ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ ୬୦ ଦିନ ପାଇଁ ତୈଳ ରହିଛି: ସରକାର


ଅପପ୍ରଚାରରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ

ପୋଷ୍ଟ କରାଯିବା ଦିନାଙ୍କ: 26 MAR 2026 2:15PM by PIB Bhubaneswar

 

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ପେଟ୍ରୋଲିୟମ୍‌ ଓ ଏଲପିଜି ଯୋଗାଣ ସଂପୂର୍ଣ୍ଣ ସୁରକ୍ଷିତ ଓ ନିୟନ୍ତ୍ରଣାଧୀନ ରହିଛି। ସମସ୍ତ ଖୁଚୁରା ଇନ୍ଧନ କେନ୍ଦ୍ରଗୁଡ଼ିକରେ ଯଥେଷ୍ଟ ପରିମାଣର ଯୋଗାଣ ରହିଛି। ଦେଶର କୌଣସି ସ୍ଥାନରେ ପେଟ୍ରୋଲ, ଡିଜେଲ୍‌ ବା ଏଲପିଜିର କୌଣସି ଅଭାବ ନାହିଁ। ଦେଶରେ ଆତଙ୍କ ସୃଷ୍ଟି ପାଇଁ ଜାଣିଶୁଣି ଓ ଯୋଜନାବଦ୍ଧଭାବେ କରାଯାଉଥିବା ଦୁଷ୍ପ୍ରଚାର ଅଭିଯାନ ଦ୍ବରା ଭ୍ରମିତ ନ ହେବାକୁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ନିବେଦନ କରିଛି। 

ପେଟ୍ରୋଲ, ଡିଜେଲ : କୌଣସି ଅଭାବ ନାହିଁ, ବିତରଣରେ କୌଣସି କଟକଣା ନାହିଁ

୧. ଭାରତ ଶକ୍ତି ସୁରକ୍ଷାର ଏକ ପ୍ରମୁଖ ଉତ୍ସ। ଭାରତ ବିଶ୍ୱର ଚତୁର୍ଥ ବୃହତ ବିଶୋଧନକାରୀ ଏବଂ ପେଟ୍ରୋଲିୟମ ଉତ୍ପାଦର ପଞ୍ଚମ ବୃହତ ରପ୍ତାନିକାରୀ। ଦେଶ ୧୫୦ରୁ ଅଧିକ ଦେଶକୁ ପରିଶୋଧିତ ତୈଳ ଯୋଗାଣ କରେ। ଯେହେତୁ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ଉପଲବ୍ଧତା ସୁନିଶ୍ଚିତ। ସାରା ଦେଶରେ ୧ ଲକ୍ଷରୁ ଅଧିକ ଖୁଚୁରା ଇନ୍ଧନ ଦୋକାନ ଖୋଲା ଅଛି ଏବଂ କୌଣସି ଅସୁବିଧା ବିନା ଇନ୍ଧନ ବଣ୍ଟନ କରୁଛି। ଗୋଟିଏ ବି ଦୋକାନକୁ ଯୋଗାଣରେ ନିୟନ୍ତ୍ରଣ କରିବାକୁ କୁହାଯାଇନାହିଁ। ଏହାର ବିପରୀତ ବିଶ୍ବର ଅନେକ ଦେଶ ଏହି ସଂକଟ ଯୋଗୁଁ ଇନ୍ଧନ ମୂଲ୍ୟବୃଦ୍ଧି, ନିୟନ୍ତ୍ରିତ ଯୋଗାଣ, ଅଯୁଗ୍ମ-ଯୁଗ୍ମ ଯାନବାହାନ କଟକଣା ଓ କେତେକ କେନ୍ଦ୍ରକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି କିଛି ଦେଶ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କିନ୍ତୁ ଭାରତ ଏପରି କୌଣସି ପଦକ୍ଷେପର ଆବଶ୍ୟକତା ପଡ଼ିନାହିଁ। ଅନ୍ୟ ଦେଶ ଇନ୍ଧନ ଯୋଗାଣ ନିୟନ୍ତ୍ରଣ କରୁଥିବା ବେଳେ, ଭାରତରେ ଇନ୍ଧନ ଯୋଗାଣର କୌଣସି ଅଭାବ ନାହିଁ। କିଛି ନିର୍ଦ୍ଦିଷ୍ଟ ପମ୍ପରେ ଛାନିଆ ହୋଇ ଇନ୍ଧନ କ୍ରୟ ପରି ଅଳ୍ପକିଛି ଘଟଣା ଘଟିଥିଲା, ସେଗୁଡ଼ିକ ମୁଖ୍ୟତଃ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଭିଡିଓ ମାଧ୍ୟମରେ ଜାଣିଶୁଣି ଭୁଲ ସୂଚନା ପ୍ରସାରିତ ହେବା ଯୋଗୁଁ ହୋଇଥିଲା। ଏପରି ପମ୍ପଗୁଡ଼ିକରେ ଇନ୍ଧନ ଚାହିଦା ବୃଦ୍ଧି ସତ୍ତ୍ୱେ, ସମସ୍ତ ଗ୍ରାହକଙ୍କୁ ଇନ୍ଧନ ବିତରଣ କରାଯାଇଥିଲା ଏବଂ ଯୋଗାଣ ବୃଦ୍ଧି ପାଇଁ ତେଲ କମ୍ପାନୀ ଡିପୋଗୁଡ଼ିକ ରାତାରାତି ଖୋଲା ରହିଥିଲା। ପମ୍ପ ମାଲିକଙ୍କ ଚଳନ୍ତି ଅର୍ଥ ସମସ୍ୟା ଯୋଗୁଁ ଯେପରି କୌଣସି ପମ୍ପ ପେଟ୍ରୋଲ ଏବଂ ଡିଜେଲର ଅଭାବର ସମ୍ମୁଖୀନ ନ ହେବେ ସେଥିଲାଗି ତେଲ କମ୍ପାନୀଗୁଡ଼ିକ ଦ୍ୱାରା ପେଟ୍ରୋଲ ପମ୍ପଗୁଡ଼ିକୁ ଦିଆଯାଉଥିବା ବକେୟା ପୂର୍ବରୁ ଗୋଟିଏ ଦିନ ଥିବାବେଳେ ଏବେ ତାହାକୁ ୩ଦିନକୁ ବୃଦ୍ଧି କରାଯାଇଛି। 

ଅଶୋଧିତ ତେଲ ଯୋଗାଣ: ଅଭାବକୁ ଯଥେଷ୍ଟ ଭରଣା କରାଯାଇଛି

୨. ହର୍ମୁଜ୍ ପ୍ରଣାଳୀରେ ଦେଖାଯାଉଥିବା ଅଚଳବାସ୍ଥା ସତ୍ତ୍ୱେ, ଭାରତ ଆଜି ବିଶ୍ୱର ୪୧ରୁ ଅଧିକ ତୈଳ ଯୋଗାଣକାରୀଙ୍କଠାରୁ ପୂର୍ବ ଅପେକ୍ଷା ଅଧିକ ଅଶୋଧିତ ତେଲ ପାଉଛି। ପାଶ୍ଚାତ୍ୟ ଦେଶରୁ ଅଧିକ ଯୋଗାଣ ଆସିବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ତୈଳ ପରିମାଣ ବଢିଛି। ଯେକୌଣସି ପ୍ରତିବନ୍ଧକ ଜନିତ ଅଭାବ ତୁଳନାରେ ଅଧିକ ଭରଣା ହୋଇଛି। ପ୍ରତ୍ୟେକ ଭାରତୀୟ ବିଶୋଧନାଗାର ନିଜ ପୂର୍ଣ୍ଣ କ୍ଷମତାରେ ଚାଲୁଛି। ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଆଗାମୀ ୬୦ ଦିନ ପାଇଁ ଅଶୋଧିତ ତେଲ ଯୋଗାଣ ସୁନିଶ୍ଚିତ କରିଦିଆଯାଇଛି। ଏଣୁ ଯୋଗାଣରେ କୌଣସି ବ୍ୟବଧାନ ନାହିଁ।

ରଣନୈତିକ ଭଣ୍ଡାରର ସମ୍ପୂର୍ଣ୍ଣ ଏବଂ ସଠିକ୍ ଚିତ୍ର

୩. କିଛି ରିପୋର୍ଟ ଏବଂ ସୋସିଆଲ ମିଡିଆ ଭିଡିଓରେ ଏକ ଭୁଲ ସୂଚନା ପ୍ରସାରିତ ହେଉଛି ଯେ ଦେଶରେ କେବଳ ୬ ଦିନର ଷ୍ଟକ୍ ରହିଛି। ପ୍ରକୃତ କଥା ହେଉଛି ଭାରତରେ ୭୪ ଦିନ ପାଇଁ ଭଣ୍ଡାରଣ କ୍ଷମତା ରହିଛି ଓ ଆମେ ମଧ୍ୟପ୍ରାଚ୍ୟ ସଙ୍କଟର ୨୭ତମ ଦିନରେ ଥିବା ସତ୍ତ୍ବେ ଦେଶରେ ଏବେ ଗଚ୍ଛିତ ତୈଳ(ଅଶୋଧିତ ଷ୍ଟକ୍, ଉତ୍ପାଦ ଷ୍ଟକ୍ ଏବଂ ଗୁମ୍ଫାରେ ଉତ୍ସର୍ଗୀକୃତ ରଣନୀତିକ ସଂରକ୍ଷଣ ସମେତ) ୬୦ ଦିନ ପାଇଁ ରହିଛି। ବିଶ୍ୱ ସ୍ତରରେ ଯାହା ବି ଘଟୁ, ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ପ୍ରାୟ ଦୁଇ ମାସର ସ୍ଥିର ଇନ୍ଧନ ଯୋଗାଣ ଉପଲବ୍ଧ ଅଛି। ପରବର୍ତ୍ତୀ ୨ ମାସ ପାଇଁ ଅଶୋଧିତ କ୍ରୟ ମଧ୍ୟ ସୁରକ୍ଷିତ କରାଯାଇଛି। ଉର୍ଜ୍ଜା ଦୃଷ୍ଟିରୁ ଭାରତ ଆଗାମୀ କିଛି ମାସ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ଏପରି ଯୋଗାଣ ପରିସ୍ଥିତିରେ, ଭୂତଳ ରଣନୈତିକ ଭଣ୍ଡାର ବ୍ୟବହାରକୁ ନେଇ କୌଣସି ଚିନ୍ତା ନାହିଁ। ତେଣୁ, ଭାରତର ତୈଳ ଭଣ୍ଡାର ହ୍ରାସ ପାଇଛି କିମ୍ବା ଅପର୍ଯ୍ୟାପ୍ତ ଅଛି ବୋଲି ହେଉଥିବା ଯେକୌଣସି ଦୁଷ୍ପ୍ରଚାରକୁ ଖାରଜ କରାଯିବା ଉଚିତ।

ଏଲପିଜି : ଉତ୍ପାଦନ ବୃଦ୍ଧି, ଆମଦାନୀ ଆବଶ୍ୟକତା ହ୍ରାସ, ଯୋଗାଣ ସୁନିଶ୍ଚିତ

୪. ଦେଶରେ ଏଲପିଜିର କୌଣସି ଅଭାବ ନାହିଁ। ଏହି ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏଲପିଜି ନିୟନ୍ତ୍ରଣ ନିର୍ଦ୍ଦେଶ ପରେ, ଘରୋଇ ରିଫାଇନାରୀ ଉତ୍ପାଦନ ୪୦% ବୃଦ୍ଧି ପାଇଛି, ଯାହା ଫଳରେ ଦୈନିକ ୮୦ ଟିଏମଟି ଆବଶ୍ୟକତା ତୁଳନାରେ ୫୦ ଟିଏମଟି (ଆମର ଆବଶ୍ୟକତାର ୬୦% ରୁ ଅଧିକ) ଦୈନିକ ଏଲପିଜି ଉତ୍ପାଦନ ହୋଇଛି। ଫଳସ୍ୱରୂପ, ନିଟ୍ ଦୈନିକ ଆମଦାନୀ ଆବଶ୍ୟକତା ମାତ୍ର ୩୦ ଟିଏମଟିକୁ ହ୍ରାସ ପାଇଛି - ଅର୍ଥାତ୍ ଭାରତ ଏବେ ଆମଦାନୀ କରିବା ଆବଶ୍ୟକତା ଠାରୁ ବହୁତ ଅଧିକ ଉତ୍ପାଦନ କରୁଛି। ଘରୋଇ ଉତ୍ପାଦନ ବୃଦ୍ଧି ସହିତ, ଆମେରିକା, ରୁଷ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରୁ ୮୦୦ ଟିଏମଟି ଏଲପିଜିର ନିଶ୍ଚିତ ଆମଦାନୀ ଯୋଗାଣ ବୁକ୍ ହୋଇସାରିଛି । ଏଗୁଡ଼ିକ ଦେଶବ୍ୟାପୀଥିବା ୨୨ ଏଲପିଜି ଆମଦାନୀ ଟର୍ମିନାଲରେ ପହଞ୍ଚିବ। ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ଏପରି ଟର୍ମିନାଲ ସଂଖ୍ୟା ୧୧ ଥିଲା। ପ୍ରାୟ ଗୋଟିଏ ମାସ ପାଇଁ ଏଲପିଜି ଯୋଗାଣ ଦୃଢ଼ ଭାବରେ ସୁନିଶ୍ଚିତ କରାଯାଇଛି ଏବଂ ଅତିରିକ୍ତ କ୍ରୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ସଫଳତାର ସହ ୫ ନିୟୁତରୁ ଅଧିକ ଗ୍ୟାସ ସିଲିଣ୍ଡର ବଣ୍ଟନ କରୁଛନ୍ତି। ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଥିବା ଆତଙ୍କ ଯୋଗୁଁ ସିଲିଣ୍ଡରର ଚାହିଦା ୮୯ ଲକ୍ଷରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ଏହା ୫୦ ଲକ୍ଷକୁ ହ୍ରାସ ପାଇଛି। ଜମାଖୋରୀ କିମ୍ବା କଳାବଜାରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ବାଣିଜ୍ୟିକ ସିଲିଣ୍ଡରର ଆବଣ୍ଟନ ୫୦% ବୃଦ୍ଧି କରାଯାଇଛି।

ପିଏନଜି ପ୍ରେତ୍ସାହନ: ଏହା ପୂର୍ବରୁ ଜାରି ରହିଛି, ଏକ ଜରୁରୀକାଳୀନ ପଦକ୍ଷେପ ନୁହେଁ

୫. ପାଇପ୍ ପ୍ରାକୃତିକ ଗ୍ୟାସକୁ ରାଜ୍ୟ ସରକାରଙ୍କ ସହିତ ପୂର୍ଣ୍ଣ ସମନ୍ୱୟ ରକ୍ଷା କରି ପ୍ରୋତ୍ସାହନ ଦିଆଯାଉଛି କାରଣ ଏହା ଭାରତୀୟ ପରିବାର ପାଇଁ ସୁଲଭ, ସ୍ୱଚ୍ଛ ଏବଂ ସୁରକ୍ଷିତ। ଏଲପିଜି ତୁଳନାରେ ପିଏନଜି କ୍ଷେତ୍ରରେ ଭାରତ କମ ଆମଦାନୀ ନିର୍ଭରଶୀଳ। ଭାରତର ଦୈନିକ ପିଏନଜି ଆବଶ୍ୟକତା ୧୯୧ ଏମଏମଏସସିଏମଡି ଥିବାବେଳେ ଦେଶରେ ୯୨ ଏମଏମଏସସିଏମଡି ଉତ୍ପାଦନ ହେଉଛି। ସିଟି ଗ୍ୟାସ୍ ବଣ୍ଟନ ୨୦୧୪ରେ ୫୭ଟି ସହରରେ ସୀମିତ ଥିବାବେଳେ ଏବେ ତାହା ୩୦୦ରୁ ଅଧିକ ସହରକୁ ପରିବ୍ୟାପ୍ତ ହୋଇଛି। ଘରୋଇ ପିଏନଜି ସଂଯୋଗ ୨୫ ଲକ୍ଷରୁ ବୃଦ୍ଧି ପାଇ ୧.୫ କୋଟିରୁ ଅଧିକ ହୋଇଛି। ବର୍ତ୍ତମାନର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଏହି ପରିବର୍ତ୍ତନ ଜାରି ରହିଥିଲା, ଯାହାକି ଭାରତର ଦୀର୍ଘକାଳୀନ ଶକ୍ତି ରଣନୀତିକୁ ପ୍ରତିଫଳିତ କରେ। ଏଲପିଜି ସରିଯିବାରୁ ପିଏନଜି ବ୍ୟବହାର ଲାଗି ବାଧ୍ୟ କରାଯାଉଥିବା ଦାବି ଭିତ୍ତିହୀନ। ଏଲପିଜି ଯୋଗାଣ ସୁନିଶ୍ଚିତ ରହିଛି। ସେହିପରି ଭାରତୀୟ ପରିବାର ପାଇଁ ପିଏନଜି ଏକ ଭଲ, ଶସ୍ତା ଏବଂ ଅଧିକ ସୁବିଧାଜନକ ଇନ୍ଧନ।

 

ସରକାରଙ୍କ ଚେତାବନୀ: ଦୁଷ୍ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ

୬. ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଭ୍ରାମକ ଭିଡିଓ ଏବଂ ପୋଷ୍ଟଗୁଡ଼ିକ ଉପରେ ମନ୍ତ୍ରଣାଳୟ ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଏସବୁ ଭିଡିଓରେ ଦେଖାଯାଉଛି ଯେ ଇନ୍ଧନ ଷ୍ଟେସନ ଆଗରେ ଲମ୍ବା ଧାଡ଼ି ରହିଛି, ଅନ୍ୟ ଦେଶରେ ଲାଗୁ ଇନ୍ଧନ କଟକଣା ତଥା ଆଗକୁ ଦେଶରେ ଲକ୍‌ଡାଉନ ଓ ଜରୁରୀକାଳୀନ ଇନ୍ଧନ ପଦକ୍ଷେପ ନିଆଯାଇପାରେ ବୋଲି ପ୍ରଚାର ହେଉଛି। ଦେଶରେ ଇନ୍ଧନ ନିଅଣ୍ଟ ରହିଛି ବୋଲି ମିଥ୍ୟା ପ୍ରଚାର କରିବା ଅଭିପ୍ରାୟରେ ଏପରି କରାଯାଉଛି। 

୭. କିଛି ପୋଷ୍ଟ ଜାଣିଶୁଣି ସରକାରୀ ନିର୍ଦ୍ଦେଶଗୁଡ଼ିକୁ ଭୁଲ ଭାବରେ ଉପସ୍ଥାପନ କରୁଛନ୍ତି। ସେମାନେ ପ୍ରାକୃତିକ ଗ୍ୟାସ୍ ନିୟନ୍ତ୍ରଣ ନିର୍ଦ୍ଦେଶ ଏବଂ ଏଲପିଜି ନିୟନ୍ତ୍ରଣ ନିର୍ଦ୍ଦେଶକୁ ଭୁଲ ଭାବେ ଏକ ସଂକଟ ଓ ଜରୁରୀକାଳୀନ ଘୋଷଣା ବୋଲି ଦର୍ଶାଉଛନ୍ତି। ପ୍ରକୃତ କଥା ହେଉଛି ଯୋଗାଣ ସୁନିଶ୍ଚିତ କରିବା ଲାଗି ସେଗୁଡ଼ିକ ଏକ ସ୍ବାଭାବିକ ଆଗୁଆ ପ୍ରଶାସନିକ ପଦକ୍ଷେପ ଅଟେ। 

୮. ଏହି ଦୁଷ୍ପ୍ରଚାର କିଛି ଦୁର୍ବୃର୍ତ୍ତଙ୍କ ଦ୍ବାରା କରାଯାଉଛି ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଦ୍ବାରା ତାହାର ପ୍ରସାର କରାଯାଉଛି। ଏହା ଦ୍ବାରା ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଚିନ୍ତା ସୃଷ୍ଟି ହେଉଛି। ମନ୍ତ୍ରଣାଳୟ ସମସ୍ତ ନାଗରିକଙ୍କୁ ଇନ୍ଧନ ଏବଂ ଗ୍ୟାସ୍ ଉପଲବ୍ଧତା ବିଷୟରେ ସୂଚନା ପାଇଁ କେବଳ ସରକାରୀ ସରକାରୀ ସୂଚନା ମାଧ୍ୟମ ଉପରେ ନିର୍ଭର କରିବାକୁ ଅନୁରୋଧ କରୁଛି। ଏହା ମଧ୍ୟ ସୂଚୀତ କରାଯାଉଛି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ବିଷୟରେ ଭୁଲ ସୂଚନା ପ୍ରସାର କରିବା ଆଇନ ଅନୁଯାୟୀ ଏକ ଅପରାଧ, ଏବଂ ଯେଉଁମାନେ ଜାଣିଶୁଣି ଆତଙ୍କ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପଛଘୁଞ୍ଚା ଦେବେ ନାହିଁ।

***

TKM


(ରିଲିଜ ଆଡି: 2245785) ପରିଦର୍ଶକ କାଉଣ୍ଟର : 10