ଏବଂ ଏତେ ସଂଖ୍ୟାରେ ମାଆମାନେ-ଭଉଣୀମାନେ  ଆଶୀର୍ବାଦ ଦେବାକୁ ଆସିଛନ୍ତି। ଆପଣମାନେ ସେଠାରେ ବିପୁଳ  ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ଆପଣମାନଙ୍କ ସ୍ନେହ ମୋ ପାଇଁ ଋଣ ପରି ଏବଂ ଆପଣଙ୍କର ସେବା କରି ଓ  ଏହି ଅଞ୍ଚଳର ବିକାଶ କରି ଆପଣମାନଙ୍କ  ଋଣ ପରିଶୋଧ କରିବା ପାଇଁ ମୋର ସର୍ବଦା ପ୍ରୟାସ ରହିଛି।

ବନ୍ଧୁଗଣ,

 

କିଛି ସପ୍ତାହ ପୂର୍ବେ, ମୁଁ ଗୌହାଟୀରେ ଥିଲି ଏବଂ ମହାନ ବାଗୁରୁମ୍ବା ଡାହୌ ମହୋତ୍ସବରେ ସମୃଦ୍ଧ ବୋଡୋ ସଂସ୍କୃତିର ଅଂଶ ହେବାର ସୁଯୋଗ ପାଇଥିଲି ।ମୋତେ ଏହା ଦେଖି ବହୁତ ଗର୍ବ ଲାଗେ ଯେ ବୋଡୋ ସମାଜ ନିଜର ଭାଷା, ନିଜର ସଂସ୍କୃତି ଏବଂ ନିଜର ପାରମ୍ପରିକତାକୁ ଏତେ ସୁନ୍ଦର ଭାବରେ ସଂରକ୍ଷଣ କରି ରଖିଛି। ବାଥୌର ଆଧ୍ୟାତ୍ମିକ ପରମ୍ପରା ହେଉ କିମ୍ବା ବୈସାଗୁର ଉତ୍ସବ, ଏସବୁ ଭାରତର ସାଂସ୍କୃତିକ ଶକ୍ତିକୁ ଅଧିକ ଶକ୍ତିଶାଳୀ  କରେ।

 

ବନ୍ଧୁଗଣ,

 

ବିଜେପି-ଏନଡିଏ ଡବଲ-ଇଞ୍ଜିନ୍ ସରକାର ମଧ୍ୟ ଆସାମର ଐତିହ୍ୟକୁ ସଂରକ୍ଷଣ ଏବଂ ଏହାର ଦ୍ରୁତ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛି। ଆଜି, ଏହି କାର୍ଯ୍ୟକ୍ରମରେ, ଏହି ଅଞ୍ଚଳର ବିକାଶ ପାଇଁ ୪ ,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ  କରାଯାଇଛି । ଏଥିମଧ୍ୟରୁ ୧ ,୧୦୦ କୋଟି ଟଙ୍କାରୁ ଅଧିକ ବୋଡୋଲ୍ୟାଣ୍ଡରେ ରାସ୍ତା ନିର୍ମାଣ  ପାଇଁ ଖର୍ଚ୍ଚ କରାଯିବ। ଆସାମ ମାଲା ଅଭିଯାନର ତୃତୀୟ ପର୍ଯ୍ୟାୟ ଆସାମର ରାସ୍ତା ସଂଯୋଗୀକରଣକୁ ଆହୁରି ମଜବୁତ କରିବ।

ବନ୍ଧୁଗଣ,

 

କିଛି ସମୟ ପୂର୍ବରୁ, ମୋତେ କାମାକ୍ଷା-ଚାର୍ଲାପାଲି ଅମୃତ ଭାରତ ଏକ୍ସପ୍ରେସ ଏବଂ ଗୌହାଟି-ନୂଆ ଜଳପାଇଗୁଡ଼ି ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା। ଏହି ପ୍ରକଳ୍ପଗୁଡ଼ିକ କେବଳ ଆପଣଙ୍କୁ ସୁବିଧା ପ୍ରଦାନ କରିବ ନାହିଁ ବରଂ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବ। ଏହା କୃଷକଙ୍କ ଉତ୍ପାଦିତ ଦ୍ରବ୍ୟକୁ ବଡ଼ ବଡ ବଜାରମାନଙ୍କରେ  ସହଜରେ ପହଂଚାଇବ। ଏହି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ  ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

କୋକ୍ରାଝାର ସମେତ ଏହି ସମଗ୍ର ଅଞ୍ଚଳ ଗତ ଦଶନ୍ଧିଗୁଡ଼ିକରେ ବହୁତ କିଛି ସହିଛି ଏବଂ ବହୁତ କିଛି ହରାଇଛି ମଧ୍ୟ । ଆମେ ସେହି କଷ୍ଟକର  ସମୟ ଦେଖିଛୁ ଯେତେବେଳେ ଏହି ପାହାଡ଼ଗୁଡ଼ିକ ଦେଇ ବୋମା ଏବଂ ବନ୍ଧୁକର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା। କିନ୍ତୁ ଆଜି, ଏହି ପରିସ୍ଥିତିରେ  ପରିବର୍ତ୍ତନ ହେଉଛି। ଆଜି, ଏହି ପାହାଡ଼ଗୁଡ଼ିକ 'ଖାମ୍'ର ତାଳେ ତାଳେ ଏବଂ 'ସିଫୁଙ୍ଗ'ର ସୁମଧୁର ସ୍ୱରରେ ପ୍ରତିଧ୍ୱନିତ ହେଉଛି। ଆଜି, ବୋଡୋଲ୍ୟାଣ୍ଡ ଶାନ୍ତି ଏବଂ ବିକାଶ ପଥରେ  ଆଗକୁ ବଢ଼ିଛି। ଆଜି, ଆସାମ ଶାନ୍ତି ଏବଂ ବିକାଶର ଏକ ନୂତନ ଅଧ୍ୟାୟ ଲେଖୁଛି ।

 

ବନ୍ଧୁଗଣ,

 

ଆଜି, ବିଟିଆର (BTR) ଅଞ୍ଚଳରେ ଛଅଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ  କରାଯାଇଛି , ଏବଂ ଏହି ଅଞ୍ଚଳର ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରମୁଖ ପଦକ୍ଷେପମାନ  ନିଆଯାଇଛି। ଏଠାରେ ନିର୍ମିତ ରେଳ ୱାର୍କସପ୍ ଏହି ଅଞ୍ଚଳକୁ ଏକ ପ୍ରମୁଖ ଲଜିଷ୍ଟିକ୍ସ ହବ୍ କରିବ। ଭୁଟାନକୁ ସଂଯୋଗ କରୁଥିବା ରେଳ ଲାଇନ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି, ଏବଂ ଅନେକ ଷ୍ଟେସନକୁ ଆଧୁନିକୀକରଣ କରାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ରାଜଧାନୀ ଏକ୍ସପ୍ରେସ୍ ଭଳି ଟ୍ରେନଗୁଡ଼ିକ ଏବେ କୋକ୍ରାଝାରରେ ମଧ୍ୟ ରହୁଛି  । ଏହା ବୋଡୋଲ୍ୟାଣ୍ଡର ଉନ୍ନତ ସଂଯୋଗୀକରଣର ପ୍ରମାଣ ଅଟେ । ଏପରି ପ୍ରକଳ୍ପ ସହିତ, କୋକ୍ରାଝାର ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି।

ବନ୍ଧୁଗଣ,

 

ଏହି ବିକାଶମୂଳକ କାର୍ଯ୍ୟ ପାଇଁ ମୁଁ ହାଗ୍ରାମା ମୋହିଲାରୀ ଏବଂ ହେମନ୍ତଙ୍କ ସମସ୍ତ ପ୍ରତିନିଧିମାନଙ୍କୁ  ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଦଶନ୍ଧି ଧରି, ବୋଡୋଲ୍ୟାଣ୍ଡର ଏହି ଅଞ୍ଚଳ କଂଗ୍ରେସ ଦଳର ବିଶ୍ୱାସଘାତକତା ଦେଖି ଆସିଛି। ପିଢ଼ି ପରେ ପିଢ଼ି  କଂଗ୍ରେସ ଦଳ ବୋଡୋଲ୍ୟାଣ୍ଡ ଲୋକଙ୍କୁ ମିଛ ସ୍ୱପ୍ନ ଦେଖାଇ ଆସିଥିଲା । ଦିଲ୍ଲୀରେ କଂଗ୍ରେସ ସରକାର କେବଳ ଦେଖାଇବା ପାଇଁ କାଗଜ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

 

ବନ୍ଧୁଗଣ,

 

ଯେତେବେଳେ ଆପଣ କଂଗ୍ରେସ ଦଳକୁ ଦେଶ ଏବଂ ଆସାମ ଉଭୟରୁ ବାହାର କରି ବିଜେପି-ଏନଡିଏକୁ ସୁଯୋଗ ଦେଇଥିଲେ, ତାପରେ ଆମେ ସତ୍ୟନିଷ୍ଠାର  ସହିତ ପ୍ରୟାସ ଆରମ୍ଭ କଲୁ। କଂଗ୍ରେସ ଦଳ ନିଜର ସ୍ୱାର୍ଥପର ରାଜନୈତିକ ଉଦ୍ଦେଶ୍ୟ ପାଇଁ ସମ୍ପ୍ରଦାୟଗୁଡ଼ିକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ବେଳେ, ବିଜେପି ସ୍ଥାୟୀ ଶାନ୍ତି ପାଇଁ କାର୍ଯ୍ୟ କରିଥିଲା। ଏହି ଦୃଷ୍ଟିକୋଣ ସହିତ ବୋଡୋ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ପ୍ରଥମ ଥର ପାଇଁ ସମସ୍ତ ପ୍ରମୁଖ ସଂଗଠନ ଏବଂ ଗୋଷ୍ଠୀଙ୍କୁ ଏକତ୍ର କରିଥିଲା।

ବନ୍ଧୁଗଣ,

 

କଂଗ୍ରେସ ବିଷୟରେ ଆଉ ଏକ ସତ୍ୟ ଅଛି: ଏହା ମିଥ୍ୟା ପ୍ରତିଶ୍ରୁତିର ଏକ ଦୋକାନଏବଂ ପ୍ରତ୍ୟେକ ମିଥ୍ୟା ପ୍ରତିଶ୍ରୁତି ସହିତ, ଆଉ  ଚାରୋଟି  ମିଥ୍ୟା ପ୍ରତିଶୁତି ସେ  ଉପହାରରେ ଦେଇଥାଏ । କାରଣ  ସେହି ପ୍ରତିଶ୍ରୁତିଗୁଡିକୁ  ପୂରଣ କରିବାରେ କଂଗ୍ରେସର କୌଣସି ମନୋଭାବ ମଧ୍ୟ ନାହିଁ। ଅନ୍ୟପଟେ ଆପଣମାନଙ୍କ ସାମ୍ନାରେ ଭାଜପା–ଏନଡିଏର ମଡେଲ୍ ରହିଛି। ଆମର ଡବଲ-ଇଞ୍ଜିନ ସରକାର ଯାହା ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବା ପାଇଁ  ପ୍ରୟାସ କରିଛି ଏବଂ ଏହା କୌଣସି ସାମ୍ପ୍ରତିକ ବିକାଶ ନୁହେଁ। ୨୦୦୩ ମସିହାରେ ମଧ୍ୟ, ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଏନଡିଏ ସରକାର କ୍ଷମତାରେ ଥିଲା, ସେତେବେଳେ ମଧ୍ୟ ଆମେ ସତ୍ୟ ଏବଂ ସଚ୍ଚୋଟତାର ସହିତ କାମ କରୁ ଥିଲୁ । ସେହି ପଦକ୍ଷେପ ଅଧୀନରେ, ଷଷ୍ଠ ଅନୁସୂଚୀରେ ବିଟିସି ପ୍ରତିଷ୍ଠିତ ହୋଇଥିଲା, ଯାହା ବୋଡୋଲ୍ୟାଣ୍ଡର ବିକାଶକୁ ବୃଦ୍ଧି କରିଥିଲା। ଏଠାରେ ବୋଡୋଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା, କେନ୍ଦ୍ରୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା, ଏବଂ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହୋଇଥିଲା; ଏହି ପରି ଅନେକ ପ୍ରକଳ୍ପ ସଫଳ ହୋଇଥିଲା।

 

ବନ୍ଧୁଗଣ,

 

 ୨୦୨୦ ଚୁକ୍ତିନାମା  ଅନୁଯାୟୀ, ଆମେ ଦେଇଥିବା ସମସ୍ତ ପ୍ରତିଶ୍ରୁତିଗୁଡ଼ିକୁ  କଠିନ ପରିଶ୍ରମ ସହିତ ଗୋଟିଏ ପରେ ଗୋଟିଏ ପୂରଣ କରାଯାଉଛି। ବୋଡୋ ଭାଷାକୁ ଏକ ସହଯୋଗୀ ସରକାରୀ ଭାଷାର ମାନ୍ୟତା ଦିଆଯାଇଛି। ବୋଡୋଲ୍ୟାଣ୍ଡ ପାଇଁ ୧, ୫୦୦  କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ପ୍ରଦାନ କରାଯାଇଥିଲା। ଆଜି କୋକରାଝାରରେ ଏକ ମେଡିକାଲ କଲେଜ କାର୍ଯ୍ୟ କରୁଛି ଏବଂ ତାମୁଲପୁରରେ ଆଉ ଗୋଟିଏ ମଧ୍ୟ  ନିର୍ମାଣ କରାଯାଉଛି। ଏଠାରେ ନୂତନ ସେତୁ ନିର୍ମାଣ କରାଯାଉଛି।ଆଜି ଆସାମର ପ୍ରାୟ ୧୦ ହଜାର ଯୁବକ ଯେଉଁମାନେ ଅସ୍ତ୍ର ଛାଡି ଦେଇଛନ୍ତି, ସେମାନଙ୍କୁ ମୁଖ୍ୟଧାରାରେ ସାମିଲ  କରାଯାଉଛି ଏବଂ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ  କରାଯାଉଛି। ସେହି ସମସ୍ତ ମାଆମାନେ ଆଜି ଆମକୁ ଆଶୀର୍ବାଦ ଦେଉଛନ୍ତି, ଯେଉଁମାନଙ୍କର ପୁଅମାନେ ଆଜି ଘରକୁ ପୁଣି ଫେରି ଆସିଛନ୍ତି। ସେମାନେ  ଏବେ ନିଜ ପରିବାର ସହିତ ଖୁସିରେ ରହୁଛନ୍ତି।

ବନ୍ଧୁଗଣ,

 

ଆମ ସରକାର ଏହା ମଧ୍ୟ ସୁନିଶ୍ଚିତ କରିଛି ଯେ ବୋଡୋ ସମ୍ପ୍ରଦାୟର ବିଶ୍ୱାସ ଏବଂ ପରମ୍ପରାକୁ ଜାତୀୟ ସ୍ତରରେ ସମ୍ମାନ ଦିଆଯିବ। ବୋଡୋ ସମ୍ପ୍ରଦାୟର ପାରମ୍ପରିକ ରୀତିନୀତି ବାଥୌକୁ ମଧ୍ୟ ବହୁତ ସମ୍ମାନ ଦିଆଯାଇଛି। ପୂଜାସ୍ଥଳଗୁଡ଼ିକର ବିକାଶ ପାଇଁ ମଧ୍ୟ ବିଶେଷ ସହାୟତା ଯୋଗାଇ ଦିଆଯାଉଛି।

ବନ୍ଧୁଗଣ,

 

କଂଗ୍ରେସ ଆଉ ଏକ ବଡ  ପାପ କରିଛି, ଯାହା ଦେଶ ଏବଂ ଆସାମର ସୁରକ୍ଷା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଏହା ରୁଟି, ଝିଅ ଏବଂ ମାଟି: ଏହି ତିନୋଟିର ସୁରକ୍ଷାକୁ ବିପଦରେ ପକାଇଛି।  କଂଗ୍ରେସ ସର୍ବଦା ଅନୁପ୍ରବେଶକାରୀଙ୍କ ସହିତ ମିଶିକି ଥିଲା   ଏବଂ ଆଜି  ମଧ୍ୟ ରହିଛି। ଦଶନ୍ଧି ଧରି କଂଗ୍ରେସ ଆଦିବାସୀମାନଙ୍କୁ ଆଇନଗତ ଜମି କାଗଜପତ୍ର ପ୍ରଦାନ କରିବାକୁ ମନା କରିଥିଲା। କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ବହୁ ଆଦିବାସୀ ଜମି ହସ୍ତାନ୍ତର କରିଥିଲା। ଧୁବ୍ରି ଏବଂ ଗୋଲପାରା ଭଳି ଜିଲ୍ଲାଗୁଡ଼ିକର ପରିସ୍ଥିତି ଭୟଙ୍କର ଥିଲା। ଏହା ବୋଡୋଲ୍ୟାଣ୍ଡରେ ଜନସଂଖ୍ୟା ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଥିଲା ଏବଂ ସମାଜରେ  ସଙ୍କଟ ସୃଷ୍ଟି କରିଥିଲା। ମୁଁ ସନ୍ତୁଷ୍ଟ ଯେ ହେମନ୍ତ ଜୀଙ୍କ ନେତୃତ୍ୱରେ, ଅନୁପ୍ରବେଶକାରୀଙ୍କ କବଜାରୁ ଜମି ମୁକ୍ତ କରିବା ପାଇଁ ଆସାମରେ ଏକ ବଡ଼ ଅଭିଯାନ ଚାଲିଛି। ଏଠାରେ ବିଜେପି-ଏନଡିଏ ସରକାର ଆସାମର ଆଦିବାସୀମାନଙ୍କୁ ମଧ୍ୟ ଆଇନଗତ ଜମି କାଗଜପତ୍ର ପ୍ରଦାନ କରିଛି। ଏହି ଅଭିଯାନରେ ଉତ୍ସାହୀ ସମର୍ଥନ ପାଇଁ ମୁଁ ଆଦିବାସୀ ସମ୍ପ୍ରଦାୟକୁ ମୋର କୃତଜ୍ଞତା ଜଣାଇବାକୁ ଚାହୁଁଛି। ଆଜି, ମୁଁ ଆପଣଙ୍କୁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିବାକୁ ଆସିଛି  । ଆପଣମାନେ ଏକ ସ୍ପଷ୍ଟ ସନ୍ଦେଶ ଦିଅନ୍ତୁ ଯେ ଏବେ ଅନୁପ୍ରବେଶକାରୀମାନଙ୍କ ପାଇଁ ଦେଶରେ କୌଣସି ସ୍ଥାନ ନାହିଁ। ଆସାମର ଏହି ବାର୍ତ୍ତା ସମଗ୍ର ଦେଶର ସ୍ୱର ପାଲଟିଯିବ।

ବନ୍ଧୁଗଣ,

 

ଆମକୁ ଆସାମର ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ପଡିବ, ଏବଂ ମୁଁ ଜାଣେ ଯେ ଆସାମବାସୀଙ୍କ ଆଶୀର୍ବାଦରେ, ଏକ ବିକଶିତ ଆସାମ ପାଇଁ ଆମର ସଂକଳ୍ପ ନିଶ୍ଚିତ ଭାବରେ ସାକାର ହେବ। ଏହି ଆତ୍ମବିଶ୍ୱାସ ସହିତ, ମୁଁ ପୁଣିଥରେ ଆପଣମାନଙ୍କୁ ଆପଣଙ୍କ ବିକାଶ ପ୍ରକଳ୍ପ ପାଇଁ ମୋର ଶୁଭକାମନା ଜଣାଉଛି।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

ନମସ୍କାର।

 

***

SPD


(ରିଲିଜ ଆଡି: 2255115) ପରିଦର୍ଶକ କାଉଣ୍ଟର : 14