ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 18 MAR 2026 12:32PM by PIB Bhubaneshwar

 

ଏହି ବିଶେଷ ଅବସରରେ ମୋର ଭାବନା ପ୍ରକାଶ କରିବାର ସୁଯୋଗ ଦେବା ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ।

ମାନ୍ୟବର ଅଧ୍ୟକ୍ଷ,

ଗୃହ ଭିତରେ ଅନେକ ବିଷୟ ଉପରେ ଆଲୋଚନା ହୋଇଥାଏ,  ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥାଏ ଏବଂ କିଛି ଖଟା-ମିଠା ଅଭିଜ୍ଞତା ମଧ୍ୟ ଥାଏ । କିନ୍ତୁ ଆଜି, ଯେତେବେଳେ ଏପରି ଏକ ସୁଯୋଗ ଆସେ, ଆମ ସମସ୍ତଙ୍କ ଭିତରେ ସ୍ୱାଭାବିକ ଭାବରେ ଦଳୀୟ ଭାବନା ସୀମା ଅତିକ୍ରମ କରି ଏକ ସାଧାରଣ ଭାବନା ଉଭା ହୁଏ, କ’ଣ ଆମର ଏହି ସହକର୍ମୀମାନେ  ଏବେ ଅନ୍ୟ କୌଣସି ବିଶେଷ କାମ ପାଇଁ ଆଗକୁ ବଢ଼ୁଛନ୍ତି ? ଯେଉଁମାନେ ଆଜି ଏଠାରୁ  ଯାଉଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଫେରିବା ଉଦ୍ଦେଶ୍ୟରେ ଯାଉଛନ୍ତି ଏବଂ ଅନ୍ୟମାନେ ଏଠାରେ ଅର୍ଜିତ ଅଭିଜ୍ଞତା ସହ ସାମାଜିକ ଜୀବନରେ ବିଶେଷ ଅବଦାନ ଦେବାକୁ ଯାଉଛନ୍ତି । ଯେଉଁମାନେ ଯାଉଛନ୍ତି କିନ୍ତୁ ଫେରିବେ ନାହିଁ, ମୁଁ ସେମାନଙ୍କୁ ଏହା ମଧ୍ୟ କହିବାକୁ ଚାହେଁ ଯେ ରାଜନୀତିରେ କେବେ ପୂର୍ଣ୍ଣଛେଦ ନଥାଏ; ଭବିଷ୍ୟତ ଆପଣଙ୍କ ଅପେକ୍ଷାରେ ଅଛି ଏବଂ ଆପଣଙ୍କ ଅଭିଜ୍ଞତା ତଥା ଆପଣଙ୍କ ଅବଦାନ ଜାତୀୟ ଜୀବନର ଏକ ଅଂଶ ହୋଇ ଚିରକାଳ ରହିବ ।

ମାନ୍ୟବର ଅଧ୍ୟକ୍ଷ,

ବିଦାୟ ନେଉଥିବା ସଦସ୍ୟମାନଙ୍କ ମଧ୍ୟରୁ କେତେକ ଗୃହ ଚାଲୁ ନଥିବା ସମୟରେ ବିଦାୟ ନେବେ, ଯେତେବେଳେ ଅନ୍ୟମାନେ ଚଳିତ ଅଧିବେଶନ ସମୟରେ ବିଦାୟ ନେଉଛନ୍ତି । କିନ୍ତୁ ଏହି ସମସ୍ତ ସଦସ୍ୟ ଉତ୍କୃଷ୍ଟ ଅବଦାନ ଦେଇଛନ୍ତି । ମୁଁ ବିଶେଷ ଭାବରେ ମାନନୀୟ ଦେବଗୌଡା ଜୀ, ମାନନୀୟ ଖାର୍‌ଗେ ଜୀ, ମାନନୀୟ ଶରଦ ପାୱାର ଜୀ – ଏହିପରି ବରିଷ୍ଠ ନେତାମାନଙ୍କ ଉଦ୍ଦେଶ୍ୟରେ କହିବାକୁ ଚାହୁଁଛି ଯେଉଁମାନେ ନିଜ ଜୀବନର ଅଧାରୁ ଅଧିକ ସମୟ ସଂସଦୀୟ କାର୍ଯ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଦୀର୍ଘ ଦିନର ଅଭିଜ୍ଞତା ପରେ, ସମସ୍ତ ନୂତନ ସଦସ୍ୟ ସେମାନଙ୍କଠାରୁ ଶିଖିବା ଉଚିତ୍ – ଗୃହରେ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ, ଯଥାସମ୍ଭବ ଯୋଗଦାନ ଦେବାର ପ୍ରତିବଦ୍ଧତା ଏବଂ ସମାଜ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ପ୍ରତି ସେମାନଙ୍କର ସମ୍ପୂର୍ଣ୍ଣ ସମର୍ପଣ । ଏହା ଏପରି କିଛି ଯାହା ଆମେ ସମସ୍ତଙ୍କୁ ଏହି ବରିଷ୍ଠ ନେତାମାନଙ୍କଠାରୁ ଶିଖିବା ଉଚିତ । ମୁଁ ସେମାନଙ୍କର ଅବଦାନକୁ ବହୁତ ପ୍ରଶଂସା କରୁଛି, କାରଣ ଏତେ ଦୀର୍ଘ କାର୍ଯ୍ୟକାଳ କୌଣସି ଛୋଟ କଥା ନୁହେଁ – ଏହା ବହୁତ ଗୁରୁତ୍ୱପୂର୍ଣ୍ଣ । ସେହିପରି, ଆମର ଉପସଭାପତି ହରିବଂଶ ଜୀ ମଧ୍ୟ ବିଦାୟ ନେଉଛନ୍ତି । ହରିବଂଶ ଜୀ ଦୀର୍ଘ ସମୟ ଧରି ଏହି ଗୃହର ସେବା କରିବାର ସୁଯୋଗ ପାଇଥିଲେ । ସେ ମୃଦ୍ୟୁଭାଷୀ ଏବଂ  ଗୃହ ପରିଚାଳନାରେ ସମସ୍ତଙ୍କ ବିଶ୍ୱାସ ଅର୍ଜନ କରିବାକୁ ସର୍ବଦା ଚେଷ୍ଟା କରିଛନ୍ତି । ମୁଁ ଦେଖିଛି ଯେ ସଂକଟ ସମୟରେ, ପ୍ରାୟତଃ ଉପାଧ୍ୟକ୍ଷଙ୍କୁ ଗୃହ ପରିଚାଳନା କରିବାକୁ କୁହାଯାଇଥାଏ । ତାଙ୍କର ବ୍ୟାପକ ଅଭିଜ୍ଞତା ଅଛି ଏବଂ ସେ ସମସ୍ତଙ୍କୁ ଭଲ ଭାବରେ ଜାଣନ୍ତି । ତାଙ୍କର ଅବଦାନ ଉଲ୍ଲେଖନୀୟ । ମୁଁ ଏହା ମଧ୍ୟ ଦେଖିଛି ଯେ, ଯେତେବେଳେ ଗୃହ ଅଧିବେଶନ ଚାଲୁ ନଥିଲା, ସେ ଦେଶବ୍ୟାପୀ ଭ୍ରମଣ କରୁଥିଲେ, ଯୁବପିଢ଼ିଙ୍କୁ ଭେଟିଥିଲେ, ସେମାନଙ୍କୁ ଜାତୀୟ ପରିସ୍ଥିତି ବିଷୟରେ ସଚେତନ କରୁଥିଲେ ଏବଂ ସେମାନଙ୍କ ମଧ୍ୟରେ ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରୁଥିଲେ । ସେ କେବଳ କଲମରେ ନିପୁଣ ନୁହେଁ ବରଂ ଜଣେ କର୍ତ୍ତବ୍ୟପରାୟଣ କର୍ମୀ ଭାବରେ ଭାରତର ପ୍ରତ୍ୟେକ କୋଣରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ।

ମାନ୍ୟବର ଅଧ୍ୟକ୍ଷ,

ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଶୁଣୁଥିଲୁ ଯେ, ସଦନରେ ପ୍ରାୟତଃ ହାସ୍ୟରସ ଏବଂ ବ୍ୟଙ୍ଗର ସୁଯୋଗ ମିଳୁଥିଲା । ଆଜିକାଲି, ହୁଏତ ଏହା ଧୀରେ ଧୀର ହ୍ରାସ ପାଉଛି, କାରଣ 24x7 ଗଣମାଧ୍ୟମର ଯୁଗରେ ସମସ୍ତେ ସଚେତନ ଅଛନ୍ତି । କିନ୍ତୁ ଆମର ଅଠାୱଲେ ଜୀ ଚିର ସବୁଜ । ଯଦିଓ ଅଠାୱଲେ ଜୀ ଯାଉଛନ୍ତି, ମୁଁ ନିଶ୍ଚିତ ଯେ କେହି ନିଜକୁ ବଞ୍ଚିତ ମନେ କରିବେ ନାହିଁ, କାରଣ ସେ ପ୍ରଚୁର ହାସ୍ୟରସ ଏବଂ ବ୍ୟଙ୍ଗ ପରିବେଷଣ କରି ଚାଲିବେ ।

ମାନ୍ୟବର ଅଧ୍ୟକ୍ଷ,

ସଦନରେ ପ୍ରତି ଦୁଇ ବର୍ଷରେ ଥରେ ଏକ ବଡ଼ ଗୋଷ୍ଠୀ ଆମ ଭିତରୁ ବିଦାୟ ନେଉଛନ୍ତି । କିନ୍ତୁ ଏହା ଏପରି ଏକ ବ୍ୟବସ୍ଥା ଯେ, ଯେଉଁ ନୂତନ ଗୋଷ୍ଠୀ ଆସନ୍ତି, ସେମାନଙ୍କୁ ତୁରନ୍ତ ଏଠାରେ ଚାରି ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ରହିଥିବା ଲୋକଙ୍କ ଅଭିଜ୍ଞତାରୁ କିଛି ନା କିଛି ଶିଖିବାର ସୁଯୋଗ ମିଳିଥାଏ । ତେଣୁ, ଗୃହର ଐତିହ୍ୟ ଏକ ପ୍ରକ୍ରିୟା ଭାବରେ ଜାରି ରହିଛି ଏବଂ ଏହା ଏକ ବଡ଼ ସୁବିଧା । ମୁଁ ନିଶ୍ଚିତ ଯେ, ଯେଉଁମାନେ ଏଥର ବିଦାୟ ନେଉନାହାନ୍ତି ସେମାନେ ମଧ୍ୟ ନୂତନ ସଦସ୍ୟଙ୍କ ସହିତ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ, ସେମାନଙ୍କ ଅବଦାନରେ ଗୃହକୁ ଆହୁରି ସମୃଦ୍ଧ କରିବେ ।

ମାନ୍ୟବର ଅଧ୍ୟକ୍ଷ,

ଆମେ ଜାଣୁ ଯେ ଜୀବନରେ କିମ୍ବା ସାର୍ବଜନୀନ ଜୀବନରେ, ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ, ପରିବାରଗୁଡିକ ଏକାଠି ବସି ନିଷ୍ପତ୍ତି ନିଅନ୍ତି । ତଥାପି ସେମାନେ କୁହନ୍ତି, “ଆଉ କାହାକୁ ପଚାରିବା, ଦ୍ୱିତୀୟ ମତାମତ ନେବା, ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ପରାମର୍ଶ କରିବା, ସେମାନଙ୍କର ଅଭିଜ୍ଞତା ଅଛି, ଅନ୍ୟମାନଙ୍କୁ ଟିକେ ପଚାରି ବୁଝିବା ଯେ ସେମାନଙ୍କର ମତାମତ କ’ଣ ।” ଯଦି କେହି ଅସୁସ୍ଥ ହୁଅନ୍ତି, ତେବେ ଲୋକମାନେ କୁହନ୍ତି, “ଆଉ ଜଣେ ଡାକ୍ତରଙ୍କଠାରୁ ମତାମତ ନେବା ।” ଦ୍ୱିତୀୟ ମତାମତ ବହୁତ ଗୁରୁତ୍ୱପୂର୍ଣ୍ଣ । ମୁଁ ବିଶ୍ୱାସ କରେ ଯେ ଆମର ସଂସଦୀୟ ବ୍ୟବସ୍ଥାରେ, ଦ୍ୱିତୀୟ ମତାମତର ଶକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଗୋଟିଏ ଗୃହରେ ନିଆଯାଇଥିବା ନିଷ୍ପତ୍ତି ଦ୍ୱିତୀୟ ମତାମତ ପାଇଁ ଅନ୍ୟ ଗୃହକୁ ଯାଏ । ଯଦି ନିଷ୍ପତ୍ତି ଏଠାରେ ହୁଏ, ତେବେ ତାହା ଦ୍ୱିତୀୟ ମତାମତ ପାଇଁ ସେହି ସଦନକୁ ଯାଏ । ଏହି ଦ୍ୱିତୀୟ ମତାମତ ସମଗ୍ର ବିତର୍କ ଏବଂ ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଏକ ନୂତନ ପରିସର ପ୍ରଦାନ କରେ, ଏହାକୁ ସମୃଦ୍ଧ କରେ ବୋଲି ମୁଁ ବିଶ୍ୱାସ କରେ । ତେଣୁ ଏହିପରି, ଉଭୟ ଗୃହର ସଦସ୍ୟମାନଙ୍କ ପାଇଁ ଏକ ନୂତନ ତଥା ଖୋଲା ଦୃଷ୍ଟିକୋଣ ଏବଂ ମନୋଭାବ ରହିଛି, “ଯଦି ଏହି ଗୃହରେ ନୁହେଁ, ତେବେ ସେହି ଗୃହରେ ଏକ ଖୋଲା ଏବଂ ନୂତନ ମତ ପ୍ରକାଶ ପାଇବ, ଯଦି ଏହି ଗୃହରେ ନୁହେଁ, ତେବେ ସେହି ଗୃହରେ ଏକ ନୂତନ ମତ ପକାଶ ପାଇବ । ତେଣୁ ଏହି ଦ୍ୱିତୀୟ ମତ ଆମ ଗଣତନ୍ତ୍ରର ଏକ ପ୍ରମୁଖ ଅବଦାନ। ବିଦାୟ ନେଉଥିବା ସଦସ୍ୟମାନେ ଏହି ଐତିହ୍ୟରେ ସେମାନଙ୍କର ଭୂମିକା ଗ୍ରହଣ କରିଛନ୍ତି, ଏବଂ ମୁଁ ଏଥିପାଇଁ ସେମାନଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି ।

ମାନ୍ୟବର ଅଧ୍ୟକ୍ଷ,

ଯେଉଁ ସଦସ୍ୟମାନେ ବିଦାୟ ନେଉଛନ୍ତି, ସେମାନେ ପୁରୁଣା ସଂସଦ ଭବନ ଏବଂ ନୂତନ ସଂସଦ ଭବନରେ ବସିବାର ଅନନ୍ୟ ସୁଯୋଗ ପାଇଥିଲେ, ଯାହା ଆଗମୀ ଦିନରେ ଆଉ ସମ୍ଭବପର ହୋଇନପାରେ । ସେମାନଙ୍କୁ ଉଭୟ ଭବନରେ ଜାତୀୟ କଲ୍ୟାଣରେ ନିଜର ଯୋଗଦାନ ଦେବାର ସୁଯୋଗ ମିଳିଥିଲା ଏବଂ ସେମାନଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ, ସେମାନଙ୍କୁ ନୂତନ ଗୃହର ନିର୍ମାଣ କାର୍ଯ୍ୟ ଦେଖିôବାକୁ ଏବଂ ଏହାର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଥିଲା । ଏହା ସେମାନଙ୍କ ଜୀବନରେ ଏକ ବିଶେଷ ସ୍ମୃତି ହୋଇ ରହିବ ।

ମାନ୍ୟବର ଅଧ୍ୟକ୍ଷ,

ମୁଁ ବିଶ୍ୱାସ କରେ ଯେ, ଏହି ଗୃହ ନିଜେ ଏକ ମହାନ ମୁକ୍ତ ବିଶ୍ୱବିଦ୍ୟାଳୟ । ଏଠାରେ ସଦସ୍ୟମାନେ ଜାତୀୟ ଜୀବନର ଅନେକ ଜଟିଳତା ସହିତ ପରିଚିତ ହେବାର ସୁଯୋଗ ପାଇଥାନ୍ତି । ଗୋଟିଏ ପ୍ରକାରରେ, ଏଠାରେ ଏହା ଶିକ୍ଷା ଏବଂ ଦୀକ୍ଷା ଉଭୟ ହୋଇଥାଏ । ଏଠାରେ ଯେଉଁ ଛଅ ବର୍ଷ  ବିତାଇବାର ସୁଯୋଗ ମିଳିଥାଏ, ତାହା କେବଳ ନିଷ୍ପତ୍ତି ଗ୍ରହଣରେ ଅଂଶଗ୍ରହଣ ମାଧ୍ୟମରେ ଜାତୀୟ ଜୀବନକୁ ଗଠନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ନିଜ ଜୀବନକୁ ଗଠନ କରିବା ପାଇଁ ଏକ ଅମୂଲ୍ୟ ସୁଯୋଗ ମଧ୍ୟ । ସେଥିପାଇଁ, ଯେତେବେଳେ ସଦସ୍ୟମାନେ ଏଠାକୁ ଆସିଥାନ୍ତି, ସେହିସମୟରେ ସେମାନଙ୍କର ଯେଉଁ ବୁଝାମଣା ଏବଂ କ୍ଷମତା ଥାଏ, ଯେତେବେଳେ ସେମାନେ ବିଦାୟ ନିଅନ୍ତି, ବହୁ ଗୁଣ ବୃଦ୍ଧି ପାଇଥାଏ ଏବଂ ତାହା ବିଶାଳ ଅଭିଜ୍ଞତା ଦ୍ୱାରା ସମୃଦ୍ଧ ହୁଏ ଏବଂ ସେମାନଙ୍କ ଅଭିଜ୍ଞତା ଏକ ବଡ଼ ଶକ୍ତିରେ ପରିଣତ ହୋଇଥାଏ । ଯିବା ପରେ, ଜାତୀୟ ଜୀବନରେ ସେମାନଙ୍କର ଅବଦାନ ଜାରି ରହିଥାଏ । ଆନୁଷ୍ଠାନିକ ଗଠନ ମଧ୍ୟରେ ହେଉ କିମ୍ବା ବାହାରେ, ସେମାନଙ୍କର ଅମୂଲ୍ୟ ଅବଦାନ ସର୍ବଦା ରହିବ ଏବଂ ସେମାନଙ୍କର ଅଭିଜ୍ଞତା ରାଷ୍ଟ୍ରର ନିର୍ମାଣରେ ସର୍ବଦା ଉପଯୋଗୀ ରହିବ । ସମସ୍ତ ସଦସ୍ୟଙ୍କୁ ଏହା ମୋର ଶୁଭକାମନା । ପୁଣି ଥରେ, ମୁଁ ସମସ୍ତ ସଦସ୍ୟଙ୍କ ଅବଦାନକୁ ସ୍ୱୀକାର କରୁଛି ଏବଂ କୃତଜ୍ଞତା ପ୍ରକାଶ କରୁଛି ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

SR


(ରିଲିଜ ଆଡି: 2242191) ପରିଦର୍ଶକ କାଉଣ୍ଟର : 4